Unknown

 

 

 

 

 

 

 

 

 

ରତିମଗ୍ନା

ମଞ୍ଜୁ ନାୟକ

 

ତରାଟ ଫୁଲଠାରୁ କ’ଣ ଆଉ ଭଲ ଫୁଲଟିଏ ତୁମ ପ୍ରଫେସରଙ୍କୁ ମିଳିଲାନି ? କାହାଣୀର ନାୟିକାକୁ ଶାଢ଼ି ଖଣ୍ଡେ ପିନ୍ଧାଇବାକୁ ଯଦି ମନ ହେଲା ତେବେ ଆମ ସମ୍ବଲପୁରୀ ବୋମକାଇ ଅଛି, ବର୍‌ହମ୍‌ପୁରୀ ପାଟ ଅଛି । ଏଥିପାଇଁ କ’ଣ ଲେଖକ ମହାଶୟଙ୍କୁ ପଇସା ପଡ଼ୁଥିଲା ? ଏତେ କଞ୍ଜୁସି କାହିଁକି ?

 

ତରାଟଫୁଲିଆ ଛିଟ ଶାଢ଼ିଟା ପିନ୍ଧାଇ ନାୟିକାକୁ ପ୍ରେମିକ ପାଖକୁ ଛାଡ଼ିବ ? ଆଉ ମୃତ୍ୟୁବେଳକୁ ନାଲି ବନାରସୀ ପିନ୍ଧାଇ ଜୁଇକୁ ନେବ ! !

 

ରତିକାନ୍ତର ଏଭଳି ବ୍ୟଙ୍ଗାତ୍ମକ ଟିପ୍ପଣୀ ଶୁଣି ହସି ହସି ଗଡ଼ିଯାଉଥିଲା ରଶ୍ମି ।

 

ଗଣିତରେ ‘ପୋକ’ ଏହି ରତିକାନ୍ତ । ସାହିତ୍ୟର ‘ସ’ ଅକ୍ଷର ବୁଝେନି । ପୁଣି ଲେଖକମାନଙ୍କ ପ୍ରତି ତା’ର ପ୍ରବଳ ଇର୍ଷା ! ତା’ର ଯୁକ୍ତି ଅଦ୍ଭୁତ ହେଲେ ମଧ୍ୟ ଅକାଟ୍ୟ ।

 

ଗଳ୍ପ କବିତା ଉପନ୍ୟାସକୁ ସେ ଲେଖକମାନଙ୍କର ଶିଳ୍ପ ବୋଲି କୁହେ । କମ୍‌ ପରିଶ୍ରମରେ ଲେଖକମାନେ ତାରକା-ମାନ୍ୟତା ପାଆନ୍ତି ବୋଲି ଅଭିଯୋଗ କରେ ।

 

ରତିକାନ୍ତ କହୁଥିଲା–

 

ଦେଖ୍‌ ରଶ୍ମି, ଲେଖକ କୌଣସି ଅର୍ଥବ୍ୟୟ ନ କରି ନିଜ କାହାଣୀପାଇଁ ସବୁଠାରୁ ଦାମୀ ନାୟକ ଓ ନାୟିକାଙ୍କୁ ଯୋଗାଡ଼ କରିପାରୁଛି । ପୁଣି ସେମାନଙ୍କୁ ନିଜ କାହାଣୀ ଦମ୍‌ରେ ବହୁତାରକା ହୋଟେଲମାନଙ୍କରେ ବିଦେଶୀ ଖାଦ୍ୟ ଖୁଆଇ ପାରନ୍ତି । ନାୟିକାକୁ ଯାବତୀୟ ହୀରାଗହଣା, ଦାମୀ ଶାଢ଼ି ପିନ୍ଧାଇ ନାୟକ ବିଏମ୍‌ଡବ୍ଲ୍ୟୁ ଗାଡ଼ିରେ ବୁଲାଇପାରେ ।

 

ମାତ୍ର କୌଣସିଟା ପାଇଁ ଲେଖକକୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼େନି । ଅର୍ଥ ପାଇଁ ଲେଖକ ବ୍ୟାଙ୍କ ଯାଏନାହିଁ ।

 

ଆଖିବୁଜିଲା ମାତ୍ରକେ କଲମମୁନରେ ଲେଖକକୁ ଏସବୁ ମିଳିଯାଏ ।

 

ତେବେ ଖର୍ଚ୍ଚକାଟ କାହିଁକି ?

 

ରଶ୍ମି ପୁଣିଥରେ ହସିଉଠିଲା ।

 

ରତିକାନ୍ତ କହିଲା, ହସ୍‌ ଯେତେ ମନ ସେତେ ହସ୍‌ । ହେଲେ ତୁ ଯଦି କେବେ କେଉଁ କାହାଣୀର ଚରିତ୍ରଟିଏ ହୋଇଯିବୁ ମନେରଖିଥା, କେତେ ହସିବୁ ବା କେତେ କାନ୍ଦିବୁ ତା’ ମଧ୍ୟ ଲେଖକର ଇଚ୍ଛା ଉପରେ ନିର୍ଭର କରିବ !

 

ରଶ୍ମି କହିଲା ମୋ ଭଳି ଗୋଟେ ସାଧାରଣ ଚରିତ୍ରକୁ ଏବେକାର ଲେଖକମାନେ ନେବାକୁ ଆଦୌ ପସନ୍ଦ କରିବେ ନାହିଁ । ହେଲେ ମୋର ଡର, କେବେ ଯଦି ଆମ ପ୍ରଫେସରଙ୍କ ହାବୁଡ଼ରେ ପଡ଼ୁ, ତୋ ଭଳି କାର୍ଟୁନ୍‌କୁ ସେ ଜବରଦସ୍ତ ଧରିନେଇ ତାଙ୍କ କାହାଣୀ ଭିତରେ ବନ୍ଦୀ କରିଦେବେ ।

 

ତା’ପରେ ସେଇଠି କହିବୁ କେତେଟା ବିଏମ୍‌ଡବ୍ଳ୍ୟୁ ଦରକାର, କିଭଳି ପୋଷାକ ପିନ୍ଧିବୁ ଆଉ ତୋ ନାୟିକା ପାଇଁ କେଉଁ ଶାଢ଼ି ...

 

ରତିକାନ୍ତ ତଥାପି ରଶ୍ମିକୁ ଛାଡ଼ୁ ନ ଥିଲା । କହିଲା ରାଜ୍ୟରେ କେତେ ଉଦାର ଲେଖକ ଅଛନ୍ତି । କଳ୍ପନାରେ ଆକାଶରୁ ତାରାମାନଙ୍କୁ ତୋଳିଆଣି ମାଳ ଗୁନ୍ଥି ନାୟିକାର ବେଣୀ ସଜାଉଛନ୍ତି-। ପୁଣି ଚନ୍ଦ୍ରକୁ ଟିକିଲି କରି ପ୍ରେୟସୀର କପାଳରେ ଲଗାଉଛନ୍ତି ।

 

ଆଉ ତୁମ କଞ୍ଜୁସ ପ୍ରଫେସର ? ତରାଟଫୁଲର ଛିଟ ଶାଢ଼ିଟେ ନାୟିକାକୁ ପିନ୍ଧାଇଦେଇ କହୁଛନ୍ତି ଯେ ଆଉ କିଛି ଅଳଙ୍କାର ଦରକାର ନାହିଁ । ଏଇମିତି ବି ସେ କୁଆଡ଼େ ରାଣୀ ପରି ଦିଶୁଛି-। ଦେଖ୍‌ ରଶ୍ମି ଲେଖକମାନେ ନାୟିକାମାନଙ୍କୁ ପ୍ରଥମରୁ ଏମିତି ଠକିବା ଠିକ୍‌ ନୁହେଁ, କହି ରତିକାନ୍ତ ହସିଲା ।

 

ତା’ର ଏଭଳି ହାଲ୍‌କା ପରିହାସରେ ରଶ୍ମି ମଧ୍ୟ ନ ହସି ରହିପାରୁ ନ ଥିଲା ।

 

ଏତିକିବେଳକୁ ପହଞ୍ଚୁଥିଲା ପ୍ରୀତିନନ୍ଦା । ପଚାରିଲା ତୁମେ ଦୁହେଁ ଏମିତି ପାଗଳଙ୍କ ପରି ହସୁଛ କାହିଁକି ?

 

ରତିକାନ୍ତ ସାଙ୍ଗରେ କଥାହେଲେ ଜଣେ ଭଲ ଲୋକକୁ ପାଗଳ ହେବାପାଇଁ କେତେସମୟ ଲାଗିବ କହୁନୁ ? ଛାଡ଼୍‌ ସେକଥା । ତରାଟ ଫୁଲଟା କି ଫୁଲ ଜାଣିଛୁକି ?

 

ରଶ୍ମି ପଚାରୁଥିଲା ପ୍ରୀତିନନ୍ଦାକୁ ।

 

ଏମିତି ଏକ ସାଧାରଣ ଫୁଲର ନାମ ତରାଟ,

 

କାହିଁକି, କ’ଣ ହେଲାକି ?

 

ରତିକାନ୍ତ ଉପରେ ପଡ଼ି କହିଲା ତୁମ ପ୍ରଫେସର କେ. କୁମାରଙ୍କ ଉପନ୍ୟାସ କଥା ତୁମେ କ’ଣ ଶୁଣିନୁକି ?

 

ଅବଶ୍ୟ ଏଯାଏଁ ପ୍ରକାଶ ପାଇନି ମାତ୍ର ତା’ର ନାୟିକା ସମ୍ପର୍କରେ ଚର୍ଚ୍ଚା ଜଲେଜରେ ଏବେ ଜୋର୍‌ ।

 

ସବୁ ପିଲାଙ୍କ ମୁହଁରେ ଶୁଣିବାକୁ ମିଳୁଛି କୁମାରଙ୍କ ଉପନ୍ୟାସର ନାୟିକାର କାହାଣୀ ।

 

ସେ ଉପନ୍ୟାସର ନାୟିକା ଯେତେବେଳେ ତରାଟ ଫୁଲପକା ଶାଢ଼ି ଖଣ୍ଡେ ବିନା କୁଞ୍ଚରେ ପିନ୍ଧି ଦେଉଛି... ନାୟକ କହୁଛି ଏହି ଶାଢ଼ିରେ ତୁ ରାଣୀ ପରି ଦିଶୁଛୁ ।

 

ଆଉ ଅଙ୍ଗଶୋଭା ପାଇଁ କାନରେ ଝୁମୁକା ଅବା ଅନ୍ୟ କୌଣସି ଆୟ ଅଳଙ୍କାରର ଆବଶ୍ୟକତା ନାହିଁ...

 

ସେହିକଥା କହି ଏତେସମୟ ହେଲା ପରା ମୋତେ ଦର୍ଶନ ପଢ଼ାଉଛି ରତିକାନ୍ତ ।

 

ପ୍ରୀତିନନ୍ଦା ଆଶ୍ଚର୍ଯ୍ୟ ହୋଇ କହିଲା ଆମ ପ୍ରଫେସର କେ. କୁମାରଙ୍କ ଉପନ୍ୟାସ !

 

ସେ ତ କେବେ କିଛି ଲେଖାଲେଖି କରିବାର ଆମେ ଶୁଣିନୁ !

 

ଝିଅମାନଙ୍କୁ ଆଡ଼ ଆଖିରେ ଚାହୁଁ ନ ଥିବା ଓ ମହିଳାଙ୍କ ପୋଷାକ ଓ ରୂପବିନ୍ୟାସ ସମ୍ପର୍କରେ ଧାର୍‌ ଧାରୁ ନ ଥିବା ଆମ ସନ୍ନ୍ୟାସୀ ପ୍ରଫେସର ପୁଣି ତରାଟ ଫୁଲପକା ଶାଢ଼ି ଆଉ ଅଳଙ୍କାର ନେଇ ଉପନ୍ୟାସ ଲେଖୁଛନ୍ତି ? ଏକଦମ୍‌ ମିଛ କଥା ।

 

ରତିକାନ୍ତ କହିଲା–କେଇଦିନ ହେଲା ପରା ଆମ କଲେଜରେ ସେଇ ରୋମାଣ୍ଟିକ୍‌ ଧାଡ଼ିଟିକୁ ନେଇ ସବୁ ପିଲା କମେଣ୍ଟ ଦିଆନିଆ ହଉଛନ୍ତି ।

 

ଯାହାଠୁ ଶୁଣିବ ପ୍ରଫେସରଙ୍କ ଅପ୍ରକାଶିତ ଉପନ୍ୟାସର ପ୍ରଥମ ଧାଡ଼ି... ‘‘ତରାଟ ଫୁଲିଆ ଶାଢ଼ିଟାକୁ ଧିଅରେ ଗୁଡ଼େଇ ଦେଲେ ଏମିତି ବି ତୁ ରାଣୀ ଭଳି ଦିଶୁଛୁ, କି ଦରକାର କହ ତ ଆଉ ତୋର କାନରେ ବାଲି’’

 

ଏହି ସମୟରେ କଲେଜରେ ଦ୍ଵିତୀୟ ପିରିୟଡ଼ ଘଣ୍ଟା ବାଜିଲା ।

 

ରଶ୍ମି ଓ ପ୍ରୀତିନନ୍ଦା ତରତର ହୋଇ ନିଜ ନିଜ କ୍ଲାସକୁ ଚାଲିଗଲେ । ଯୋଗକୁ ସେହି କ୍ଳାସଟାହିଁ ଥିଲା କେ. କୁମାରଙ୍କର ।

 

ମନୋବିଜ୍ଞାନ ପ୍ରଫେସର କେ. କୁମାର ଫ୍ରୟେଡ୍‌ ସମ୍ପର୍କରେ ନାତିଦୀର୍ଘ ଭାଷଣ ଦେଇ ବ୍ଲାକବୋର୍ଡରେ କିଛି ଲେଖିବାକୁ ଆରମ୍ଭ କରନ୍ତେ... ।

 

ପଛ ବେଞ୍ଚରୁ ଅପଶବ୍ଦ ଲେଖାଯାଇଥିବା ଗୋଟେ ବଡ଼ କାଗଜଗୋଳା ଆସି ପଡ଼ିଲା ସାମ୍ନାରେ ।

 

କାଗଜଗୋଳାଟି କ୍ଳାସର ସବୁଠାରୁ ସୁଶ୍ରୀ ଓ ବୁଦ୍ଧିମତୀ ଛାତ୍ରୀଭାବେ ଜଣାଶୁଣା ମଧୁମିତାକୁ ଲକ୍ଷ୍ୟକରି ଫିଙ୍ଗା ଯାଇଥିଲା ।

 

ମଧୁମିତାର ଛାତିରେ ସେଇଟି ବାଜି ସାର୍‌ଙ୍କ ଟେବୁଲ୍‌ ସାମ୍ନାରେ ପଡ଼ିଲା । ସାର୍‌ ତାକୁ ଲକ୍ଷ୍ୟ କଲାବେଳକୁ ମଧୁମିତା କାନ୍ଦି ପକାଉଥିଲା । ସାର୍‌ ନିଜେ ତଳୁ କାଗଜ ଗୋଳାଟି ଉଠାଇଲେ ଓ ଯେଉଁସବୁ ଅଶ୍ଳୀଳ କଥା ଲେଖାଯାଇଥିଲା ତାକୁ ପଢ଼ୁଥିଲେ ।

 

ସବୁ ଛାତ୍ରଛାତ୍ରୀମାନେ ମିଶି ପାଟିକରି କହିଲେ ଯେ, ସବୁଦିନ ଏହିଭଳି ହେଉଛି ଓ କେହିକିଛି ବୁଝୁନାହାନ୍ତି । କିଛି ଛାତ୍ରମାନେ ଏହାକୁ ହାଲ୍‌କା ଭାବରେ ନେଇଥିଲେ । ଯାହା ହୋଇଛି ଠିକ୍‌ ହୋଇନାହିଁ, କିନ୍ତୁ ମଜାରେ ମଜାରେ ହୋଇଛି ବୋଲି ପାଟିକରି କହୁଥିଲେ ।

 

ରଶ୍ମି ଓ ପ୍ରୀତିନନ୍ଦା ଶ୍ରେଣୀରେ ବସି ପ୍ରଫେସରଙ୍କ ହାବଭାବକୁ ଲକ୍ଷ୍ୟ କରୁଥିଲେ ।

 

ଦୁହେଁ ଭାବୁଥିଲେ ହୁଏତ ସାର୍‌ ଏସବୁ ଘଟଣା ଦେଖି ରସିକତା କରିବେ ଓ କଥାଟାକୁ ବାଆଁରେଇ ଦେବେ । ପିଲାମାନଙ୍କୁ ସାମାନ୍ୟ ତାଗିଦ୍‌ କରିପାରନ୍ତି । ମଧୁମିତାକୁ ଚୁପ୍‌ ରହିବାକୁ ଅନୁରୋଧ ବି କରିପାରନ୍ତି ।

 

ମାତ୍ର ସେମିତି ହେଲାନାହିଁ ।

 

ପାଠପଢ଼ା ବନ୍ଦ କରି ଛାତ୍ରମାନଙ୍କ ଉଦ୍ଦେଶ୍ୟରେ କହିଲେ, ‘ତୁମମାନଙ୍କର ଶିକ୍ଷକ ହେବା ପାଇଁ ମୁଁ ଅନୁପଯୁକ୍ତ । ଯେ ପର୍ଯ୍ୟନ୍ତ ଏ କାର୍ଯ୍ୟ କରିଥିବା ଯୁବକଜଣକ ମଧୁମିତାକୁ କ୍ଷମା ନ ମାଗିଛି ସେ ପର୍ଯ୍ୟନ୍ତ ମୁଁ ତୁମମାନଙ୍କର କୌଣସି କ୍ଳାସ ନେବିନାହିଁ ।’

 

ତା’ପରେ ସାର୍‌ କ୍ଲାସରୁ ଚାଲିଗଲେ ଓ ଦୁଇଦିନ ପର୍ଯ୍ୟନ୍ତ କୌଣସି କ୍ଳାସ ନେଇ ନ ଥିଲେ । ଏ ନେଇ କ୍ୟମ୍ପସ୍‌ରେ ସରଗରମ ଆଲୋଚନା ଚାଲିଲା । ସମସ୍ତେ ଘଟଣା ଘଟାଇଥିବା ଯୁବକକୁ ଜାଣିଥିଲେ ମଧ୍ୟ ମୁହଁ ଖୋଲି କହିବାକୁ ସାହସ କରୁ ନ ଥିଲେ ।

 

ହେଲେ ପ୍ରୀତିନନ୍ଦା ସବୁ ପିଲାଙ୍କୁ ମନାଇ ଯାଇଥିଲା କେ. କୁମାରଙ୍କ ପାଖକୁ । ବୁଝାଇଥିଲା ଯେ ପାଣିରେ ଘର କରି କୁମ୍ଭୀର ସାଙ୍ଗରେ ଲଢ଼ିବା ଠିକ୍‌ ନୁହେଁ ବୋଲି ।

 

ମଧୁମିତା ମଧ୍ୟ ବୁଝିଯାଇଥିଲା । ଯାହା ହେଲା ତାକୁ ଭୁଲିଯିବା ସହିତ ଆଉ କୌଣସି ଅଭିଯୋଗ ନାହିଁ ବୋଲି ସମସ୍ତେ ଡ. କୁମାରଙ୍କୁ ସାକ୍ଷାତ୍‍ କରି କହିଥିଲେ ।

 

ସେହି ଯୁବକଟି ପ୍ରିନ୍ସପାଲଙ୍କର ପୁଅ ସତ୍ୟାନନ୍ଦହିଁ ଥିଲା । ଏକଥା ଜାଣିଲା ପରେ ପ୍ରଫେସର ପରବର୍ତ୍ତୀ କ୍ଲାସରେ ଯୋଗଦେବେ ବୋଲି ପ୍ରୀତିନନ୍ଦା ଓ ଅନ୍ୟ ପିଲାମାନେ ଆଶା କରୁଥିଲେ ।

 

ମାତ୍ର କଥା ଓଲଟିଗଲା । କେ. କୁମାର ଯାଇ ସାକ୍ଷାତ୍‍ କରିଥିଲେ ପ୍ରିନ୍ସପାଲଙ୍କୁ । ତାଙ୍କ ପୁଅ ସତ୍ୟାନନ୍ଦର କୁକାର୍ଯ୍ୟ ସମ୍ପର୍କରେ କେ. କୁମାର ସବିସ୍ତୃତଭାବେ ବର୍ଣ୍ଣନା କରିଥିଲେ ।

 

ପ୍ରିନ୍ସପାଲଙ୍କର ପୁଅ ହୋଇ ସତ୍ୟାନନ୍ଦ କ୍ୟାମ୍ପସ୍‌ରେ କିଭଳି ଝିଅମାନଙ୍କୁ ଖରାପ ବ୍ୟବହାର କରିବାର ସାମାନ୍ୟତମ ସୁଯୋଗକୁ ମଧ୍ୟ ହାତଛଡ଼ା କରୁନି ଓ ଗୁଣ୍ଡାଗର୍ଦ୍ଦି ସହିତ ମାର୍‌ପିଟ୍‌ ମଧ୍ୟ ତା’ର ନିତିଦିନିଆ କାର୍ଯ୍ୟ ହୋଇଛି । ପୁଣି କ୍ଲାସ ମଧ୍ୟରେ ପାଠ ପଢ଼ାଇବା ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଛି, ଏସବୁ କହିଥିଲେ ।

 

ଅଧ୍ୟକ୍ଷ ମହୋଦୟ ନୀରବରେ ନିଜ ପୁତ୍ର ବିରୋଧରେ ସମସ୍ତ ଅଭିଯୋଗକୁ ଧୈର୍ଯ୍ୟର ସହିତ ଶୁଣିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

 

ସେହିଦିନ ସାର୍‌ କ୍ଲାସ ମଧ୍ୟ ନେଲେ । କ୍ଲାସରେ ସତ୍ୟାନନ୍ଦ ନ ଥିଲା । ତେବେ ତାଙ୍କର ପୁରୁଣା ସ୍କୁଟରରେ କେ. କୁମାର ଘରକୁ ଫେରିଲାବେଳେ ପଛରୁ ସତ୍ୟାନନ୍ଦର ହିରୋହୁଣ୍ଡା ମୋଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ପ୍ରଫେସରଙ୍କ ମୁଣ୍ଡରେ ଆଘାତ ଲାଗିଲା ଓ ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ । ମୁଣ୍ଡରେ ସାତଟା ଷ୍ଟିଚ୍‌ ପଡ଼ିଲା ।

 

ଡାକ୍ତରଖାନାକୁ ଅଧ୍ୟକ୍ଷ ମହୋଦୟ ତାଙ୍କୁ ସାକ୍ଷାତ୍‍ କରିବାକୁ ଯାଇ ପୋଲିସରେ ତାଙ୍କ ପୁଅ ନାମରେ ଅଭିଯୋଗ ନ କରିବାକୁ ଅନୁରୋଧ କରିବା ପରେ କେ. କୁମାରଙ୍କ ଆଗରେ ଅଧ୍ୟକ୍ଷଙ୍କ ଅସଲ ଚେହେରା ଧରାପଡ଼ିଥିଲା ।

 

ସାରା କଲେଜର ବିଦ୍ୟାର୍ଥୀମାନଙ୍କର ସୁଅ ଛୁଟିଲା ଡାକ୍ତରଖାନାକୁ । ସମସ୍ତେ ଅନୁରୋଧ କରୁଥିଲେ କୁମାରଙ୍କୁ, ସବୁକିଛି ଭୁଲିଯିବାକୁ । କୁମାରଙ୍କ ଆରୋଗ୍ୟ ପାଇଁ ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା ମଧ୍ୟ କଲେ । ପ୍ରଫେସର କେ. କୁମାର ସମ୍ପୂର୍ଣ୍ଣ ସୁସ୍ଥ ହେବା ଆଗରୁ ଡାକ୍ତରଖାନା ଛାଡ଼ିଲେ ।

ତାଙ୍କୁ ସହଯୋଗ କରୁଥିବା ତାଙ୍କର ବ୍ୟକ୍ତିଗତ ସହାୟକ ସନାତନ ମଉସାଙ୍କୁ ନେଇ ସେ ପ୍ରଥମେ ପୋଲିସ ଷ୍ଟେସନ ଗଲେ । ସେତିକିରେ କଥା ସରିଲା ନାହିଁ । ଶିକ୍ଷା ସଚିବଙ୍କଠାରୁ ଶିକ୍ଷାମନ୍ତ୍ରୀ ଓ ଜିଲ୍ଲାପାଳଙ୍କଠୁ ମୁଖ୍ୟମନ୍ତ୍ରୀଙ୍କୁ ସବୁକଥା ଜଣାଇ ଚିଠି ଲେଖିଲେ ଓ କାର୍ଯ୍ୟାନୁଷ୍ଠାନ ନ କଲେ ଖାଦ୍ୟପାନୀୟ ତ୍ୟାଗ କରିବେ ବୋଲି ଧମକ ଦେଲେ ।

ତା’ ପରେ ପରେ ଅଧକ୍ଷଙ୍କ ବଦଳି ହୋଇଥିଲା । ତାଙ୍କ ପୁଅ ସତ୍ୟାନନ୍ଦଙ୍କୁ ମଧ୍ୟ କଲେଜରୁ ବହିଷ୍କାର କରାଯାଇଥିଲା ।

ଏହାପରେ ପ୍ରଫେସର କେ. କୁମାରଙ୍କ ନାମ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳିଲା । ପୁରୁଣା ସ୍କୁଟରରେ ବସି ବେକରେ ମଫଲର ଗୁଡ଼ାଇ କୋଡ଼ିଏ କିଲୋମିଟର ସ୍ପିଡ୍‌ରେ ଆସୁଥିବା ଏହି ଛପନ ବର୍ଷୀୟ ଦରବୁଢ଼ା ଅଧ୍ୟାପକ ଜଣକ ରାତାରାତି ହିରୋ ପାଲଟି ଯାଇଥିଲେ ।

କେକେ ସାର୍‌ଙ୍କ କ୍ଲାସରେ ଏଣିକି ଅଧିକ ଭିଡ଼ ଲାଗୁଥିଲା । ଅନ୍ୟ ସେକ୍ସନର ପିଲାମାନେ ମଧ୍ୟ କେ. କୁମାରଙ୍କ କ୍ଲାସରେ ଆସି ଲେକ୍‌ଚର ଶୁଣିବା ପାଇଁ ଚୁପ୍‌ ଚାପ୍‌ ବସି ପଡ଼ୁଥିଲେ । ନୂଆ ଅଧ୍ୟକ୍ଷଙ୍କ ପାଖରେ ପୁଣି କିଛି ଅଧ୍ୟାପକ ଅଭିଯୋଗ କଲେ । ସେମାନଙ୍କର ଅଭିଯୋଗ କରିବା ମଧ୍ୟ ଯଥାର୍ଥ ଥିଲା ।

ସେକ୍ସନ ‘ଖ’ ଶ୍ରେଣୀରେ କୌଣସି ଛାତ୍ରଛାତ୍ରୀ ଉପସ୍ଥିତ ନ ଥିବା ନେଇ ମହାନ୍ତି ସାର୍‌ ପ୍ରଚଣ୍ଡ କ୍ରୋଧରେ ଅଧ୍ୟକ୍ଷଙ୍କୁ କହୁଥିବାର ଶୁଣାଗଲା ଯେ–

–ମୁଁ କ’ଣ ଚେୟାର ଟେବୁଲକୁ ପାଠ ପଢ଼ାଇବି ?

 

ଅଧ୍ୟକ୍ଷ ମହାଶୟ କେ. କୁମାର ଓ ମହାନ୍ତି ସାର୍‌ ଉଭୟଙ୍କୁ ଅଫିସ୍‌କୁ ଡକାଇ ଆଲୋଚନା କରିଥିଲେ । ଅଧ୍ୟାପକ ମୁଖାର୍ଜୀ ମଧ୍ୟ ମହାନ୍ତି ସାର୍‌ଙ୍କୁ ସମର୍ଥନ କଲେ ।

 

କୁମାର ସାରଙ୍କୁ ଅଧ୍ୟକ୍ଷ କହିଲେ, ଦୁଇଟି ଯାକ ସେକ୍ସନ ପିଲା ଆପଣଙ୍କ କ୍ଲାସରେ ଅଯଥା ଭିଡ଼ କରୁଛନ୍ତି । କିଛି ଗୋଟେ ବ୍ୟବସ୍ଥା କଲେ ସମସ୍ୟାର ସମାଧାନ ହୋଇପାରନ୍ତା ।

 

କେ. କୁମାର ବିନମ୍ରଭାବେ କହିଲେ ଦରମା ନେଉଛି । ପାଠ ପଢ଼ାଇବା ପାଇଁ, ତାହାହିଁ ତ କରୁଛି । ଅନ୍ୟ ଅଧ୍ୟାପକମାନଙ୍କୁ କୁହନ୍ତୁ ସେମାନେ ବି ପାଠ ପଢ଼ାଇବେ, ଯାହା ଛାତ୍ରଛାତ୍ରୀମାନଙ୍କୁ ତାଙ୍କ କ୍ଲାସରେ ବାନ୍ଧି ରଖିପାରିବ । ଶିକ୍ଷାଦାନ ପ୍ରଣାଳୀ ରୋଚକ ନ ହେଲେ ପିଲା ପଇଁଚାଳିଶି ମିନିଟ୍‌ ବସିବା ଏବେ ଆଦୌ ସମ୍ଭବ ନୁହେଁ ସାର୍‌ ।

 

ମୁଖାର୍ଜୀ ଓ ମହାନ୍ତି ସାର୍‌ଙ୍କ ପ୍ରତି କେକେଙ୍କର ଟିପ୍ପଣୀକୁ ଅନ୍ତତଃ ଅଧ୍ୟକ୍ଷ ବୁଝିପାରିଥିଲେ । ମୁଖାର୍ଜୀ ରାଗିଉଠିଲେ ଓ କହିଲେ– ।

 

‘ତା’ମାନେ ଆପଣଙ୍କ କ୍ଳାସରେ ପଇଁଚାଳିଶି ମିନଟ୍‌ ସମୟଟା ପିଲାମାନଙ୍କୁ କ’ଣ ପାଞ୍ଚ ମିନିଟ୍‌ ଭଳି ଲାଗୁଛି ?

 

ମହାନ୍ତି ସାର୍‌ ମଧ୍ୟ କ୍ରୋଧରେ ଫାଟି ପଡ଼ୁଥିଲେ । ଚେୟାରରୁ ଉଠିପଡ଼ି କହିଲେ ମୋତେ ଯଦି ପାଠ ପଢ଼ାଇ ଆସୁନି ଆଉ ମୋତେ କ୍ଲାସ ନେବାକୁ କହିବେନି ।

 

ଅଧ୍ୟକ୍ଷ ଦୁହିଁଙ୍କୁ ଶାନ୍ତ କରାଇଥିଲେ ଓ ସମାଧାନ କରିବାକୁ ଦୁଇଦିନ ଟାଇମ୍‌ ଦେବାକୁ ଉଭୟଙ୍କୁ ଅନୁରୋଧ କରିଥିଲେ । ଗୋପନରେ ଦୁଇ ଅଧ୍ୟାପକଙ୍କର ପାଠପଢ଼ା ଶୈଳୀକୁ ଅନୁଧ୍ୟାନ କରିବାକୁ ସେ ସ୍ଥିର କରି ପ୍ରଥମେ ପ୍ରଫେସର ମହାନ୍ତିଙ୍କ ଶ୍ରେଣୀଗୃହକୁ ଯାଇ ପହଞ୍ଚି ଦେଖିଥିଲେ ଯେ-

 

ସେଠାରେ କୌଣସି ଛାତ୍ରଛାତ୍ରୀ ଉପସ୍ଥିତ ନାହାନ୍ତି । ତେଣୁ ମହାନ୍ତି ସାର୍‌ଙ୍କ ପାଠ ପଢ଼ାଇବା ପଦ୍ଧତିକୁ ଅନୁଧ୍ୟାନ କରିବା ସମ୍ଭବ ହୋଇ ନ ଥିଲା । ମାତ୍ର ଠିକ୍‌ ତା’ର ପର ସେକ୍ସନରେ ଶିକ୍ଷାଦାନ କରୁଥିବା ପ୍ରଫେସର କେ. କୁମାରଙ୍କ ଶ୍ରେଣୀକୁ ଯାଇ ଅଧ୍ୟକ୍ଷ ଚୁପ୍‌ଚାପ୍‌ ଗୋଟେ କୋଣରେ ଛିଡ଼ା ହୋଇଗଲେ ।

 

ପ୍ରବଳ ଭିଡ଼ ମଧ୍ୟରେ ବସିବାକୁ ସମସ୍ତଙ୍କ ପାଇଁ ଚେୟାର ଯଥେଷ୍ଟ ନ ଥିଲେ ମଧ୍ୟ ସବୁ ଛାତ୍ରଛାତ୍ରୀ ନୀରବତା ରକ୍ଷା କରିଥିଲେ । କିଛି ବସିଥିଲେ ଓ ପଛରେ କିଛି ଛିଡ଼ା ହୋଇଥିଲେ । ଛିଡ଼ା ହୋଇଥିଲେ ମଧ୍ୟ ସମସ୍ତଙ୍କ ହାତରେ ଗୋଟିଏ ଲେଖାଏଁ ଟିପା ଖାତା ଓ କଲମ ଥିଲା । ବହୁ ଛାତ୍ର ଛିଡ଼ା ହୋଇ ପ୍ରଫେସର କେକେଙ୍କଠାରୁ ଶିକ୍ଷା ଗ୍ରହଣ କରୁଥିବା ଦୃଶ୍ୟ ପ୍ରକୃତରେ ଚିତାକର୍ଷକ ଥିଲା ।

 

ଅଧ୍ୟକ୍ଷଙ୍କ ପ୍ରବେଶ ନେଇ ଶ୍ରେଣୀର ଶେଷଭାଗରେ ସାମାନ୍ୟ ହଲ୍‌ଚଲ ହେଲା । ପ୍ରିନ୍ସପାଲ୍‌ ମୁହଁରେ ଆଙ୍ଗୁଠି ରଖି ସମସ୍ତଙ୍କୁ ନୀରବତା ରକ୍ଷା କରିବାକୁ ଅନୁରୋଧ କଲେ । ସବା ପଛ ଲାଇନ୍‌ରେ ଜଣେ ଛାତ୍ର ତାଙ୍କୁ ବସିବା ପାଇଁ ଚେୟାରଟିଏ ଦେଇ ନିଜେ ଛିଡ଼ା ହୋଇଗଲା ।

 

ଏହି ଘଟଣା ଘଟୁଥିଲାବେଳେ ପ୍ରଫେସର କେ.କୁମାର ପିଲାଙ୍କୁ ପଛ କରି ବ୍ଲାକ୍‌ବୋର୍ଡରେ କିଛି ଲେଖୁଥିଲେ । ମାତ୍ର କିଛିକ୍ଷଣ ପରେ ପ୍ରଫେସର ଏତେଭିଡ଼ ମଧ୍ୟରେ ପ୍ରିନ୍ସପାଲ୍‌ଙ୍କୁ ଚିହ୍ନଟ କରିସାରିଥିଲେ ।

 

ପାଠପଢ଼ା ମଧ୍ୟରେ ୪୦ ମିନିଟ୍‌ କେମିତି ଚାଲିଗଲା ତାହା ନିଜେ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାପଡ଼ି ନ ଥିଲା । ଶେଷ ପାଞ୍ଚ ମିନିଟ୍‌ରେ ସେ ସଚେତନ ହେଲେ ।

 

କାରଣ କେକେଙ୍କର ଏହା ଥଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଯାହା ପଢ଼ାଇଲେ ଏଇ ଶେଷ ପାଞ୍ଚ ମିନିଟ୍‌ରେ ତା’ ଉପରେ ପ୍ରଫେସର ପ୍ରଶ୍ନ ପଚାରୁଥିଲେ, ପିଲାମାନେ ଉତ୍ତର ଦେଉଥିଲେ ।

 

ସେଦିନ କେକେଙ୍କ ତୀକ୍ଷ୍‌ଣ ଦୃଷ୍ଟିକୁ ଏଡ଼ାଇ ପାରି ନ ଥିଲେ ଅଧ୍ୟକ୍ଷ ମହୋଦୟ । ପିଲାମାନଙ୍କୁ ପ୍ରଶ୍ନ ପଚାରୁ ପଚାରୁ ତାଙ୍କୁ ମଧ୍ୟ କହିଲେ... ‘ଲିବିଡୋ ଓ ଫ୍ରୟେଡ୍‍ ସମ୍ପର୍କରେ ଦୁଇ ଲାଇନ୍‌ କହିବାକୁ ।

 

ମନସ୍ତତ୍ତ୍ୱବିତ୍‌ ସିନିୟର ପ୍ରଫେସର କେ. କୁମାରଙ୍କ ପ୍ରଶ୍ନରେ ହଡ଼ବଡ଼େଇ ଯାଇଥିଲେ ଅଧ୍ୟକ୍ଷ । କ୍ଷମା ମାଗିଥିଲେ କେକେଙ୍କୁ ତାଙ୍କ ବିନା ଅନୁମତିରେ ଶ୍ରେଣୀଗୃହରେ ପ୍ରବେଶ କରିଥିବା ଯୋଗୁଁ ।

 

ଡ. କୁମାର ବିନମ୍ରଭାବେ ନିଜ ତରଫରୁ ହାତଯୋଡ଼ି କହିଥିଲେ ସାର୍‌, ଏମିତି କୁହନ୍ତୁନି ଆପଣ ତ ଜାଣନ୍ତି ଏମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଛାତ୍ର ମୋ ଶ୍ରେଣୀର ନୁହନ୍ତି । ଶ୍ରେଣୀଗୃହରେ ପ୍ରବେଶ ପାଇଁ ଏମାନେ ମଧ୍ୟ ମୋର ଅନୁମତି ଲୋଡ଼ନ୍ତି ନାହିଁ । ଜଣେ ମନୋବିଜ୍ଞାନୀ ଏହି ଅନୁମତି ଶବ୍ଦ ପ୍ରତି ଏତେବେଶି ସହନଶୀଳ ହୋଇପାରେନି ।

 

ସାର୍‌, ଆପଣ ବହୁଥର ମୋତେ ଶ୍ରେଣୀ ଭିତରେ ଭିଡ଼ କମ୍‌ କରାଇବାକୁ ଅନେକ ଉପାୟମାନ ବତାଇଛନ୍ତି । ଉପସ୍ଥାନ ଖାତାର ସାହାଯ୍ୟ ନେବାକୁ କହିଛନ୍ତି । ମାତ୍ର ପଇଁଚାଳିଶି ମିନିଟ୍‌ ସମୟ ମଧ୍ୟରେ ଉପସ୍ଥାନ ନେଉ ନେଉ ସମୟ କଟିଯିବା ଭୟରେ ତା’ ମୁଁ କରିପାରିନାହିଁ ।

 

ଆପଣ ତ ବରିଷ୍ଠ ଅଧ୍ୟାପକମାନଙ୍କୁ ଛୋଟବଡ଼ ସବୁ ଶ୍ରେଣୀରେ ଶିକ୍ଷା ଦେବାକୁ ବାଧ୍ୟତାମୂଳକ କରିଛନ୍ତି । କଲେଜରେ ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ସମ୍ଭାଳିବା, ପୁଣି ବିଦ୍ୟାଦାନ, ଏମିତି ବି ଏକ କଠିନ କାର୍ଯ୍ୟ ସାର୍‌ ।

 

ଆପଣ ତ ଜାଣନ୍ତି, ସ୍କୁଲ ଓ କଲେଜ ପିଲାମାନଙ୍କ ମାନସିକତା ମଧ୍ୟରେ ବହୁତ କିଛି ଫରକ ରହିଛି । ତେଣିକି ଏବେ ଯେଉଁ ପାଠ ଆମେ ପଢ଼ାଉଛୁ ତା’ ପିଲାଙ୍କର କେଉଁ କାମରେ ଲାଗୁଛି କହୁନାହାନ୍ତି ? ସେଇ ଚିରାଚରିତ ପାଠପଢ଼ା ଢଙ୍ଗ ପିଲାଙ୍କୁ ମଧ୍ୟ ଭଲ ନ ଲାଗିବା ସ୍ଵାଭାବିକ ।

 

ଡ. କୁମାର କହୁଥିଲେ ଓ ନିରବରେ ଅଧ୍ୟକ୍ଷ ଶୁଣୁଥିଲେ । ପ୍ରଫେସର କହିଲେ ସାର୍‌ ଆମେ ମଧ୍ୟ ଦିନେ ଛାତ୍ର ଥିଲୁ । ଆମବେଳେ ପିଜି କଲା ପରେ ବିଦ୍ୟାର୍ଥୀମାନେ ଅନ୍ତତଃ ପିଏସି ପାଇଁ ପ୍ରସ୍ତୁତ ହେଉଥିଲେ । ଅଧ୍ୟାପକଟିଏ ହେବା ବୋଲି ଆଶା ରଖୁଥିଲେ । ବହୁ ଛାତ୍ରଛାତ୍ରୀ ବିଏ ପାସ୍‌ କରୁ କରୁ ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ନିଜ ପରିବାର ପୋଷିବାକୁ ଚିନ୍ତା କରୁଥିଲେ । ଡିଗ୍ରୀ ନ ସରିବା ପୂର୍ବରୁ ମଧ୍ୟ ଆମ ସମୟର ଅନେକ ପିଲାଏ କିରାଣୀ ଚାକିରି ପାଇ ପରିବାର ପୋଷୁଥିଲେ ।

 

ସାର୍‌, ପୋଷ୍ଟାଲ ହେଉ, ସେକ୍ରେଟେରୀଏଟ୍‌ର କିରାଣୀ ହେଉ, ରେଲଓ୍ୱେ ହେଉ, ବ୍ୟାଙ୍କ ହେଉ ଅବା ହାଇସ୍କୁଲ ଶିକ୍ଷକ... କିଛି ବି ଚାକିରି ମିଳୁଥିଲା । ଦିନରାତି ନିର୍ଘାତ ପାଠପଢ଼ା ହେଉଥିଲା । କାରଣ ଆଗରେ ଲକ୍ଷ୍ୟଟିଏ ଥିଲା ।

 

ଛୋଟିଆ ଲକ୍ଷ୍ୟଟିଏ ହେଉ ପଛେ ହାସଲ ତ ହେଉଥିଲା ? ଏଥିପାଇଁ ଘରୁ ଓ ଶିକ୍ଷାନୁଷ୍ଠାନରୁ ପ୍ରେରଣା ମିଳୁଥିଲା । ଆଗ୍ରହରେ ପିଲାମାନେ ଶିକ୍ଷାଗ୍ରହଣ କରୁଥିଲେ ।

 

ସାର୍‌ ଆଜି ଏ ପିଲାମାନେ କେଉଁ ଲକ୍ଷ୍ୟ ରଖି ପାଠ ପଢ଼ିବେ କୁହନ୍ତୁ ? କେଉଁ ଲକ୍ଷ୍ୟ ହାସଲ ପାଇଁ ତାଙ୍କୁ ଆମେ ପ୍ରେରଣା ଦେଇପାରିବା ? କ’ଣ କହି ଏମାନଙ୍କୁ ସାନ୍ତ୍ୱନା ଦେବା ?

 

ଟିକିଏ ରହିଯାଇ ଧୀର ସ୍ଵରରେ କେ.କୁମାର ନିଜକୁ ଖୁବ୍‌ ସଂଯତ କରି କହିଲେ, ସେମାନଙ୍କ ଭବିଷ୍ୟତ ପାଇଁ ଆମେ କି’ସୁରକ୍ଷା ଦେଇପାରିବା ଯେ ଏତେ କଟକଣା କରି ତାଙ୍କ ବର୍ତ୍ତମାନଟାକୁ ବି ସଂକୁଚିତ କରିବା ?

 

ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ଇତିମଧ୍ୟରେ ଗ୍ୟାଲେରୀ ଛାଡ଼ି ଚାଲିଯାଇଥିଲେ । ଅଧ୍ୟକ୍ଷ ଆଉ ଅଧିକ କିଛି ନ କହି କେ.କୁମାରଙ୍କ ପିଠି ଥାପୁଡ଼ାଇ ଚାଲିଗଲେ ।

 

ମହାନ୍ତି ସାର୍‌ ସେଇଦିନଠାରୁ କେକେଙ୍କ ସହିତ ଆଉ ଭଲରେ କଥାବାର୍ତ୍ତା କଲେନି । କେକେଙ୍କୁ ଅପମାନିତ କରିବାକୁ ଓ ତାଙ୍କ ମାନସମ୍ମାନକୁ ନଷ୍ଟ କରିବାକୁ ସବୁପ୍ରକାର ଆଡ଼ରାସ୍ତା ଆପଣାଇବାକୁ ଯୋଜନା ପ୍ରସ୍ତୁତ କଲେ ।

 

ସେଦିନ କଲେଜ ପିକ୍‌ନିକ୍‌ରେ ମଉକାଟେ ମିଳିଯାଇଥିଲା । ମହାନ୍ତି ଓ ବାନାର୍ଜୀ ସାର୍‌ ଜାଣିଶୁଣି ଖଣ୍ଡାଧାରକୁ ପିକ୍‌ନିକ୍‌ ପକାଇଲେ । ସୁନ୍ଦରଗଡ଼ର ଖଣ୍ଡାଧାର ଯିବା ପାଇଁ କଲେଜ ପକ୍ଷରୁ ଦୁଇଖଣ୍ଡ ବସ୍‌ ଯୋଗାଡ଼ ହୋଇଥିଲା । ଛାତ୍ରଙ୍କ ପାଇଁ ଗୋଟିଏ ଓ ଛାତ୍ରୀଙ୍କ ପାଇଁ ଗୋଟିଏ-। ସାରା ରାତି ବସ୍‌ରେହିଁ ଯାତ୍ରା କରିବାକୁ ପଡ଼ିବ ।

 

ମହାନ୍ତି ସାର୍‌ ଜାଣିଶୁଣି ଛାତ୍ରୀମାନଙ୍କ ବସ୍‌ରେ କେ.କୁମାରଙ୍କ ପାଇଁ ବ୍ୟବସ୍ଥା କରିଥିଲେ-। କେ.କୁମାରଙ୍କୁ ଅଧ୍ୟାପିକା ଓ ଛାତ୍ରୀଙ୍କ ଦାୟିତ୍ଵ ନଦେବା ପାଇଁ କିଛି ସିନିୟର ଅଧ୍ୟାପିକାମାନେ ପରାମର୍ଶ ଦେଇଥିଲେ ମଧ୍ୟ ଡ. ମହାନ୍ତି କହିଥିଲେ ଯେ ମହିଳାମାନଙ୍କୁ ହେପାଜତ କରିବାକୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବସ୍‌ରେ ଜଣେ ଅଧ୍ୟାପକ (ପୁରୁଷ) ରହିବା ଦରକାର । ଅବଶ୍ୟ ଆଗପଛ ହୋଇ ଦୁଇଟାଯାକ ବସ୍‌ ଚାଲିବ । କୌଣସି ଅସୁବିଧା ହେବନାହିଁ । ତା’ ପରେ ମହିଳାମାନଙ୍କର ଏମିତି ସବୁ ପୁରୁଷଙ୍କ ଚରିତ୍ର ଉପରେ ସନ୍ଦେହ ।

 

ସେ ଦୃଷ୍ଟିରୁ କୁମାର ସାର୍‌ ସେମାନଙ୍କ ସହିତ ରହିଲେ ସେମାନଙ୍କର ମଧ୍ୟ କୌଣସି ଆପତ୍ତି ରହିବ ନାହିଁ ବୋଲି ରସିକତା କରି କହିଥିଲେ ଡ. ମହାନ୍ତି । ଅପରପକ୍ଷେ ଡ. ମହାନ୍ତିଙ୍କର ଏସବୁ କରିବା ପଛରେ ବିଶେଷ ଅଭିସନ୍ଧି ଥିଲା ।

 

ସେ ଆଶା କରିଥିଲେ ହୁଏତ ଏତେଗୁଡ଼ାଏ ତରୁଣୀଙ୍କ ସଙ୍ଗରେ ରହି ମଧ୍ୟରାତ୍ରି ବେଳକୁ ଡ. କୁମାରଙ୍କ ଅସଲ ରୋମାଣ୍ଟିକ୍‌ ଚରିତ୍ର ପଦାକୁ ଆସିବ । ହୁଏତ ତାଙ୍କ ମୁଖା ଖୋଲିଯିବ ।

 

ମହାନ୍ତି ନିଶ୍ଚିନ୍ତ ଥିଲେ ଯେ, କୁମାରଙ୍କ ଭିତରେ ଗୋଟେ ନାରୀପ୍ରବଣ ଆତ୍ମା ଲୁଚି ରହିଛି । ଡ. ମହାନ୍ତି ସାରାରାତି ଅପେକ୍ଷା କରି କରି ଶେଷରେ ଟିକେ ଢୋଳେଇ ପଡ଼ିଛନ୍ତି । ତାଙ୍କ ବସ୍‌ ଭିତରେ ପାଟିତୁଣ୍ଡ ଶୁଭିଲା । ଆଗବସ୍‌ରୁ ଡ୍ରାଇଭର ଫୋନ୍‌ କରିଛି । କ’ଣ ଗୋଟେ ଗଣ୍ଡଗୋଳ ନେଇ ଖଣ୍ଡେ ଦୂରରେ ବସ୍‌ଟି ଅଟକିଥିଲା । ଡ୍ରାଇଭର ପଛବସ୍‌ ଯେଉଁଟାକି ଛାତ୍ରମାନଙ୍କୁ ନେଇ ଆସୁଥିଲା ତା’ ପାଖରେ ଶୀଘ୍ର ପହଞ୍ଚିବାକୁ ଅନୁରୋଧ କରି ଫୋନ୍‌ କରିଥିଲା ।

 

ସେତେବେଳକୁ ରାତି ପ୍ରାୟ ତିନିଟା ହେଲାଣି । ଡ.ମହାନ୍ତି ମନେମନେ ଖୁସି ହୋଇଗଲେ । ଯାହାହେଉ ତାଙ୍କ ଇଚ୍ଛା ମୁତାବକ ଘଟଣାଟିଏ ନିଶ୍ଚୟ କିଛି ଘଟିଲା ! ସେ ଶତ ପ୍ରତିଶତ ବିଶ୍ଵାସ କରୁଥିଲେ ଯେ ଗଣ୍ଡଗୋଳଟି ବିଶ୍ଵାମିତ୍ର ବୋଲାଉଥିବା କେ.କୁମାର କରିଥିବେ ଓ କେଉଁ ରୂପସୀ ନାରୀ ଦେହରେ ହସ୍ତ ସଞ୍ଚାଳନ କରି ବିଚରା ଧରାପଡ଼ିଥିବ...।

 

ସନ୍ନ୍ୟାସୀ ରୂପ ଭିତରେ ରୋମାଣ୍ଟିକ୍‌ ଚେତନାରେ ଉବୁଟୁବୁ ହେଉଥିବା ଡ.କେ.କୁମାର କିଛି ଗୋଟେ ଅଘଟଣ କରିଥିବେ । ମେନକା, ରମ୍ଭାମାନଙ୍କ ନୃତ୍ୟରେ ବିଶ୍ଵାମିତ୍ରଙ୍କ ତପସ୍ୟା ଭଙ୍ଗ ହୋଇଥିଲା, ଏ ଯୁଗର ନକଲି ବିଶ୍ଵାମିତ୍ର ଆଉ କେତେ ସମ୍ଭାଳିବେ ?

 

ଏମିତି ଚିନ୍ତା କରି ଉତ୍‌ଫୁଲ୍ଲିତ ହେଉ ହେଉ ଆଗବସ୍‌ ପାଖରେ ପଛବସ୍‌ଟି ପହଞ୍ଚିଗଲା-। ବସ୍‌ ଭିତରୁ ସେତେବେଳକୁ ମାଡାମ ସୁଚିତ୍ରା ଓ କିଛି ଛାତ୍ରୀମାନେ ତଳକୁ ଓହ୍ଲାଇ ହୋ ହାଲ୍ଲା କରୁଥିଲେ । ଟିକେ ଦୂରରୁ ମହାନ୍ତି ସାର୍‌ ସ୍ପଷ୍ଟ ଦେଖିପାରୁଥିଲେ ।

 

ଅନତି ଦୂରରେ ଡ.କୁମାର ଜଣେ ମହିଳାଙ୍କୁ କୁଣ୍ଢାଇ ଧରିଥିଲେ । ମହିଳାଜଣକ ଛାଟିପିଟି ହେଉଥିବା ସତ୍ତ୍ୱେ ବି କୁମାର ତାଙ୍କୁ ଦୁଇହାତ ମଝିରେ ଜୋର୍‌କରି ଚାପି ଧରିଥିଲେ ।

 

ଏ ଦୃଶ୍ୟ ଦେଖି ଡ. ମହାନ୍ତି କୃତ୍ୟ କୃତ୍ୟ ହୋଇପଡ଼ୁଥିଲେ । ଯାହାହେଉ ଏତେବେଳକେ ଘଟଣାଟି ଘଟିଛି । ବୁଢ଼ା ବୋଧେ ବସ୍‌ରେ ନିଶାଟିକେ ନେଇଯାଇଛି । ନହେଲେ ଏମିତି କାଣ୍ଡ କରନ୍ତା କିପରି ?

 

ଅନ୍ଧାର ଭିତରେ କାହା ମୁହଁ ସ୍ପଷ୍ଟ ଦିଶୁ ନ ଥିଲେ ମଧ୍ୟ ମହାନ୍ତି ସାର୍‌ ଡ. କୁମାରଙ୍କୁ ଦୂରରୁ ଚିହ୍ନି ପକାଇଥିଲେ ଓ ତାଙ୍କର ଏ ଜାବୁଡ଼ା ଦୃଶ୍ୟକୁ ବେଶ୍‌ ଉପଭୋଗ କରୁ କରୁ ବସ୍‌ରୁ ଓହ୍ଲାଇ ସମସ୍ତେ ପ୍ରାୟ ପାଖାପାଖି ପହଞ୍ଚି ଯାଇଥିଲେ ।

 

ଛାତ୍ରମାନଙ୍କ ସହିତ ଅଧ୍ୟାପକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଡ. କେ.କୁମାର ଓ ତାଙ୍କ ଦୃଢ଼ ଆଲିଙ୍ଗନ ମଧ୍ୟରେ ଥିବା ଶାଢ଼ିପିନ୍ଧା ଯୁବତୀଙ୍କୁ ଚାହିଁ ଦେଖୁଥିଲେ । ଜଣେ ଯୁବକ ମୋବାଇଲ୍‌ ଫୋନ୍‌ର ଟର୍ଚ୍ଚ ଯୁବତୀଙ୍କ ଆଡ଼କୁ ପକାଇ ସେ କିଏ ବୋଲି ଜାଣିବାକୁ ଚେଷ୍ଟା କରୁଥିଲେ ମଧ୍ୟ ମୁହଁ ଉପରେ ଶାଢ଼ିର ଆଞ୍ଚଳ ଘୋଡ଼ାଇ ଯାଇଥିବା ହେତୁ ଜଣାପଡ଼ୁ ନ ଥିଲା ।

 

ଅଧ୍ୟକ୍ଷଙ୍କ ମୁହଁ ଲଜ୍ଜା ଓ କ୍ଷୋଭରେ ଲାଲ୍‌ ପଡ଼ିଗଲା । ସ୍ୱାଭାବିକ କଥା । ଡ. କୁମାରଙ୍କ ଭଳି ଜଣେ ବୟସ୍କ ପ୍ରାଧ୍ୟାପକ ଏଭଳି ବ୍ୟବହାର କରିବେ ପୁଣି ଜଣେ ଛାତ୍ରୀଙ୍କ ସହିତ ତା’ ସେ ସାମ୍ନାରେ ଦେଖି ମଧ୍ୟ ବିଶ୍ୱାସ କରିପାରୁ ନ ଥିଲେ ।

 

ପିକ୍‌ନିକ୍‌ର ଖୁସିଟା ରାସ୍ତା ମଝିରୁ ଏଭଳି ଫସର ଫାଟିଯିବ ବୋଲି କେହି ଅନୁମାନ କରି ନ ଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଗରୁ ହଠାତ୍‌ ଡ. କୁମାର ମହିଳା ଜଣକ ଦେହରୁ ଶାଢ଼ି ଟାଣିବାକୁ ଆରମ୍ଭ କଲେ ।

 

ସମେସ୍ତ ଅବାକ୍‌ ହୋଇ ଯାଉଥିଲେ । କିଏ କିଏ ଡ. କୁମାରଙ୍କୁ ଧକ୍କା ମାରିବାକୁ ଉଦ୍ୟତ ହେଲାବେଳକୁ ଏକସାଙ୍ଗରେ ୮/ ୧୦ଟି ଟର୍ଚ୍ଚ ଜଳିଉଠିଥିଲା ଓ ବାରହାତର ଲମ୍ବା ଶାଢ଼ିଟା ତଳେ ଲୋଟୁଥିଲା ।

 

କେଇଜଣ ଆଖି ବନ୍ଦ କରି ପକାଇଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଶାଢ଼ି ତଳୁ ଆତ୍ମପ୍ରକାଶ କରିଥିଲା । ଜଣେ ଜିନ୍‌ ପରିହିତ ଯୁବକ । ଟର୍ଚ୍ଚ ଆଲୁଅରେ ସମସ୍ତେ ଏଥର ଉକ୍ତ ଯୁବକ ଓ ଡ. କେ.କୁମାରଙ୍କୁ ପରିଷ୍କାର ଦେଖିପାରୁଥିଲେ ।

 

ଏକସଙ୍ଗେ ସମସ୍ତେ ଚିତ୍କାର କରି ଉଠିଥିଲେ । ଆରେ ଇଏତ ବିଜନ ଦାସ । ଶେଷବର୍ଷ ରାଜନୀତି ବିଜ୍ଞାନର ଛାତ୍ର । ଘଟଣା କ’ଣ ? ବିଜନ ଶାଢ଼ି ପିନ୍ଧି କ’ଣ ଛାତ୍ରୀମାନଙ୍କ ବସ୍‌ରେ ଥିଲା-? ସମସ୍ତଙ୍କ ମୁହଁରେ ପ୍ରଶ୍ନ ! !

 

ଡ. କୁମାର ବିରକ୍ତ ହୋଇ କହିଲେ, ଏଇଥିପାଇଁ ମୁଁ ରାଜି ନ ଥିଲି ଛାତ୍ରୀମାନଙ୍କ ଦାୟିତ୍ଵ ନେବାକୁ । ପ୍ରେମ କରିବା ପାପ ନୁହେଁ । ମାତ୍ର ପ୍ରେମ ନାମରେ କେଳେଙ୍କାରୀକୁ ମୁଁ କଦାଚିତ୍‌ ସମର୍ଥନ ଦେଇପାରିବି ନାହିଁ ।

 

ଅଧ୍ୟକ୍ଷ ଓ ସମସ୍ତଙ୍କ ସନ୍ଦେହ ଦୂର କରିବାକୁ ମୁଣ୍ଡ ତଳକୁ ପୋତି ସତକଥା କହିଥିଲା ବିଜନ । ବିଜନ ତା’ ପ୍ରେମିକା ସହିତ ସାରାରାତି ଗୋଟିଏ ବସ୍‌ରେ ଯିବାର ଲୋଭ ସମ୍ଭରଣ କରି ନ ପାରି କୌଣସି ପ୍ରକାର ମହିଳା ବେଶରେ ସମସ୍ତଙ୍କ ଆଖିକୁ ଧୋକ୍କା ଦେଇ ବସ୍‌ ବଦଳି କରିଥିଲା ଓ ସଞ୍ଜନାର ପାଖ ସିଟ୍‌ରେ ବସିଥିଲା ।

 

ହେଲେ ଗୋଟିଏ କମ୍ବଳ ଘୋଡ଼ାଇ ହୋଇ ବସ୍‌ ଭିତରେ ଦୁହେଁ ଏକାଠି ବସିଥିଲେ । ସେମାନଙ୍କର ସାମାନ୍ୟ ଅସଂଯତ ବ୍ୟବହାର ଡ. କୁମାରଙ୍କ ଆଖିରୁ ଖସିଯାଇ ପାରିଲା ନାହିଁ । କୁମାର ଜାଣିପାରିଥିଲେ ଯେ ବସ୍‌ରେ ଜଣେ ପୁରୁଷ ନାରୀ ବେଶରେ ରହିଛି ।

 

ହୁଏତ କେଉଁ ଅପରାଧୀ ବସ୍‌ ମଧ୍ୟକୁ ପଶି ଆସିଥାଇପାରେ ବୋଲି ମଧ୍ୟ ସେ ସନ୍ଦେହ କରୁଥିଲେ । ଅଘଟଣ ଘଟିବା ଆଶଙ୍କାରେ ହଠାତ୍‌ ବସ୍‌ ଭିତରେ ମଉକା ଦେଖି ବିଜନ୍‌ଙ୍କୁ ପ୍ରଫେସର ମାଡ଼ିବସି ତଳକୁ ନେଇଆସିଲେ ।

ଅବଶ୍ୟ ଡ୍ରାଇଭର ତାଙ୍କୁ ଏ ଦିଗରେ ସାହାଯ୍ୟ କରିଥିଲା । ଡ. କୁମାର ଏକଥା କହିଥିଲେ ଯେ ବିଜନ ଶାଢ଼ି ସହିତ ଦୌଡ଼ି ପଳାଇବାକୁ ଉଦ୍ୟମ କରିବାରୁ ତାକୁ ବାଧ୍ୟ ହୋଇ ସେ ସମସ୍ତ ଶକ୍ତି ପ୍ରୟୋଗ କରି କୁଣ୍ଢାଇ ଧରିଥିଲେ ।

 

ତେବେ ଦୁଃଖର ସହିତ ସେ କହିଥିଲେ ଯେ ମୁଁ ଆଉ କ’ଣ ବା କରିପାରିଥାନ୍ତି ? ବସ୍‌ ମଧ୍ୟରେ ସମସ୍ତେ ମହିଳା ଥିଲେ । ଡ୍ରାଇଭର ଗାଡ଼ି ସମ୍ଭାଳୁଥିଲା । ମୁଁ ହିଁ ତ ଏକମାତ୍ର ପୁରୁଷ ଥିଲି ।

 

ଏଥର ସମସ୍ତେ ହସିଲେ ।

 

ବିଜନ ଦାସ ସମସ୍ତଙ୍କୁ ଯୋଡ଼ହସ୍ତରେ କ୍ଷମା ମାଗିଲା ଓ ମଜାରେ ମଜାରେ ଏମିତି କରିଦେଲା ବୋଲି କୁମାର ସାର୍‌ ଓ ସମସ୍ତ ଛାତ୍ରୀମାନଙ୍କୁ ମଧ୍ୟ ଦୁଃଖିତ ବୋଲି କହିଥିଲା ।

 

ମହାନ୍ତି ସାର୍‌ ପଛରୁ ଥାଇ ଟିପ୍ପଣୀ ଦେଇ କହିଲେ–ଓଃ ଇଏ କେଉଁ ପୁରୁଷପଣିଆରେ ଯାଏ ? ଡବଲ ଷ୍ଟାଣ୍ଡାର୍ଡ କେଉଁଠିକାର !

 

କଥାଟା ବିଜନ ପ୍ରତି ଥିଲା ନା କେ.କୁମାରଙ୍କ ପ୍ରତି ଥିଲା । ତାହା କେହି ନ ବୁଝିଥିଲେ ମଧ୍ୟ କୁମାର ସାର୍‌ ଠିକ୍‌ ବୁଝିପାରିଲେ ଏବଂ ବଡ଼ କଷ୍ଟରେ ନିଜର କ୍ରୋଧକୁ ସମ୍ବରଣ କରିନେଲେ ।

 

ଅଧ୍ୟକ୍ଷ ମହାଶୟ ଏଥର ଡ.ମହାନ୍ତିଙ୍କୁ ଝିଅମାନଙ୍କ ଗାଡ଼ିରେ ଆସିବାକୁ କହି କେ.କୁମାରଙ୍କୁ ନିଜ ସହ ନେଇଆସିଥିଲେ ।

 

ମାତ୍ର ସାରାରାତି ଡ. କୁମାର କାହା ସହ କଥାବାର୍ତ୍ତା କରି ନ ଥିଲେ । ଏମିତିବି ସେ ଜଣେ ଜିଦ୍ଦୀ ମଣିଷ ଥିଲେ । ଖଣ୍ଡାଧାରରେ ପହଞ୍ଚିଲାବେଳକୁ ଦିନ ୧୦ଟା ବାଜୁଥିଲା ।

 

ପାହାଡ଼ ଉପରକୁ ପିଲାମାନେ ଚଢ଼ିବାକୁ ତରବର ହେଉଥିଲେ । ଦାୟିତ୍ଵରେ ଥିବା ଅଧ୍ୟାପକମାନେ ସେମାନଙ୍କୁ ସତର୍କ କରାଇଦେଲେ । ଏହି ପ୍ରପାତଟି ରାଜ୍ୟର ସବୁଠାରୁ ଅଧିକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ହେଲେ ମଧ୍ୟ ବଡ଼ ବିପଦସଂକୁଳ ।

ସରକାରଙ୍କ ପର୍ଯ୍ୟଟନ ବିଭାଗ ଓଡ଼ିଶାର ଅଧିକାଂଶ ଦର୍ଶନୀୟ ସ୍ଥାନଗୁଡ଼ିକ ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଛନ୍ତି ବୋଲି ଜଣେ କିଏ ଟିପ୍ପଣୀ ଦେଉଥିଲା ।

ଜଳଖିଆ ଖାଇ ସମସ୍ତେ ଧୀରେ ଧୀରେ ଗାଇଡ୍‌ର ସହାୟତାରେ ଉପରକୁ ଉଠିଲେ । ତଳେ ରନ୍ଧାରନ୍ଧି ପାଇଁ ଦରି ପକାଯାଇଥିଲା । ପରିବା କଟାହେଉଥିବା ସ୍ଥାନରେ ବୟସ୍କ ପ୍ରଫେସର ଓ ଅଧ୍ୟାପିକାମାନେ ବସି ଗପିବା ଆରମ୍ଭ କରିଦେଇଥିଲେ ।

ଗୁଲିଖଟି ଗପ ଗପିବାରେ ମହାନ୍ତି ସାର୍‌ଙ୍କୁ କିଏ ବା ଟପିପାରିବ ? ମହାନ୍ତି ସାର୍‌ ଅଧ୍ୟାପକ ନ ହୋଇ ନେତା ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସବିତା ମାଡାମ୍‌ କହୁଥିଲେ । ମାଡାମ୍‌ ସବିତା ଏକଥା କହିବା ମାତ୍ରକେ ପଛପଟରୁ ଅନ୍ୟଜଣେ ମାଡାମ୍‌ ତାଙ୍କୁ ଚିମୁଟିଥିଲେ । କହିଲେ ମହାନ୍ତି ସାର୍‌ଙ୍କୁ ଚିଡ଼ାଇବାକୁ ଚେଷ୍ଟା କରନା ସବିତା । କଲେଜରେ ଚାକିରି କରିବା କଷ୍ଟକର ହେବ । ଦୁଇମାସ ଭିତରେ କଳାହାଣ୍ଡି ଟ୍ରାନ୍ସଫର ହେବା ସୁନିଶ୍ଚିତ ।

କାହିଁକି, ସେ କ’ଣ ଭାଇସ୍‌-ଚାନ୍‌ସେଲରଙ୍କ ଜ୍ଵାଇଁ ନା ମନ୍ତ୍ରୀଙ୍କ ଭାଇ ? ଏକଥା ଶୁଣୁଥିବା ଆଉ ଜଣେ ଅଧ୍ୟାପିକା ପ୍ରଶ୍ନ କଲେ । ହଁ, ସେ ତାଙ୍କ ସମୟରେ ବାଣୀବିହାରର ସବୁଠାରୁ ଉଦଣ୍ଡ ଛାତ୍ର ସାବ୍ୟସ୍ତ ହୋଇଥିଲେ ।

ସେତେବେଳକାର ଭାଇସ୍‌-ଚାନ୍‌ସେଲରଙ୍କ ଝିଅଙ୍କୁ ନେଇ ବାଣୀବିହାର ପାଣିଟାଙ୍କି ଉପରେ ଚଢ଼ିଯାଇଥିଲେ । ସାରାରାତି ସେଇଠି ଥାଇ ସବୁ ହଷ୍ଟେଲର ଅନ୍ତେବାସୀମାନଙ୍କୁ ନୟାନ୍ତ କରିବା ସହିତ ପୋଲିସ ପ୍ରଶାସନକୁ ଅଧାବାଇଆ କରି ପକାଇଥିଲେ ।

ପୋଲିସ ଯଦି କ୍ୟାମ୍ପସ୍‌ରୁ ନ ହଟେ ସେ ତଳକୁ ଡେଇଁପଡ଼ିବେ ବୋଲି କହି ଏମିତି ଧମକାଇଥିଲେ ଯେ ପୋଲିସକୁ ଭାଇସ୍‌-ଚାନ୍‌ସେଲର କ୍ୟାମ୍ପସ୍‌ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲେ । ତା’ପରେ ତାଙ୍କର ଗୋଟିଏ ମାତ୍ର ଝିଅକୁ ଏହି ମହାନ୍ତି ସାର୍‌ ବିବାହ କରିଥିଲେ ।

ଆଉ ତା’ ପରେ ? ପଚାରିଲେ ମାଡାମ୍‌ ସବିତା ।

 

ତା'ପରେ ଆଉ କ’ଣ, ମହାନ୍ତି ସାର୍‌ଙ୍କ ପାଠ ସରିବା ପରେ ୟୁନିଭରସିଟିରେ ଚାକିରି ମିଳିଗଲା । ଉଚ୍ଚଶିକ୍ଷା ପାଇଁ ମଧ୍ୟ ବିଦେଶ ଗଲେ ।

 

ଏତିକିବେଳେ ମହାନ୍ତି ସାର୍‌ଙ୍କର ବଡ଼ପାଟି ଶୁଭିଲା, ଅଧ୍ୟାପିକାମାନଙ୍କର ଆଲୋଚନା ମଧ୍ୟ ବନ୍ଦ ହୋଇଗଲା । ପାଟିକରି ମହାନ୍ତି ସାର୍‌ ମୁଖାର୍ଜୀ ବାବୁଙ୍କୁ ଡାକୁଥିଲେ । ଟିକେ ଦୂରରେ କେ.କୁମାର ବହିଖଣ୍ଡେ ଧରି ପଥର ଉପରେ ବସି ପଢ଼ୁଥିଲେ ।

 

ମୁଖାର୍ଜୀ ବାବୁ ମହାନ୍ତି ସାର୍‌ଙ୍କ ପାଖକୁ ଆସି ପହଞ୍ଚିଲା ପରେ ମହାନ୍ତି ସାର୍‌ କେକେଙ୍କୁ ଶୁଣାଇ ଶୁଣାଇ ବଡ଼ ପାଟିରେ କହିଲେ ମୁଖାର୍ଜୀ ବାବୁ, ଶୁଣିଲେଣି ଆମ କଲେଜର ଦୁଇଜଣ ଷ୍ଟୁଡେଣ୍ଟ ଘରୁ ଗାଏବ ହୋଇଯାଇଛନ୍ତି ।

 

ସବୁବେଳେ ଧୋତି ପଞ୍ଜାବୀରେ ରହୁଥିବା ଓ କପାଳରେ ତିଳକ ଲଗାଉଥିବା ପଞ୍ଚାବନ ବର୍ଷ ବୟସ୍କ ସଂସ୍କୃତ ଅଧ୍ୟାପକ ମିଶ୍ର ସାର୍‌ ପଚାରିଲେ କ’ଣ ଆଜ୍ଞା ! ଟେଲିଫୋନ୍‌ ଆସିଥିଲା ନା କ’ଣ ?

 

ଦୁହେଁ କ’ଣ ପ୍ରେମ କରୁଥିଲେ ?

 

ମହାନ୍ତି ସାର୍‌ କହିଲେ ନା ମ, ଦୁହେଁ ଯାକ ପୁଅ ।

 

ମୁଖାର୍ଜୀ କହିଲେ, ଓଃ ଇଏ ପୁଅଝିଅ ପ୍ରେମ ନୁହଁ ?

 

ତେବେ ସମଲିଙ୍ଗୀ ପ୍ରେମ କାହାଣୀ... ।

 

ମିଶ୍ରେ ସେମାନଙ୍କ ସହିତ ସ୍ଵର ମିଳାଇ ଗଦ୍‌ଗଦ୍‌ ହୋଇ କହି ପକାଇଲେ, ହଁ ଆଜିକାଲି ତ ସବୁ ସମ୍ଭବ । ଆରେ ବାବା ନା, ପାନ ଚୋବାଉ ଚୋବାଉ କହିଲେ ମହାନ୍ତି ସାର୍‌ । ପ୍ରେମ ଫ୍ରେମ ନୁହଁ, ମହାନ୍ତି ସାର୍‌ ପୁରା କାହାଣୀଟାକୁ ସବିସ୍ତୃତଭାବେ ବର୍ଣ୍ଣନା କଲେ–

 

ବୁଝିଲ, ଦୁହେଁଯାକ ଆମ କଲେଜ ଦର୍ଶନ ବିଭାଗର ଛାତ୍ର । ସେମାନଙ୍କ ପଡ଼ିଶା ଘରର ୭ ବର୍ଷର ପୁଅ ଲକି ଅପହରଣ ହୋଇଛି ଦୁଇଦିନ ହେଲା । ଦଶଲକ୍ଷ ଟଙ୍କା କୁଆଡ଼େ ଅପହରଣକାରୀମାନେ ଲକିର ବାପାଙ୍କୁ ଦାବି କରିଛନ୍ତି । ପୋଲିସ ଏକଥା ଜାଣି ମଧ୍ୟ ହାତବାନ୍ଧି ବସିଛି ।

 

ଲକିର ମା' କାନ୍ଦିକାଟି ଉଚ୍ଛନ୍ନ ହୋଇ ଏ ପିଲା ଦୁହିଁଙ୍କୁ ଲକିକୁ ଖୋଜିବାକୁ ଅନୁରୋଧ କରିଥିଲା । ଏ ଦୁହେଁ ଲକିକୁ ଦୁଇତିନିଦିନ ତଳେ ଜଣେ ଅସାମାଜିକ ବ୍ୟକ୍ତି ସହ ଦେଖିଥିଲେ । ଦୁହେଁ ପୋଲିସକୁ ଉକ୍ତ ବ୍ୟକ୍ତି ସମ୍ପର୍କରେ ସମସ୍ତ ସୂଚନା ଦେଲେ ମଧ୍ୟ ପୋଲିସ ଖୋଜିବାକୁ ଯାଉନି । ଲକିର ପିତାମାତାଙ୍କ ପାଖରେ ସେମିତି ବିପୁଳ ଅର୍ଥ ମଧ୍ୟ ନାହିଁ... ଅବସ୍ଥା ସାଙ୍ଘାତିକ ।

 

ଏବେ ଏ ଦୁହେଁ କାହାକୁ ନ କହି ଚିଠି ଖଣ୍ଡେ ଲେଖିଦେଇ ନିଜ ନିଜ ଘରୁ ଗାଏବ ହୋଇଯାଇଛନ୍ତି । ଲେଖିଦେଇଛନ୍ତି ଯେ ଲକି ଓ ଅପରାଧୀର ସନ୍ଧାନ ନେଇ ଫେରିବେ । ଆମ ପାଇଁ ବ୍ୟସ୍ତ ହେବନି ।

 

କୁହ ଇଏ କିଭଳି କଥା ? କାନ ଉଠିଲା ଦିନୁ ଶୁଣିଥିଲ ? ସୋନି ଚାନେଲରେ ସିଆଇଡି ସିରିୟଲ ଦେଖି ମନେ ମନେ ପ୍ରଦ୍ୟୁମ୍ନ (ହିରୋ) ହେବାକୁ ବାହାରିଲେଣି ଆମ ପିଲାଏ । ପୋଲିସର କାମକୁ ନିଜ ହାତକୁ ନେବା କି ଦରକାର ?

 

ଏପଟେ ଲକିର ମା' କାନ୍ଦି କାନ୍ଦି ଅଥୟ । ସେପଟେ ଦୁଇ ବାଳୁଙ୍ଗା ଟୋକାଙ୍କ ବାପା-ମା’ଙ୍କ ଅବସ୍ଥା କହିଲେ ନ ସରେ । ସମସ୍ତେ ପୋଲିସ ଷ୍ଟେସନରେ ଡେରା ପକାଇଛନ୍ତି ।

 

ଫୋନ୍‌ ଆସିଥିଲା କାଳେ କୁଆଡ଼େ ପିକ୍‌ନିକ୍‌ ଗାଡ଼ିରେ ଦୁଇଜଣ ଆସିଥିବେ କିମ୍ବା ଆମ ପାଖରେ କିଛି ଖବର ଥିବ ! ନାହିଁ କରିଦେଲି । କହିଲେ ମହାନ୍ତି ସାର୍‌ ।

 

ଏବେ ସିନେମାର ହିରୋ ହିରୋଇନ୍‌ ଲେଖକ, ପ୍ରଯୋଜକମାନେ ପିଲାଙ୍କର ରୋଲ୍‌ ମଡେଲ୍‌ ହୋଇଛନ୍ତି । ପାଠବହି ପଢ଼ୁନାହାନ୍ତି ମାତ୍ର ଗୋଟେ ଗୋଟେ ସିନେମାକୁ ଶହେଥର ଲେଖାଏଁ ଦେଖୁଛନ୍ତି । ପୁଣି ଗୋଟିଏ ଗୀତକୁ ସାରା ଦିନ ଶୁଣୁଛନ୍ତି । ଯେଉଁ କଥା କରିବାକୁ ସିନେମା ଓ ଟିଭି ବାଲାଏ କହୁଛନ୍ତି, ଆମ ପିଲାମାନେ ସମ୍ମୋହିତ ହେଲା ପରି ସେହି କଥା କରୁଛନ୍ତି ।

 

ଆଜି ଶାହରୁଖ୍‌‌ ଯଦି ଡୋଭ୍‌ ସାବୁନ୍‌ ଲଗାଇଲା ଆମ ପିଲାମାନେ ନିଜର ପୁରୁଣା ସାବୁନ୍‌ ବଦଳାଇ ସେଇ ବ୍ରାଣ୍ଡର ସାବୁନ୍‌ ଲଗାଇବେ । ପୋଷାକପତ୍ର ମଧ୍ୟ ସେହି ଅନୁସାରେ ନିତିପ୍ରତିଦିନ ବଦଳିବାରେ ଲାଗିଛି ।

 

ଲେଖକମାନେ ଏଥିପାଇଁ ଦାୟୀ । ଅଭିନେତା ବିଚରା କ’ଣ ଜାଣେ ? ତା’ର ତ ଅଭିନୟ କରିବା କଥା । ଅସଲ ଶବ୍ଦର ବାଜିଗର ହେଲା ଲେଖକ । ସ୍କ୍ରିପ୍ଟ ପ୍ରସ୍ତୁତ ତ ସିଏ କରୁଛି ନା...

 

ଆଉ ଶବ୍ଦର ଜାଲ ବୁଣି ମିଛ ଏକ କାଳ୍ପନିକ ଦୁନିଆକୁ ସମସ୍ତଙ୍କୁ ଭିଡ଼ିନେଇ ହୀନମନ୍ୟତାର ମହାସମୁଦ୍ରରେ ଡୁବାଇ ଦେଉଛି...। ସେ ସମୁଦ୍ରରେ ଯିଏ ବୁଡ଼ିଲା ଆଉ ଉଠିବା କ’ଣ ସମ୍ଭବ ? ମାତ୍ର ଯିଏ ଏହା କରିପାରୁଛି ସେ କୁଆଡ଼େ ଜଣେ ସଫଳ ଲେଖକ । ଏହା ଏକ ବିଚିତ୍ର କଥା ନୁହେଁ କି ?

 

ମ୍ୟାଡାମ୍‌ ସବିତା ଫୁସ୍‌ଫୁସ୍‌ କରି କହୁଥିଲେ, ନିଜେ ହୀନମନ୍ୟତାର ମହାସମୁଦ୍ରରେ ବୁଡ଼ି ରହି ଅନ୍ୟପ୍ରତି କିଭଳି ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି ତାହା ମୁଁ ବୁଝିପାରୁନି... କଥା ଅଧାରୁ ଅଟକିଗଲେ ମହାନ୍ତି ସାର୍‌ ।

 

ପଚାରିଲେ ମୁଁ ଯାହା କହୁଛି ଠିକ୍‌ କହୁଛି କି ନାହିଁ ତ୍ରିପାଠୀ ସାର୍‌ । ଆପଣ ତ ଜଣେ ଓଡ଼ିଆ ଅଧ୍ୟାପକ । ମୋ’ଠାରୁ ଅଧିକ ଉପନ୍ୟାସ ପଢ଼ିଛନ୍ତି । କୁହନ୍ତୁ ପିଲାମାନେ ବର୍ତ୍ତମାନ କାଳ୍ପନିକ ଦୁନିଆର ମୁହଁରେ ପଡ଼ି ବାସ୍ତବତା ଠୁ ଦୂରେଇ ଯାଉଛନ୍ତି କି ନାହିଁ ?

 

ଆମ କଲେଜର ଜଣେ ସନ୍ନ୍ୟାସୀ ବୋଲାଉଥିବା ପିଲାଙ୍କ ରୋଲ୍‌ ମଡେଲ ଅଧ୍ୟାପକ ଏକ ଉପନ୍ୟାସ ପ୍ରକାଶ କରିବାକୁ ଯାଉଛନ୍ତି । ଯେଉଁଥିରେ କି କି ମୁଦ୍ରାରେ ରତି ହୋଇପାରିବ । ତାଙ୍କ ଉପନ୍ୟାସରେ ସେ ଚିତ୍ରଣ କରିଛନ୍ତି । ଏହା ପ୍ରକାଶ ହେବା ଆଗରୁ ବ୍ୟାନ୍‌ ହେବା ଆବଶ୍ୟକ କି ନାହିଁ ? ?

 

ମନେପକାନ୍ତୁ ଶକ୍ତିମାନ୍‌ ସିରିୟଲ୍‌ ଦେଖି କେତେ ପିଲା ଦୁର୍ଘଟଣାର ଶିକାର ହେଲେ । ଅଧ୍ୟାପକ ଜଣକ ଆମର ପିଲାମାନଙ୍କର ଅତିପ୍ରିୟ ହୋଇଥିବାରୁ ତାଙ୍କ ଲିଖିତ ଏହି ଉପନ୍ୟାସର କଥାବସ୍ତୁ ନିଶ୍ଚୟ ପିଲାମାନଙ୍କୁ ପ୍ରଭାବିତ କରିବ ।

 

ହଠାତ୍‌ ଶୁଣୁଥିବା ସବୁ ଅଧ୍ୟାପକ ଓ ଅଧ୍ୟାପିକାମାନେ ମହାନ୍ତି ସାର୍‌ଙ୍କୁ ପଚାରୁଥିଲେ– ‘କିଏ ସେ ଅଧ୍ୟାପକ’ ? ‘କେଉଁ ଉପନ୍ୟାସ କଥା ଆପଣ କହୁଛନ୍ତି’ ?

 

ମହାନ୍ତି ସାର୍‌ ଚାରିପଟକୁ ଚାହିଁ ଦେଖିଲେ– ନାଁ, ନିକଟରେ କେ.କୁମାର ନାହାନ୍ତି ।

 

ସମସ୍ତଙ୍କୁ ସେ ଧିମା ସ୍ୱରରେ କହିଲେ ଯେ ଆପଣମାନେ କ’ଣ ଜାଣନ୍ତିନି ଆମର ବିଶ୍ୱାମିତ୍ର ମାନେ ଡ. କେ.କୁମାରଙ୍କର ଗୋଟେ ରୋମାଣ୍ଟିକ୍‌ ଉପନ୍ୟାସ ଖୁବ୍‌ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ।

 

ମୁଁ ନିଜେ ଯାଇ ତାଙ୍କ ଘରେ ଦେଖିଆସିଛି । ଉପନ୍ୟାସଟି ଆପାତତଃ ଶେଷ ହୋଇଛି ବୋଲି ମୋର ଧାରଣା । ତା’ର ନାମରୁ ସେଇଟି ରୋମାଣ୍ଟିକ୍‌ ହୋଇଥିବ ବୋଲି ଜାଣିଲି ଏବଂ କେଇପୃଷ୍ଠା ଉପରେ ଆଖି ବୁଲାଇଆଣି ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲି ।

 

ବିଶ୍ୱାମିତ୍ରଙ୍କ ଜୀବନରେ ମେନକା ନ ଥିଲେ ଏଭଳି ରୋମାଣ୍ଟିକ୍‌ ତଥ୍ୟ ପରିବେଷଣ ସମ୍ଭବ ନୁହେଁ । କିଏ ଜାଣେ ଏ ବୟସରେ କେ.କୁମାର କି କାଣ୍ଡ କରୁଛନ୍ତି ? କାହା ସହ କିଏ କେତେବେଳେ ମଗ୍ନ, ସେକଥା କହିବ କିଏ ? ?

 

ଉପନ୍ୟାସର ନାମ ପୁଣି ‘ରତିମଗ୍ନା’ ! !

 

ରତିମଗ୍ନା.... ! ! !

 

ଜଣେ ଅଧ୍ୟାପିକା ମହାନ୍ତିଙ୍କ କଥା ପ୍ରତିବାଦ କରି ଉଠିଲେ । କହିଲେ ନଭେଲ୍‌ ଲେଖିବା ତ ଅପରାଧ ନୁହେଁ ? ଆଉ ଜଣେ ବରିଷ୍ଠ ଅଧ୍ୟାପିକା ଡ. ମହାନ୍ତିଙ୍କୁ ଚୁପ୍‌ କରାଇ କହିଲେ ଯେ ସେ ବହୁତଦିନ ଆଗରୁ କୁମାରଙ୍କୁ ଜାଣନ୍ତି ।

 

କେ.କୁମାର ଉପନ୍ୟାସ ଲେଖୁନଥିଲେ ମଧ୍ୟ ତାଙ୍କ ଭିତରେ ଜଣେ ଲେଖକର ସମସ୍ତ ସାମର୍ଥ୍ୟ ରହିଛି । ମାତ୍ର ଏକୋଇଶି ବର୍ଷ ବୟସରେ କେ.କୁମାର ବିବାହ କରିଥିଲେ । ବିବାହର ବର୍ଷେ ଦୁଇବର୍ଷ ମଧ୍ୟରେ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ କେ. କୁମାର ଉଚ୍ଚଶିକ୍ଷା ଲାଭ କରି ବିଭିନ୍ନ କଲେଜରେ ଅଧ୍ୟାପନା କାର୍ଯ୍ୟ ସୁଚାରୁରୂପେ ତୁଲାଇଛନ୍ତି । ବିଦେଶରେ ମଧ୍ୟ ତାଙ୍କ ସନ୍ଦର୍ଭ ଉଚ୍ଚ ପ୍ରଶଂସିତ ହୋଇଛି । ଦୀର୍ଘବର୍ଷ ଧରି ଡ. କୁମାର ଏକୁଟିଆ ଜୀବନଯାପନ କରୁଛନ୍ତି । ସାର୍‌ ଯଦି କିଛି ଲେଖୁଛନ୍ତି ତାହା ସ୍ୱାଗତଯୋଗ୍ୟ ।

 

ବହି ବଜାରକୁ ଆସୁ । ତାହା ଆଗରୁ ଏ ପ୍ରକାର ସମାଲୋଚନା ଆଦୌ ଗ୍ରହଣୀୟ ନୁହେଁ । ଏଭଳି କଥାବାର୍ତ୍ତା ଶୁଣି ମହାନ୍ତି ସାର୍‌ ସେଠୁ ଉଠି ଚାଲିଯାଇଥିଲେ । ପିକ୍‌ନିକ୍‌ରୁ ଫେରିବା ପର୍ଯ୍ୟନ୍ତ ଆଉ ତାଙ୍କ ସ୍ଵର ଶବ୍ଦ ଶୁଭି ନ ଥିଲା ।

 

ତା’ ପରଦିନ କଲେଜ ଅଫିସ୍‌ ନୋଟିସ୍‌ ବୋର୍ଡ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷିତ ହୋଇଥିଲା । ଅଧ୍ୟକ୍ଷ ସମସ୍ତ ଅଧ୍ୟାପକଙ୍କ ପାଇଁ ଆଧୁନିକ ଶିକ୍ଷାଦାନର ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥାର ଆୟୋଜନ କରିବା ଉଦ୍ଦେଶ୍ୟରେ ନୋଟିସ୍‌ ମାଧ୍ୟମରେ ଆମନ୍ତ୍ରଣ ଜଣାଇଥିଲେ ।

 

ସ୍ୱୟଂଶାସିତ ଏହି ମହାବିଦ୍ୟାଳୟର ପ୍ରାୟ ଷାଠିଏରୁ ଉର୍ଦ୍ଧ୍ୱ ଅଧ୍ୟାପକ ଅଧ୍ୟାପିକାମାନେ ଅଧ୍ୟକ୍ଷଙ୍କ ଅଫିସ୍‌ରେ ପହଞ୍ଚି ଏହି ତାଲିମ ବ୍ୟବସ୍ଥା ସମ୍ପର୍କରେ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ ।

 

ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସ୍ଵତନ୍ତ୍ର ତାଲିମ ମଧ୍ୟରେ ଶ୍ରେଣୀଗୃହ ପରିବେଶ, ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ଅବସ୍ଥା ପ୍ରତି ଗୁରୁତ୍ଵଦେବା, ସେମାନଙ୍କ କ୍ୟାରିୟର ନେଇ ଶିକ୍ଷାବିଭାଗ ତଥା ଶିକ୍ଷା ସଚିବଙ୍କ ସହ ଯୋଗାଯୋଗ, ଏଚ୍‌ଆର୍‌ ଓ କାଉନ୍‌ସେଲିଂ ପାଇଁ ସ୍ୱତନ୍ତ୍ର ବିଭାଗ ସ୍ଥାପନ, ପ୍ରତି ସପ୍ତାହରେ ପ୍ରତିଟି ଛାତ୍ରଙ୍କ ପରିବାର ସହିତ ସମ୍ପୃକ୍ତ ରହିବା ଓ ସମସ୍ତଙ୍କ କାର୍ଯ୍ୟକଳାପ ତଥା ବ୍ୟକ୍ତିତ୍ଵକୁ ସନ୍ତୁଳନ କରିବାରେ ସହାୟକ ହେବା ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ଦିଗମାନଙ୍କ ପ୍ରତି ଦୃଷ୍ଟି ଦିଆଯାଇ ବିଭିନ୍ନ ବିଭାଗ ସବୁ ଖୋଲିବାର ଯୋଜନା କରାଯାଇପାରେ ।

 

ସମସ୍ତ ବିଦ୍ୟାର୍ଥୀ ଯେଭଳି ଉନ୍ନତ ଶିକ୍ଷାଲାଭ କରିବେ ଓ ଭବିଷ୍ୟତରେ ରୋଜଗାରକ୍ଷମ ହେବେ ସେଥିପାଇଁ ସହର ଓ ରାଜ୍ୟର ବିଶିଷ୍ଟ ଅର୍ଥନୀତିଜ୍ଞ, ଶିଳ୍ପପତି, ଶିକ୍ଷାବିତ୍‌ମାନଙ୍କୁ ନେଇ ଏକ ସହାୟକ କମିଟିର ଗଠନ ହେବ । ଏହାକୁ କାର୍ଯ୍ୟକ୍ଷମ କରାଯାଇପାରିଲେ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନର ବ୍ୟାପକ ପରିବର୍ତ୍ତନ ଘଟିବା ସମ୍ଭବ ହେବ । ଏହାଦ୍ଵାରା ବିଦ୍ୟାର୍ଥୀମାନେ ମଧ୍ୟ ଉତ୍ସାହିତ ହେବେ ବୋଲି ଅଧ୍ୟକ୍ଷ ଆଶାପୋଷଣ କରିଥିଲେ ।

 

ଉନ୍ନତ ଶିକ୍ଷାଦାନ ପ୍ରଣାଳୀକୁ ଗ୍ରହଣ କରାଯାଇପାରିବ, ଏପରିକି ପାଠ୍ୟକ୍ରମ, ପୁସ୍ତକରେ ମଧ୍ୟ ଆବଶ୍ୟକସ୍ଥଳେ ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇପଡ଼ିଛି । ଶିକ୍ଷା କ୍ଷେତ୍ରରେ ରିସର୍ଚ୍ଚ କାର୍ଯ୍ୟ ମଧ୍ୟ ବହୁ ପଛରେ ପଡ଼ିଛି । ନାମକୁ ମାତ୍ର ଯେଉଁ ରିସର୍ଚ୍ଚ ହେଉଛି ତାହା ଜନକଲ୍ୟାଣ କାର୍ଯ୍ୟରେ ଲାଗିପାରୁନି । ସମୟର ନିର୍ଦ୍ଦେଶକୁ ବୁଝି ନ ପାରିଲେ ଆମ ପିଲାଏ ପଛରେ ରହିଯିବେ-

 

ଆମ ସମସ୍ତଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ଅଧ୍ୟକ୍ଷ କହିଥିଲେ ଓ ଏ ସମସ୍ତ ପରିବର୍ତ୍ତନକୁ ଯୋଜନାରେ ସାମିଲ କରିବା ଓ କାର୍ଯ୍ୟରେ ପରିଣତ କରାଇବାକୁ ଯାହା ସମ୍ଭବ ତାହା କରିବାକୁ ସମସ୍ତେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିଲେ । ଏହାପରେ ଉପସ୍ଥିତ ଅଧ୍ୟାପକମାନଙ୍କର ମତାମତ ରଖିବାକୁ ଅଧ୍ୟକ୍ଷ ମହାଶୟ ଅନୁରୋଧ କରିଥିଲେ ।

 

ସମସ୍ତେ ଏ ଦିଗରେ ସହଯୋଗର ହାତ ବଢ଼ାଇଥିଲେ କେବଳ ଡ. ମହାନ୍ତିଙ୍କୁ ଛାଡ଼ି । ଡ. ମହାନ୍ତି କହିଲେ ସାର୍‌, ଏମ୍‌ଫିଲ୍‌, ପିଏଚ୍‌ଡି ପରେ ଏତେଗୁଡ଼ାଏ ବର୍ଷ ଅଧ୍ୟାପନା କାର୍ଯ୍ୟ କଲାପରେ ଜୁନିଅର ଅଧ୍ୟାପକଙ୍କ ସହ ମିଶି ଶିକ୍ଷାଦାନ ସମ୍ପର୍କରେ ତାଲିମ ନେବାକୁ ମୁଁ ପସନ୍ଦ କରିପାରୁନି, କ୍ଷମା କରିବେ ।

 

କହିବାକୁ ଗଲେ ଏସବୁ ପୋଥି ବାଇଗଣ ବାଡ଼ି ବାଇଗଣ ନୁହେଁ । ଭାଷଣରେ ଯାହା ଭଲ ଶୁଭୁଛି କାର୍ଯ୍ୟରେ ଯଦି ହୋଇପାରନ୍ତା ତେବେ ରାଜ୍ୟଟା ରାମରାଜ୍ୟ ହୋଇଯାଆନ୍ତା । ରାଜ୍ୟଟାସାରା ସବୁ କଲେଜର ଅବସ୍ଥା ଆଜି ଏକାଭଳି । କମ୍ବଳ ଯାକ ତ ଅମୂକ.... କାହାକୁ ବାଛିବା ?

 

ଅଧ୍ୟକ୍ଷ ହସିଦେଇ କହିଲେ ଯୁଗ ବଦଳିଛି ମହାନ୍ତି ବାବୁ । ଶିକ୍ଷାଦାନର ବ୍ୟବସ୍ଥାକୁ ମଧ୍ୟ ବଦଳାଇବାକୁ ପଡ଼ିବ । ଏଥିରେ ତ ଆପଣ ଏକମତ ? ତା’ ପରେ ଯାହା କହୁଛନ୍ତି ପରିବର୍ତ୍ତନ କଷ୍ଟସାଧ୍ୟ ବୋଲି ସେଥିରେ ମୁଁ ମଧ୍ୟ ଏକମତ । ହେଲେ କାହାକୁ ତ ପୁଣି ଆରମ୍ଭ କରିବାକୁ ହେବ । କିଛି ହେବନାହିଁ ଭାବି ସବୁ ଛାଡ଼ିଦେଇ ବସିଲେ କ’ଣ ଚଳିବ ?

 

ମୋ ଆଖି ସେଦିନ ଡ. କୁମାର ଖୋଲିଦେଇଛନ୍ତି । ତାଙ୍କ ଶ୍ରେଣୀରେ ସେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ଓ ଅନ୍ୟମାନେ କାହିଁକି ନ ପାରିବେ ? ଦରମା ବୃଦ୍ଧି ନେଇ ୟୁନିୟନ୍‌ ଆନ୍ଦୋଳନ କରୁଛି । ଶିକ୍ଷାର ଅନ୍ୟାନ୍ୟ ସମସ୍ୟା ନେଇ ଏଭଳି ଆନ୍ଦୋଳନ ହେବା ମଧ୍ୟ ଆବଶ୍ୟକ-। ଶିକ୍ଷାର ଗୁଣାତ୍ମକମାନ ନେଇ ଆଲୋଚନାଚକ୍ର, ଆନ୍ଦୋଳନ ଏପରିକି ଆମରଣ ଅନଶନ ମଧ୍ୟ ହୋଇପାରନ୍ତା ।

 

କୁହନ୍ତୁ ମହାନ୍ତି ସାର୍‌ ଆପଣ ପରା ଗୋଟେ ଶିକ୍ଷକ ମହାସଂଘର ସେକ୍ରେଟାରୀ । ‘‘ଆପଣମାନେ କ୍ଷମତାକେନ୍ଦ୍ରୀୟ ରାଜନୀତିକୁ ନ ଚାହିଁ ରାଜ୍ୟର ସମୂହ ଛାତ୍ରକଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଚାହିଁଲେ ଅଧ୍ୟାପକମାନଙ୍କର ମଧ୍ୟ କଲ୍ୟାଣ ହୋଇଯାଆନ୍ତା ।’’

 

ଡ. ମହାନ୍ତି କ’ଣ କହିବାକୁ ଯାଉଥିଲେ । ମୁଖାର୍ଜୀ ସାର୍‌ ଇସାରାରେ ଚୁପ୍‌ ରହିବାକୁ କହିଲେ ।

 

ଅଧ୍ୟକ୍ଷ ଉପସ୍ଥିତ ଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଦେଇ କହିଲେ ଯେ ପରିବର୍ତ୍ତିତ ସମୟ ଓ ପରିସ୍ଥିତି ପ୍ରତି ସଜାଗ ନ ହେଲେ ସମୟ ଆମମାନଙ୍କୁ ପଛକୁ ଠେଲି ଆଗକୁ ପଳାଇବ । ଦିନେ ଦେଖିବେ ଆମେ ସବୁ କୋଣଠେସା ହୋଇ ରହିଥିବା । କଲେଜ ଗୁଡ଼ିକରେ ପାଠ ପଢ଼ିବାକୁ ପିଲା ନ ଥିବେ । କେବଳ ଥିବ ଚେୟାର, ଟେବୁଲ ଓ ବ୍ଲାକବୋର୍ଡ । ଆସନ୍ତୁ ସମସ୍ତେ ମିଶି ଛୋଟ ଛୋଟ ଚିନ୍ତା ମୁଣ୍ଡରୁ କାଢ଼ି ବଡ଼ ବଡ଼ କଥା ଭାବିବା, ପ୍ରଥମେ ଆମ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ।

 

ଏକଥା ଶୁଣୁ ଶୁଣୁ ମହାନ୍ତି ସାର୍‌ଙ୍କ ରାଗ ମୁଣ୍ଡକୁ ଚଢ଼ିଯାଉଥିଲା । ସବୁ ଅସୁବିଧା ଏଇ କେ.କୁମାର ପାଇଁ । ତାଙ୍କୁ ରାସ୍ତାରୁ ଶୀଘ୍ର ହଟାଇବାକୁ ପଡ଼ିବ ବୋଲି ସେ ସମସ୍ତଙ୍କୁ କହି ବୁଲୁଥିଲେ-। ତା’ ସହିତ କହୁଥିଲେ ଯେ, ଖୁବ୍‌ଶୀଘ୍ର ତା’ର ଅସଲ ରୂପକୁ ସେ ପଦାରେ ପକାଇଦେବେ ।

 

ଏତେସବୁ ଘଟଣା ଘଟିଯିବା ପରେ କେ.କୁମାରଙ୍କର ପ୍ରଶଂସକ ବୋଲାଉଥିବା ଛାତ୍ରମାନେ (ଫ୍ୟାନ୍‌ ଗ୍ରୁପ୍‌) ସକ୍ରିୟ ହୋଇ ଉଠିଥିଲେ । ସାର୍‌ଙ୍କ ପଛରେ ମହାନ୍ତି ସାର୍‌ଙ୍କ ସମେତ ଆଉ କେଇଜଣ ଅଧ୍ୟାପକ ଯେମିତି ରିତିମତ ଲାଗିଛନ୍ତି, କିଛିଗୋଟେ କରିଦେଇପାରନ୍ତି ବୋଲି ସେମାନେ ବିଶ୍ୱାସ କରୁଥିଲେ ।

 

ସାର୍‌ଙ୍କର ଜୀବନରେ ସତରେ କ’ଣ କେଉଁ ନାରୀଟିଏ ଅଛିକି ବୋଲି ମଧ୍ୟ ସେମାନଙ୍କ ମନରେ ପ୍ରଶ୍ନ ଉଠୁଥିଲା । ଏହି ବୟସରେ କେ.କୁମାର ଜଣେ ବାନ୍ଧବୀ ଚାହୁଁଥିବା କଥାଟାକୁ ସେମାନେ ଆଦୌ ବିଶ୍ୱାସ କରିପାରୁ ନ ଥିଲେ । ଛାତ୍ରଛାତ୍ରୀମାନେ ମିଳିତ ନିଷ୍ପତ୍ତି ନେଲେ ଯେ କୁମାର ସାର୍‌ଙ୍କ ଘରକୁ ଯାଇ କୌଣସି ପ୍ରକାର ଉପନ୍ୟାସଟିକୁ ପଢ଼ିବେ । ହୁଏତ ତାଙ୍କ ପାଣ୍ଡୁଲିପିରୁ ଏ ସମ୍ପର୍କରେ କିଛି ସୂଚନା ମିଳିଯାଇପାରେ । ସତ୍ୟ ନ ଜାଣି ସେମାନେ ଏହିସବୁ ଅଭିଯୋଗ, ଆରୋପର ପ୍ରତିବାଦ ମଧ୍ୟ କରିପାରୁ ନାହାନ୍ତି । ଏଭଳି ପରିସ୍ଥିତିରେ ପ୍ରତିରୋଧ ବା କରନ୍ତେ କିପରି ? ?

 

ଉପନ୍ୟାସଟି କେବେ ଛପା ହେବ କିମ୍ବା ଛପା ନ ହୋଇ ରହିଯିବ ସେ ସମ୍ପର୍କରେ ମଧ୍ୟ ତାଙ୍କ ଛାତ୍ରଛାତ୍ରୀମାନେ ସନ୍ଦିହାନ ଥିଲେ । ଅଦ୍ଭୁତ ମଣିଷ ଥିଲେ ଏହି କେ.କୁମାର । ଉପନ୍ୟାସିଟି କେବେ ବଜାରରେ ଉପଲବ୍ଧ ହେବ ତା’ ଉପରେ ମଧ୍ୟ କେହି କିଛି କହି ନ ପାରିବାରୁ ଯୋଜନା ହେଲା, ସାର୍‌ଙ୍କ ଘରକୁ ଯାଇ ଏ ବିଷୟରେ ବିଶଦ ଆଲୋଚନା କରିବାକୁ ହେବ । ଅପ୍ରକାଶିତ ପାଣ୍ଡୁଲିପିଟିକୁ ପଢ଼ିବାକୁ ପଡ଼ିବ ।

 

ନଚେତ୍‌ ମହାନ୍ତି ସାର୍‌ଙ୍କ ଦଳ ଯେଭଳି ଭିନ୍ନ ଭିନ୍ନ ଉପାୟରେ ସାର୍‌ଙ୍କୁ ବଦନାମ୍‌ କରିବାରେ ଲାଗିଛନ୍ତି ଓ କୁତ୍ସାରଟନା କରୁଛନ୍ତି ହୁଏତ ଅବସ୍ଥା ଦିନେ ଅସମ୍ଭାଳ ହୋଇପଡ଼ିବ ।

 

ପ୍ରୀତିନନ୍ଦା ସମସ୍ତଙ୍କୁ ଚୁପ୍‌ କରାଇଥିଲା ଓ କହିଥିଲା ଉପନ୍ୟାସଟିକୁ ପଢ଼ିଦେଲେ କ’ଣ ସାର୍‌ଙ୍କର ବ୍ୟକ୍ତିଗତ କଥା ଜାଣିହେବ ? କୌଣସି ଗଳ୍ପ ବା ଭପନ୍ୟାସରେ ଲେଖକ କିଛି ସତ୍ୟ ପରିବେଷଣ କରିବା ଜରୁରୀ ନୁହଁ । ଉପନ୍ୟାସ ମଧ୍ୟ ଜୀବନୀ ନୁହଁ । ଏହା ସମ୍ପୂର୍ଣ୍ଣ କାଳ୍ପନିକ ହୋଇଥାଏ ।

 

ସତ୍ୟ କିଛିମାତ୍ରାରେ ଥାଇପାରେ ମାତ୍ର କଳ୍ପନା ଉପରେ ଉପନ୍ୟାସ ସବୁବେଳେ ଅଧିକ ପର୍ଯ୍ୟବସିତ । ତେଣୁ ଏତେ ଉଚ୍ଚାଟ ହେବା ଠିକ୍‌ ନୁହେଁ । ମହାନ୍ତି ସାର୍‌, କେ.କୁମାରଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାଙ୍କ ଉପନ୍ୟାସଟିକୁ ନିନ୍ଦିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରୀତିନନ୍ଦା କହିଥିଲା । ଆମେ ତାଙ୍କୁ ରୋକିବା କିଭଳି ତାହା ଭାବିବା ଦରକାର ।

 

ପ୍ରଥମ ବର୍ଷ ବିଜ୍ଞାନର ଛାତ୍ରୀ ସଙ୍ଗୀତା ମଜୁମ୍‌ଦାର ଗୋଟେ ଦର୍ଶନର ଛାତ୍ରୀ ଭଳି କହିଲା- ଏତେ ଯୁକ୍ତିତର୍କର ଆବଶ୍ୟକତା ନାହିଁ । ଯାହା ବିଧିର ନିର୍ଦ୍ଦେଶ ଥିବ ତାହାହିଁ ହେବ । ପୃଥିବୀରେ ବଡ଼ ବଡ଼ ଲେଖକ, ସମାଜ ସଂସ୍କାରକ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି । କେତେ କିଏ ଶୁଳିରେ ଚଢ଼ିଛନ୍ତି, କିଏ ପୁଣି ଦେଶାନ୍ତର ଯାଇଛି, କାହା ହାତରୁ ଛଡ଼ାଇ ନିଆଯାଇଛି କଲମ, କାହାକୁ ମଧ୍ୟ ମୃତ୍ୟୁଦଣ୍ତରେ ଦଣ୍ଡିତ କରାଯାଇଛି ।

 

ବିପ୍ଳବ ତଥାପି ଜୀଇଁଛି... ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆମକୁ ସତ୍ୟ ଜାଣିବାକୁ ପଡ଼ିବ-। ନଚେତ୍‌ ଏହି ମହାନ୍ତି ସାର୍‌ଙ୍କ ଭଳି ବ୍ୟକ୍ତିମାନଙ୍କ ହାତମୁଠାରେ ଆମ ସାହିତ୍ୟ, ସଂସ୍କୃତି ଓ ଇତିହାସ ରହିଯିବନିକି... ?

 

‘ସଙ୍ଗୀତା ମଜୁମ୍‌‌ଦାର’ ଅଣଓଡ଼ିଆ ଝିଅଟିଏ । ଯେଭଳି ଭାବରେ ସେ ଦୁଇମାସ ମଧ୍ୟରେ ଓଡ଼ିଆ କହୁଛି ତାହା ସମସ୍ତଙ୍କୁ ଆଚମ୍ଭିତ କରିଦେଇଛି । ପଶ୍ଚିମବଙ୍ଗରେ ଜନ୍ମ । ମାଟ୍ରିକ୍‌ ଶିକ୍ଷାଲାଭ କରି ସେଠିକା କଲେଜରୁ ଏଇ ଦୁଇମାସ ତଳେ ଟ୍ରାନ୍ସଫର ସାର୍ଟିଫିକେଟ୍‌ ଆଣି ନାମ ଲେଖାଇଛି ଏଇଠି । ଓଡ଼ିଶାକୁ ସେ କୁଆଡ଼େ ବାରମ୍ବାର ସ୍ୱପ୍ନରେ ଦେଖୁଥିଲା । ଏଠାକାର ନଦୀ ଓ ମନ୍ଦିର ସବୁକୁ ସେ ଇଣ୍ଟରନେଟ୍‌ରେ ଅନୁଧ୍ୟାନ କରୁଥଲା । ଇଣ୍ଟରନେଟ୍‌ରେ କୌଣସି ଗୋଟେ ମନ୍ଦିର ଓ ନିଛାଟିଆ ନଦୀପଠା ଦେଖି ହଠାତ୍‌ ଦିନେ ଜିଦ୍‌ କଲା ଓଡ଼ିଶାରେ ପାଠ ପଢ଼ିବାକୁ । ବହୁ ବାଦବିବାଦ ଉପରାନ୍ତେ, ତା’ର ବାପା-ମା’ ଜଣେ ସମ୍ପର୍କୀୟଙ୍କ ସହାୟତାରେ ଓଡ଼ିଶା ଆସି ଏଇଠି ନାମ ଲେଖାଇଲେ ।

 

ହଷ୍ଟେଲରେ ରୁହେ ସଙ୍ଗୀତା । ମନରେ ତା’ର ଇଚ୍ଛାଟିଏ ଥାଏ । ବାରମ୍ବାର ସ୍ଵପ୍ନରେ ଦେଖୁଥିବା ସେଇ ମନ୍ଦିର ଆଉ ନଦୀପଠାକୁ ଥରେ ସ୍ୱଚକ୍ଷୁରେ ଦେଖିବ.... !

 

ପ୍ରୀତିନନ୍ଦା ଓ ସଙ୍ଗୀତା ଗୋଟିଏ ରୁମ୍‌ରେ ରହୁଥିବାରୁ ଦୁହିଁଙ୍କ ମଧ୍ୟରେ ଟିକେ ଅଧିକ ଘନିଷ୍ଠତା ଥିଲା । ପ୍ରୀତିନନ୍ଦା ବୟସରେ ସଙ୍ଗୀତାଠାରୁ ତିନିବର୍ଷ ବଡ଼ ହେଲେବି ସଙ୍ଗୀତା ତାକୁ ‘ପ୍ରୀତି’ ବୋଲି ଡାକେ ।

 

ସଙ୍ଗୀତା ଏଇ କେତେଦିନ ମଧ୍ୟରେ ହାର୍‌ମୋନିୟମ୍‌ ଶିଖିଗଲାଣି । ଓଡ଼ିଶୀ ସଙ୍ଗୀତର ସରଗମ୍‌କୁ ଛୁଇଁଲାଣି । ସବୁଠୁ ବଡ଼କଥା ହେଲା ଓଡ଼ିଆ ଭାଷାକୁ ଖୁବ୍‌ଶୀଘ୍ର ସେ ଅକ୍ତିଆର କରିପାରିଥିଲା । ଏମିତିକି ସାଙ୍ଗସାଥୀମାନେ ତାକୁ ଥଟ୍ଟାମଜ୍ଜାରେ କହୁଥିଲେ, ସଙ୍ଗୀତା ତୁ ପୂର୍ବଜନ୍ମରେ ବୋଧହୁଏ କେଉଁ ଓଡ଼ିଆ ଜମିଦାରର ଝିଅ କି ବୋହୂଟିଏ ଥିଲୁ । ଏକଥା ଶୁଣି ହସିଦିଏ ସଙ୍ଗୀତା ।

 

ଓଡ଼ିଆ ପଢ଼ିବା ଓ ଲେଖିବାରେ ଏତେବେଶୀ ସିଦ୍ଧହସ୍ତ ନ ଥିଲେ ମଧ୍ୟ ଓଡ଼ିଆ କଥା ପ୍ରାଞ୍ଜଳଭାବେ କହିପାରୁଥିଲା ।

 

ସଙ୍ଗୀତା ବିଜ୍ଞାନରେ ଛାତ୍ରୀ ଥିଲା । କେ.କୁମାରଙ୍କୁ ଏତେ ବେଶି ଜାଣି ନ ଥିଲା । ତେବେ ହଷ୍ଟେଲର କଳାର ଛାତ୍ରୀମାନେ ଆଲୋଚନା କରୁଥିଲାବେଳେ ସେ ସବୁକଥା ଶୁଣୁଥିଲା । କେ.କୁମାର ଙ୍କ ସମ୍ପର୍କରେ ଶୁଣି ଶୁଣି ସେ ତାଙ୍କର ଫ୍ୟାନ୍‌ ଗ୍ରୁପ୍‌ରେ ସାମିଲ ହୋଇଯାଇଥିଲା । କେ.କୁମାରଙ୍କ ସହିତ ମିଶିବାକୁ ଇଚ୍ଛା ଥିଲେ ମଧ୍ୟ ସେ ସୁଯୋଗ ଆସି ନ ଥିଲା । କେବେକେବେ ସଙ୍ଗୀତା ଦୂରରୁ କେ.କୁମାରଙ୍କୁ ଦେଖୁଥିଲା । ରବିନ୍ଦ୍ର ଠାକୁରଙ୍କ ଚେହେରାର ଏକ ଝଲକକୁ ସେ ଅନୁଭବ କରୁଥିଲା କେ.କୁମାରଙ୍କଠାରେ ।

 

ନୀରବରେ ସଙ୍ଗୀତା ସାର୍‌ଙ୍କୁ ନିଜର ଶ୍ରଦ୍ଧା ଓ ଭକ୍ତି ଜଣାଏ ସିନା, ପାଖକୁ ଯିବାର ଆସ୍ପର୍ଦ୍ଧା କରିନି କେବେ । ହେଲେ ଆଜି କୁମାର ସାର୍‌ଙ୍କ ସପକ୍ଷରେ ଯେଭଳି କଥା ସେ କହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଆଲୋଚନା ଶେଷରେ ସମସ୍ତେ ନିଷ୍ପତ୍ତି ନେଲେ ପ୍ରୀତିନନ୍ଦା ସାର୍‌ଙ୍କ ଘରକୁ ଯିବ ଓ କେ.କୁମାରଙ୍କ ପାଣ୍ଡୁଲିପି ପଢ଼ିବା ପରେ ଯାଇ ଯାହା ହେବ । ପ୍ରୀତି ତା’ ସହିତ ଆଉଜଣେ କାହାକୁ ସାଙ୍ଗରେ ନେଇପାରିବ ବୋଲି ମଧ୍ୟ ସ୍ଥିର ହେଲା । ତା’ପରେ ହୁଏତ କିଛି ଉପାୟ ବାହାରିପାରେ ।

 

ସାର୍‌ଙ୍କୁ ସାହାଯ୍ୟ କରିବା ତାଙ୍କ ପ୍ରିୟ ଛାତ୍ରଙ୍କର ଏକମାତ୍ର ଉଦ୍ଦେଶ୍ୟହିଁ ଥିଲା । ତା’ ପରଦିନ ପ୍ରୀତିନନ୍ଦା ଓ ସଙ୍ଗୀତା ଦୁହେଁ ମିଶି ଯାଇଥିଲେ ସାର୍‌ଙ୍କ ଘରକୁ । କୁମାର ସାର୍‌ ଘରେ ନ ଥିଲେ । ଦୀର୍ଘ ବାରବର୍ଷ ଧରି ସାର୍‌ଙ୍କ ଘର ସମ୍ଭାଳୁଥିବା ସନାତନ ମଉସା ଝିଅ ଦୁଇଜଣଙ୍କୁ ଦେଖି ଖୁସି ହେଲେ ।

 

ସାର୍‌ଙ୍କ ଘରକୁ ଛାତ୍ରଛାତ୍ରୀମାନେ କୋଡ଼ିଏ ବର୍ଷ ମଧ୍ୟରେ ବିଶେଷ ଯିବାଆସିବା କରନ୍ତି ନାହିଁ ବୋଲି କହି ସନାତନ ମଉସା ଦୁଃଖ ପ୍ରକାଶ କରୁଥିଲେ । ଦୁଇଗ୍ଲାସ ଲେମ୍ବୁ ସରବତ୍‌ ନିଜ ହାତରେ ତିଆରି କରିଆଣି ଦୁହିଁଙ୍କୁ ପିଆଇଥିଲେ । ଏଥି ସଙ୍ଗେ ସଙ୍ଗେ ଆସିବାର ଉଦ୍ଦେଶ୍ୟ ସମ୍ପର୍କରେ ପଚାରିବାରୁ ପ୍ରୀତିନନ୍ଦା ଥଙ୍ଗ ଥଙ୍ଗ ହୋଇପଡ଼ିଥିଲା । ଆଗଭର ହୋଇ ସଙ୍ଗୀତା କହିଲା, ଆମେ ସାର୍‌ଙ୍କ ସମ୍ପର୍କରେ କିଛି ଜାଣିବାକୁ ଆସିଛୁ । ସାର୍‌ଙ୍କ ଅତୀତ, ବର୍ତ୍ତମାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଛୁ । ଅବଶ୍ୟ ଏହା ଆମର ଅଧିକାର ବାହାରେ ।

 

ସନାତନ ମଉସା କହିଲେ ବାରବର୍ଷ ହେଲା ମୁଁ ସାର୍‌ଙ୍କ ସହିତ ଅଛି । କେବେ ତାଙ୍କ ଅତୀତ ସମ୍ପର୍କରେ ଜାଣିବାକୁ ଚାହିଁନି । ଏତିକି ଜାଣିଛି ସେ ଜଣେ ମହାପୁରୁଷ । ସନାତନ ମଉସା ଡ୍ରଇଁ ରୁମ୍‌ରେ ଅପେକ୍ଷା କରିବାକୁ କହି ଭିତରକୁ ଚାଲିଗଲେ ।

 

ଇତିମଧ୍ୟରେ ଦୁହେଁ ପାଖରେ ଥିବା ସାର୍‌ଙ୍କ ଲାଇବ୍ରେରୀ ପର୍ଯ୍ୟନ୍ତ ଯାଇ ଟେବୁଲ୍‌ ଉପରେ ପଡ଼ିଥିବା ପାଣ୍ଡୁଲିପିକୁ ପାଇଥିଲେ । ଯାହା ଉପରେ ଲେଖାଥିଲା ‘ରତିମଗ୍ନା’ ।

 

ପ୍ରୀତିନନ୍ଦାର ମନା କରିବା ସତ୍ତ୍ଵେ ଯନ୍ତ୍ରଚାଳିତ କଣ୍ଢେଇଟିଏ ଭଳି ସଙ୍ଗୀତା ଟେବୁଲ୍‌ ଉପରୁ ଉଠାଇ ଆଣିଲା ପାଣ୍ଡୁଲିପିଟିକୁ... ବହିଟିର ପୃଷ୍ଠା ଓଲଟାଇବାକୁ ଚେଷ୍ଟା କରୁଥିଲା । ମାତ୍ର ଓଡ଼ିଆ ଭାଷାରେ ଲେଖାହୋଇଥିବା ପାଣ୍ଡୁଲିପିଟିକୁ ପଢ଼ିବାକୁ ସଙ୍ଗୀତା ଅସମର୍ଥ ଥିଲା ।

ଯେଭଳି ଅସ୍ତବ୍ୟସ୍ତ ହୋଇ ପାଣ୍ଡୁଲିପିଟିକୁ ସଙ୍ଗୀତା ଓଲଟପାଲଟ କରୁଥିଲା ତାକୁ ଦେଖି ଯିଏ କେହିବି ଆଶ୍ଚର୍ଯ୍ୟ ନ ହୋଇ ରହିପାରିବନି । ପ୍ରୀତିନନ୍ଦା ପଚାରିଲା, ସାର୍‌ଙ୍କର ଏହି ପାଣ୍ଡୁଲିପି ପ୍ରତି ତୁମର ଆଗ୍ରହର କାରଣ ମୋତେ କହିବ କି ?

ସଙ୍ଗୀତା ପ୍ରକୃତିସ୍ଥ ହୋଇପଡ଼ି କହିଲା, ବାସ୍‌ ! ଏତେ କଷ୍ଟରେ ଆସି ବାଘ ଗୁମ୍ଫାରେ ପହଞ୍ଚିଛନ୍ତି ତ...। ସେଇଥିପାଇଁ ଏହି ଏକ୍ସାଇଟ୍‌ମେଣ୍ଟ, ମାନେ ଉତ୍ସାହ...।

ସଙ୍ଗୀତା ଏତିକି କହୁ କହୁ ସତରେ ବାଘ ପହଞ୍ଚିଯାଇଥିଲା ଗୁମ୍ଫାରେ...। ମାନେ ସାର୍‌ ଆସି ପହଞ୍ଚି ଯାଇଥିଲେ । ଦୁଇଜଣ ଛାତ୍ରୀଙ୍କୁ ତାଙ୍କର ଲାଇବ୍ରେରୀରେ ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ହୁଏତ ଭୁଲ ସମୟରେ ଦୁହେଁ ପହଞ୍ଚିଥିଲେ ।

ହଠାତ୍‌ ସାର୍‌ ସଙ୍ଗୀତା ପାଖକୁ ଯାଇ ତା’ ମୁହଁକୁ ବଡ଼ ବଡ଼ ଆଖିରେ ଚାହିଁଲେ । ଏମିତିକି ଏଇ ଚାହିଁ ରହିବା ମଧ୍ୟରେ କେଇମିନିଟ୍‌ ବିତିଯାଇଥିଲା । ପ୍ରୀତିନନ୍ଦା ମଧ୍ୟ ଟିକିଏ ଅଶ୍ଵସ୍ତି ଅନୁଭବ କରୁଥିଲା...

ସଙ୍ଗୀତା ଏତେ ଡରିଯାଇଥିଲା ଯେ ଲାଗୁଥିଲା ଯେମିତି ଚେତା ହରାଇ ତଳେ ପଡ଼ିଯିବ-। ପାଞ୍ଚ ମିନିଟ୍‌ ମଧ୍ୟରେ ସାର୍‌ ପ୍ରକୃତିସ୍ଥ ହେଲେ ଓ ସନାତନ ମଉସାଙ୍କୁ ପାଣି ମାଗି ପିଇଲେ ।

ପଚାରିଲେ, ପ୍ରୀତି ଏ ଝିଅଟି କିଏ ? ମୁଁ ପୂର୍ବରୁ କେବେ ଦେଖିନି ତ... । ହଠାତ୍‌ ଏ ଝିଅ... ମାନେ ତୁମେ ଦୁହେଁ ଏଠି କେମିତି ? ପ୍ରଶ୍ନର ଉତ୍ତରକୁ ଅପେକ୍ଷା ନ କରି ପୁଣି ଡ. କୁମାର ପୁଣି ପଚାରୁଥିଲେ ସଙ୍ଗୀତାକୁ, ତୁମ ବାପାଙ୍କ ନାମ ?

କିଛି ସମୟ ନୀରବ ରହିଲା ପରେ କେମିତି ଏକ ଓଦାଳିଆ ସ୍ୱରରେ ଦରଦଭରି ପ୍ରଫେସର ପୁଣି ତାକୁ ପଚାରୁଥିଲେ ଆଛା, ନରେନ୍ଦ୍ରପୁର ଗାଁର ନାମ କେବେ ଶୁଣିଛ ? ସଙ୍ଗୀତା ଆଖିଆଗରେ ହଠାତ୍‌ ଭାସିଯାଉଥିଲା ମନ୍ଦିର... ନଦୀପଠା । କ’ଣ କହିବ କହିବ ବୋଲି ସ୍ମୃତିର ଗନ୍ତାଘରୁ ସାଉଁଟୁଥିଲା ଅତୀତକୁ... । ମନରେ ଛନକା ପଶୁଥିଲା । ଲାଗୁଥିଲା ସାର୍‌ଙ୍କ ସ୍ୱର ଯେମିତି କେଉଁଠି ଶୁଣିଛି !

ସାର୍‌ଙ୍କର ଏଭଳି ବ୍ୟବହାରରେ ପ୍ରୀତିନନ୍ଦା ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା । ସେ ସାର୍‌ଙ୍କୁ ସଙ୍ଗୀତା ସମ୍ପର୍କରେ ସମସ୍ତ କଥା କହିଲା ପରେ ଦୁହେଁ ବିଦାୟ ନେବାକୁ ଚାହିଁଲେ ।

 

ମାତ୍ର କେ.କୁମାର ପ୍ରୀତିନନ୍ଦା ହାତକୁ ପାଣ୍ଡୁଲିପିଟିକୁ ବଢ଼ାଇଦେଲେ– କହିଲେ, ପ୍ରୀତି, ତୁମେ ଜଣେ ଭଲ କ୍ଷୁଦ୍ରଗଳ୍ପ ଲେଖିକା । ଗଳ୍ପ ଉପନ୍ୟାସ ପଢ଼ିବାରେ ମଧ୍ୟ ତୁମର ରୁଚି ରହିଛି । ଆସିଛ ଯଦି ପାଣ୍ଠୁଲିପିଟି ଉପରେ ଆଖି ବୁଲାଇଦିଅ । ପ୍ରୀତିନନ୍ଦା ସଂଯତ ହୋଇ ପଡ଼ୁଥିଲା ।

 

କହିଲା- ସାର୍‌, ଆମେ ଖୁବ୍‌ ଦୁଃଖିତ । ଆପଣଙ୍କ ବିନା ଅନୁମତିରେ ଆପଣଙ୍କ ଲାଇବ୍ରେରୀରେ ପହଞ୍ଚି ଯାଇଛୁ । ଆପଣ ନ ଥିଲେ, ସେଇଥିପାଇଁ...

 

ନା ! ଦୁଃଖିତ ହେବାର କିଛି ନାହିଁ । ‘ଏ ବୟସରେ ପ୍ରଥମଥର ପାଇଁ ଗଳ୍ପଟିଏ ଲେଖିବା ଆରମ୍ଭ କରିଥିଲି...ଲେଖୁ ଲେଖୁ ବଡ଼ ହୋଇଗଲା’, ଏହାକୁ ବଡ଼ ଗପ କୁହାଯିବ କି କ୍ଷୁଦ୍ର ଉପନ୍ୟାସ ଅବା ଉପନ୍ୟାସ କୁହାଯିବ ବୁଝିପାରୁନି ।

 

ଆସିଛ ଯଦି ଏଇଟିକୁ ପଢ଼ିଦିଅ ଅନ୍ତତଃ ଜଣେ ସାଧାରଣ ପାଠକ ହିସାବରେ...। ମୁଁ ମଧ୍ୟ ଜାଣିବାକୁ ଚାହେଁ କ’ଣ ମୁଁ ଲେଖିଲି...। ଆଉ କ’ଣ କେଉଠି କିଛି ବାକି ରହିଗଲା କି ?

 

ସମାଲୋଚକଟିଏ ମଧ୍ୟ ଏ ଦିଗରେ ଲୋଡ଼ା ହୁଏ । କେଉଁଠି ମାତ୍ରାଗତ ତ୍ରୁଟି ରହିଯାଇଥିବ, ନିଜ ଗଳ୍ପ ବା ଉପନ୍ୟାସକୁ ଲେଖକ ଜଣେ ସମାଲୋଚକର ଆଖିରେ ଦେଖିବା ସହଜ ନୁହେଁ ।

 

ତୁମେ ପଢ଼ିଦିଅ, ଆଉ ପଢ଼ିସାରି କହିବ କେଉଁଠି କିଛି ସଂଶୋଧନ କରିବାକୁ ହୁଏତ ଥିବ...। ଭୁଲ୍‌ ଭଟକା ରହିଯାଇଥବ...। ପ୍ରଥମଥର ପାଇଁ ଲେଖୁଛି ତ... ସେହି ଡରରେ ପାଣ୍ଡୁଲିପିଟିକୁ ପ୍ରକାଶକଙ୍କ ହାତକୁ ମଧ୍ୟ ଦେଇପାରୁନି...। ମୋତେ ଲାଗୁଛି ଯେମିତି କେଇଟା ଧାଡ଼ି କେଉଁଠି ଛାଡ଼ି ହୋଇଯାଇଛି...। ଅସମ୍ପୂର୍ଣ୍ଣ ରହିଯାଇଛି ଯେମିତି ଉପନ୍ୟାସଟି’...।

 

କେ. କୁମାରଙ୍କ ଅନର୍ଗଳ କଥାରେ ପ୍ରୀତିନନ୍ଦା ଓ ସଙ୍ଗୀତା ସ୍ତମ୍ଭୀଭୂତ । କୁମାରଙ୍କ ଇଏ ଯେଉଁ ରୂପ ସେମାନେ ଦେଖୁଥିଲେ ତା’ କେବେବି କେହି କ’ଣ ଦେଖିଛି ? ପ୍ରଫେସର କୁମାର ଯେମିତି ଏକ କୋଡ଼ିଏ ବର୍ଷ ଯୁବକରେ ରୂପାନ୍ତରିତ ହେଉଥିଲେ । ଏକ କିଶୋର ସୁଲଭ ସରଳତା, ଉଜ୍ଵଳତା ତାଙ୍କ ମୁହଁ ଆଖିରେ ଝଲସୁଥିଲା ।

 

ପ୍ରଫେସର କୁମାର କୁଆଡ଼େ ଯିବାକୁ ବାହାରିଲେ । କହିଲେ ଯଦି ପାର କିଛି ସମୟ ଏଇ ଡ୍ରଇଁରୁମ୍‌ରେ ବସି ଏଇଟିକୁ ପଢ଼ିଦିଅ । ମୁଁ ଆସୁଛି ମୋ ଫେରିବାକୁ ଅପେକ୍ଷା କରିବନି । ହୁଏତ ବିଳମ୍ବ ହୋଇଯାଇପାରେ । ଗୋଡ଼ରେ ଚପଲ ପୁରାଇ ପ୍ରଫେସର ସ୍କୁଟର ଧରି ବାହାରିଗଲେ ।

 

କାନ୍ଥ ଘଡ଼ିରେ ଅପରାହ୍ନ ତିନିଟା ବାଜୁଥିଲା । ପ୍ରୀତିନନ୍ଦା ଥରେ ପାଣ୍ଡୁଲିପି ଉପରେ ନିଜ ହାତ ବୁଲାଇ ଆଣିଲା ଓ ସଙ୍ଗୀତା ମୁହଁକୁ ଚାହିଁଲା । ସନାତନ ମଉସା ତିନିକପ୍‌ ଚା’ ନେଇ ଆସି ପହଞ୍ଚିଥିଲେ । ସାର୍‌ ସେତେବେଳକୁ ଯାଇ ସାରିଥିଲେ । ।

 

ସନାତନ ମଉସାଙ୍କୁ ଫ୍ୟାନର ସ୍ପିଡ୍‌ ସାମାନ୍ୟ ବୃଦ୍ଧି କରିବାକୁ କହିଲା ପ୍ରୀତି । ଟେବୁଲ୍‌ ଉପରେ ଚା’ ଟ୍ରେଟା ଥୋଇଦେଇ ସନାତନ ଫ୍ୟାନ୍‌ର ଗତି ବଢ଼ାଇ ଚାଲିଗଲେ । ପ୍ରୀତିନନ୍ଦା ଚା’ କପ୍‌ଟେ ଉଠାଇ ପିଇବାକୁ ଆରମ୍ଭ କରିବା ଭିତରେ ସଙ୍ଗୀତା ବାକି ଦୁଇଟାଯାକ ଚା’ ଦୁଇଢୋକରେ ପିଇ ସରାଇଦେଲା ।

 

ଆଉ କହିଲା–ପ୍ରୀତି, ତୁ ଏଥର ପଢ଼ିବା ଆରମ୍ଭ କର । ପ୍ରୀତିନନ୍ଦା ଦେଖୁଥିଲା, ସଙ୍ଗୀତା ଉପନ୍ୟାସ ଶୁଣିବାକୁ ନିଜକୁ ଏମିତି ପ୍ରସ୍ତୁତ କରୁଥଲା ଯେ, ସତେ ଯେମିତି ସେ ଯୁଦ୍ଧକ୍ଷେତ୍ରକୁ ଯିବ-! ବଡ଼ ସୋଫାଟାରେ ନିଜ ଶରୀରକୁ ଅଧାଅଧି ଲୋଟାଇନେଇ ପ୍ରୀତିନନ୍ଦା ବସିଥିବା ଚେୟାରଟା ଉପରେ ‘ମୁଣ୍ଡ ରଖି କହିଲା ହଁ ଏବେ ଆରମ୍ଭ କର ।’

 

ଅପଲକ ନୟନରେ ପ୍ରୀତିନନ୍ଦାର ଓଠକୁ ସେ ଚାହିଁ ରହିଥିଲା ଯେମିତି ପ୍ରତିଟି ଶବ୍ଦକୁ ସେ ସଠିକ୍‌ଭାବେ ଶୁଣିବାକୁ ଓ ବୁଝିବାକୁ ଚାହୁଁଛି ।

 

ସଙ୍ଗୀତା ଏମିତି ଗଳ୍ପଆତୁରି କେମିତି ହେଲା ବୋଲି ପ୍ରୀତିନନ୍ଦା ଭାବୁଥିଲା । ପ୍ରୀତି ଗଳ୍ପ ପଢ଼ିବାକୁ ପସନ୍ଦ କରେ । ହେଲେ ଗଳ୍ପ ଭିତରେ ଏତେବେଶୀ ନିମଗ୍ନ ହୋଇଯିବାକୁ ପସନ୍ଦ କରେନା । ପ୍ରଫେସର କୁମାରଙ୍କ ପ୍ରକାଶ ପାଇ ନ ଥିବା ଉପନ୍ୟାସ ନେଇ ଗତ କେଇଦିନ ହେଲା କଲେଜରେ ଯେମିତି ଚର୍ଚ୍ଚା ଚାଲିଛି ସେନେଇ ଅବଶ୍ୟ ଆଗ୍ରହ ରହିବା ସ୍ଵାଭାବିକ କଥା ।

 

ସତକଥା କହିବାକୁ ଗଲେ ମହାନ୍ତି ଓ ବାନାର୍ଜୀ ସାର୍‌ ଏହା ବିରୋଧରେ ଅତ୍ୟଧିକ ସମାଲୋଚନା କରି ପରିସ୍ଥିତିକୁ ଏହି ଉପନ୍ୟାସ ସପକ୍ଷରେ ଟାଣି ଆଣିଛନ୍ତି । ସେ ନିଜେ ଖୁବ୍‌ ଖୁସି ହେଉଥିଲା ଯେ ଆସନ୍ତାକାଲି କଲେଜରେ ବନ୍ଧୁମାନଙ୍କୁ ସେ ହିଁ ଏହି ବହୁଚର୍ଚ୍ଚିତ ଉପନ୍ୟାସଟି ସମ୍ପର୍କରେ ପ୍ରଥମେ କହିବ । ତେଣୁ କାହାଣୀଟିକୁ ଠିକ୍‌ ଭାବରେ ପଢ଼ିବା ଆବଶ୍ୟକ ।

 

ମାତ୍ର ସଙ୍ଗୀତା ଯେ ତାକୁ ଠିକ୍‌ରେ ଉପନ୍ୟାସଟିକୁ ପଢ଼ିବାକୁ ଦେବ ଏଥିନେଇ ସେ ସନ୍ଦିହାନ ଥିଲା । ଏତିକିବେଳେ ସଙ୍ଗୀତା ତାକୁ ହଲାଇଦେଇ କହିଲା ତୁ ମନେ ମନେ ପଢ଼ିଲେ ମୋର କି ଲାଭ ହେବ ? ମୋତେ ତ ଓଡ଼ିଆ ପଢ଼ି ଆସେନା । ଦୟାକରି ଟିକେ ପାଟିକରି ପଢ଼ିଲେ ମୁଁ କୃତଜ୍ଞ ହୁଅନ୍ତି ×××।

 

ଏଥର ପ୍ରୀତିନନ୍ଦା ପଢ଼ିବା ଆରମ୍ଭ କଲା । ଉପନ୍ୟାସର ନାମ ହେଲା ‘ରତିମଗ୍ନା’ ।

ସଙ୍ଗୀତା ମୁଣ୍ଡ ଉଠାଇ ପଚାରୁଥିଲା-

‘ରତିମଗ୍ନା’ ? ?

‘ରତିମଗ୍ନା’ର ଅର୍ଥ କ’ଣ ପ୍ରୀତି ?

ପ୍ରୀତି ବହିପଢ଼ିବା ବନ୍ଦ କରି ଟିକେ କଠୋର ସ୍ଵରରେ କହିଲା–ପ୍ରଥମେ ମୋତେ ତୁ କଥା ଦେ, ଉପନ୍ୟାସଟା ନ ସରିଲା ପର୍ଯ୍ୟନ୍ତ ମଝିରେ ମୋତେ ପ୍ରଶ୍ନ କରିବୁନି । ପରେ ବରଂ ପଚାରିଲେ ଚଳିବ । ସଙ୍ଗୀତା ହସିଦେଇ ମୁଣ୍ଡ ଟୁଙ୍ଗାରୁଥିଲା । ଏଥର ପ୍ରୀତିନନ୍ଦା ପଢ଼ିବା ଆରମ୍ଭ କଲା ।

ତରାଟଫୁଲିଆ....ତରାଟଫୁଲିଆ ଶାଢ଼ୀଟାକୁ ଧିଅରେ ଗୁଡ଼େଇ ଦେଲେ ଏମିତି ବି ତୁ ରାଣୀ ଭଳି ଦିଶୁଛୁ, କି ଦରକାର କହ ତ ଆଉ ତୋର କାନରେ ବାଲି ? ନିଜର କଳା ମଚମଚ ବଳିଷ୍ଠ ବାହୁ ଭିତରେ ଫୁଲମତିକୁ ଭରିନେଇ କୁହେ କୁବେର ।

 

ଫୁଲମତି ସାପପରି ପିଚା ତଳଯାଏ ଲମ୍ବିଥିବା ବେଣୀଟାକୁ ଛାତି ଉପରକୁ ଟାଣି ଆଣୁଆଣୁ ‘ଧେତ୍‌’ କହି କୁବେର ବାହୁବନ୍ଧନରୁ ନିଜକୁ ଖସାଇ ଆଣି ଠୋ ଠୋ ହୋଇ ହସେ । ତା’ର ସେ ହସରେ ଲାଗେ ବ୍ରାହ୍ମଣୀ ନଦୀରେ କିଏ ଯେମିତି ଢାଳି ଦେଉଚି ମହଣ ମହଣ ରଙ୍ଗ ଅବିର... !

 

ଫୁଲମତିକୁ ୧୬ ପୁରିଲା । ପୁନେଇଁ ରାତିର ଶୀତୁଆ ସଞ୍ଜରେ ବାଡ଼ୁଅ ତାତି ସବୁକୁ ଧରି ସେ ଘର ବାହାରକୁ ଗୋଡ଼ କାଢ଼ିଛି ଯେମିତି । କୁବେର ଦେହକୁ ସେ ତାତି ବିନା ଛୁଆଁରେ ବି ଏମିତି କେମିତି ଚହଟିଯାଏ ତା’ ନିଜେ ସେ ବୁଝିପାରେନି... ।

 

ନଦୀ ଭିତରେ ଜହ୍ନର ପ୍ରତିଛବିକୁ ଦେଖି ଫୁଲମତି ତାଳି ମାରି ହସେ ଆଉ ଚିତ୍କାର କରି ଡାକେ, ଏ କୁବେର... ଜଲ୍‌ଦି ଆସେ ମ, ଦେଖ ତ ଏ ଜହ୍ନକୁ.... । ଆକାଶ ଛାତିରେ ଜହ୍ନଟା ଯେତେ ସୁନ୍ଦରୀ ନ ଦିଶୁଛି, ପାଣିଟା ଭିତରେ ଆହୁରି ଛନଛନିଆ ଲାଗୁଛି- ନୁହେଁରେ କୁବେର ?

 

ଫୁଲମତିର ଜହ୍ନକୁ ନିନ୍ଦିଲା ଭଳି ଉଜ୍ଜ୍ଵଳ ମୁହଁକୁ ଅନେଇ କୁବେର କୁହେ, ହଁ ଜହ୍ନଟା ପରା ଆକାଶର କନିଆଁ..... ତା’କୁ ଏ ନଦୀର ପାଣି କିଛିକ୍ଷଣ ପାଇଁ ଲୁଚାଇ ନେଇଛି ସିନା.... ଆଉ ଟିକେ ବେଳ ଗଡ଼ିଯିବ କି ନାଇଁ, ଜହ୍ନ ହଲିଯିବ, ଏକଲା ପଡ଼ିଯିବ ନଦୀ.... ।

 

ଫୁଲମତୀ କୁବେର କଥାକୁ ବୁଝେ କି ନ ବୁଝେ କେଜାଣି, ଫିକ୍‌ କରି ହସିଦିଏ, କୁହେ ତୁ କେଉଁ ଜନ୍ମରେ ଗୋଟେ ବଡ଼ କବି ଥିଲୁ । ପୁଣି ବଢ଼ିଲା ଅନ୍ଧାରକୁ ଚାହିଁ ଚମକେ ଓ କୁହେ, କୁବେର ବେଳ ହେଲାଣି । ମୁଁ ଘରକୁ ଯାଉଛି । ମା’ ସିଆଡ଼େ ଖୋଜୁଥିବ ।

 

ତା’ର ଉତ୍ତରକୁ ଅପେକ୍ଷା ନ କରି ଫୁଲମତୀ ଧାଇଁ ଧାଇଁ ଚାଲିଯାଏ,... କୁବେର ଚାହିଁ ରହେ ଫୁଲମତୀର ଯିବା ରାସ୍ତାକୁ । ତା’ ଘରକୁ ମୁହାଁଇ ଥିବା ସରୁ ମାଟି ରାସ୍ତାର ଦୁଇକଡ଼ରେ ପିଆଦାଙ୍କ ଭଳି ଛିଡ଼ା ହୋଇଥିବା ଗଙ୍ଗଶିଉଳୀ ଗଛରୁ ଟପ୍‌ ଟପ୍‌ ହୋଇ ଝରିପଡ଼ୁଥାନ୍ତି ଫୁଲସବୁ । ସେଇ ଗଙ୍ଗଶିଉଳୀର ଅଙ୍କାବଙ୍କା ମୂରୁଜ ଉପରେ ଅସ୍ତ ବ୍ୟସ୍ତ ଗୋଲାପୀ ପାଦ ଦୁଇଟିକୁ କୁବେର ଅନେଇ ରହେ ।

ହରିଣୀଟାଏ ଯେମିତି ହେନାର ସହରରେ ବାଟବଣା ହୋଇ ଡେଇଁ ଡେଇଁ ଖୋଜି ହେଉଛି ତା’ ସାଥୀକୁ..... । କୁବେର ଧୀର ସ୍ଵରରେ ମନକୁ ମନ କୁହେ, କେଉଁ ଜନ୍ମରୁ ମୁଁ ଜାଣେନି, ହେଲେ ଏ ଜନ୍ମରେ ମୁଁ କବି ହେଲେ ତୁହିଁ ମୋର କବିତା ଲୋ ଫୁଲ । ହେଲେ ସେ କବିତାକୁ ଯଦି ତୁ ନ ବୁଝିଲୁ ମୋର କବି ହେବା କେଉଁ କାମକୁ ?

କୁବେର ଭାବନା ରାଜ୍ୟରୁ ଫେରିଲାବେଳକୁ ଆଖି ଆଗରୁ ବହୁ ଦୂରକୁ ଚାଲିଯାଇଥାଏ ଫୁଲମତୀ । ଫୁଲ ଏଇମିତି । ବାଇଆଣୀଟା ଆଦୌ ଜୀବନକୁ ବୁଝୁ ନ ଥିବା ବଣି ଚଢ଼େଇଟେ । ଜୀବନର ମାୟାରେ ଛନ୍ଦେଇ ଦେଉଥିବା ଚିତିରିମିତିରିଆ ପ୍ରଜାପତିଟେ ପୁଣି ଅବା ମମତାର ମୂଲ ଜାଣି ନ ଥିବା ପରଦେଶୀ ବଣିକଟେ.... ।

କୁବେରକୁ ଏକଥା କିଏ ବୁଝାଇବ ଯେ ଫୁଲମତୀ ତା’ର ଏ ନହୁଲି ବୟସରେ ‘ପ୍ରେମ’ ନାମକ ଅପାର୍ଥିବ ଓ ଅଝଟିଆ ଶବ୍ଦକୁ ବୁଝିବାକୁ ଅସମର୍ଥ ବୋଲି ? ହେଲେ ‘ପ୍ରେମ’ ଏମିତିଆ ଶବ୍ଦ ଯାହା ବିନା ହତିଆରରେ ଲହୁଲୁହାଣ କରିପକାଏ ଶରୀର ଓ ମନକୁ । ପ୍ରେମର ଧାର ଧାରୁ ନ ଥିବା ଏଇ ଫୁଲମତୀ ଥିଲା କୁବେରପାଇଁ ପ୍ରୀତିର ଜାହ୍ନବୀ ।
 

ଫୁଲ ଆଖିରେ କଜଳ ଭରିଲେ କୁବେର ପାଇଁ ସକାଳ ହେଉଥଲା । ତା’ର ଘରବାହୁଡ଼ା ପାଉଁଜିର ସଙ୍ଗୀତରେ ନଉଁଥିଲା ସଞ୍ଜ । ଆଜି ପର୍ଯ୍ୟନ୍ତ ଫୁଲମତୀଠାରୁ କୁବେର କିଛି ଚାହିଁନି । ତାକୁ କେତେ ଚାହେଁ ଅବା ଭଲ ପାଏ ତା’ ବି ପରଖିବାକୁ ଚେଷ୍ଟା କରିନି । ଫୁଲର ଅବୁଝା ବା ବୁଝାପଣ ନେଇ ସେତେ ଅଭିଯୋଗ ନ ଥିଲା କୁବେରର, ଯେତେ ବେଶୀ ଅଭିମାନ ଥିଲା ନିଜର ପ୍ରେମକୁ ନେଇ ।

 

ଅଧିକାର ସାବ୍ୟସ୍ତ କରିବାର ନାଁ ଥିଲା ଅଭିଳାଷ ନାଁ ଆଗ୍ରହ ! ବାସ୍‌, ଫୁଲମତୀ ପାଖରେ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେଇଥିଲା ।

 

ଏ ପ୍ରେମକୁ କ’ଣ ହାସଲ କରାଯାଏ ? ପ୍ରେମ ପରା ଦେହାତୀତ, ପ୍ରେମହିଁ ତ ପୂଜା ।’ ଯାହାକୁ ସେ ପିଲାଟି ଦିନରୁ ବାନ୍ଧବୀ, ପ୍ରେମିକା ଓ ଜନ୍ମଜନ୍ମର ପ୍ରଣୟର ଦେବୀ ବୋଲି ଜାଣିଛି । ହେଲେ ଏକଥା ଫୁଲ ଅନୁଭବ କରେକି ନାହିଁ ସେ ଜାଣେନି । ତା’ ମନର କଥାକୁ ଫୁଲ କ’ଣ ଅନୁଭବ କରିପାରେନି ? ତାକୁ ଜଣେ କିଏ ଏତେବେଶୀ ଭଲପାଉଛି ବୋଲି ସେ କ’ଣ ବୁଝେନି ନା ସବୁ ବୁଝି ନ ବୁଝିବାର ଛଳନା କରେ ?

 

ଗାଁକୁ ଆସିବା ଆଗରୁ ଏସବୁ କଥା ତାକୁ ହଷ୍ଟେଲରେ ବନ୍ଧୁମାନେ କହିଥିଲେ । ପ୍ରତ୍ୟୟ ବିନା ପ୍ରେମ ଅର୍ଥହୀନ । ଦୁଇ ଆତ୍ମା ଏକ ନ ହେଲେ ଏ ପ୍ରତ୍ୟୟର ମୂଲ୍ୟ କ’ଣ ?

 

ନା ଏଥର ବୁଲାବଙ୍କା କଥାରେ ଆଉ ହେବନି । କୁବେର ନିଜକୁ ଦୃଢ଼ କରୁଥିଲା ଓ ନିଷ୍ପତ୍ତି ନେଲା ଆସନ୍ତାକାଲି ବେଳ ଥାଉ ଥାଉ ଆସିବ ନଦୀପଠାକୁ ।

 

ଶିବମନ୍ଦିର ବେଢ଼ା ସନ୍ଧ୍ୟା ଆଳତୀ ପରେ ଶୂନ୍‌ଶାନ୍‌ ହୋଇଯାଏ । ଫୁଲମତୀକୁ ସେ ଆଉ ଘଡ଼ିଏ ଅଟକାଇବ ଆଉ “କହିବ ଯେ, ସେ ତାକୁ ହୃଦୟଭରି ଭଲପାଏ ।’’

 

ଆସନ୍ତାକାଲିର ସୁରୁଜ ଦେବତା କୁବେର ପାଇଁ ବହୁ ପ୍ରତୀକ୍ଷିତ ଥିଲା । ଆଜି ସେ ଆଉ ନୀରବ ରହିବନି । ଫୁଲକୁ ସେ ବୁଝାଇଦେବ ଯେ ତାଙ୍କ ଦୁହିଁଙ୍କ ଭିତରେ ଦୀର୍ଘ ୧୦ ବର୍ଷ ଧରି ଯେଉଁ ସମ୍ପର୍କ ରହିଛି ତାହାହିଁ ‘ପ୍ରେମ’ । ପ୍ରେମର ଅତୁଟ ବନ୍ଧନରେ ଦୁହେଁ କାହିଁ କେତେ ଯୁଗରୁ ବନ୍ଧାଯାଇଛନ୍ତି ବୋଲି କୁବେର ଫୁଲକୁ କହିବାକୁ ପ୍ରସ୍ତୁତ ହେଉଥିଲା ।

 

ସକାଳେ ନଦୀପଠାରେ ସେ ପହଞ୍ଚଲାବେଳକୁ ସୂର୍ଯ୍ୟ ଉଇଁ ଆସୁଥିଲେ, ନାଲି ସିନ୍ଦୁର ଫରୁଆଟାକୁ ଯେମିତି କିଏ ପୂରୁବା କପାଳରେ ଛିଞ୍ଚାଡ଼ି ଦେଇଛି । କଳସୀଟାକୁ କାଖରେ ଜାକି ପାଣି ଭରିବାକୁ ଏଇ ଆସୁଛି ଫୁଲ । ଢଳିଢଳି... ନଦୀପଠା ଉପରେ କାଶତଣ୍ଡୀର ନହକା ରୂପ ଲାବଣ୍ୟକୁ ଫିକା କରି ପକାଉଥିଲା ତା’ର ବନ ହରିଣୀର ଚାଲି ...।

 

କୁବେର ଅପଲକ ନୟନରେ ଚାହିଁ ରହିଥିଲା ଫୁଲକୁ । ଫୁଲ ତାକୁ ଦେଖି ହସିଲା । ତା’ର ସେଇ ମନଚୋରା ହସ..... ସିନ୍ଦୁରିଆ ସକାଳର ସବୁ ଲାବଣ୍ୟକୁ କ୍ଷଣିକରେ ଯେମିତି ଚୋରି କରି ନେଲା... ! !

 

କଳସୀଟାକୁ ତଳେ ରଖି ଫୁଲ ପାଖକୁ ଆସିଲା ଓ କହିଲା କୁବେର, ତୁ ଏତେ ଜଲ୍‍ଦି କେମିତି ଆସିଯାଉ ପଠାକୁ ? ମୁଁ ଆଜିଯାଏଁ ତୋ’ଠାରୁ କେବେବି ଆଗେ ଆସି ପହଞ୍ଚି ପାରିଲିନି । ହେଲେ ଏକଥା ସତଯେ ଆମ ଦୁହିଙ୍କ ସହିତ ଏ ଗାଁର ଆଉ କାହାରି ମୁକାବିଲା ହୋଇପାରିବନି । ଏଇ ମୁଣ୍ଡିଆ ପାହାଡ଼କୁ ଏଇ ନଈ ପଠା, ଏଇ କଦମ୍ବ ଆଉ କାଶତଣ୍ଡୀ ଭଳି ତୁ ଆଉ ମୁଁ....ସବୁଦିନେ ସୁରୂଜ ଦେବତାର ପହିଲି କିରଣକୁ ଦେଖୁ ।

 

ଆମ ପରେ ଆସନ୍ତି ଆଉ ସବୁ .....

 

ନୀରବ ରହିଲା କୁବେର । ଫୁଲ ପାଣି ଭରିବାକୁ କଳସୀ ଉଠାଉଥିଲା । ଫୁଲ ହାତରୁ କଳସୀଟା ନେଇ କୁବେର ନଦୀରୁ ପାଣି ଧରି ଫୁଲ ହାତକୁ ବଢ଼ାଇ ଦେଇ କହିଲା- ଫୁଲ... ତୁ ଆଉ ଏତେ ଜଲ୍‍ଦି ପଠାକୁ ଆସନା । ସେବେ ସାନ ଥିଲୁ, କଥା ଅଲଗା ଥିଲା । ଏବେ ପରା ବଡ଼ ହେଲୁଣି ।

 

ଖାସ୍‌ ତୋରି ପାଇଁ ମୋତେ ଏତେଶୀଘ୍ର ସୁରୂଜ ଉଇଁବା ଆଗରୁ ଏ ପଠାକୁ ଆସିବାକୁ ପଡ଼ୁଚି ସିନା ।’

 

ଫୁଲ ରାଗିଗଲା । କହିଲା ତୁ ଆଉ କାଲିଠୁ ପଠାକୁ ଆସିବୁନି, ହେଲା ? ଏ ପଠା ସାଙ୍ଗରେ ପରା କାହିଁ କେତେ ଦିନୁ ଆମ ପରିଚୟ ! କେତେ ନିବିଡ଼ ସେ ସମ୍ପର୍କ ।

 

ଏପଟ ନଦୀପଠାଟା ଟିକେ ନିଛାଟିଆ । ହେଲେ ତୋତେ ଯଦି ଏତେ ଡର, ତୁ ଆଉ ଆସେନା, କହି ଚାଲିଯିବାକୁ ଗୋଡ଼ କାଢ଼ିଲା ଫୁଲମତୀ । ତା’ ହାତଟାକୁ ଟାଣି ଧରିଲା କୁବେର । ରାଗିଲୁ କି ଫୁଲ ? ରହ ତୋତେ ଗୋଟେ ଜରୁରୀ କଥା କହିବାକୁ ଅଛି.. ।

 

ମୋର ଆଜିକାଲି ମଗଜ ଠିକ୍‌ ନାହିଁଲୋ ଫୁଲ । ଖାଲି ଶୁଖିଲାଟାରେ ବି ଚିହିଁକି ଉଠୁଛି- ନିଜ ଦେହଟା ବି ନିଜକୁ ଓଜନିଆ ଲାଗିଲାଣି... ବୋଉ କ’ଣ ଗୋଟେ ଆଣିବାକୁ କହିଥିବ, ହେଲେ ମନରୁ ପାଶୋରି ଦେଇ ଘରକୁ ଫେରୁଛି । କୁଆଡ଼େ ଯିବାକୁ ଥିବ କୁଆଡ଼େ ଯାଇ ପହଞ୍ଚୁଛି ନିଘା ରହୁନି ।

 

“ଫୁଲ ତୁ କହିପାରିବୁ, ମୋର ଏମିତି କାହିଁକି ହେଉଛି ? ଭାତ ଥାଳି ପାଖରେ ବୋଉ ବସି ମୋତେ ଜୋର୍‌ କରି ଖୁଆଉଛି ଏବେ । ଜମାରୁ ଭୋକ ଲାଗୁନି । କଂସାଏ ପଖାଳ ଖାଉଥିବା ଭେଣ୍ଡା ଟୋକାଟା ମୁଠାଏ ଦାନା ପେଟକୁ ନେଉନି କହି ବୋଉ ଡାକ୍ତର ପାଖକୁ ନେବ ବୋଲି କହିଲାଣି ।

 

ହେଲେ ଫୁଲ, କମ୍‌ ଖାଇଲେ କ’ଣ ଆଖିରୁ ନିଦ ହଜିଯାଏ କିଲୋ ? ରାତିଟା ଆସୁଛିମାନେ ସତେ ଯେମିତି ମୋ ଉପରେ କିଏ ଯାଦୁ କରିଦେଉଛି । ସାରା ରାତିଟା ଯାକ କିଏ ବଇଂଶୀ ଫୁଙ୍କୁଛି କେଜାଣି କାନେଇଲାବେଳକୁ ଉଭେଇ ଯାଉଛି ସେ ସ୍ଵର । ପୁଣି ବେଳେବେଳେ କାହାର ପାଉଁଜି ଶବ୍ଦରେ ନିଦ ତୁଟୁଛି.... । କିଏ ଯେମିତି ଘରଟା ଭିତରେ ଅହରହ ଚାଲ୍‍ବୁଲ୍‌ କରୁଛି । ନୀଳ କଇଁ, ପଦୁଅଁ ପୋଖରୀରେ ବି ମୋର ଆଉ ସରାଗ ନାହିଁ । ଜହ୍ନଉଦିଆ ରାତିରେ ମନ୍ଦିର ବେଢ଼ାରେ ଘଡ଼ିଏ ବୁଲି ଆସିଲେ ମନଟା ମୋର ଖୁସିରେ ନାଚି ଉଠୁଥିଲା । ଏବେ କାହିଁକି କେଜାଣି କେଉଁଥିରେ ବି ମନ ଲାଗୁନି ।

 

ଖିଲିଖିଲି ହୋଇ ହସିଲା ଫୁଲମତୀ । କାଖରୁ କଳସୀଟାକୁ ତଳେ ଥୋଇ ତା’ ହାତ ଦୁଇଟାକୁ ନିଜର ନହକା ହାତରେ ଧରି କହିଲା- କୁବେର ତୁ ସହରରେ ପାଠପଢ଼ି ମୁଣ୍ଡଟାକୁ ଖରାପ କରି ସାରିଲୁଣି । ମୁଁ ବେଶି ପାଠ ପଢ଼ିନି । ସେଥିପାଇଁ ମୋତେ ପରା ତୋ’ପରି ବେମାର ହେଉନି ।

 

ମାଳତୀ ପରା କହୁଥିଲା ତାଙ୍କ ସାହିରେ କାହାକୁ ଠିକ୍‌ ଏମିତିକା ବେମାର ହୋଇଛି । ଡାକ୍ତର କୁଆଡ଼େ କହିଛନ୍ତି–ଏ ବେମାର ଯାହାକୁ ଥରେ ହେଲା ସେ ସାତପାଞ୍ଜିରୁ ଗଲା । ଆରସାହି ଲିଙ୍ଗରାଜ ମଉସାଙ୍କ ପୁଅ ଶ୍ରୀଧର କହୁଥିଲା ବେଶି ପାଠ ପଢ଼ିଲେ କୁଆଡ଼େ ଏ ରୋଗ ହୁଏ ।

 

ବିରକ୍ତରେ କୁବେର ପଚାରୁଥିଲା, କେଉଁ ମାଳତୀ ମ ? ?

 

ପୁରସ୍ତମପୁର ଗାଁର ଲେଖାଯୋଖା ମୋ ମାଉସୀ ଝିଅ ହେବ । ସେ କହୁଥିଲା ଏମିତି ରୋଗ ଲକ୍ଷଣ ସବୁ ଦେଖାଗଲେ କୁଆଡ଼େ ଭଲ ନୁହେଁ । ପୁଣି କହୁଥିଲା ଏ ରୋଗ କୁଆଡ଼େ ଭାରି ସାଂଘାତିକ । ଗୋଟେ ମଣିଷ ଦେହରୁ ଆଉ ଗୋଟେ ମଣିଷକୁ ଡିଏଁ......କହି ଖିଲି ଖିଲି ହୋଇ ହସିଲା ଫୁଲମତୀ ।

 

ବ୍ରାହ୍ମଣୀ ନଦୀର ସରୁ ଧାରଟା ଦେହରେ ଯେମିତି କେଉଁ ବିଜୁଳି କନ୍ୟା ହାତମାରି ଦେଉଛି... ଫୁଲର ହସରେ କିମିଆଁ ଥିଲା.... ସେ ହସିଲେ କାଶତଣ୍ଡୀ ଝୁମି ଉଠୁଥିଲା । ଆଖିମିଟିକା ମାରୁଥିଲେ ସକାଳୁଆ ତାରା ସବୁ...।

 

ଫୁଲମତୀର ଖୋଲା କବରୀରେ ସକାଳର ବିନ୍ଦୁ ବିନ୍ଦୁ କାକର ସବୁ ମୁକୁତାର ଭ୍ରମ ସୃଷ୍ଟି କରୁଥଲା । ଦକ୍ଷିଣୀପବନ ଭଡ଼ାଇ ନେଉଥିଲା ତା’ର ଲମ୍ବା ଅସଜଡ଼ା ପଣତକୁ, ସମ୍ଭାଳିବାକୁ ଯାଇ ଫୁଲମତୀ ଭାରସାମ୍ୟ ହରାଉଥିଲା ଓ କୁବେର ନିଜର ଦୁଇ ବଳିଷ୍ଠ ବାହୁ ଭିତରେ ତାକୁ ସମ୍ଭାଳି ନେଉଥିଲା ।

 

କ୍ଷଣିକ ମଧ୍ୟରେ କୁବେର ଭୁଲିଯାଉଥିଲା ସାରା ଦୁନିଆକୁ...। ଭାବୁଥିଲା ଫୁଲର ନରମ ଓଠରେ ଆଙ୍କିଦେବ କି ଏକ ଗାଢ଼ ଚୁମ୍ବନ ଆଉ କହିଦେବ ତାକୁ ସେ କେତେ ଭଲପାଏ ବୋଲି ? କହିଦେବକି ଫୁଲଲୋ, ସବୁ ରୋଗର କାରଣ ତୁ । ତୋରି ପାଇଁ ପରା ସବୁ ବିଭ୍ରାଟ ! ହେଲେ ମୁହୂର୍ତ୍ତଟେ ମଧ୍ୟରେ ଫୁଲ ଆକଚାମାକ୍‌ଚା ହୋଇ ତା’ ବାହୁ ବନ୍ଧନରୁ ନିଜକୁ ମୁକୁଳାଇ ନେଲା ଓ ଲଜ୍ଜା ଅବନତ୍‌ ମୁହଁରେ କଳସଟାକୁ ଟେକିନେଇ ଦଉଡ଼ି ଦଉଡ଼ି ଚାଲିଗଲା.... ।

 

ଅକୁହା ରହିଗଲା କୁବେରର କଥାସବୁ । କୁବେର ନିଜକୁ ଧିକ୍କାରୁଥିଲା, ଆଜି ମଧ୍ୟ ସେ ଫୁଲକୁ ତା’ ମନର କଥା କହିପାରିଲାନି । ମନେମନେ ରାଗିଯାଉଥିଲା ଫୁଲ ଉପରେ । ଫୁଲଟା ଏମିତି କେମିତି ହୁଣ୍ଡି ଭଳି ହେଉଛି, ତା’ ମନର କଥା ବୁଝିପାରୁନି ? ଏତେକଥା କହିଲା ପରେ ବି ସେ ତା’ ମନର ଆବେଗକୁ ଯଦି ବୁଝି ନ ବୁଝିଲା ତେବେ ଗୋଟେ ପୁରୁଷ ହୋଇ ସେ ଏତେ ବେଲଜ୍ଜା ହେବା କ’ଣ ଉଚିତ ?

 

ଏଇ ଭଲପାଇବା କଥାକୁ ସ୍ପଷ୍ଟ ଭାବେ କିଏ କ’ଣ ମୁହଁରେ ଉଚ୍ଚାରଣ କରିପାରେ ? ଫୁଲ ସାମ୍ନାରେ ଆଣ୍ଠେଇପଡ଼ି ହସ୍ତ ପ୍ରସାରଣ କରି ତାକୁ କ’ଣ କହିବାକୁ ପଡ଼ିବ ଯେ ସେ ତାକୁ ଭଲ ପାଏ ବୋଲି ? ଏକଥା ମଧ୍ୟ କ’ଣ କହିବାକୁ ପଡ଼ିବ ଯେ ତା’ ଜୀବନଟା ଫୁଲ ପାଖରେ କେବେଠାରୁ ବନ୍ଧାପଡ଼ିଗଲାଣି...ସେ ନ ଥିଲେ ତା’ ଶରୀରଟା ଭିତରେ ଜୀବନ ନ ଥାଏ ବୋଲି ...।

 

ପୁଣି ଫୁଲ ସାଙ୍ଗରେ ଥିଲେ ସେ ଉନ୍ମତ୍ତ ହୋଇପଡ଼େ, ତା’ ପରଶ ଟିକେ ତାକୁ ନିସ୍ତେଜ କରିପକାଏ । ନିଜର ଅସ୍ତିତ୍ଵକୁ ବି ସେ ପାଶୋରି ଦିଏ, ଫୁଲର ସ୍ପର୍ଶରେ “ସେ ଯେମିତି ଛୁଇଁଯାଏ ତା’ ଆତ୍ମାକୁ । ଲାଗେ ସେ ଯେମିତି ପରସ୍ତ ପରସ୍ତ ହୋଇ ନିଃଶେଷ ହୋଇଯାଉଛି ! !’’

 

ହେଲେ କାହିଁକି କେଜାଣି ଫୁଲ ପାଖରେ ନ୍ୟୁନ ହୋଇଯିବାକୁ ତା’ର ଅନ୍ତରାତ୍ମା ତାକୁ ବାରଣ କରୁଛି । ଏକତରଫାଭାବେ କାହାକୁ ପ୍ରେମ ନିବେଦନ କରିବାକୁ ତା’ ପୁରୁଷତ୍ଵ ତାକୁ ବାଧା ଦେଉଥିଲା ।

 

କୁବେର ଦୀର୍ଘଶ୍ଵାସଟିଏ ପକାଇ ଘରମୁହାଁ ହେଲା । ପଠାରେ ଏବେ ଭିଡ଼ ଜମିବ । ସେ ଆଜିକାଲି ଭିଡ଼କୁ ବରଦାସ୍ତ କରିପାରୁନି । ଫୁଲମତୀ ଭିତରେ ସେ ହଜିଛି ଯେ ହଜିଛି । ତା’ର ଆତ୍ମସତ୍ତା ଫୁଲର ବାସ୍ନାରେ ମହକୁଛି । ଫୁଲ ଏବେ ତା’ ପାଇଁ ଦିନକୁ ଦିନ ଅଧକ ସୁନ୍ଦରୀ ପାଲଟୁଛି ।

 

ରୂପାରଙ୍ଗର ଫୁଲେଇ କଇଁଠୁ ଆହୁରି ଲାବଣ୍ୟମୟୀ । କୁବେରର ସବୁ ଖୁସି ଓ ଆଜିଯାଏଁ ତା’ର ବ୍ୟକ୍ତିସତ୍ତାକୁ ପ୍ରମତ୍ତ କରି ରଖୁଥିବା ଛୋଟ ଛୋଟ ନିରୀହ ଅନୁଭବ, ସ୍ୱପ୍ନସବୁଜ ଫୁଲମତୀ ତା’ ଅଗୋଚରରେ ଧିରେ ଧିରେ ଲୁଟିନେଲାଣି । ଅଥଚ ତାକୁ ଏକଥା କୁବେର କହିପାରୁନି ।

 

ନାଁ, କାଲି ସେ ଏତେ ଗୌରଚନ୍ଦ୍ରିକା ନ କରି ସଫା ସଫା ଫୁଲକୁ କହିବ ଯେ, ଏମିତି ଚୋରଙ୍କ ଭଳି ଫୁଲର ଫଟୋଟାକୁ ପକେଟ୍‌ରେ ରଖି ଆଉ ଦିନ ବିତେଇ ହେବନି... । ଏକଥା ବି କହିବ ଯେ- ତା’ ବିନା ଆଉ ସେ ଗୋଟେ ମୁହୂର୍ତ୍ତଟିଏ ବି ବଞ୍ଚିପାରିବନି... । ଯଦି ପରିବାର ଅରାଜି ହେଲେ ତାକୁ ନେଇ ସହର ପଳାଇବ । ଫୁଲ ଉପରେ ତା’ର ଅଧିକାର ସାବ୍ୟସ୍ତ କରିବ । ବାସ୍.......

 

କୁବେର ଏ ନିଷ୍ପତ୍ତି ନେଇ ଅପେକ୍ଷା କରିଥିଲା କାଲିର ସକାଳକୁ । କାହିଁକି କେଜାଣି କୁବେରକୁ ଲାଗୁଥିଲା, କିଛି ଗୋଟେ ଚମତ୍କାର ହେବ । ହୁଏତ ଆସନ୍ତାକାଲି ସକାଳେ ଫୁଲ ତାକୁ ଚମକାଇ ଦେଇ କହିବ- ‘କୁବେର ଚାଲ, ଆମେ ଚାଲିଯିବା ଏଇ ଗାଁ ଆଉ ସମସ୍ତଙ୍କଠାରୁ ଖୁବ୍‌ ଦୂରକୁ । ଆମେ ଦୁହେଁ ଏକାଠି ରହିବା ।’

 

ଫୁଲ ଯଦି ଏମିତି କିଛି କୁହେ ? ତେବେ ସେ କ’ଣ କରିବ ! ଦେଖାଯିବ, କିଛି ଗୋଟେ ବ୍ୟବସ୍ଥା ସେ ନିଶ୍ଚୟ କରିବ । ଏଥର ପଛକୁ ହଟିବନି ଜମା... । ଏମିତି ଚିନ୍ତା କରୁ କରୁ ସାରା ରାତି ଉଜାଗରରେ ବିତିଲା ।

 

ସିନ୍ଦୁରା ଫାଟିଲାବେଳକୁ କୁବେର ଧାଉଁଥିଲା ପଠାକୁ । ଆଜି କିଛି ଗୋଟେ ଫଇସଲା କରିବାକୁ ହେବ । ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି । କେଇଟା ମୁହୂର୍ତ୍ତ ମଧ୍ୟରେ ହୁଏତ ଜୀବନଟା ସମ୍ପୂର୍ଣ୍ଣଭାବେ ବଦଳିଯିବ !

 

ହଠାତ୍‌ ଚମକି ପଡ଼ିଲା କୁବେର । ତା’ ନାମ ଧରି କିଏ ଯେମିତି ଡାକୁଚି ! ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ଭିତରେ କୁହୁଡ଼ିର ଆସ୍ତରଣ । ପଠା ଉପରଟାକୁ ଆଖୁ ପାଉ ନ ଥିଲା ତା’ର । ହେଲେ କାନ ଡେରି ଶୁଣିଲା । ହଁ, ଠିକ୍‌ ଶୁଭୁଛି ତ... । ଫୁଲର ସ୍ୱର । ବଡ଼ ପାଟିକରି ଡାକୁଛି । କୁବେର.... କୁବେର ! !

 

ପଠାରେ ଆଜି ଏତେବର୍ଷ ପରେ ଫୁଲ ତା’ ଆଗରୁ ପହଞ୍ଚିଛି । ହେଲେ ଏମିତି ପାଗଳୀ ପରି ଚିତ୍କାର କରୁଛି କାହିଁକି ? କୁବେର ଧଇଁସଇଁ ହୋଇ ଫୁଲ ପାଖରେ ପହଞ୍ଚି ପଛରୁ ତା’ ମୁହଁରେ ନିଜ ହାତଟାକୁ ଚାପି ରଖି ଛାତି ଭିତରକୁ ଆଉଜାଇ ନେଇ ପଚାରିଲା– କି ଅଘଟଣ ହେଲା କିଲୋ ଫୁଲ, ଏମିତି ଚିତ୍କାର କରୁଛୁ ? ସାରା ଗାଁଟାକୁ ନିଦରୁ ଉଠାଇବୁ ନା କ’ଣ ?

 

ଫୁଲମତୀ ତା’ ଦେହରେ ନିଜକୁ ଜଡ଼େଇ ଦେଇଥିଲା । ସେମିତି ତା’ ଛାତିରେ ମୁଣ୍ଡରଖି କିଛି ସମୟ ପାଇଁ ନୀରବି ଯାଉଥିଲା ସେ । କୁବେର ଅନୁଭବ କରୁଥିଲା, ଆଉ ଏକ ପୃଥକ ଫୁଲକୁ-। ଅଧା ଲାଜ.... ଅଧା ଖୁସି..... ଅଧା ବିଷାଦର ବିମୁଗ୍ଧ ସଙ୍ଗୀତ ଭିତରେ ବିଭୋର ନିରୀହ ଆତ୍ମାଟିଏ ଅବା......

 

ଖୁସିରେ ଆତ୍ମହରା ମୁକ୍ତାକାଶର ବିହଙ୍ଗଟିଏ ଯେମିତି । ଫୁଲ ତା’ ଛାତି ଭିତରେ ମୁହଁ ଲୁଚାଇ ନୀରବରେ ଅନେକ କଥା ଯେମତି କହିଯାଉଛି । ଫୁଲର ଅଲରା କେଶକୁ ନିଜର ହାତରେ ଆଉଁସି ଆଣି କୁବେର କହିଲା- ଏବେ ନଦୀପଠାକୁ କମ୍ପେଇ କୁବେର କୁବେର ଚିଲ୍ଲାଉଥିଲୁ । କ’ଣ ହେଲା ଯେ ଏମିତି ଚୁପ୍‌ ହୋଇ ମୁହଁ ଲୁଚାଉଛୁ ?

 

କହ, କହ, କ’ଣ କହିବୁ ପରା ? ଜଲ୍‌ଦି କହିଦେ, ଦେଖ ତ ତୋ’ କଥା ଶୁଣିବାକୁ ଗଛ ଡାଳରେ କେମିତି କାନେଇଛି ଗେଣ୍ଡାଳିଆ । ନଦୀପାଣି ଧାର ବି କେମିତି ଥମିଗଲାଣି.... ।

କୁବେର ଅନୁଭବ କରୁଥିଲା ତା’ ନିଶ୍ୱାସପ୍ରଶ୍ଵାସର ଗତି ଯେମିତି ବୃଦ୍ଧି ପାଉଛି । ସେ ଆଖି ବନ୍ଦ କରିଦେଉଥିଲା, ଫୁଲର ନିଶ୍ଵାସକୁ ସେ ନିଜ ଛାତିରେ ଅନୁଭବ କରୁଥିଲା । ତା’ ଛାତି ଭିତରର ସ୍ପନ୍ଦନକୁ ଫୁଲ ବି ଅନୁଭବ କରୁଥିବ...

କେଜାଣି କ’ଣ ଭାବୁଥିବ ସେ...

ତା’କୁ ଲାଗୁଥିଲା ଫୁଲ ସେମିତି ତା’ ଛାତି ଭିତରେ ମୁହଁ ଲୁଚାଇ ଲାଜୁଆ ସ୍ଵରରେ ଏଇ ଯେମିତି କହିବ–“କୁବେର, ତୁ ମୋ ମନର ରଜା...। ମୋ ଆଖିକୁ ବି ଆଜିକାଲି ନିଦ ଆସୁନି । ନିଦ ନିଦ ଯଦି କେତେବେଳେ ଆସୁଛି, ସ୍ୱପ୍ନରେ ଖାଲି ତୁ ଦିଶୁଛୁ, ପାଲିଙ୍କିରେ ଚଢ଼ି ଆସୁଛୁ, ମୋତେ ନେଇ ଯାଉଛୁ ବୋହୂ କରି ।”

ବାସ୍‌ କେଇଟା ମୁହୂର୍ର ଏମିତି ମିଠା କଳ୍ପନାରେ ବିତି ଯାଉଥିଲା, ଫୁଲର ଠୋ ଠୋ ହସରେ ଆଖି ଖୋଲିଗଲା ତା’ର । ଫୁଲ ତା’ ଛାତି ଭିତରୁ ନିଜକୁ ଖସାଇନେଇ ମୁକୁଳା କେଶରେ ଗଣ୍ଠି ପକାଉଛି ଆଉ ଠୋ ଠୋ ହୋଇ ହସୁଛି । ହସକୁ ରୋକିନେଇ ଏକ ନିଶ୍ଵାସରେ କହିପକାଇଲା- କୁବେର, ମୋ ବାହାଘର ଠିକ୍‌ ହୋଇଯାଇଛି ! !

ଏଇମାସ ଶେଷ ଲଗ୍ନକୁ । ପୁରୁଷୋତ୍ତମପୁର ଗାଁ ଜମିଦାରଙ୍କ ପୁଅ ସାଙ୍ଗରେ... ମୋ ବର କଲିକତାରେ ଚାକିରି କରିଛି । ବାହାଘର ପରେ ସେ ମୋତେ ନେଇଯିବ କଲିକତା । ପୁରସ୍ତମପୁର ଜମିଦାର ଘରର ବୋହୂ ହେବି ମୁଁ । ଜମିଦାର ଘରର ବୋହୂ ! ! ! ବୁଝିଲୁ ?

କୁବେରର ହାତମୁଠା ହୁଗୁଳିଗଲା । ସେମୁଠା ଭିତରୁ ଖସିପଡ଼ୁଥିଲା ଫୁଲର ନରମ ନରମ ହାତ ଦୁଇଟା । ମୁହୂର୍ତ୍ତକ ମଧ୍ୟରେ କୁବେରର ଆଖି ଆଗରେ ବଦଳିଯାଉଥିଲା ତା’ ପ୍ରିୟ ପୃଥିବୀର ରୂପ ଆଉ ରଙ୍ଗ !

 

କଦମ୍ବଡାଳ ଉପରୁ ଡିଆଁ ମାରୁଥଲା ହନୁ... । ଫଡ଼୍‌ଫାଡ଼୍‌ କରି ଗେଣ୍ଡାଳିଆ ଉଡ଼ିଯାଉଥିଲେ ଦୂରକୁ.... । ସକାଳର ମୁହଁଟା ଯେମିତି ଅପମାନରେ ଅବା ଅଭିମାନାରେ ନାଲି ପଡ଼ିଯାଉଛି... । ନଦୀର ପାଣିଗୁଡ଼ା କୁଆଡ଼େ ଦିଗହଜା ହୋଇ ବୋହିବାରେ ଲାଗିଛନ୍ତି କି କ’ଣ ? ଅଟକି ଯାଉଥିଲା କୁବେରର ନିଶ୍ଵାସ । ତା’ ଚତୁର୍ଦ୍ଦିଗର ପୃଥିବୀ ଯେମିତି ସ୍ଥିର ହୋଇଯାଉଛି । ତା’ ପାଦ ତଳୁ ଧସିଯାଉଛି ମାଟି..... ।

 

ତା’ ଆଖି ଆଗରେ ଅନ୍ଧାର ଛାଇଗଲାବେଳକୁ ଫୁଲମତୀ କହୁଛି- ମୁଁ ତତେ ପ୍ରଥମେ ଏ ଖବର ଦେବାକୁ ପରା ରାତି ଥାଉ ଥାଉ ଆସିଛି । ବୋଉ କାଲିଠାରୁ ଆଉ ପଠାକୁ ପାଣି ଆଣି ଯିବାକୁ ମନା କରିଛି । ଏ ପଠାକୁ ଆସିବାକୁ ତୁ ପରା ମୋତେ ମନା କରୁଥିଲୁ ? ହେଇ ଦେଖ, ତୋ କଥା ରହିଲା । କାଲିଠୁ ଏ ପଠାରେ ମୋତେ ଆଉ ଦେଖୁବୁନି ।

 

କୁବେର, ତୋ ସହିତ ଆଉ କେବେ ଦେଖା ହେବକି ନାହିଁ କିଏ ଜାଣେ ? ହେଲେ ଏଇ ପଠା, ଏଇ ଗାଁ ଏ ମନ୍ଦିରବେଢ଼ା ଆଉ ତୁ ସବୁଦିନ ମନେପଡ଼ୁଥିବ...... । ଏତିକି କହି ଫିକା ହସଟେ ହସି ଅଣ୍ଟା ଦୋହଲାଇ ଘରକୁ ଫେରୁଥିଲା ଫୁଲ ।

 

ନିର୍ବାକ କୁବେର । ପଦେ କିଛି ଆଉ କହିପାରିଲାନି, ପାଟିକୁ କିଛିବି ଶବ୍ଦ ଆସୁନି ।

 

କାକରଭିଜା ନରମ ଘାସର ମସିଣାରେ ସେ ଶୋଇ ଶୋଇ ଭୋର ଆକାଶର ଅଗଣାରୁ ତାରାଫୁଲ ସବୁକୁ ଖୋଜୁଥିଲା । ଏଇ କେଇଘଣ୍ଟା ତଳେ ଦେଖିଥିବା ଏତେସବୁ ତାରା କୁଆଡ଼େ ଉଭାନ୍‌ ହୋଇଯାଇଥିଲେ । ଏକମାତ୍ର ମିଟିମିଟି କରୁଥିବା ପାହାନ୍ତିଆ ତାରାଟା ବି ଶେଷରେ ଲୁଚିଗଲା ।

 

ତା’ ପର ଦିନଠୁ ସେଇ ଗୋଟିଏ ଘଟଣା ଘଟୁଥିଲା ବାରମ୍ବାର... । ଛାଇ ଅନ୍ଧାର ଥାଉ ଥାଉ ବଡ଼ି ସକାଳୁ କୁବେର ପହଞ୍ଚେ ନଦୀପଠାରେ । ଘଣ୍ଟା ଘଣ୍ଟା ଧରି ବାଟ ଦେଖେ... ହେଲେ ଫୁଲମତୀ ଆସେନି । ଗଙ୍ଗଶିଉଳୀ ସବୁକୁ ରାସ୍ତା ଉପରୁ ଗୋଟାଉ ଗୋଟାଉ କୁବେର ଭାବେ ଏଇ ଆଗରେ ତ ଫୁଲର ଘର, .... ଯିବକି ଆଉ ? ଦେଖି ଆସିବ...ୟ

 

ନାଁ, ଦୁଇ ସାହିଭାଇଙ୍କ ମଧ୍ୟରେ ଗତ ୫ ବର୍ଷ ତଳେ ଯେଉଁ ଗଣ୍ଡଗୋଳ ଓ ମାର୍‌ପିଟ୍‌ ହୋଇଥଲା ତା’ର ପରିଣାମ ତ ତାକୁ ଭୋଗିବାକୁ ପଡ଼ୁଛି । ରଙ୍ଗପୋଖରୀର ଏପଟେ ନାୟକସାହି ଆଉ ସେପଟେ ପଲେଇସାହି ।

 

ପ୍ରାୟ ପାଞ୍ଚବର୍ଷ ତଳର କଥା । କୁବେର ମନେ ପକାଉଥିଲା । ସେବର୍ଷ ସେ ମାଟ୍ରିକ୍‌ ପାସ୍‌ କରିଥାଏ । ବେଶ୍‌ ଜାକଜମକରେ ଗାଁରେ ହେଉଥାଏ ବାସନ୍ତୀ ଦୁର୍ଗାପୂଜା । ସବୁବର୍ଷ ଏଇ ପୂଜାକୁ ତା’ ର ଅପେକ୍ଷା ଥାଏ । ପଲେଇସାହି ଓ ନାୟକସାହିରେ ଅଲଗା ଅଲଗା ମେଢ଼ ବସୁଥିଲା-। ନାୟକସାହି ଟୋକାମାନେ ସୁଦୂର କଲିକତାରୁ ବ୍ୟାଣ୍ଡପାର୍ଟି ଆଣୁଥିଲେ ତ ପଲେଇସାହି ବାଲାଏ ଭୁବନେଶ୍ୱରରୁ ସିନେମା ଷ୍ଟାରଙ୍କୁ ଆଣି ନଚାଉଥିଲେ । ସାତଦିନକାଳ ନରେନ୍ଦ୍ରପୁରଠାରୁ ପୁରୁଷୋତ୍ତମପୁର ଓ ଆଖପାଖ ୨୫ ଗାଁର ଲୋକଙ୍କ ଭିଡ଼ ଜମୁଥିଲା । ବାଦିପାଲାଠାରୁ ଟକ୍କରଯାତ୍ରାରେ ରଙ୍ଗମଞ୍ଚ କମ୍ପି ଯାଉଥିଲା । ସବୁବର୍ଷ ଭଳି ସେ ବର୍ଷ ବି ଶେଷଦିନରେ ଦୁଇସାହି ଟୋକାଙ୍କ ମଧ୍ୟରେ ହୋଇଥିଲା ଖଣ୍ଡାଖେଳ ଓ ତୀରନ୍ଦାଜ୍‌ । ଶେଷରେ ଜିତିଥିଲା ପଲେଇସାହି । ଟ୍ରଫି ନେଇ ଶୋଭାଯାତ୍ରାରେ ବାହାରିଲାବେଳେ ଦୁଇସାହି ଟୋକାଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ତେବେ ବଡ଼ବଡ଼ିଆଙ୍କ ହସ୍ତକ୍ଷେପରେ ସମାଧାନ ହେଲା ପରେ ଦୁର୍ଗା ବିସଜର୍ନ ପାଇଁ ଦୁଇଦଳ ମିଶି ଯାଇଥିଲେ ବ୍ରାହ୍ମଣୀ ନଦୀକୁ । ଆତସବାଜି ଢୋଲ ମହୁରୀ ମଧ୍ୟରେ ହୋଇଥିଲା ଭସାଣି ।

 

ହେଲେ ଯାହା ହେବାର ନ ଥିଲା ତାହା ହେଲା । ନଦୀ ଭିତରେ ଦେବୀ ବିସର୍ଜନବେଳେ ଭାସିଗଲେ ଦୁଇଜଣ ଭେଣ୍ଡିଆ ଟୋକା । ପତ୍ତା ମିଳିଲାନି । ବହୁତ ଖୋଜାଖୋଜି ପରେ ଦୁହିଁଙ୍କ ଶବ ମିଳିଲା । ପରେ ପ୍ରବଳ ମାର୍‌ପିଟ୍‌, ଦଳାଚକଟା ଓ ପୋଡ଼ାଜଳା ଭିତରେ ଦୁଇସାହିରୁ ଅନ୍ୟୁନ ଶହେରୁ ଅଧକ ଲୋକ ଆହତ ହୋଇଥିଲେ । ଦୁଇଟି ସାହିରୁ ଦୁଇଜଣ ଟୋକାଙ୍କ ମରିବା ନେଇ ଦୁଇ ଗାଁର ଲୋକେ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖିଲେ ।

 

ଗାଁକୁ ପୋଲିସ ଆସିଲା । ଘଟଣାର ମୀମାଂସା ହେଲା ସତ ମାତ୍ର ଦୁଇଟିଯାକ ଗାଁରୁ ଦଶଜଣଙ୍କୁ ଦୁଇବର୍ଷ ଲେଖାଏଁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା । ସେଇଦିନରୁ ବନ୍ଦ ହୋଇଗଲା ବାସନ୍ତୀ ଦୁର୍ଗାପୂଜା । ଦୁଇସାହି ଭାଇଙ୍କ ମଧ୍ୟରେ ସବୁଦିନ ପାଇଁ ସମ୍ପର୍କର ଡୋରି କଟିଗଲା । କୁବେରର ଆଜିବି ସେସବୁ କଥା ମନେପଡ଼େ । ଦୁଇସାହି ମଧ୍ୟରେ ଅହିନକୂଳ ସମ୍ପର୍କ । ବିବାହ, ବ୍ରତଘର ଅବା ପୂଜାପାର୍ବଣରେ ପାଞ୍ଚ ବରଷ ହେଲା କେହି କାହାକୁ ଲୋଡ଼ନ୍ତିନି କି କାହାଘରେ ପାଦ ପକାନ୍ତି ନାହିଁ ।

 

କୁବେର ଗରିବ ଚାଷୀପୁଅର ପାଠପଢ଼ୁଆ ପୁଅ । ଫୁଲମତୀର ବାପା ଗାଁର ବଡ଼ ଚାଷୀ-। ବୋଉ କହୁଥିଲା ଦୟା ପଲେଇ ତା’ ଝିଅ ଫୁଲ ପାଇଁ ବଡ଼ ଜମିଦାର ଘରେ ବନ୍ଧୁ କରିଛି । ଜ୍ୱାଇଁ କଲିକତାରେ ବଡ଼ କମ୍ପାନୀର ମ୍ୟାନେଜର ।

କୁବେର କ’ଣ କରିବ ଆଉ ନ କରିବ ଭାବୁଛି । ଭାବୁଛି ଆଉ ଭାବୁଛି । ଠିକ୍‌ ୮ ଦିନ ପରେ ଫୁଲମତୀର ବାହାଘର ହୋଇଗଲା । ଏଇ ନଦୀପଠା ଦେଇ ସବାରିଆମାନେ ନିର୍ଦ୍ଦୟ ପାଦରେ ସିଙ୍ଗଡ଼ାହାର ଫୁଲ ସବୁକୁ ଦଳିମକ୍‌ଚି ଫୁଲମତୀକୁ ସବାରୀରେ ବସାଇ ନେଇ ଚାଲିଗଲେ ପୁରସ୍ତମପୁର । ଏଇ ପଠା ପାଖରୁ ସବାରୀ ପଛରେ ଦଉଡ଼ି ଦଉଡ଼ି କିଛିବାଟ ଯାଇଥିଲା କୁବେର ।

ହେଲେ ଫୁଲମତୀକୁ ଦେଖିପାରିଲାନି କି ତାକୁ କିଛି କହିପାରିଲା ନାହିଁ ।

କୁବେରକୁ ପଛରେ ପକାଇ ସବାରୀ ଚାଲିଯାଉଥିଲା ଆଗକୁ ଆହୁରି ଆଗକୁ...। କୁବେର ହତଚକିତ ହୋଇ ଅନେଇଥିଲା । ସବାରୀ ଆଖିଆଗରୁ ଲୁଚିଗଲା ପରେ, କଦମ୍ବ ଗଛକୁ ଉହାଡ଼ କରି । କୁବେର ଛାତିରେ ହାତ ବାଡ଼େଇ ବାଡ଼େଇ କାନ୍ଦିଥିଲା । ମୁଣ୍ଡ ପିଟିପିଟି ଖୁବ୍‌ ଚିତ୍କାର କରିଥିଲା । ଫୁଲମତୀ .... ଫୁଲମତୀ.... ବୋଲି ବଡ଼ ପାଟିକରି ଖୁବ୍‌ ଡାକିଥିଲା । ଜବାବ୍‌ ଦେବାକୁ ଫୁଲ ନ ଥିଲା । ବହି ଭିତରେ ଥିବା ଫୁଲର କଳାଧଳା ଫଟୋଟା ବି ଯେମିତି ତାକୁ ଖତେଇ ହେଉଥିଲା !

ଫୁଲ ବିନା ଏଇ ଆଠଟା ଦିନ ତ କୁବେର କେମିତି ବିତାଇଛି ସେ ନିଜେ ମଧ୍ୟ ଜାଣିନି । ଖାଇବା ପିଇବା କଥା ଛାଡ଼, କୁବେର ନିଦକୁ ବି ତ୍ୟାଗ ଦେଇଛି । କେତେବେଳେ ବିତିଯାଇଥିବା ଦିନଗୁଡ଼ିକୁ ସାଉଁଟି ହେଉଛି ତ କେତେବେଳେ ନିଜକୁ ନିଜେ ଧିକ୍କାରି ହେଉଛି । ହେଲେ ଉପାୟ କିଛି ତ ନ ଥିଲା । ଫୁଲ ବିନା ଆଗକୁ ଜୀବନ ବିତାଇବା କଥା ଚିନ୍ତା କରିବାକୁ କୁବେରକୁ ଭୟ ଲାଗୁଥିଲା । ତା’ ମନ ଶରୀର ଅବଶ ହୋଇପଡ଼ୁଥିଲା...

Unknown

ଫୁଲ ଚାଲିଯିବା ପରେ ଦିନେ କୁବେର ଛାତି ଉପରେ ଫଟୋଟାକୁ ଧରି ନଦୀପଠା ଉପରେ ଶୋଇପଡ଼ିଥିଲା ଯେ ଶୋଇପଡ଼ିଥିଲା ଅଚେତ ନିଦରେ । ଆଉ ଉଠିଲାବେଳକୁ ସେ ନିଜକୁ ସହରର ଏକ ଡାକ୍ତରଖାନାରେ ପାଇଥିଲା । ପୁରା ୨ ମାସ ଡାକ୍ତରଙ୍କ ତତ୍ୱାବଧାନରେ ତାକୁ ସହରରେ ରହିବାକୁ ପଡ଼ିଥିଲା ।

ତା’ ପରେ, ସମସ୍ତଙ୍କ ପାଇଁ ସବୁଦିନ ସକାଳ ହେଉଥିଲା, ହେଲେ କୁବେର ପାଇଁ ସେଇ କାଳ ରାତିଟା ଆଉ ପାହିଲାନି । ସକାଳ ହେଲେ ସେ ତରକିଲା, ନଦୀପଠାକୁ ଯିବାକୁ କହିଲେ ପାଦ ଥରିଲା ।

ଅନ୍ଧାରୁଆ ଛୋଟିଆ ଚାଳିଆ ଘର ଭିତରେ କୁବେର ବିତାଇ ଦେଉଥିଲା ଦିନସବୁକୁ... କିଏ କିଛି ପଚାରିଲେ କୁବେର କିଛି ଉତ୍ତର ଦେଇପାରେନି । ଏତେକଥା କହିବାକୁ କୁବେରକୁ ଶବ୍ଦ ମିନୁ ନ ଥିଲା । ତା’ କଣ୍ଠରୁ ସବୁ ସ୍ୱର ରାଗ ଏମିତିକି ସବୁ ଶବ୍ଦ ହଜିଯାଇଥିଲା ।

କାହା ପାଖରେ ବା ନିଜ ଦୁଃଖ କହନ୍ତା ସିଏ ? ଯାହାପାଖରେ ଜୀବନର ସବୁ ସୁଖଦୁଃଖ ସେ କହୁଥିଲା ସେ ତ ନାହିଁ....

ଫୁଲମତୀକୁ ଛାଡ଼ିଦେଲେ କୁବେର ଜୀବନ ଆଉ ଜୀବନ ହୋଇ ରହି ନ ଥିଲା । କୁବେରକୁ ଯିଏ ଦେଖୁଥିଲା ସେ କହୁଥିଲା ଛ’ ଫୁଟିଆ ମରଦଟା । ଏମିତି କେତେଦିନ ଚଳିବ ? ହାତକୁ ଦି’ ହାତ ହେଲେ ସବୁ ଠିକ୍‌ ହୋଇଯିବ ।

ଏମିତି ବିତିଗଲା ବର୍ଷଟିଏ...

ସେଦିନ .... ତା’ ଘରକୁ କୁଣିଆ ଆସିଥିଲେ । ବୋଉ ତା’ର ପାନ ଭାଙ୍ଗି ରଖୁଥିଲା । କହୁଥିଲା, କୁବେର, ତୁ ମଣିଷ ପିଲାଭଳି ହେବୁ ତ କଥା ଆଗେଇବ ।

 

ପୁରୁସ୍ତମପୁରରୁ ମାଳତୀର ପ୍ରସ୍ତାବ ଆସିଛି ତୋ ପାଇଁ ଏମିତି ପାଗଳାଙ୍କ ଭଳି ଦିନ ଦି’ ପହରୁ ରାତି ଶେଷପହର ଯାଏଁ ତୋଟାଟା ଭିତରେ ବୁଲିଲେ ଲୋକେ କ’ଣ କହିବେ ? ଗତଥରକୁ ମିଶାଇ ୩ଟା ପ୍ରସ୍ତାବ ଭାଙ୍ଗିଲାଣି ।

 

କୁବେର ପୁରସ୍ତମପୁର ଗାଁ କଥା ଶୁଣି ବୋଉକୁ ପଚାରିଲା । ପୁରସ୍ତମପୁର ! ! ଫୁଲର ଶ୍ୱଶୁର ଘର ଗାଁ ତ ? ବୋଉ ମୁରୁକି ହସି କହିଲେ- ହଁ, ମାଳତୀର ବାପା ତାଙ୍କରି ସାଇ ଭାଇ ହେବେ । ବରଷେ ହୋଇଗଲା ଥରେ ତ ଫୁଲ ଫେରିଲାନି ଗାଁକୁ ।

 

ମାଳତୀ ଫୁଲର ଲେଖାଯୋଖା ମାଉସୀ ଝିଅ ଭଉଣୀ ହେବ । ଆମ ଗାଁକୁ ଆସିଥିଲା ଯେ ଦେଖିଥିଲି ତାକୁ । ଫୁଲ ଭଲ ଅଛି କି ବୋଲି ପଚାରୁଥିଲି । ମୁଣ୍ଡ ଟୁଙ୍ଗାରିଲା । କିଏ ଡାକିଦେଲା ଯେ କଥା ଅଧା ରହିଲା । ବୋଉ କୁବେରର ଉତ୍ତରକୁ ଅପେକ୍ଷା କରିଥିଲା । ଅନ୍ୟମନସ୍କଭାବେ କୁବେର ନିଜର ସମ୍ମତି ଦେଲା ।

 

ପୁରସ୍ତମପୁରର ପ୍ରସ୍ତାବ । ଝିଅ ଦେଖା ବାହାନାରେ ଫୁଲକୁ ଥରେ ଦେଖିବାର ଇଚ୍ଛା ତା’ ଭିତରେ ଉଙ୍କି ମାରୁଥିଲା ।

 

ତା’ ପରଦିନ ଝିଅ ଦେଖା ପାଇଁ ତା’ ବାପା କୁବେରକୁ ନେଇ ପହଞ୍ଚିଲେ ପୁରସ୍ତମପୁର ଗାଁରେ । ମଧ୍ୟସ୍ତିଙ୍କ ସହିତ ସମସ୍ତ କଥା ସାରି ପହଞ୍ଚିଲେ ଝିଅ ଘରେ ।

 

କୁବେର ଫୁଲର ଶ୍ଵଶୁର ଘର ସମ୍ପର୍କରେ ଆଖପାଖ ଲୋକଙ୍କୁ ପଚାରି ବୁଝୁଥିଲା । ସେଇଠୁ ଚାରିଶହ ମିଟର ଦୂରରେ ଫୁଲ ଶ୍ଵଶୁର ଘର । ହେଲେ କାହିଁକି କେଜାଣି କେହି ତାଙ୍କ ପରିବାର ସମ୍ପର୍କରେ ବେଶି କିଛି କହିବାକୁ ଯେମିତି ଅରାଜି !

 

ଏତିକିବେଳକୁ ମାଳତୀ ଚା’ ଟ୍ରେଟାକୁ ସାମ୍‌ନା ଟେବୁଲରେ ଥୋଉଥିଲା । ସମସ୍ତଙ୍କୁ ପ୍ରଣାମ କରି ଉଠିଲା ବେଳକୁ ତା’ ଆଖିରେ ଆଖି ମିଶିଯାଉଥିଲା କୁବେରର.... । ମାଳତୀ ଲାଜେଇଗଲା । କିଛି ସମୟ ଏମିତି ବିତିଗଲା ।

 

ପଦେ ଅଧେ କଥା ଆଉ ଜଳଖିଆ ଖିଆପରେ ବାପା ତା’ର ଟଙ୍କା ଦୁଇଶହ ମାଳତୀ ହାତରେ ଧରାଇଦେଲେ । ସମସ୍ତଙ୍କୁ ଜୁହାର ହୋଇ ମାଳତୀ ଉଠିଲା ଓ ତା’ ଭାଉଜ ସାଙ୍ଗରେ ଭିତରକୁ ଗଲା ।

 

କଥା ଛିଡ଼ିଲା । ଆର ସପ୍ତାହକୁ ଲଗ୍ନ । କୁବେର ବ୍ୟସ୍ତବିବ୍ରତ ହୋଇ ପଡ଼ୁଥିଲା । ଏମିତି ହଠାତ୍‌ ଲଗ୍ନ ସ୍ଥିର ହେବ ବୋଲି ସେ କ’ଣ ଭାବିଥିଲା ? ? ଦେଖୁ ଦେଖୁ ଗୋଟେ ହପ୍ତା ବିତିଯିବ ।

 

ଫୁଲ ସବାରୀରେ ବସି ଚାଲିଗଲା ପରି ଆଉ ଗୋଟେ ଅଜଣା ଅଚିହ୍ନା ଝିଅ ସବାରିରେ ଚଢ଼ି ଆସିବ ତା’ ଘରକୁ ସାମିଲ ହୋଇଯିବ ତା’ ଜୀବନ ସହିତ.... । ଫୁଲକୁ ନେଇ ତା’ ଚିନ୍ତାରାଜ୍ୟ ତ’ ଆଜିବି ମହକୁଛି....ଫୁଲର ସ୍ମୃତିରେ ସେ ଜିଇଁଛି.,.. ସେବେ କ’ଣ ହେବ ? କେଉଁଠି ରଖିବ ସେ ସ୍ମୃତିସବୁକୁ ? କିଏ ଯେମିତି କବ୍‌ଜା କରିବାକୁ ବସିଛି ତା’ ମନ ରାଇଜକୁ ?

 

କୁବେର ଆଇନାରେ ନିଜ ମୁହଁକୁ ଦେଖୁଥିଲା, ଏକଦମ୍‌ ଅଚିହ୍ନା ଲାଗୁଛି ନିଜର ମୁହଁ । ତା’ ଚେହେରାରୁ ଯେମିତି କିଏ କୁବେରକୁ ଚୋରାଇ ନେଇଛି । କୁବେର ବହୁଦିନ ପରେ ନିଜ ମୁହଁକୁ ଆଜି ଆଇନାରେ ଦେଖୁଛି । ସେ ନିଜେବି ଆଚମ୍ବିତ ହେଉଛି । କେମିତି ଓ କାହିଁକି ଏମିତି ହେଲା ? କି ସମ୍ପର୍କ ଏମିତି ଥିଲା କି ତା’ର ଫୁଲ ସହିତ ?

 

ପାଖରେ ଥିଲାବେଳେ ଫୁଲକୁ ସେ କିଛି କହିପାରିଲାନି । ଏବେ ଫୁଲ ପର ଭାରିଜା । ଯାହା ହୋଇଗଲା ତାକୁ ବିତିଗଲା ରାତି ବୋଲି ଭାବି ଭୁଲିଯିବାକୁ ହେବ ।

 

ହେଲେ ତା’ର ଇଚ୍ଛା ବିବାହ ପୂର୍ବରୁ ଥରେ ଫୁଲକୁ ଭେଟନ୍ତା । ଏମିତି ଇଚ୍ଛା କାହିଁକି ହେଉଛି ବୋଲି ମଧ୍ୟ ସେ ବୁଝିପାରୁନି । ବାସ୍‌, ଇଚ୍ଛା ହେଉଥିଲା ... । ହୁଏତ ମନ ତା’ର ଚାହୁଁଛି ଡେରିରେ ହେଲେ ବି ଥରେ ତା’କୁ ସେ କହିଦିଅନ୍ତା ଯେ ସେ ତା’କୁ ବାହାହେବାକୁ ଚାହୁଁଥିଲା । ତାକୁ ଭଲ ପାଉଥିଲା... । ଥରେ ହେଉ ପଛକେ, ମନର କଥାଟା କହିଦେଇ ସେ ହାଲ୍‌କା ହୋଇଯିବ । ଫୁଲ ତାକୁ ଭୁଲ୍‌ ବୁଝିବ, ଅବା ବଡ଼ଘରର ବୋହୂ ହିସାବରେ ଦି’ ଚାପୁଡ଼ା ଦେବ ! !

 

ଦେଉ ପଛେ ସେ ତାକୁ ପରୱା କରିବନି । ଅନ୍ତତଃ ମନଟା ତ ବୁଝିଯିବ । ତା’ ନ ହେଲେ ତା’ ପାଇଁ ସବୁଦିନ ସେଇ ଏକାଭଳି ଯାଉଥିବ ! ରାତିସବୁ ଜମାରୁ ପାହୁନଥିବ...। ଖାଁ ଖାଁ ଗୋଡ଼ାଉଥିବ ନଦୀପଠା, ଶୂନ୍‌ଶାନ୍‌ ଲାଗୁଥିବ ମନ୍ଦିରବେଢ଼ା... । ପୂରା ଗାଁଟା ଲାଗୁଥିବ ଯେମିତି ଶ୍ମଶାନ...

 

ଏ ପର୍ଯ୍ୟନ୍ତ ତା’ ଦେହରେ ଫୁଲମତୀର ଖୋଲା କବରୀର ବାସ୍ନା ମହମହ କରୁଛି... ମାସମାସ ହୋଇ ବାର ମାସ ବିତିଗଲାଣି । ବେଳକୁ ବେଳ ସେ ମୋହ ଅଧିକ ପ୍ରମତ୍ତ ହେଉଛି ।

 

ସେଇଦିନୁ ଆଖିମୁଦି ହେଉନି, ଆଖି ବନ୍ଦ କଲେ ଦିଶୁଛି ସେ । ବେଳ ଅବେଳରେ ଆସି ଅଭିମାନରେ ତା’ ଦେହରେ ଗୁଡ଼େଇ ତୁଡ଼େଇ ହୋଇ ପଚାରୁଛି- ମୋ କଥା ମନେପଡ଼ୁନି ନା କୁବେର ?

 

ଦେହଟା ଆତ୍ମା ଭିତରେ ଘାଣ୍ଟିଚକଟି ହୋଇ ଏକାକାର ହୋଇଯାଉଛି । ପୁଣି ଆଖି ଖୋଲିଲେ କୁଆଡ଼େ ହଜିଯାଉଛି । ଏମିତିରେ ସେ କେମିତି ବାହାହେବ ଓ ଆଉ ଗୋଟେ ଝିଅର ଜୀବନକୁ ତା’ ଜୀବନ ସହିତ ସାମିଲ କରିବ ?

 

ଗାଁଟା ଯାକ ଯୁଆଡ଼େ ଗଲେ ତା’ରି ଖିଲିଖିଲି ହସ ଓ କୁବେର କୁବେର ଡାକ ଶୁଭୁଛି । ବରଷେ ହୋଇଗଲାଣି, ଚଢ଼େଇଟେ ଡେଣା ଝାଡ଼ି ଉଡ଼ିଗଲାବେଳକୁ ଲାଗୁଛି, ସତେଯେମିତି ପଣତଟାକୁ ଝାଡ଼ିଦେଉଛି ଫୁଲ । ଧାନକେଣ୍ଡା କ୍ଷେତରେ ଦୋହଲିଲେ ଲାଗୁଛି ଯେମିତି ଲହରଉଛି ଫୁଲମତୀର ଲମ୍ବାବେଣୀ । ବ୍ରାହ୍ମଣୀନଦୀର ପାଣିରେ ଯେମିତି ଛାଇଯାଇଛି ଫୁଲର ମୁକୁଳା କେଶ.... ସାରା ଗାଁଟାର ପାଣିପବନ ଯେମିତି ସକାଳ ସଞ୍ଜ ଯାଏଁ ତା’ରି ରୂପ-ଲାବଣ୍ୟର ଝଟକରେ ଚହଟୁଛନ୍ତି ! !

 

କୁବେରକୁ ଲାଗୁଥିଲା ଫୁଲ ତା’କୁ ମନେ ମନେ ହୁଏତ ଖୋଜି ହେଉଥିବ, କାଳେ ଝୁରୁଥିବ । କିଏ ମନେ ନ ପକେଇଲେ ଏମିତି ହୁଅନ୍ତା କାହିଁକି ? ଏକଥା ସେ ଥରେ ଫୁଲକୁ କହିଦେଲେ ତା’ ଆତ୍ମା ହୁଏତ ଶାନ୍ତି ପାଇବ । ଯଦି ନ କହି ପାରିବ ତେବେ ହୁଏତ ଥରେ ଦେଖିଆସନ୍ତା ତ ଫୁଲ ଭଲରେ ଅଛି କି ନାହିଁ ।

 

ଫୁଲହିଁ ତ ପ୍ରଥମେ ତାକୁ ନିଜ ବାହାଘର ଖବର ଦେଇଥିଲା । ଆଉ ତା’ ବାହାଘର ଖବର ସେ ବି ଫୁଲକୁ ଦେବ । ଶୁଣିଛି ଫୁଲ କୁଆଡ଼େ ନିଜ ଆଡ଼ୁ ମାଳତୀର ପ୍ରସ୍ତାବ ତା’ ସହିତ ପକାଇଛି । ଏହାଛଡ଼ା ବିବାହ ଆଗରୁ ସେ ଫୁଲଠୁ ଶେଷ ବିଦାୟ ନେବାକୁ ଚାହେଁ ×××

ଫୁଲକୁ ଏକାନ୍ତରେ ଭେଟିବାକୁ ସ୍ଥିରକରି ସେ ସେଇ ଗାଁ ମଧ୍ୟସ୍ତିଙ୍କ ଘରୁହିଁ ମୁହାଁଇଲା ଫୁଲର ଶ୍ଵଶୁରଘରକୁ ।

ଲୋକେ କୁହନ୍ତି ସୁଖୀ ସଂସାର ଫୁଲର । ସ୍ୱାମୀ ତା’ର କଲିକତାରେ, ମଝିରେ ମଝିରେ ଘରକୁ ଆସନ୍ତି । ଶ୍ଵଶୁର ଦେଢ଼ଶୁର, ଯା ନେଇ ତା’ର ଛୋଟ ପରିବାର । ଶାଶୁ ଗଲେଣି ଆରପାରିକୁ × × ×

(ପଢ଼ୁ ପଢ଼ୁ ଅଧାରୁ ଅଟକିଲା ପ୍ରୀତିନନ୍ଦା । ସେ ପର୍ଯ୍ୟନ୍ତ ସଙ୍ଗୀତା ଆଉ କିଛି ପ୍ରଶ୍ନ ପଚାରୁନି । ପାଣ୍ଡୁଲିପି ପଢ଼ୁପଢ଼ୁ ପ୍ରୀତିନନ୍ଦାର ପାଟି ଅଠା ଅଠା ହୋଇଗଲାଣି । ପଢ଼ା ବନ୍ଦ କରି ସନାତନ ମଉସାଙ୍କୁ ପାଣି ଗୋଟେ ଜଗ୍‌ ଆଣିବାକୁ ସେ କହିଲା । ସନାତନ ମଉସା ପାଣି ଗୋଟେ ଜଗ୍‌ ଓ ଦୁଇଟା ଗ୍ଲାସ ଆଣି ଟେବୁଲ୍‌ ଉପରେ ରଖିଲେ । କହିଲେ ଆଉ କିଛି ଦରକାର ହେଲେ ଡାକିବ । ସଙ୍ଗୀତ ପ୍ରୀତିନନ୍ଦାକୁ ଅନେଇ ଦେଇ ଅନୁଚ୍ଚ ସ୍ୱରରେ ପଚାରିଲା, କୁବେର ସହିତ ଫୁଲର ଦେଖା ହେବ ତ ? ପ୍ରୀତିନନ୍ଦା କହିଲା, ମୋତେ ପାଣି ଗ୍ଲାସେ ପିଇବାକୁ ତୁ ଦେବୁ ତ ? ତୋତେ ପ୍ରଥମରୁ ମୁଁ କହି ରଖିଥିଲି ଯେ ଉପନ୍ୟାସ ପଢ଼ା ମଝିରେ କିଛି ପ୍ରଶ୍ନ ପଚାରିବୁନି ବୋଲି.... ! ସଙ୍ଗୀତା କହିଲା ଏଇଟା କ’ଣ ଗୋଟେ ପ୍ରଶ୍ନ, ମୁଁ ଯଦି ପଢ଼ିପାରିଥାନ୍ତି ପଚାରନ୍ତିକି ? ଆଚ୍ଛା କହ ତ, ଫୁଲ କ’ଣ ଏତେଦିନ ହେଲା କୁବେରକୁ ଖୋଜୁନି ? ଏକଦମ୍‌ ନିର୍ଦ୍ଦୟୀ ହୃଦୟ ହୋଇଥିବ ତା’ର....। ମୁଁ ହୋଇଥିଲେ ମାସରେ ଥରେ ନିଶ୍ଚୟ ଭେଟିବାକୁ ଯାଆନ୍ତି...। ପ୍ରୀତିନନ୍ଦା ହସିଲା-ଗ୍ଲାସଟା ଟେବୁଲ୍‌ରେ ରଖି କହିଲା ସଙ୍ଗୀତା ତୁ ଫୁଲ ଚରିତ୍ର ଭିତରେ ପୁରା ପଶିଗଲୁଣି ନା କ’ଣ ? ସାର୍‌ଙ୍କୁ ତାଙ୍କର କାହାଣୀର ସମାଲୋଚନାରେ ଏକଥା କହିବୁ ଯେ ମାସରେ ଅନ୍ତତଃ ଥରେ ଫୁଲ ତା’ ପୂର୍ବ ପ୍ରେମିକକୁ ଯାଇ ଭେଟିବା ଆବଶ୍ୟକ ଥିଲା...। ପ୍ରୀତିନନ୍ଦାର ପରିହାସରେ ସଙ୍ଗୀତାର ମୁହଁ ଶୁଖିଗଲା । କହିଲା ଛାଡ଼ ଛାଡ଼, ଜଲ୍‌ଦି ଜଲ୍‌ଦି ପଢ଼ିପକାଅ । ସାର୍‌ ଯଦି ପୁଣି ପହଞ୍ଚିବେ ଅଡ଼ୁଆ ହେବ । ପ୍ରୀତିନନ୍ଦା ପୁଣି ପଢ଼ିବା ଆରମ୍ଭ କଲା)

ସନ୍ଧ୍ୟା ନଇଁ ଆସିଲାଣି । ଅଧା ଅନ୍ଧାର, ଅଧା ଆଲୁଅରେ ନୂଆ ବୋହୂଟେ ପରି ଗାଁଟି ଦିଶୁଛି । ରାସ୍ତାଘାଟ ସବୁ ତା’ପାଇଁ ଅଟିହ୍ନା । କିଛିଦୂର ଗଲାପରେ କୁବେର ଏଥର ଛିଡ଼ା ହୋଇଥଲା ଫୁଲମତୀର ଶ୍ଵଶୁର ଘର ସାମ୍ନାରେ ।

ଶଙ୍ଖ ବାଜୁଥିଲା । ଆଳତୀର ଶବ୍ଦ ଶୁଭିଲା । ଚଉରାମୂଳେ । ସଞ୍ଜଦୀପ ଦେଇ ଓଳଗି ହେଉଛି ବୋହୂଟିଏ । ମୁଣ୍ଡରେ ଓଢ଼ଣା । ଫୁଲମତୀ ହେବକି କ’ଣ ? ପାଖକୁ ଭରସି କରି ଚାଲିଗଲା କୁବେର । ପୂଜା ଥାଳି ଧରି ଉଠୁଥିଲା ଫୁଲ । କୁବେରକୁ ଦେଖି ଚମକି ପଡ଼ିଲା । ହାତରେ ଧରିଥିବା ପୂଜା ଥାଳିଟା ଖସିପଡ଼ୁଥିଲା .... । ଦଉଡ଼ି ଆସି ଫୁଲ ତା’ର ହାତ ଦୁଇଟାକୁ ଜାବୁଡ଼ି ଧରିଲା ।

ଭୋ ଭୋ ହୋଇ ପିଲାଙ୍କ ଭଳି କାନ୍ଦି ଉଠିଲା, କହିଲା ବରଷେ ବିତିଗଲାଣି... ଆଜି ମନେପଡ଼ିଲା ? କୁବେର ସମ୍ଭାଳନ୍ତା କେମିତି ନିଜକୁ ? ଦୁହେଁ କାନ୍ଦୁଥିଲେ ନୀରବରେ ×××

ଦାଣ୍ଡଟାରେ କିଏ ଦେଖିବ କାଳେ, କୁବେର ତା’କୁ ବୋଧକରି କହିଲା ... ଘରେ ଆଉ ସବୁ କିଏ ଅଛନ୍ତି ଫୁଲ ? ତୋତେ ମୋର ଅନେକ କଥା କହିବାକୁ ଥିଲା...

ଫୁଲ ଲଣ୍ଠନଟା ଧରି ଘର ଭିତରକୁ ଗଲା । ତା’ ପଛେ ପଛେ କୁବେର ବି ପଶିଲା । × × × ବିଜୁଳି ନାହିଁ, ସବୁଆଡ଼େ ଅନ୍ଧାର । ଲଣ୍ଠନ ଆଲୁଆରେ ଚାରିଆଡ଼କୁ ଦୃଷ୍ଟି ପହଁରାଇ ନେଉଥିଲା କୁବେର ।

ଘର ଭିତରଟା ରାଜା ମହାରାଜାଙ୍କ ଘର ଭଳି ସଜା ଯାଇଛି । ବଡ଼ ବଡ଼ କୋଠରୀ, ଜମିଦାରିଆ ଘର । ଫୁଲର ଭାଗ୍ୟ ଉଜ୍ଜ୍ଵଳ, ଏମିତି ଘରେ ସେ ଆଜି ବୋହୂ ।

ଏଥର ଫୁଲ ତା’ ପାଖକୁ ଲଣ୍ଠନଟା ନେଇ ଆସିଲା । କହିଲା, ବିଜୁଳି କଟିଛି, ଘରେ ଏବେ କେହି ନାହାଁନ୍ତି । ସବୁ ଯାଇଛନ୍ତି ଗାଁ ମୁଣ୍ଡ ଭୂଆସୁଣୀ ମନ୍ଦିରକୁ । ଆଜି ଆମ ମନ୍ଦିର ପାଳି । ସେଇଠି ବି ଖିଆପିଆ ହେବ । ଫୁଲ ଲଣ୍ଠନଟାକୁ ତେଜି ଦେଉ ଦେଉ କହିଲା, ତୁ ଆଜି ଆସିବୁ ବୋଲି ମୁଁ ଜାଣିଥିଲି । ମୁଁ ମାଉସୀଙ୍କୁ କହି ମାଳତୀ ସହିତ ପ୍ରସ୍ତାବଟା ପକେଇଥିଲି ।

ଲଣ୍ଠନର ଆଲୁଅ ଏଥର ସିଧା ପଡ଼ୁଥିଲା ଫୁଲ ମୁହଁରେ । କୁବେର ତାକୁ ଅନେଇଦେଇ ଚମକି ପଡ଼ିଲା । ଫୁଲର ଚେହେରାରେ ଅଦ୍ଭୁତ ଏ କି ପରିବର୍ତ୍ତନ !

କୁବେର ମୁହଁକୁ ଚାହିଁ ଫୁଲମତୀ ହସୁଥିଲା.... ସେମିତି ଠୋ ଠୋ ହସ ତା’ର ଯାଇନି । କହିଲା, ତୁ ବି ଧୋକ୍କା ଖାଇଗଲୁ ନା କୁବେର ? ସମସ୍ତେ କହୁଛନ୍ତି କୁଆଡ଼େ ମୋର ଆଗ ଚେହେରା ଆଉ ନାହିଁ । ଏତିକି କହି ଦୀର୍ଘଶ୍ୱାସ ଛାଡ଼ିଲା ଫୁଲମତୀ × × ×

ନରେନ୍ଦ୍ରପୁର ଗାଁର ମୁଣ୍ଡିଆ ପାହାଡ଼ ପାଖରେ ଝରଣା ପରି ନାଚୁଥିବା ଫୁଲ ସେ ନ ଥିଲା । ବ୍ରାହ୍ମଣୀର ସରୁ ନଦୀ ଧାରକ ପାଖରେ ମେଞ୍ଚା ମେଞ୍ଚା କାଶତଣ୍ଡୀ ସାଙ୍ଗରେ ନାଚି ନାଚି ପଠାଟାକୁ ପାଗଳ କରିଦେଉଥିବା ଫୁଲମତୀ ତ ଏ ନୁହେଁ ? ?

ଗାଁଟା ଯାକର ଟୋକାଙ୍କୁ ମତୁଆଲା କରୁଥିବା ଷୋଡ଼ଶୀ ଫୁଲ ମୁହଁରେ ସେ ଔଜଲ୍ୟତା ନାହିଁ । ତା’ର ପାନପତ୍ର ପରି ମୁହଁ ଓ ପୋଟଳଚିରା ଆଖିରେ ଏତେ ବିଷାଦର ଚିହ୍ନ କୁଆଡ଼ୁ ଆସିଲା-? କିଛି ବେମାର ହୋଇଛି କି ଫୁଲକୁ ? ଫୁଲକୁ ଦେଖୁ ଦେଖୁ କୁବେରକୁ ଲାଗୁଥିଲା ପୁଣି ଯେମିତି ଆଉଥରେ ସେ ପାଗଳ ହୋଇଯିବ...। ଯାଇଥିଲା ଫୁଲକୁ କହିଥାନ୍ତା ତା’ ମନର କଥା, ହେଲେ ଫୁଲକୁ ଦେଖିବା ପରେ ତା’ ନିଜ କଥା ଭୁଲି ଯାଉଥିଲା ।

 

ଏଇଥିପାଇଁ ବର୍ଷେ ହୋଇଗଲା, ଦିନ ନାହିଁ ରାତି ନାହିଁ ମନେ ପଡ଼ୁଥିଲା କି ଫୁଲମତୀ-? କୁବେର ବ୍ୟସ୍ତ ହୋଇପଡ଼ିଲା । ଫୁଲ ହାତଧରି ସେ ନେଉରା ହୋଇ କହିଲା, ଫୁଲ କ’ଣ ତୋ’ର ହୋଇଛି ? ଝଟ୍‌କିନା କହିଦେ ମୋତେ । କିଏ ଆସିଗଲେ ପୁଣି ସବୁକଥା ଅକୁହା ରହିଯିବ-। ମୋ କଥା ପଛେ ଥାଉ, ଆଗ ତୋ କଥା କହ । ନଇଲେ କହିଦେଉଚି, ମୁଁ ଜମାରୁ ଏଠୁ ଯିବିନି କି ବାହା ହେବିନି ।

 

ଫୁଲ କହିଲା, ମୋ ରାଣ କୁବେର, ବାହାଘର ଭାଙ୍ଗନା । ଘର ସଂସାର କର । ତା’ ନ ହେଲେ ତୋତେ ସମ୍ଭାଳିବ କିଏ ? ତୁ ଭଲରେ ରହ ମୁଁ ସେତିକି ଚାହେଁ ।

 

ଦୀର୍ଘନିଶ୍ଵାସଟେ ଛାଡ଼ି କହିଲା, ଠିକ୍‌ ଅଛି- ମୋ ବାହାଘର ପରଠୁ ନରେନ୍ଦ୍ରପୁରକୁ ଯାଇନି । ଭାବୁଚି, ଯେମିତି ହେଲେ କିଛିବି ବାହାନା କରି ତୋ ବାହାଘରକୁ ଯିବି । ଦୁଇଦିନ ରହିବି-। ସେଇଠି ସବୁକଥା ହେବା । ବାହାରେ କ’ଣ ଗୋଟେ ପଡ଼ିବାର ଶବ୍ଦ ହେଲା ।

 

ଫୁଲମତୀ ଚମକି ପଡ଼ୁଥିଲା । କହିଲା ଏମାନଙ୍କର ଆସିବା ସମୟ ହେଲାଣି । ତୁ ଯା’ କୁବେର । ଏ ଗାଁରେ ବି ଅଧେ ସମୟରେ ବିଜୁଳି ରହୁନି । ଆସିଲୁ ଯେ ଚା’ କପେ ବି ଦେଇପାରିଲିନି । ମୋ ଭାଗ୍ୟଟା ପୋଡ଼ାରେ କୁବେର । ମଣିଷ ହାତରେ କ’ଣ ଅଛି ? ସବୁପରା ସେଇ ଦଇବ ହାତରେ... ... ଅନ୍ୟମନସ୍କଭାବେ ବାଉଳୁଥିଲା ଫୁଲ ।

 

ମନରେ ଅନେକ ଆଶଙ୍କା ଓ ଦୁର୍ଭାବନାକୁ ବୋହି କୁବେର ଫେରିଲା ଗାଁକୁ । ଏମିତି ପରିସ୍ଥିତିରେ ସେ କ’ଣ କରିବ ନ କରିବ କିଛି ବୁଝିପାରୁ ନ ଥିଲା । ନିଜ ଦୁଃଖ ସବୁ ତାକୁ ଏବେ ଆଉ ବ୍ୟସ୍ତ କରୁ ନ ଥିଲା ।

 

ଫୁଲମତୀ ବାଇଆଣୀଟା । ଗେଲବସରରେ ବଡ଼ ହୋଇଛି । ସଂସାର ବିଷୟରେ କିଛି ଧାରଣା ନ ଥିଲା, ସାମାଜିକ ଜଞ୍ଜାଳ ସମ୍ପର୍କରେ କୌଣସି ଜ୍ଞାନ ନ ଥିଲା, ନୂଆ ପରିବାର ଭିତରେ ଚଳିବାକୁ କଷ୍ଟ ହେଲାକି ତା’କୁ ? ଏମିତି କ’ଣ ଭୁଲଭଟକା ହୋଇଗଲା ? କିମ୍ବା କୌଣସି ରୋଗର ଶିକାର ହେଲାକି ଆଉ ? ଏମିତି ବି ହୋଇପାରେ ସ୍ୱାମୀ ତା’ର ଦୂରରେ ରହୁଥିବାରୁ ବିଚାରି ବେସାହାରା ହୋଇପଡ଼ିଛି ।

 

ଶାଶୁ ତ ନାହିଁ । ପରିବାର ଯାକର କାମ ତ ସମ୍ଭାଳିବାକୁ ପଡ଼ୁଥିବ... । ଏପଟେ ବାପାଟା ତା’ର ଏତିକିବେଳକୁ ସଂସାର ଛାଡ଼ି ଚାଲିଗଲା ! କୁବେର ଭାବିଯାଉଥିଲା ମାତ୍ର କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିବା ତା’ ପାଇଁ ସହଜ ନ ଥିଲା ।

 

କେଇଟା ଦିନ ପରେ ତା’ ବାହାଘର । ସେଇଦିନ ଗାଁକୁ ଆସିବ ଫୁଲମତୀ । କଥା ଦେଇଛି ତା’କୁ । ଦି’ ଦିନ ରହିବ ଗାଁରେ । କୁବେର ଭାବୁଥିଲା, ଫୁଲ ଆସିଲେ ତା’ ସହିତ ଏଥର ଖୋଲାଖୋଲି କଥା ହେବ ସେ । ବିତିଗଲା କଥା କହି ସେ । ଆଉ ଦୁଃଖ ଦେବନି ଫୁଲକୁ । ଫେରାଇଦେବ ତା’ ପାଖରେ ଥିବା ଫୁଲର ଯେତେସବୁ ଛୋଟବଡ଼ ସ୍ମୃତି ସବୁକୁ । ଫେରାଇଦେବ ସେଇ ଫଟୋ ଖଣ୍ଡିକ ଯେଉଁଟାକୁ ଆଜିଯାଏଁ ସେ ଛାତି ପକେଟ୍‌ରେ ଧରି ବୁଲୁଛି... । ଫୁଲ ଯେଉଁଠି ଥାଉ ସୁଖରେ ଥାଉ ।

 

× × × ନରେନ୍ଦ୍ରପୁରରେ ଢୋଲ ବାଜିଲେ ପୁରୁଷୋତ୍ତମପୁରରେ ଶୁଭେ । କୁବେରର ମଙ୍ଗନ ସରିଲା । ପୁରୁଷୋତ୍ତମପୁରରୁ ନରେନ୍ଦ୍ରପୁର ଯାଏ ସବୁଠି ପିଲାଙ୍କଠୁ ବୁଢ଼ା ଯାଏ ଖୁସିରେ ଏ ଗାଁରୁ ସେ ଗାଁ ଦଉଡ଼ୁଥିଲେ । ହେଲେ ଯାହାକୁ କୁବେର ଅପେକ୍ଷା କରିଥିଲା ସେ ଆସିଲାନି ।

 

ଘର ଲୋକେ ବାହାଘର ନେଇ ବ୍ୟସ୍ତ ଥିଲେ । ପୁରୁଷୋତ୍ତମପୁରର କେଇଜଣକୁ ବୁଲେଇ ବଙ୍କେଇ ପଚାରିଥିଲା କୁବେର, ହେଲେ ଫୁଲମତୀ କଥା କେହି କିଛି କହିପାରିଲେନି । ସନ୍ଧ୍ୟା ହେଲା, ପୁଣି ସନ୍ଧ୍ୟା ଯାଇ ରାତି । ବର ହୋଇ ପାଲିଙ୍କିରେ ବସି ପୁରୁଷୋତ୍ତମପୁରରେ ପହଞ୍ଚିଲା । କୁବେରକୁ ସବୁ କେମିତି ଅବାସ୍ତବ ଲାଗୁଥିଲା ।

 

କାହାର ଲୁହଜକା ମୁହଁଟା ପୋଖରୀର ହଲିଲା ପାଣିରେ ପହଁରିଗଲା ଭଳି ଦିଶୁଯାଉଛି ବାରମ୍ବାର । ଏମିତି ଲାଗୁଛି ଯେମିତି ରାତିଟା କଳାଚଦର ଘୋଡ଼ାଇ ହୋଇ ମୁହଁ ଲୁଚାଇ ଗୁମୁରି ଗୁମୁରି କାନ୍ଦୁଛି । ଭୋର ସୁଦ୍ଧା ହାତଗଣ୍ଠି ବି ପଡ଼ିଗଲା । ହେଲେ ତା’ର ବିବାହ ବେଦୀ ଆଖପାଖରେ ବି ସେ ଦେଖିଲାନି ଫୁଲକୁ । ଖୁବ୍‌ ବେଶିରେ ଆଉ ଅଧଘଣ୍ଟା ପରେ ସେ ମାଳତୀକୁ ନେଇ ଫେରିବ ନରେନ୍ଦ୍ରପୁର । ହେଲେ କ’ଣ ସେ କରିପାରିବ ?

 

ଡିଆଁଟେ ମାରିଲେ ଫୁଲର ଶ୍ଵଶୁର ଘର । ଅଥଚ ସେ ଅସହାୟ । ତାକୁ ତ ସମସ୍ତେ ଘେରି ରହିଛନ୍ତି, ଉପାୟ ଖୋଜୁ ଖୋଜୁ ସମୟ ବିତିଯାଉଥିଲା । ସମସ୍ତଙ୍କଠାରୁ ବିଦାୟ ନେଇ ସବାରୀରେ ବସିଲାଣି ମାଳତୀ । ପାଲିଙ୍କିରେ ବସିଲାବେଳକୁ ନିରାଶରେ ପୁଣିଥରେ ଫୁଲ ଘର ଆଡ଼କୁ ଅନାଉଥିଲା କୁବେର । ଫେରିବାକୁ ସମସ୍ତେ ପ୍ରସ୍ତୁତ ହେଉଥିଲେ । ଅନ୍ତରାତ୍ମା ଭେଦି ଦୀର୍ଘ ନିଶ୍ୱାସଟିଏ ବାହାରିଯାଉଥିଲା ।

 

ହୃଦୟର ବେଦନା ସତରେ କାହାକୁ ଦେଖାଇ ହୁଏନା । ନିଜ ମନକୁ ପଚାରୁଥିଲା କୁବେର । ଫୁଲ ତା’ର କ’ଣ ଲାଗେ ଯେ ? ତାକୁ ଆଖି ପୁରାଇ ଥରେ ଦେଖିବାକୁ ମନ ଏତେ ଉଚ୍ଚାଟ କାହିଁକି ହେଉଛି ? ହୃଦୟଟା ଯେମିତି ତା’ର ଶରୀର ଭିତରୁ ବାହାରି କୁଆଡ଼େ ଆଡବାୟା ଭଳି ପଳାଇ ଯାଉଛି ।

 

ଫୁଲ ଘର ସାମ୍ନାରେ ଅଟକାଇବ କି ପାଲିଙ୍କିକୁ ? ଡାକିବ କି ଫୁଲକୁ ? ସେଦିନ ମୁହଁ ସଞ୍ଜଟାରେ ମନଭରି ତାକୁ ଦେଖିପାରିଲାନି କି ଦି’ପଦ ଭଲରେ କଥା ହୋଇପାରିଲାନି । ଇଚ୍ଛା ହେଉଥିଲା ସବୁ ଲୋକଲଜ୍ଜାକୁ ଭୁଲି ଓହ୍ଲାଇପଡ଼ନ୍ତା ପାଲିଙ୍କିରୁ । ଦଉଡ଼ି ଦଉଡ଼ି ପହଞ୍ଚିଯାଆନ୍ତା ଫୁଲ ପାଖରେ । ଶେଷଥର ପାଇଁ ଆଖି ପୁରାଇ ଥରେମାତ୍ର ଦେଖିନିଅନ୍ତା ଫୁଲକୁ ...

 

ହେଲେ ଦୋ ଦୋ ପାଞ୍ଚ ଭିତରେ ପାଲିଙ୍କି ପାରେଇଗଲାଣି ଫୁଲର ଘରକୁ । ଦିଶିଲାଣି ନରେନ୍ଦ୍ରପୁର ଶିବମନ୍ଦିରର ନାଲିପତାକା । ପଛରେ ରହିଗଲାଣି ପୁରସ୍ତମପୁର ଗାଁ × × ×

 

ସେତେବେଳକୁ ସିନ୍ଦୁରା ଫାଟିଲାଣି...। ପାଲିଙ୍କି ଓ ସବାରୀ ଆଗପଛ ହୋଇ ଧାନକେଣ୍ଡା ସବୁକୁ ଆଡ଼େଇ ଆଡ଼େଇ ଧାନ ବିଲରେ ହିଡ଼େ ହିଡ଼େ ଚାଲିଛି । ପାଲିଙ୍କି ପଛରେ ବି ଗାଁର ପିଲାଏ ଦଉଡୁଛନ୍ତି । ହଠାତ୍‌ ଛୋଟ ପିଲାଟିଏ ଦଉଡ଼ି ଆସି ତା’ ହାତରେ କାଗଜଖଣ୍ଡେ ଧରାଇଦେଇ ବିଜୁଳି ପରି ଦଉଡ଼ି ଚାଲିଗଲା । ଫୁଲର ହାତଲେଖା ଚିଠି ଦେଖି କୁବେରର ନିଶ୍ୱାସ ପ୍ରଖର ହୋଇଉଠିଲା ।

 

କ୍ଷଣିକ ପାଇଁ କୁବେର ଭୁଲିଯାଉଥିଲା ବର୍ତ୍ତମାନକୁ । କଳ୍ପନା ରାଜ୍ୟ ତା’ର ହୋଇଉଠୁଥିଲା ଫୁଲ ଆଉ ଫୁଲମୟ । ଚିଠିରେ ଗୋଟିଏ ଧାଡ଼ି ଲେଖାଥିଲା- ‘ସନ୍ଧ୍ୟାରେ ତୁମ ଗାଁ ନଇପଠା ମନ୍ଦିର ବେଢ଼ାରେ ଅପେକ୍ଷା କରିବ’- ମୁଁ ପହଞ୍ଚିବି । ଫୁଲ...

 

(ସନାତନ ମଉସ । ପୁଣି ଭିତରକୁ ପଶିଆସିଲେ । ଏଥର ତାଙ୍କ ହାତରେ ଦୁଇପ୍ଲେଟ ଜଳଖିଆ ଥିଲା । ପ୍ରୀତିନନ୍ଦା ବହିପଢ଼ା ବନ୍ଦ କରି କହିଲା ମଉସା ଏସବୁ କ’ଣ ହେବ ? ସାର୍‌ଙ୍କ ପାଇଁ ତିଆରି କରିଥିବା ମାଲପୁଆକୁ ଆମକୁ ଦେଉଛ ନା କ’ଣ ? ସାର୍‌ ଆସିଲେ ଖାଇବେ କ’ଣ-? ଆମେ ଏବେ ହଷ୍ଟେଲ୍‌ ଫେରିଲେ ସେଠି ଖାଇବୁ ।

 

ତୁମେ ଆଦୌ ବ୍ୟସ୍ତ ହୁଅନାହିଁ ।

ସନାତନ ମଉସା କହିଲେ ନା, ନା ସାର୍‌ଙ୍କ ପାଇଁ ଅଛି । ତୁମେମାନେ ପ୍ରଥମଥର ପାଇଁ ଆସିଛ ।

ସାର୍‌ ଜାଣିଲେ, ମୋତେ ଖରାପ ଭାବିବେ ? ସାର୍‌ଙ୍କର ବିଶେଷ କେହି ବନ୍ଧୁବାନ୍ଧବ ଅବା ପ୍ରିୟ ପରିଜନ ଏଠିକୁ ଆସନ୍ତି ନାହିଁ ।

କେବେ କେମିତି ଅଧ୍ୟାପକ ବନ୍ଧୁ ଅବା ଛାତ୍ରଛାତ୍ରୀମାନେ ପଶି ଆସନ୍ତି । କାହାକୁ ସେମିତି ଅଧିକ ଚର୍ଚ୍ଚା କରିବାକୁ ସୁଯୋଗ ବି ପାଏନି ।

ଏଥର ସଙ୍ଗୀତା ଚିଡ଼ିମିଡ଼ି ହେଉଥିଲା । କାହାଣୀ କେମିତି ସରିବ ସେଇ ଚିନ୍ତାରେ ସେ ଆଖିରେ ଈଶାରା ଦେଉଥିଲା ମଉସାଙ୍କ କଥା ନ ଶୁଣିବା ପାଇଁ । ହେଲେ ପ୍ରୀତିନନ୍ଦା କହିଲା ସଙ୍ଗୀତା-ସନାତନ ମଉସା ଶ୍ରଦ୍ଧାରେ ମାଲପୁଆ ଆଣି ଦେଇଛନ୍ତି ଖାଇଦେ । ତା’ପରେ କାହାଣୀ ଶୁଣିବୁ ।

ମାଲପୁଆ ଖାଇବା ମଧ୍ୟରେ ସନାତନ ମଉସା କହୁଥିଲେ କିଭଳି ବାରବର୍ଷ ତଳେ ଏକ ବସ୍‌ ଦୁର୍ଘଟଣାରୁ ସାର୍‌ଙ୍କ ସହିତ ସାକ୍ଷାତ୍‌ ହୋଇଥିଲା । ସେହି ଦୁର୍ଘଟଣାରେ ସନାତନଙ୍କ ବାପା ମା’ ଚାଲିଗଲେ ।

ସାର୍‌ ସନାତନଙ୍କ ଚିକିତ୍ସା ପାଇଁ ବହୁ ଅର୍ଥବ୍ୟୟ କରିଥିଲେ । ଆରୋଗ୍ୟ ହେଲାପରେ ସନାତନ କୁଆଡ଼େ ନ ଯାଇ ସାର୍‌ଙ୍କ ପାଖରେ ସାରାଜୀବନ ରହିବେ ବୋଲ ନିଷ୍ପତ୍ତି ନେଇଥିଲେ ଏବଂ ସେହିଦିନୁ ସାର୍‌ଙ୍କ ପାଖରେ ରହୁଛନ୍ତି । ସାର୍‌ଙ୍କୁ ସେ ନିଜର ପିତାମାତା ଭଳି ଶ୍ରଦ୍ଧାସମ୍ମାନ କରନ୍ତି ।

ପ୍ରୀତିନନ୍ଦା ସନାତନଙ୍କ କାହାଣୀ ଶୁଣିବା ଭିତରେ ସଙ୍ଗୀତା ମାଲପୁଆଗୁଡ଼ିକୁ ଖାଇ ଶେଷ କରିଦେଇଥିଲା । ପ୍ରୀତିକୁ ହଲାଇଦେଇ କାନ୍ଦିଲା ।

ମୋର ଖାଇବା ଶେଷ ହୋଇଗଲା । ସନାତନ ମଉସାଙ୍କୁ ପ୍ଲେଟ୍‌ଗୁଡ଼ାକ ଉଠାଇ ନେବାକୁ କହି ଜଲ୍‌ଦି ପଢ଼ିବା ଆରମ୍ଭ କର । ତାଗିଦ୍‌ କରୁଥିଲା ସେ । ପ୍ରୀତିନନ୍ଦା ପଢ଼ିବାକୁ ବସିଲା ବେଳକୁ ସଙ୍ଗୀତା ଟିକେ ରହିବାକୁ କହି ପଚାରିଲା, ବାସ୍‌, ମୋର ଗୋଟିଏ ମାତ୍ର ପ୍ରଶ୍ନର ଉତ୍ତର ଦେ । ତା’ପରେ ଆଉ କିଛି ପଚାରିବି ନାହିଁ ।

କୁବେରର ବାହାଘର ସରିଗଲା । ଫୁଲ କୁଆଡ଼େ ଗାଏବ ହୋଇଗଲା ଯେ ? ଏ ଫୁଲଟା କ’ଣ ପ୍ରକୃତରେ ପାଗେଳୀଟେ ନାଁ କ’ଣ ? ସେଦିନ କୁବେରକୁ ଜବାବ ଦେଇଥିଲା ତା’ ବାହାଘରକୁ ଯିବ ବୋଲି । ହେଲେ ନା ନରେନ୍ଦ୍ରପୁରକୁ ଗଲା ନା ମାଳତୀ ଘରକୁ... ।

ସବୁ ଭୁଲ୍‌ ତା’ରି । କୁବେରର ଭଲ ପାଇବାକୁ ବୁଝିଲାନି । ବିଚରା କୁବେରକୁ ହତାଶ୍‍ କଲା । କୁବେରକୁ ମାଳତୀ ସହିତ ବାହା କରାଇ ଏପଟେ ବାହାଘରକୁ ତ ଆସିଲାନି । କୁବେର ବାହାହୋଇ ସାରିଲାବେଳକୁ ଚିଠି ପଠଉଛି... ତା’ ସହିତ ଦେଖା କରିବାକୁ ନିର୍ଜ୍ଜନ ସ୍ଥାନକୁ ଡାକୁଛି । ପୁଣି କୋଉଠିକୁ ଡାକୁଛି କହିଲୁ ? ସେଇ ନଦୀପଠା.....ସେଇ ମନ୍ଦିରବେଢ଼ାକୁ ।

ଏଥିରେ କୁବେରର ନବବିବାହିତା ସ୍ତ୍ରୀ ମାଳତୀ କ’ଣ ଭାବିବ କହିଲୁ ? ନିହାତି ଘରଭଙ୍ଗା କଥା କି ନାହିଁ ? ମୁଁ ହୋଇଥିଲେ ଏମିତି କଦାପି କରି ନ ଥାନ୍ତି । ଯଦି କରିଥାନ୍ତି ବାହାଘର ଆଗରୁ.....ପ୍ରୀତିନନ୍ଦା ସଙ୍ଗୀତାର ପ୍ରଗଳ୍ଭତାକୁ ଦେଖି ହସି ହସି ଗଡ଼ିଗଲା । କହିଲା-ବହିଟା ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଶୁଣିଲେ ମୁଁ ଭାବୁଛି ସବୁ ଉତ୍ତର ପାଇଯିବୁ । ଏବେଠୁ ଏମିତି ଅଧୀର ହେଲେ ହେବନି ।

ଏବେ ଆଗକୁ ଯେତେବେଳେ ପ୍ରଶ୍ନ ପଚାରିବାକୁ ଇଚ୍ଛା ହେବ, ସେବେ ମନେରଖିବୁ ଯେ ଏହା ଏକ କାହାଣୀ । ସଙ୍ଗୀତାର ଉତ୍ତରକୁ ଅପେକ୍ଷା ନ କରି ପୃଷ୍ଠା ଓଲଟାଇଲା ପ୍ରୀତିନନ୍ଦା ।)

× × × କେମିତି କେତେବେଳେ ସକାଳ ଯାଇ ଦ୍ଵିପ୍ରହର ହେଲା ଓ ଦ୍ୱିପ୍ରହରଟା ସଞ୍ଜେଇଲା ତା’ କୁବେରକୁ ମାଲୁମ୍‌ ପଡ଼ିଲାନି । ଘରେ ବାହାଘରିଆ ବନ୍ଧୁବାନ୍ଧବ, କୁଣିଆ । ଥଟ୍ଟା ତାମ୍‌ସା ଓ ଖିଆପିଆ ମଧ୍ୟରେ କୁବେର କେବଳ ଅପେକ୍ଷା କରିଥିଲା ସନ୍ଧ୍ୟାକୁ ।

ନଈପଠାକୁ । ଫୁଲ ଆସିବ. .... । ଭୁଲିଯାଉଥିଲା କୁବେର ଆଉ ସବୁକଥା.... ଏମିତିକି ମାଳତୀକୁ । ଗାଁ ତୋଟା ଭିତର ଦେଇ ଦଉଡ଼ୁଛି କୁବେର । ଆଜି ସେ ପ୍ରଥମେ ପହଞ୍ଚିବ ସବୁଦିନ ଭଳି... । ଆଜି ତାକୁ ଲାଗୁଛି ଯେମିତି ପୁଣି ସେଇ ବିତିଗଲା ଫଗୁଣ ଫେରିଛି । ପୁଣିଥରେ ଫୁଲେଇ ନଦୀ ଉଛୁଳି ଉଛୁଳି ପ୍ରେମର ସୁରରେ ନାଚୁଛି ।

ସଞ୍ଜୁଆ ପବନର ଓଢ଼ଣା ତଳେ ନାଲି ଶାଢ଼ି ଆଉ କହୁଣୀ ଯାଏ ନାଲି ଶଙ୍ଖା ପିନ୍ଧି ନିଛାଟିଆ ମନ୍ଦିର ବେଢ଼ାର ସେଇ ଡଉଲଡାଭଲ ବଉଳ ଗଛମୂଳ ଚାନ୍ଦିନୀ ଉପରେ ବସିଥିବ କି ଫୁଲମତୀ ? ସେ ଯାଉ ଯାଉ ତାକୁ ଦେଖିଲା ମାତ୍ରେ ତା’ ଦେହରେ ଲଟେଇଯିବ..... କହିବ..... କୁବେର, ଆଉ ତୋ’ର କିଛି କହିବା ଦରକାର ନାହିଁ । ମୁଁ ସବୁ ବୁଝିଛି । ଦେଖ୍‌ ତୋରି ପାଇଁ ମୁଁ ସମସ୍ତଙ୍କୁ ପଛରେ ଛାଡ଼ି ଦୌଡ଼ି ଆସିଛି । ମୁଁ ତୋରି ଫୁଲ... କେବଳ ତୋରି × × ×

ଝୁଣ୍ଟିପଡ଼ିଲା କୁବେର । ଯନ୍ତ୍ରଣାରେ ପାଟିରୁ ଆଃ ବାହାରି ଯାଉଥିଲା ପ୍ରକୃତିସ୍ଥ ହେଉଥିଲା... ଆଉ କେଇ ପାହୁଣ୍ଡ ରହିଲା ମନ୍ଦିରବେଢ଼ା ... ଆଉ ସେ ପାଗଳଟେ ପରି କି କଥା ସବୁ ଭାବିଯାଉଛି ?

ଫୁଲମତୀ ବିବାହିତା... ସେ ପୁଣି କାଲି ମାଳତୀ ମଥାରେ ସିନ୍ଦୂର ଭରିଛି । ନିଜେ ଫୁଲ ଏ ବିବାହ ପାଇଁ ମାଳତୀକୁ ରାଜି କରାଇଛି । ସବୁକିଛି ସରିଗଲା ପରେ ଏମିତି ଭଦ୍ଭଟ ଚିନ୍ତା ତା’ ମୁଣ୍ଡକୁ କେମିତି ଆସୁଛି ଭାବି ନିଜେ ବ୍ୟସ୍ତ ହୋଇପଡ଼ୁଥିଲା କୁବେର ।

ପୁଣି ଚିନ୍ତା କରୁଥିଲା, କିଏ ଜାଣେ ଫୁଲମତୀ କି ପରିସ୍ଥିତିରେ ଅଛି ? ସେଦିନ ଖୁବ୍‌ ରୋଗୀଣା ବି ଦିଶୁଥିଲା । କିଛି ବଡ଼ ରୋଗ ବଇରାଗ ହେଲା କି ଆଉ ? ସମସ୍ତଙ୍କୁ ଲୁଚାଇ ହୁଏତ ତାକୁ ଡାକିଛି, କହିବ ତା’ ବାହାଘରକୁ ନ ଆସିବାର କାରଣ ଓ ତାକୁ ହୁଏତ କୈଫିୟତ ଦେବ । ବୁଝାଇବ ତାକୁ ଭୁଲି ମାଳତୀ ସହିତ ଭଲରେ ସଂସାର କରିବାକୁ ×××

କୁବେରର ମନଟା ଦବି ଦବି ଯାଉଥିଲା । ଫୁଲ ନିଜ ସମ୍ପର୍କରେ କ’ଣ କିଛି କହିବ କି ଆଉ ? ଦରକାର ପଡ଼ିଲେ ଫୁଲପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ହେଉଥିଲା । ଦେହପା’ ଯଦି ବେଶି ଖରାପ ଥିବ ତାକୁ ଚିକିତ୍ସା ପାଇଁ ସହର ସେ ନେବାକୁ ଡରିବନି ।

ମା’ ବାସୁଳୀ ଯଦି ଚାହାନ୍ତି ଫୁଲର ଯାହା କିଛି ଅଭାବ ବା ଅସୁବିଧା ଥିବ ତା’ ନିଶ୍ଚୟ ଦୂର ହେବ.... । କିଏ ଜାଣେ ଫୁଲ ସତରେ ଆସିଥିବ କି ନାହିଁ ?

ଏମିତି ଭାବୁ ଭାବୁ କୁବେର ମନ୍ଦିର ବେଢ଼ାରେ ପହଞ୍ଚି ଯାଇଥିଲା । ସେଇ ବଉଳ ଗଛର ଚାନ୍ଦିନୀ ଉପରେ ବସିଥିଲା ଫୁଲ । ସଞ୍ଜ ଯାଇ ରାତି ପଶୁଥିଲା ଆଉ ଆକାଶରେ ହସୁଥିଲା ପୁନେଇ ଚାନ୍ଦ । ତୋଫା ଜହ୍ନ ଆଲୁଅରେ ଫୁଲ ପରୀଟିଏ ପରି ଦିଶୁଛି । ମୁଣ୍ଡରେ ଓଢ଼ଣା ଦେଇ କେମିତି ସରମୀ ସରମୀ ଲାଗୁଛି ।

ଆଗଭଳି ଦଉଡ଼ି ଆସିଲାନି ତା’ ପାଖକୁ । ଦୁଇ ହାତ ତା’ ବେକରେ ଛନ୍ଦି ଓହଳି ପଡ଼ିଲାନି । କୁବେର ଚୁପ୍‌ଚାପ୍‌ ଯାଇ ଫୁଲ ପାଖରେ ବସିଲା । କହିଲା, ବାହାହେଲା ପରେ ତୁ ଏତେ ବଦଳିଯିବୁ ବୋଲି ମୁଁ ଭାବି ନ ଥିଲି ଫୁଲ । ଗୋଟିଏ ବର୍ଷ ଭିତରେ କେହି କ’ଣ ଏତେ ବଦଳିଯାଏ ?

ଫୁଲ ନୀରବ । ହଁ କି ନାଁ କିଛି କହିଲାନି । ହଲଚଲ ବି ଟିକେ ହେଉନି । କି ଭାବନାରେ ହଜିଯାଇଛି କେଜାଣି ?

ତୁ ଡରୁଛୁ କି ଫୁଲ ? ଦେଖ, ମୁଁ ତ ତୋତେ କହି ନ ଥିଲି ଏମିତି ନିଛାଟିଆ ଜାଗା ପୁଣି ରାତି ସମୟକୁ ଆସିବାକୁ ? ତୋ’ର କ’ଣ ଇଚ୍ଛା କିଏ ଜାଣେ ? ମୋ ବାହାଘର ହେବ, ପୁଣି ମାଳତୀ ସହିତ ହେବ ବୋଲି ମୋ ବୋଉକୁ ତୁ ପ୍ରସ୍ତାବ ଦେଇଥିଲୁ । ଖାଲି ତୁ କହିଥିଲୁ ବୋଲି ମୁଁ ମାନିନେଲି ।

ହେଲେ ମୋ ବାହାଘରକୁ ଆସିବୁ କହି ତୁ ଆସିଲୁନି । ତୋ ଗାଁକୁ ବର ହୋଇ ଖାଲି ତୋ’ରି ପାଇଁ ମୁଁ ଗଲି । ମାଳତୀ ମଥାରେ ସିନ୍ଦୁର ଭରିଲି । ଖାଲି ତୋ’ରି ପାଇଁ । ତତେ ସେଠି କେଉଁଠି ବି ଦେଖିଲିନି । ଫେରିଲାବେଳକୁ ପୁଣି ହଠାତ୍‌ ତୋ ଚିଠି ପାଇଲି...

ବିଶ୍ଵାସ ତ ନ ଥିଲା ତୁ ଏ ମୁହଁ ସଞ୍ଜବେଳଟାରେ ଏଠିକୁ ଆସିବୁ । ପୁଣି ଏକା ଏକା । ଫୁଲମତୀ ତଥାପି ନୀରବ । ତା’ର ଆହୁରି ନିକଟକୁ ଗଲା କୁବେର, ଖୁବ୍‌ ଧୀରେ ପଚାରୁଥିଲା । କହ ଏତେଦୂର ଏକା ଏକା କେମିତି ଆସିଲୁ ? କିଏ ଆସିଥିଲା କି ସାଙ୍ଗରେ ? ମୋତେ ଏଠିକି ଏମିତି କାହିଁକି ଡାକିଲୁ ? ଦେଖ, ତୁ ଥରେ ଡାକିଲୁ ଆଉ ମୁଁ ସବୁ କାମ ଛାଡ଼ି କେମିତି ଚାଲିଆସିଲି-। ଟିକେ ଡେରି ହେଲା ବୋଲି ରାଗିଛୁକି ଫୁଲ ?

ଦେଖ, ତୁ ପରା ଏ ପାଞ୍ଚଟା ଗାଁର ମହାରାଣୀ... ମୁଁ ଛାର ନୌକର । କହ ଏ ଦାସ ପାଇଁ ତୋ’ର କି ଆଦେଶ ? କୁବେର ଫୁଲର ମଥା ଉପରେ ଧୀରେ ହାତ ରଖିଲା ଓ ପରିବେଶକୁ ହାଲ୍‌କା କରିଦେବାକୁ ଚେଷ୍ଟା କରୁଥିଲା ।

ଚନ୍ଦ୍ରଉଦିଆ ଆକାଶଟାରେ ଶୁଖିଲା ବିଜୁଳିଟେ ଚମକି ଉଠିଲା । କୁବେରର ହାତଟା ଫୁଲର ମୁଣ୍ଡ ଉପରୁ ଖସି ପଡ଼ିଲା । ଫୁଲ ହସୁଥିଲା... ସେଇ ପୁରୁଣା ଖିଲି ଖିଲି ମନଚୋରା ହସ । ଅବାକ୍‌ ହୋଇ ଚାହିଁଥିଲା କୁବେର ।

ଫୁଲମତୀ ମଥା ଉପରୁ ଖସିପଡ଼ୁଥିଲା ଓଢ଼ଣା । ନାଲିଛିଟର ସିଲ୍କ ଉପରେ ସୁନେଲି ବନାରସୀ ଜରିକାମର ଓଜନିଆ ଶାଢ଼ି ପିନ୍ଧିଥିଲା ଫୁଲ । କପାଳ ଉପରେ ଚିକ୍‌ଚିକ୍‌ କରୁଥିଲା ମୂଲ୍ୟବାନ ହୀରା ପଥରଖଞ୍ଜା ମଥାମଣି । କାନରେ କାନ୍ଧ ପର୍ଯ୍ୟନ୍ତ ଓହଳିଥିବା ବାଲି ତାକୁ ଚମତ୍କାର ମାନୁଥିଲା । ନାକରେ ଛୋଟ ଡାଇମଣ୍ଡ କଟା ହୀରାର ବସଣୀ, ଝାପ୍‌ସା ଜହ୍ନ ଆଲୁଅରେ ଚିକ୍‌ଚିକ୍‌ କରୁଛି ।

ଫୁଲ ହସୁଛି । ସାବଲୀଳ ଓ ସହଜ ହେବାକୁ ଚେଷ୍ଟା କରୁଛି, ଏହା କୁବେର ବୁଝିପାରୁଥିଲା । ଫୁଲ ମୁହଁର ଗାମ୍ଭୀର୍ଯ୍ୟ ଏହି ଅଧା ଅନ୍ଧାର ଓ ଅଧା ଆଲୁଅରେ ବି କୁବେରକୁ ଛୁଇଁଯାଉଛି ।

ବଡ଼ ସନ୍ତର୍ପଣରେ ଫୁଲ ହସୁଛି । ସେ ହସରେ ତା’ କୁମାରୀ ଦିନର ପାଗଳପଣ ନ ଥିଲା ହେଲେ ସେଦିନ ତା’ ଶ୍ଵଶୁର ଘର ଚଉରାମୂଳେ ଭେଟିଥିବା ବେଳର ନିସ୍ତେଜତା ମଧ୍ୟ ନ ଥିଲା-

କୁବେର ଆପଣାପଣରେ ଫୁଲମତୀର ଦୁଇହାତକୁ ନିଜ ହାତରେ ତୋଳି ଆଣି କୋଳରେ ରଖିଲା ଓ ତାକୁ ନିରିଖେଇ ଦେଖୁଥିଲା । ତା’ ଶରୀରର ଆଙ୍ଗୁଠି ଠୁ ବାହୁବନ୍ଧ, ମୁଣ୍ଡଠୁ ତଳିପା ଯାଏଁ ଖୁନ୍ଦି ହୋଇଛି ମୂଲ୍ୟବାନ ଅଳଙ୍କାରରେ । ଏତେ ଐଶ୍ଵର୍ଯ୍ୟର ଅଧିକାରିଣୀ ତା’ ଫୁଲ-? ଏକଥା କୁବେର ଆଜି ଜାଣୁଥିଲା । ତେବେ....

ନୀରବତା ଭାଙ୍ଗିଲା ଫୁଲ । କହିଲା, କୁବେର ତୁ ମୋର ମୂଲ୍ୟବାନ ଅଳଙ୍କାର ସବୁକୁ ଦେଖି ଆଶ୍ଚର୍ଯ୍ୟ ହେଉଛୁ, ମୋ ଦୁଃଖକୁ ତା’ ମଧ୍ୟରେ ଠଉରାଇବାକୁ ଚେଷ୍ଟା କରୁଛୁ ନୁହେଁ ? ଦେଖିନେ ତୋ ଫୁଲ କେତେ ଅୟସରେ ଅଛି ।

ଦେଖ ଏଇ ଯେଉଁ ଅଣ୍ଟା ସୂତାଟା ମୋ କମରରେ ଗୁଡ଼ା ହୋଇଛି ସେଇଟା ଅଧାକେଜି ସୁନାରେ ତିଆରି ହୋଇଛି । ଖାସ୍‌ ମୋରି ପାଇଁ ମୋ ଶ୍ଵଶୁର କଲିକତାରୁ ବରାତ ଦେଇ ଗଢ଼ାଇଥିଲେ । ରାଜାଘରର ଝିଅ ବୋହୂମାନେ ସୁନାର ପାଉଁଜି ପିନ୍ଧନ୍ତି ବୋଲି ଶୁଣିଥିଲି, ହେଲେ ଏଇ ଦେଖ କୁବେର, ତୋ ଫୁଲ । ପାଦରେ ରୁଣୁଝୁଣୁ ହେଉଛି ରାଜସ୍ଥାନରୁ ଆସିଥିବା ଏହି ସୁନା ପାଉଁଜି ।

 

ମୁଁ କୁଆଡ଼େ କେଉଁ ରାଜା ଝିଅଠାରୁ କମ୍‌ନୁହେଁ, ଏକଥା ମୋ ଶ୍ଵଶୁର ଦେଢ଼ଶୁର ସମସ୍ତେ କୁହନ୍ତି । ହୋ ହୋ ହୋଇ ହସିଲା ଫୁଲମତୀ...

 

ତା ହସରେ ଚମକି ପଡ଼ୁଥିଲା କୁବେର । ଫୁଲର ଆଖି ଦୁଇଟା ତାକୁ ଆଜି କେମିତି ହିଂସ୍ର ଲାଗୁଛି । ହଠାତ୍‌ ଯେମିତି ଫୁଲମତୀର ମତିଗତିରେ ପରିବର୍ତ୍ତନ ଘଟୁଥିଲା । ମୁହଁରେ ତା’ର କ୍ରୋଧର ଝଲକ ସ୍ପଷ୍ଟ ବାରି ହୋଇଯାଉଛି । ଏମିତି ପରିସ୍ଥିତିକୁ ସାମ୍‌ନା କରିବ ବୋଲି କୁବେର କେବେ ଭାବି ନ ଥିଲା । କେଉଁ ଅଜଣା ଆଶଙ୍କା ତାକୁ ବ୍ୟତିବ୍ୟସ୍ତ କରି ପକାଉଥିଲା ।

 

ଫୁଲ ପରର ଭାରିଜା । ଘରେ ମାଳତୀ ନବବଧୂ ବେଶରେ ତା’ର ବାଟ ଟାହିଁଥିବ ...। ମାତ୍ର ଫୁଲମତୀର ଯେମିତି ଏସବୁ କଥା ମନେନାହିଁ ।

 

ଏ ଫୁଲମତି କ’ଣ ସେଇ ଫୁଲମତି ? ଉଦାଶ ଚେହେରା ଭିତରେ ବି ଫୁଲର ସୌନ୍ଦର୍ଯ୍ୟ ନିଆଁ ପରି ଜଳୁଛି । ଆଭିଜାତ୍ୟର ରଙ୍ଗ ଚଢ଼ିଛି ଚେହେରା ଉପରେ ।

 

କ’ଣ କହିବୁ ପରା ଫୁଲ । ଫୁଲ ନୀରବ । କୁବେର ପୁଣି ପଚାରିଲା, ଫୁଲ କ’ଣ କହିବୁ ପରା ? ଜଲ୍‌ଦି କହ... ରାତି ହେଲାଣି... ତୋତେ ପୁଣି ତୋ ଘରେ ପହଞ୍ଚାଇ ଫେରିବି । ମାଳତୀ ମୋ ବାଟ ଟାହିଁଥିବ ପରା × × ×

 

ନାଁ ତୁ ପ୍ରଥମେ ଭତ୍ତର ଦେ’ କୁବେର, କ’ଣ କହିବାକୁ ଖୋଜିଖୋଜି ଯାଇଥିଲୁ ମୋ ଘରକୁ ସେଦିନ ? ତୋ କଥା ଶୁଣିଲା ପରେ ଯାଇ ମୋ କଥା କହିବି ।

 

କୁବେର ପାଟିରୁ ଶବ୍ଦ ବାହାରୁ ନ ଥିଲା । ଯେଉଁ କଥା କହିବା ପାଇଁ ଦୀର୍ଘ କେଇବର୍ଷ ହେଲା ଚେଷ୍ଟା କରିବି ସେ ନିଜ ମନର କଥା ଫୁଲକୁ କହିପାରିଲାନି । ଫୁଲ ଚାଲିଗଲା ପରଘରକୁ-। ଏତେସବୁ ଘଟଣା ଘଟିଗଲା... ଶେଷରେ ଡାକ୍ତରଖାନାରେ ପଡ଼ିଥିଲା । ଆଜି ସେଇ କଥା ପଦିଏ କହିବାକୁ ଫୁଲ ତାକୁ ନେହୁରା ହେଉଛି । ହେଲେ କାହିଁକି କେଜାଣି ଆଜି ତା’ ଅନ୍ତରାତ୍ମା ଯେମିତି ଆକଟ କରୁଛି ।

 

ଆଜି ଏମିତି ପରିସ୍ଥିତି ଓ ପରିବେଶରେ ଫୁଲ ତାକୁ ଏକଥା ପଚାରୁଛି କାହିଁକି ଯେ ? ସବୁ ଜାଣିବି ଅଜଣା ରହିଥିବା ଫୁଲ ଆଜି ଏକଥା ପଚାରି କ’ଣ ସାବ୍ୟସ୍ତ କରିବାକୁ ଚାହୁଁଛି ? ଫୁଲ ତ ନିଜେ ଜିଦ୍‌ କରିଥିଲା, ତାରି ଇଚ୍ଛାକୁ ପୂରଣ କରିବାକୁ ଯାଇ ମାଳତୀକୁ ବାହାହେଲା ସେ । ଏବେ ପୁଣି ପୁରୁଣା କଥାକୁ ଉଖାଡ଼ିବାର କାରଣ ବା କ’ଣ ହୋଇପାରେ ?

 

ଫୁଲ ତାକୁ ହଲାଇଦେଇ ପଚାରିଲା, ତୁ ଚୁପ୍‌ କାହିଁକି କୁବେର ? ତୋର ଅତି ଆପଣାର ଫୁଲ... ତୋ ସାମ୍‌ନାରେ ବସିଛି ।

 

ଏତେଦୂର ଦୌଡ଼ି ଆସିଛି ତୋ କଥା ଶୁଣିବାକୁ .... କହ । ଯୋଉ କଥା କହିବୁ କହିବୁ ବୋଲି ପିଲାଦିନ ବିତିଗଲା, ଯୌବନ ଆସିଲା, ମୁଁ ସବାରୀରେ ବସି ଗାଁ ଛାଡ଼ି ଚାଲିଗଲି, ଷୋହଳ ବର୍ଷ ହେଲାଯାଏଁ କହିପାରିଲୁନି ତୋ ମନର କଥା... ସବୁ ଦୁଃଖ ଦରଦକୁ ଦେହରେ ନେଇଗଲୁ । ତୁ କେଇମାସ ଡାକ୍ତରଖାନାରେ କଟାଇଦେଲୁ ତ ମୁଁ ଗୋଟେ ବର୍ଷ ନିର୍ବାସନରେ ।

 

୧୭ ବର୍ଷର ସବୁ ସୁଖ ଓ ମଧୁର ସ୍ମୃତି ଜଳିପୋଡ଼ି ଛାରଖାର ହୋଇଗଲା କୁବେର । ଆଜି ଯୌବନର ସେଇ ଜଳିଲା ଜୁଇ ଭିତରୁ ମୁଁ ଗୋଡ଼ କାଢ଼ି ଆସିଛି । ଖାଲି ତୋରି ପାଇଁ, ମନର କଥା ନ କହିଲେ ପରା ମୋକ୍ଷ ମିଳେନି ।

 

ଜୀବନର ଦେବତାଠୁ ଦୁଇଟା ମୁହୂର୍ତ୍ତ ଧାର କରି ଦୌଡ଼ି ଆସିଛି ତୋ ପାଖକୁ, କାଳେ ମିଳିଯିବ କାଳଜୟୀ ମୁକ୍ତିର ବୀଜମନ୍ତ୍ରଟିଏ × × ×

 

କୁବେର ଟିକେ ବଡ଼ ପାଟିରେ ଆକଟ କଲା ଫୁଲକୁ- ତୁ କ’ଣ ଏମିତି ପାଗଳୀଙ୍କ ଭଳି ପ୍ରଳାପ କରୁଛୁ ? କେଉଁ କଲେଜର ସାହିତ୍ୟ ମାଷ୍ଟ୍ରାଣୀ ଭଳି କଥା କହୁଛୁ ? ତୋର କ’ଣ ହୋଇଛି କହ । ଏବେ ତୁ ଯାହା ଚାହିଁବୁ ତା’ ହେବ । ତୋର ସୁଖ ଶାନ୍ତି ପାଇଁ କିଛିବି କରିବାକୁ ତୋ କୁବେର ମନା କରିବନି । ହେଲେ ତୁ ଏମିତି ପାଗଳୀ ଭଳି ହଅନା ।

 

କାହିଁକି କେଜାଣି ଆଜି ଏ ପୂନେଇଁ ରାତିଟାରେ ମୋତେ ଭୟ ଲାଗୁଛି । ଏ ପଠା ଆଉ ବେଢ଼ା ସବୁ ଅଚିହ୍ନା ଅଚିହ୍ନା ଲାଗୁଛି । ଚାଲ୍‌ ତୋତେ ତୋ ଘରେ ଛାଡ଼ି ଆସିବି । ଆଉ ଦିନେ ଦେଖି କଥା ହେବା । ଫୁଲ କୁବେର କଥାକୁ ଶୁଣୁଥିଲା କି ନାଇଁ ତା ବୁଝିପାରୁ ନ ଥିଲା କୁବେର । ହେଲେ ଗୋଟେ ଅଝଟିଆ ଝିଅ ପରି ସେ କୁବେର ପାଖକୁ ଆହୁରି ଲାଗି ଆସୁଥିଲା । ତା’ କୋଳରେ ମୁଣ୍ଡ ରଖି ବେକରେ ହାତ ଦୁଇଟାକୁ ଛନ୍ଦି କେଉଁ ବିରହୀ ନାୟିକାଟେ ପରି ଦୀର୍ଘ ନିଶ୍ଵାସ ଛାଡ଼ି କହିଲା- ଆଉ କୁଆଡ଼େ ଯିବିରେ କୁବେର ? ମୋ ପାଇଁ ସବୁ ରାସ୍ତା ପରା ବନ୍ଦ !

 

ଟିକେ ନିରବ ରହି ଛେପ ଢୋକି କହିଲା- ଠିକ୍‌ ଅଛି, ତୁ ନ କହିଲେ ନ କହ । ହେଲେ ଶପଥ କର ମୁଁ ଯାହା କହିବି ତୁ ଶୁଣିବୁ । ପୁଣି ଆଜି ଯାହା ମାଗିବି ମୋତେ ତୁ ଦେବୁ । ହଁ ଫୁଲ, ତୁ ଯାହା ମାଗିବୁ ମୁଁ ଦେବି, କହିକି ଥରେ ଦେଖ । ନା କୁବେର ସେମିତି ନୁହେଁ, ରଖ ମୋ ହାତ ଉପରେ ତୋ ହାତ । ଖା’ ମୋ ରାଣ, ଦେଖ, ଆଗରେ ମହାଦେବ, ସାକ୍ଷୀ ରହିଲା ଏଇ ମନ୍ଦିର, ଆକାଶର ଜହ୍ନ, ସତ୍ୟ କର, ତ୍ରିବାର ସତ୍ୟ... !

 

କୁବେର ଫୁଲମତୀର ହାତ ଉପରେ ରଖିଲା ହାତ, ଖାଇଲା ତା’ର ରାଣ । ଶପଥ କରୁଥିଲା, ଏଇ ସାକ୍ଷୀ ରହିଲେ ଚତୁର୍ପାଳ....ସାକ୍ଷୀ ରହିଲେ ମହାଦେବ, ସତ୍ୟ ସତ୍ୟ ତ୍ରିବାର ସତ୍ୟ-

 

ଫୁଲ ତୁ ଯାହା କହିବୁ..... ତା’ ପାଳନ କରିବ କୁବେର । ହେଲେ କିଏ ଜାଣିଥିଲା, ବଳିକୁ ଭଗବାନ ତିନିପାଦ ପୃଥିବୀ ମାଗିଲା ଭଳି ଫୁଲ ତାକୁ ମାଗିବସିବ ତା’ର ଅତୀତ ସହିତ ବର୍ତ୍ତମାନକୁ । ତା’ର ଏ ଜନ୍ମ ସହିତ ପରଜନ୍ମକୁ ...

 

(ପ୍ରୀତିନନ୍ଦାର କପାଳରୁ ବୋହି ଆସୁଥିବା ଝାଳକୁ ପୋଛୁ ପୋଛୁ କଣେଇ ଚାହିଁ ଦେଖୁଥିଲା ସଙ୍ଗୀତାକୁ । ସଙ୍ଗୀତା ଦୁଇ ହାତ ପାପୁଲି ମଝିରେ ମୁହଁଟାକୁ ଭାରା ଦେଇ ବସିଛି ।

 

ପଦ୍ମତୋଳା ଶୁଣୁଥିବା ନାଗସାପ ପରି ନୀରବ ନିସ୍ପନ୍ଦ ତା’ର ଶରୀର । ତା’ ଆଖିର ରଙ୍ଗ ଯେମିତି ବଦଳିବାରେ ଲାଗିଛି...ତା’ର ସେହି ଚାହିଁବା ଓ ଶୁଣିବା ଢଙ୍ଗରେ କେମିତି ଏକ ଅଦ୍ଭୁତ ଚେତନା ବାରିହୋଇ ପଡ଼ୁଛି ।

 

ଇତିମଧ୍ୟରେ କାହାଣୀ ପ୍ରତି ଆଉ ଦୃଷ୍ଟି ନ ଦେଇ ସଙ୍ଗୀତା ଗୁଣୁଗୁଣୁ ହୋଇ ନିଜକୁ ନିଜେ କ’ଣ କହୁଥିବାର ଅନୁମାନ କରି ପ୍ରୀତିନନ୍ଦା କାନଉଥିଲା ତା’ ଆଡ଼େ ।

 

ସଙ୍ଗୀତା ଖୁବ୍ ଧୀରେ ମୁଣ୍ଡକୁ ହଲାଇ ନିଜକୁ ନିଜେ କହି ହଉଥିଲା- କ’ଣ ଆଉ ମାଗିବ ଫୁଲ କୁବେରକୁ ? କ’ଣ ଆଉ ବାକି ଅଛି ଯେ... ସବୁତ ସରିଯାଇଛି...

 

ତା’ର ଏ ଅସ୍ପଷ୍ଟ ବାକ୍ୟ ଶୁଣି ନ ଶୁଣିଲା ଭଳି ପ୍ରୀତି ପୃଷ୍ଠା ଓଲଟାଇଲା ଓ ପଢ଼ିଲା ।)

 

କୁବେରକୁ ଚମକାଇ ଦେଇ ଫୁଲ ମାଗି ବସିଲା ତା’ର ଅକ୍ଷତ ପୁରୁଷତ୍ଵକୁ । ବିନା ଦ୍ୱିଧାରେ ସେଇକ୍ଷଣି ଫୁଲମତୀ କୁବେର ସହିତ ରତିମଗ୍ନା ହେବାର ଇଚ୍ଛା ପ୍ରକଟ କଲା ଓ ସର୍ତ୍ତ ରଖିଲା-

‘‘କୁବେର ନିଜ ହାତରେ ଖୋଲିଦେବ ତା’ର ଘନକୃଷ କବରୀ । କୋଳରେ ଶୁଆଇ ତା’ର ଶରୀରରୁ ଖୋଲିଦେବ ସମସ୍ତ ଆୟ ଅଳଙ୍କାରକୁ, ଉତ୍ତାରିଦେବ ସୁନା ଜରିଦିଆ ବନାରସୀ ପାଟ ଓ ରେଶମୀ ଅନ୍ତବସ୍ତ୍ର ସବୁକୁ... ରତିମଗ୍ନା ହେବ ଫୁଲ.... ରତିମଗ୍ନା....’’

ଆଗରେ ମହାଦେବ । ଉପରେ ପୂର୍ଣ୍ଣଚାନ୍ଦ । କୋଳରେ ଶୋଇଛି ପ୍ରେୟସୀ ।

ଯେଉଁ ପ୍ରେମ ପାଇବା ପାଇଁ ବର୍ଷ ବର୍ଷ ଧରି ସେ ପ୍ରତୀକ୍ଷା କରିଛି... ପାଗଳ ହୋଇଛି.... ସେଇ ପ୍ରେମର ଫୁଆରା ନେଇ ପ୍ରେୟସୀ ତା’ର ପ୍ରେମପ୍ରାର୍ଥିନୀ... କ୍ଷତାକ୍ତ ପରାସ୍ତ ସୈନିକଟେ ମୂତ୍ୟୁଭିକ୍ଷା କଲା ପରି ତା’ କୋଳରେ ଶୋଇରହି ଭିକ୍ଷା ମାଗୁଛି.... ହେଲେ କୁବେର.... ସେ କ’ଣ ହୋଇପାରିବ ଏତେ ଉଦାର ?

ଦାନବୀର ହରିଶ୍ଚନ୍ଦ୍ର ପରି ହରାଇବ ରାଜ୍ୟ, ପ୍ରଜା, ପତ୍ନୀ ଓ ସବୁକିଛିକୁ ? ଭୁଲିଯିବ ଅତୀତ ଭବିଷ୍ୟତ ଓ ପାପପୂଣ୍ୟକୁ ?

କୁବେର ଆଖିରେ ଲୁହ । ଫୁଲକୁ ସେ ଆଜି କେମିତି ବୁଝାଇବ ଯେ ତା’ପ୍ରତି ଯେଉଁ ପ୍ରେମ ଏତେବର୍ଷ ହେଲା ସେ ହୃଦୟରେ ସାଇତି ରଖିଥିଲା ତାହା ଦୁଃଖ ଯନ୍ତ୍ରଣାର ଅଗ୍ନିରେ ଜଳି ଜଳି ଅପାର୍ଥିବ ନୈସର୍ଗିକ ହୋଇସାରିଛି ।

ସେ ପ୍ରେମକୁ କ’ଣ ତା ଶରୀରରୁ ଖୋଜିଲେ ଏବେ ଫୁଲ ପାଇବ ? ପ୍ରେମ ତା’ ପାଇଁ ପୂଜା ପାଲଟିଛି... ।

ଯେଉଁ ଅନୁଭବ ଟିକକ ତା’ ଆତ୍ମାକୁ ହୃଦୟ ଓ ଶରୀର ଠାରୁ ବଡ଼ ସନ୍ତର୍ପଣରେ ଅଲଗା କରିରଖିଛି, ସେଇ ଦୁଃଖ, ବେଦନା, ତିତିକ୍ଷା ଭିତରେ ତ ଆଜିଯାଏଁ ଫୁଲ ମହକୁଛି । ହେଲେ ଏକଥା ଫୁଲ ଏଇ କେଇଟା ଘଣ୍ଟାରେ ବୁଝନ୍ତା ବା କେମିତି ? ଆତ୍ମାଠୁ ଶରୀର ଅଲଗା ହେବାର ଦୁଃଖକୁ ବୁଝିବା କ’ଣ ଏତେ ସହଜ କଥା ?

ହେଲେ ଫୁଲକୁ ସେ ଆଜି ବୁଝାଇବ, ରାତି ବିତିଯାଉ ପଛେ ଯେତେ ସମୟ ଲାଗୁ ପଛେ...

ମୁହଁ ଖୋଲିଲା କୁବେର । ଫୁଲ, ଯାହା କହିବିନି ବୋଲି ଶପଥ ନେଇଥିଲି ତା’ ଆଜି ଏଇ ମୁହୂର୍ତ୍ତରେ କହିବାକୁ ପଡ଼ୁଛି ଯେ, ‘ତୋତେ ମୁଁ ମୋ ପ୍ରାଣ ଠାରୁ ଅଧିକ ଭଲପାଏ’, ତୁ ମୋର ଆତ୍ମାରେ ମୋ ହୃଦୟରେ ବିଲୀନ ହୋଇଯାଇଛୁ । ମୋ ପ୍ରେମ, ଶରୀର ମନକୁ ଅତିକ୍ରମ କରିସାରିଛି । ଆଜି ତୁ ଯାହା କରିବାକୁ କହୁଛୁ ତା’ ମୋ ସାମର୍ଥ୍ୟ ବାହାରେ ।

 

ସାମାଜିକ ଦାୟିତ୍ଵବୋଧ ଓ ନିଷ୍କାମ ପ୍ରେମର ଲକ୍ଷ୍ମଣରେଖା ଡେଇଁ ତୋ ପ୍ରତି ଏତେବଡ଼ ଅନ୍ୟାୟ ମୁଁ ଆଜି କରିବି କେମିତି ଫୁଲ ? ଜନ୍ମ ଜନ୍ମର ତପସ୍ୟାକୁ ମୋର ଏମିତି ନଷ୍ଟ ହେବାକୁ ମୁଁ ଦେବି କେମିତି ? କୌଣସି ପରିସ୍ଥିତିରେ ବି ନୁହେଁ ।

 

ଫୁଲ ହଠାତ୍ କୁବେର କାନ୍ଧରେ ନିଜ ହାତଟାକୁ ଭରା ଦେଇ ଛିଡ଼ା ହୋଇ ପଡ଼ୁଥିଲା । ଟଳମଳ ହେଉଥିଲା ତା’ର ଗୋଡ଼ ଦୁଇଟା.... ।

 

ଛିଡ଼ା ହେବାକୁ ଯେମିତି ତାକୁ କଷ୍ଟ ହେଉଛି ! ଯେମିତି ତା’ର ଧୈର୍ଯ୍ୟର ବାଲିବନ୍ଧଟା ଭାଙ୍ଗିପଡ଼ୁଛି । ସେ ଶପଥ ନେଇଆସିଛି ... ଉନ୍ମତ୍ତ ନଦୀଟିଏ ପରି ସବୁ ସୀମା ଡେଇଁଯିବ, ସୃଷ୍ଟିର କାନ୍‌ଭାସ ଉପରେ ଆଙ୍କିଦେବ ଅବା ଧ୍ୱଂସର କରାଳ ଚିତ୍ରଟିଏ !

 

ଚାହୁଁ ଚାହୁଁ ଗଛ କାଟିଲା ପରି ଚାନ୍ଦିନୀ ଉପରୁ ତଳକୁ ଗଡ଼ି ପଡ଼ୁ ପଡ଼ୁ ନିଜର ଦୁଇ ହାତରେ କୁବେର ତାକୁ ସାହାରା ଦେଇ ସମ୍ଭାଳି ନେଲା । କହିଲା, ରାଗିଗଲୁ କି ଫୁଲ ? ହାତ ଗୋଡ଼ ଭାଙ୍ଗିବୁ ନା କ’ଣ ?

 

ଯାହା ହେବାର ଥିଲା, ହୋଇଗଲା । ତୁ ଯେଉଁଠି ବି ଥା, ଭଲରେ ଥିଲେ ସିନା ମୁଁ ନିଶ୍ଚିନ୍ତ ହେବି ? ହେଲେ ଯଦି ଆମ ସମ୍ପର୍କରେ ଦାଗ ଲାଗେ, ସେ କଳଙ୍କର ଦାଗକୁ ନେଇ ମୁଁ କେମିତି ଦିନ କଟାଇବି କହ ? ସମାଜ, ପରିବାର ଆଗରେ ନା ତୁ ମୁହଁ ଦେଖାଇ ପାରିବୁ ନା ମୁଁ ?

 

ତୋ ଚରିତ୍ରର ଏ ସ୍ଖଳନକୁ ନିଜେ ତୁ ବରଦାସ୍ତ କରିପାରିବୁ ତ ? ମୁଁ ଏତିକି ଚାହୁଁଛି । କାଲିର ସକାଳ ତୋ ପାଇଁ ଅଭିଶପ୍ତ ହୋଇ ନ ଆସୁ । ତୋ ଜୀବନ ମୋ ପାଇଁ କଳଙ୍କିତ ହେବ ଏକଥା ମୁଁ ସହ୍ୟ କେମିତି କରିବି ?

 

କୁବେରକୁ ନିଜ ଦେହରୁ ଅଲଗା କରୁ କରୁ ଫୁଲ କହିଲା ମୋତେ ତୁ ଛାଡ଼ କୁବେର । ତୋ ସହିତ ଆଉ କିଛି କଥାବାର୍ତ୍ତା ହୋଇ ଲାଭ ନାହିଁ । ବେଳ ଗଡ଼ିଯାଉଛି, ରାତି ୩ଟା ସୁଦ୍ଧା ମୋତେ ଫେରିବାକୁ ହେବ । ନ ହେଲେ... ।

 

ନହେଲେ କ’ଣ ହେବ ଫୁଲ ? କ’ଣ ତୋର ହୋଇଛି ? ସଫା କଥା ନ କହି ଇଆଡୁ ସିଆଡ଼ୁ ଗପୁଛୁ । ମୁଁ ଜାଣେ ତୁ ନିଜେ ଆଜି ଦ୍ୱିବିଧାରେ । କ’ଣ କହୁଛୁ ଓ କ’ଣ ଚାହୁଁଛୁ ନିଜେ ବି ଜାଣିପାରୁନୁ ।

 

ଏପଟେ ସମାଜକୁ ଭୟ କରୁଛୁ, ସେପଟେ ପ୍ରେମ ପାଇଁ ପାଗେଳୀ ହେଉଛୁ । ଚାଲ, ତୋତେ ମୁଁ ନିଜେ ନେଇ ତୋ ଗାଁରେ ଛାଡ଼ି ଦେଇ ଆସିବି । ଯାହା ହେବ ସବୁ ସମ୍ଭାଳି ନେବି ମୁଁ...-

 

ଫୁଲମତୀ ହସିଲା । ପୁଣି ସେଇ ପାଗଳୀ ଭଳି ହୋ ହୋ ହସ । ତା’ର ସେ ହିଆଥରା ହସରେ ସ୍ତମ୍ଭୀଭୂତ ହୋଇପଡ଼ୁଥିଲା କୁବେର । ଛାତିରେ କେମିତି ଏକ ଅଦ୍ଭୂତ କମ୍ପନ ସୃଷ୍ଟି ହେଉଥିଲା । ସେଇମିତି ହସୁ ହସୁ ଫୁଲ ତାକୁ ଧିକ୍କାରୁଥିଲା ।

 

କହୁଥିଲା- ଦରକାର ନାହି ମୋ ସହିତ ଯିବା । ତୁ କାପୁରୁଷ କୁବେର । ତୁ ଭୀରୁ । ପ୍ରେମ କରିବା ଓ ସାବ୍ୟସ୍ତ କରିବା ମଧ୍ୟରେ ଫରକକୁ ଜାଣୁନା । ଆଜି ସମାଜ ନାମରେ ଦାୟିତ୍ଵ, ଅଧିକାରରୁ ମୁକୁଳିଯିବାକୁ ଚାହୁଁଛୁ ।

 

କୁବେର, ମୁଁ ସିନା ସହରକୁ ପାଠ ପଢ଼ିବାକୁ ଯାଇପାରିଲିନି ଯେ ଅଧାପାଠୁଆ ଥିଲି । ହେଲେ ତୁ ତ ବହୁତ ପାଠ ପଢ଼ିଥିଲୁ । ମୁଁ ସିନା ପ୍ରେମ କ’ଣ ବୁଝିପାରିଲିନି, ତୁ ତ ମୋ ଠାରୁ ବୟସରେ ବଡ଼ ଥିଲୁ । ମୋ ଜୀବନଟାକୁ ଏମିତି ଛାରଖାର ହେବାକୁ ଦେଲୁ କାହିଁକି ?

 

ଥରେ ତ ଅଧିକାର ମାଗିଥାନ୍ତୁ ? ଥରେମାତ୍ର ମୋତେ କହି ଦେଖୁଥାନ୍ତୁ । ହୁଏତ ଦୁହେଁ ବଞ୍ଚିଯାଇଥାନ୍ତେ....

 

ଏବେ ଆଉ କିଛି ଉପାୟ ନାହିଁ । ଏବେ ଲାଗୁଛି ଖାଲି ଗୋଟିଏ ଜନ୍ମ ନୁହେଁ, ଜନ୍ମ ଜନ୍ମ ପାଇଁ ମଧ୍ୟ ତୋ ସହିତ ମିଳନ ଅସମ୍ଭବ କୁବେର ।

 

ତୁ କ’ଣ ଚାହୁଁନା ଏ ଜନ୍ମରେ ନ ହେଲା ନାହିଁ ଆରଜନ୍ମକୁ ତୁ ମୋର ଆଉ ମୁଁ ତୋର ହୁଏ ବୋଲି ? କୁବେରକୁ ଆବେଗରେ ନିଜର ବାହୁବନ୍ଧନରେ ଜଡ଼ାଇ ନେଇ ପଚାରୁଥିଲା ଫୁଲମତୀ ।

 

ଆଗାମୀ ଜନ୍ମପାଇଁ ମୂଲଚାଲ କରୁଥିବା ଫୁଲର କପାଳ ଉପରେ କୁବେର ଆଦରରେ ହାତଟା ବୁଲାଇ ଆଣି କହିଲା- ପାଗଳୀଟା, ତୁ ସମାଜ ଆଗରେ ଜମିଦାର ରଣେନ୍ଦ୍ର ପ୍ରତାପର ବୋହୂ ହେଲେ ମଧ୍ୟ ତୁ ମୋ ଆତ୍ମାର ମିତ କାଳ କାଳ ପାଇଁ ।

 

ସବୁଜନ୍ମ ପାଇଁ ଭଗବାନଙ୍କୁ ମୁଁ ତୋତେ ହାତ ପାତି ମାଗୁଥିବି ଲୋ ଫୁଲ...ହେଲେ ଆଜି ତୁ ଯାହା ଚାହୁଁଛୁ ×××

 

ଫୁଲ ପୁଣିଥରେ କୁବେର ହାତକୁ ଛିଞ୍ଚାଡ଼ି ଦେଇ ଟଳି ଟଳି ଛିଡ଼ା ହେବାକୁ ଚେଷ୍ଟା କରୁଥିଲା ଓ କହୁଥିଲା- ଆସନ୍ତାକାଲିକୁ କିଏ ଦେଖୁଛି କୁବେର ? ଜନ୍ମ ଜନ୍ମାନ୍ତର କଥା ତ ଦୂରର କଥା । ବୀଜ ବୋଇଲେ ତ ବୃକ୍ଷଟିଏ ହେବ ।

 

ଆଜି ଏ ରାତି ପାହିବା ଆଗରୁ ମୋତେ ଶକ୍ତି ସଞ୍ଚୟ କରିବାକୁ ହେବ ଆଉ ଏକ ଜନ୍ମର ପୀଡ଼ା ନେବା ପାଇଁ.... ।

 

ଶାଶ୍ୱତ ଅନୁଭବ ବିନା କ୍ଷୁଦ୍ରାତିକ୍ଷୁଦ୍ର ଇଚ୍ଛାଟିଏକୁ ସାକାର କରିବା ଅସମ୍ଭବ କୁବେର । ପୁଣି ସେ ଇଚ୍ଛା ସାକାର ହେବା ପାଇଁ ଯେଉଁ ସାମର୍ଥ୍ୟର ଆବଶ୍ୟକ ତାକୁ ଥରେ ପରଖି ନେବାକୁ ଛଟପଟଉଛି ମୋ ଆତ୍ମା । ସେ ଭରସା ଓ ବିଶ୍ଵାସ ନେଇ ତ ତୋ ମୁହଁକୁ ଚାହିଁରହିଛି । ସ୍ଵାତୀ ଲଗ୍ନରେ କାଳର ଟୋପାକୁ ଶାମୁକାଟେ ପ୍ରତୀକ୍ଷା କଲା ଭଳି ...ମୋ ପାଇଁ କେବଳ ଗୋଟିଏ ମାତ୍ର ଉପାୟ ବାକି ରହିଛି ।

 

ତୋ ଶରୀର ସହିତ ମୋ ଶରୀରର ଅଣୁପରମାଣୁ ପର୍ଯ୍ୟନ୍ତ ସମାହିତ ହେବ । ବିଧିର ବିନ୍ଧାଣୀ ହାତରେ ନିହାଣ ଧରିବା ଆଗରୁ ତୋ ପ୍ରେମ, ତୋ ସାନ୍ନିଧ୍ୟ ଆଉ ପ୍ରୀତିର ନିଆଁରେ ଜଳି ସମ୍ପୂର୍ଣ୍ଣ ଦ୍ରବୀଭୂତ ହେବାକୁ ଚାହେଁ ମୁଁ ।

 

ସୁନା ଜଳିଲା ଭଳି ଜଳିଯାଉ ମୋ ଶରୀର ! ଏ ଶରୀର ସହ ସବୁ କଳଙ୍କ ଜଳିଗଲେ ଦୋଷମୁକ୍ତ ହୋଇଯିବ ଆତ୍ମା । କୌସ୍ତୁଭମଣିର ଆଭା ନେଲ ମୁଁ ଝଟକି ଉଠୁଥିବି ପ୍ରେମର ପରାକାଷ୍ଠାରେ । ତୋ ହୃଦୟ ଭିତରୁ ମୁଁ ସାଉଁଟି ନେବାକୁ ଚାହେଁ କୋଟିଏ ଜନ୍ମର ଭଲ ପାଇବାକୁ....ଯାହାକୁ ତୁ କେଉଁ କୋଣ ଅନୁକୋଣରେ ଦୁଃଖର ଫରୁଆ ଭିତରେ ଲୁଚାଇ ରଖିଛୁ । ଦରଦର ଗଙ୍ଗା ହୋଇ ଯେଉଁ ପ୍ରୀତି ତୋ ଶରୀର ଭିତରେ ବହୁଛି ସେ ଗଙ୍ଗାରେ ମୋତେ ଥରେ ମଗ୍ନହେବାକୁ ଦେ କୁବେର । ମୋର ଏ ଜନ୍ମର ପାପ ସବୁ ଧୋଇଯାଉ ।

 

ମୋର ଏ ଆଞ୍ଚଳରେ ଅଜାଡ଼ି ଦେ ତୋ’ର ସେ ଦୁଃଖ ବତୁରା ସ୍ୱପ୍ନସବୁକୁ, ତୋ’ର ସେ ପ୍ରୀତି ପଖଳାବିନିଦ୍ର ରଜନୀର ଠୋପା ଠୋପା ଲୁହ ସବୁକୁ ...

 

ଛୁଇଁ ଦେ, ମୋର ଏ ଚିବୁକ, ଓଠ, ଆଖିପତାକୁ ବାସ୍ ମୋତେ ଥରେମାତ୍ର ପଦ୍ମାସନରେ ଧ୍ୟାନସ୍ଥ ହେବାକୁ ଦେ ତୋ ପ୍ରେମର ମହୋଦଧିରେ... ।

 

ତୋ ଆଖିଲୁହରେ, ତୋ ଦେହର ପ୍ରତିଟି ରକ୍ତକଣିକାରେ ମୁଁ ବତୁରି ଯିବାକୁ ଚାହେଁ । ନିଃଶେଷ ହୋଇଯିବାକୁ ଚାହେଁ... ।

 

କୁବେର, ବିତିଗଲା କାଳରାତ୍ରୀ ସବୁ ଭୂତ ହୋଇ ମୋତେ ଡରାଉଛନ୍ତି ! ମୋ ଆତ୍ମାରେ, ଶରୀରରେ କଳଙ୍କର ଦାଗ । କେବଳ ମାତ୍ର ତୁ ମୋତେ ଦେଇପାରିବୁ ଏ ଯନ୍ତ୍ରଣାରୁ ମୁକ୍ତି.... ।

 

କୁବେର ତଟସ୍ଥ... ! ଫୁଲର ଏ ପ୍ରଗଲ୍ଭ ପ୍ରେୟସୀ ରୂପ ତାକୁ ଅବାକ୍‌ କରିଦେଉଥିଲା । କି କଳଙ୍କ କଥା କହୁଛି ସେ ? କି ଯନ୍ତ୍ରଣା ? କ’ଣ ତା’ର ହୋଇଛି ? କାହିଁକି ଏତେ ଗ୍ଲାନି ଆଉ ଏ ହୀନମନ୍ୟତା ? ଅବାକ୍ କୁବେର । କେଉଁଠୁ ପାଇଲା ଫୁଲ ଏ ବାକ୍ ଚାତୁରୀ ? ପୁଣି ଏ ପ୍ରେମ, ସମ୍ଭୋଗ ଓ ମୋକ୍ଷର ଦର୍ଶନତତ୍ତ୍ଵ ? ତା’ର କହୁଥିବା କଥାର ଶବ୍ଦ ବିନ୍ୟାସରେ ଯେତିକି ଆଶ୍ଚର୍ଯ୍ୟ ହେଉଥିଲା ସେତିକି ସନ୍ଦେହ ମଧ୍ୟ ଜାଗୁଥିଲା ମନରେ ।

 

ସାଗର କୂଳରେ ଢେଉ ପିଟି ହେଲା ପରି ଫୁଲର ଶରୀର ତା’ କୋଳରେ ଲୋଟି ପଡ଼ୁଛି । ଯନ୍ତ୍ରଣାରେ ନାଁ ପ୍ରେମର ସିତ୍କାରରେ କେମିତି ଛଟପଟେଇ ହୋଇଉଠୁଛି ଫୁଲ । ରତି କାମନାରେ ଏମିତି ବିମୋହିତ ହୋଇପାରେ କ’ଣ ଜଣେ ରମଣୀ ?

 

ପ୍ରଥମଥର ପାଇଁ ଜଣେ ରତିମଗ୍ନା ସମ୍ମୋହିତା ନାରୀଟିଏକୁ ଅବଲୋକନ କରୁଥିଲା କୁବେର । ଯିଏ ପ୍ରତ୍ୟକ୍ଷ ରତିକ୍ରୀଡ଼ା ପାଇଁ ତାକୁ ଓ ତା’ର ପୌରୁଷକୁ ଆହ୍ଵାନ କରୁଥିଲା । ନିଜକୁ ରୋକିବା ଏବେ ଅସମ୍ଭବ ହୋଇପଡ଼ିଥିଲା କୁବେର ପାଇଁ । କ୍ଷଣକୁ କ୍ଷଣ କେମିତି ମୋହାବିଷ୍ଟ ହୋଇପଡ଼ୁଥିଲା ସେ ।

...ପାପପୂଣ୍ୟ, ଇଚ୍ଛାଅନିଚ୍ଛା ଓ ଅତୀତ ଭବିଷ୍ୟତର ସମସ୍ତ ସୀମା ସରହଦକୁ ପଛରେ ପକାଇ ସେ ଫୁଲମତୀର ଥରିଲା ଓଠରେ ଗାଢ଼ ଚୁମ୍ବନଟିଏ ଆଙ୍କି ଦେଉଥିଲା ।

ଖୋଲି ଦେଇଥିଲା ଫୁଲର କଳାକୃଷ୍ଣ କବରୀକୁ । ତା’ ଖୋଲା କବରୀର ଲହଡ଼ିରେ ଯେମିତି ଢାଙ୍କି ହୋଇ ପଡ଼ୁଥିଲା ପୁନେଇଁ ଜହ୍ନ.. ।

ରାତି ବଢ଼ିଚାଲିଛି । ଏଇ ପୂର୍ଣ୍ଣମୀ ରାତିଟା ଯେମିତି ବିସ୍ତାରିତ ହେଉଛି ଏକ ଖୋଲା ପଡ଼ିଆରେ । କୁବେର ଆଖିଆଗରେ ଦିଶିଯାଉଥିଲା କଳା ଚିକ୍କଣିଆ ଘୋଡ଼ାଟାଏ ଯେମିତି ସେ ପଡ଼ିଆରେ ଟାପୁ ଝପଟେଇ ଦୌଡ଼ୁଛି ଆଉ ଦୌଡ଼ୁଛି । ସେଇ ପରାକ୍ରମୀ ଘୋଡ଼ାର ଆଖିଦୁଇଟାରେ ଚକ୍‌ମକ୍ କରୁଛି ଯୁଦ୍ଧ ଜୀଇଁବାର ପ୍ରବଳ ପ୍ରତିବଦ୍ଧତା ।

ସେଇ ଘୋଡ଼ା ଉପରେ ବାରହାତ ଖଡ୍ଗ ଧରି ମୁକୁଳାକେଶୀ ରୂପବତୀ, ବିରଙ୍ଗନାଟିଏ ସବାର ହୋଇଛି । ତା’ର ମୁକୁଳା କେଶ ଆଚ୍ଛାଦିତ କରିପକାଉଛି ସାରା ଆକାଶକୁ । କ୍ଷଣିକ ମଧ୍ୟରେ ତା’ ରୂପର ଆଭା ସାରା ଆକାଶ ଓ ପୃଥିବୀକୁ ଆଲୋକିତ କରିପକାଉଛି !

ଫୁଲମତୀର ଲମ୍ବା ରେଶମୀ କେଶ ଭିତରେ କ୍ଷଣିକ ପାଇଁ ମୋହାବିଷ୍ଟ ହୋଇପଡ଼ୁଥିଲା କୁବେର । ଫୁଲର ବନ୍ଦ ଆଖିପତା ଉପରେ ଏକ ଗାଢ଼ ଚୁମ୍ବନ ଆଙ୍କୁଥିଲା ଓ ଖୋଲି ଦେଉଥିଲା ମଥାରୁ ମଥାମଣିକୁ । ଚମ୍ପାକଢ଼ି ଭଳି ଫୁଲର ଆଙ୍ଗୁଳି ସବୁକୁ ଅତି ସନ୍ତର୍ପଣରେ ସ୍ପର୍ଶ କରୁଥିଲା କୁବେର । ସେ ସ୍ପର୍ଶରେ ଯେଉଁ ଅମୂଲ୍ୟ ମୋହ ଟିକକ ଥିଲା ତା’ କୁବେରକୁ ଧୈର୍ଯ୍ୟହରା କରି ପକାଉଥିଲା ।

ଏଇ ଆଙ୍ଗୁଳି ଦୁଇଟା ଦେଇ ସେ ଯେମିତି ଛୁଇଁ ଦେଉଛି ଫୁଲର ଆତ୍ମାକୁ । ଗୋଲାପ ଫୁଲର ନରମ ପାଖୁଡ଼ାମାନଙ୍କ ପରି ଫୁଲମତୀର କମନୀୟ ଶରୀରରୁ ଖୁବ୍ ସତର୍କତାର ସହିତ ସମସ୍ତ ଆୟ ଅଳଙ୍କାରକୁ ଗୋଟାଗୋଟା କରି ଖୋଲି ଚାନ୍ଦିନୀ ଉପରେ ରଖୁଥିଲା ।

ଅଣ୍ଟାସୂତାଟାକୁ ଖୋଲିଲାବେଳକୁ ଫୁଲମତୀ ତାକୁ ଦୁଇ ହାତରେ ଜୋର୍‌ରେ ଚାପିଧରି ଚିତ୍କାର କରିଉଠିଲା । ଫୁଲର ନରମ ଦେହ ଏଇ ଓଜନିଆ ଅଳଙ୍କାରର ଅତ୍ୟାଚାରରେ ଯେମିତି ଅତିଷ୍ଠ ହୋଇପଡ଼ିଲାଣି... । କୁବେର ଫୁଲକୁ କୋଳେଇ ନେଉ ନେଉ ଫୁଲ ନିଜକୁ ସମ୍ଭାଳି ନେଉଥିଲା ଓ କୁବେର ଛାତିରେ ମୁହଁ ଲୁଚାଉଥିଲା ।

 

ଏବେ ଖୁବ୍ ଧୀରେ ତା’ ପାଦ ଦୁଇଟାକୁ ହାତରେ ତୋଳି ଧରି ଓଠରେ ଲଗାଉଥିଲା କୁବେର ଓ ଗାଢ଼ ଚୁମ୍ବନଟିଏ ଆଙ୍କିଦେଇ ଖୋଲିଦେଇଥିଲା ସୁନାର ପାଉଁଜିକୁ ।

 

(କବାଟ ଖୋଲିବା ଶବ୍ଦ ହେଲା । ପ୍ରୀତି ବହିପଢ଼ା ବନ୍ଦ ରଖି ଉଠିଯାଇ ଦେଖିଲା ସନାତନ ମଉସା ବାହାରେ କାହା ସହିତ କଥା ହେଉଛନ୍ତି ।

 

ସେ ଡ୍ରଇଁ ରୁମ୍ କବାଟଟା ଭିତରୁ ଆଉଜି ଆଣିଲା । ପାଟିକରି ବହିଟାକୁ ପଢ଼ୁଛି । କିଏ ଶୁଣିବ ଭଲ ଲାଗିବ ନାହିଁ...

 

ଅବଶ୍ୟ ଖୁବ୍ ଅନୁଚ୍ଚ ସ୍ୱରରେ ପ୍ରୀତିନନ୍ଦା ପଢ଼ୁଥିଲା । ତଥାପି କାହିଁକି ପ୍ରୀତିକୁ କେମିତି ଏକ ଅଦ୍ଭୁତ ଘାରୁଥିଲା...

 

ଲାଗୁଥିଲା ଉପନ୍ୟାସଟିର ଚରିତ୍ରମାନେ ଯେମିତି ଜୀବନ୍ତ ହୋଇ ସେମାନଙ୍କ କାହାଣୀ କହୁଛନ୍ତି । ଫୁଲ-କୁବେର ଦୁହେଁଯାକ ତା’ ଚାରିପଟେ ଅଦୃଶ୍ୟରେ ଆତଯାତ ହେଉଛନ୍ତି ।

 

ସଙ୍ଗୀତା ତା’ ଉପରେ ବିରକ୍ତ ହୋଇ ଗଳ୍ପ ଶୀଘ୍ର ସାରିବାକୁ ଜିଦ୍ କରୁଛି । ପ୍ରୀତିନନ୍ଦା ସଙ୍ଗୀତାକୁ କହିଲା, ଆଜି ବହିପଢ଼ା ସେତିକି ଥାଉ । ମୁଁ ପଢ଼ି ପଢ଼ି ଥକିପଡ଼ିଲିଣି । ଏଇଠି ଚିହ୍ନ ଦେଇଦେଲି, କାଲିକି ଆସି ବାକିତକ ପଢ଼ିଦେବା ।

 

ସଙ୍ଗୀତା ସୋଫାରୁ ତଳକୁ ଓହ୍ଲାଇ ଛୋଟ ପିଲାଙ୍କ ଭଳି ହାତଗୋଡ଼ କଚାଡ଼ି ନାଚିଗଲା-। କହିଲା ପ୍ରୀତି କାହାଣୀ ଶେଷ ପର୍ଯ୍ୟାୟରେ । ଆଉ କେଇଟା ପୃଷ୍ଠାରେ ତ ଶେଷହେବ-। ଏମିତି ସମୟରେ ଗଳ୍ପଟାକୁ ଅଧାକରି କ’ଣ ଯାଇହୁଏ ? ଯୁଦ୍ଧକ୍ଷେତ୍ରରୁ ପଳାୟନ କଲା ଭଳି ଲାଗିବ । କବାଟ ତ ଭିତରୁ ଆଉଜାଇ ନେଇଛୁ, ଏବେ ପଢ଼ । ପ୍ରୀତିନନ୍ଦା ତଥାପି ଅରାଜି ହେଉଥିଲା ।

 

ସଙ୍ଗୀତା କହିଲା – ଦେଖ ତୁମେ ଯଦି କ୍ଲାଇମାକ୍ସରେ ଏମିତି ନିର୍ଦ୍ଦୟ ହେବ ତେବେ ମୋର ଅସୁବିଧା ହୋଇଯିବ... ମାନେ, ଅନେକକଥା ଜାଣିବାକୁ ବାକି ରହିଯିବ ନା... । ଯେତିକି କାହାଣୀ ବଢ଼ୁଛି ସେତିକି ଅନ୍ତରଙ୍ଗ ଲାଗୁଛି ସବୁକିଛି... ।

 

ପ୍ରୀତି କହିଲା, ହଁ ସଙ୍ଗୀତା । ପ୍ରଫେସର ଏତେ ସୁନ୍ଦରଭାବେ କାହାଣୀର କଳ୍ପନା କରିଛନ୍ତି ଯେ ଯିଏ ପଢ଼ିବ ସେ ଚରିତ୍ରମାନଙ୍କ ପ୍ରତି ଅନୁରକ୍ତ ହୋଇପଡ଼ିବ । ହଉ, ସାର୍‌ ଆସିବା ଆହୁରି ଡେରି ହେବ ବୋଲି ସନାତନ ମଉସା କହୁଥିଲେ, ଅନ୍ତତଃ ବହିଟା ସେ ପର୍ଯ୍ୟନ୍ତ ସରିଯିବ । ପାଞ୍ଚଟା ସୁଦ୍ଧା ଆମକୁ ହଷ୍ଟେଲରେ ପହଞ୍ଚିବାକୁ ହେବ ।

 

ପ୍ରୀତିନନ୍ଦାର ମୁହଁ ସାମାନ୍ୟ ଗମ୍ଭୀର ଦିଶୁଥିଲା । ସେହି ଉପନ୍ୟାସ ଚକ୍କରରେ କାହିଁକି ପଡ଼ିଲା ବୋଲି ମନେ ମନେ ଭାବୁଥିଲା.... । ଏପଟେ ସଙ୍ଗୀତାର ହାବଭାବ ତାକୁ ଠିକ୍‌ ଲାଗୁ ନ ଥିଲା । ଏ ତ ଖାଲି ରୋମାଣ୍ଟିକ୍‌ ନୁହେଁ ବରଂ ରୋମାଞ୍ଚ ଉପନ୍ୟାସ । ସଙ୍ଗୀତା ଅଥୟ କରି ପକାଇଲାଣି । ପଢ଼ିବାକୁ ପଡ଼ିବ । ଧିମା ସ୍ୱରରେ ପ୍ରୀତି ପୁଣି ପଢ଼ିବା ଆରମ୍ଭ କଲା)

 

× × × ଫୁଲର ମଖମଲି ମାର୍ବଲ ପରି ଦେହଟାର ଲାବଣ୍ୟ ଜହ୍ନ ଆଲୁଅରେ ଝଲସି ଉଠୁଥିଲା । କୁବେର ଖୋଲି ଦେଉଥିଲା ତା’ଦେହରୁ ଶାଢ଼ୀ ଓ ଉତ୍ତାରି ଦେଇଥିଲା ତା’ ଶରୀର ଉପରୁ ଅନ୍ତବସ୍ତ୍ର ସବୁକୁ ।

 

ଏବେ ସମ୍ପୂର୍ଣ୍ଣ ଉଲଗ୍ନା, ବିବସ୍ତ୍ରା ହୋଇପଡ଼ିଥିଲା ଫୁଲ ! କୋମଳ, ସରଳ ନିଷ୍ପାପ କିଶୋରୀଟିଏ ପରି ଶାନ୍ତ, ଏକଦମ୍‌ ଚିନ୍ତାଶୂନ୍ୟଭାବେ ସେ ଶୋଇଛି ତା’ କୋଳରେ ।

 

ଏକ ଅଦ୍ଭୂତ ସନ୍ତୁଷ୍ଟ ଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି ତା’ ଭାବଭଙ୍ଗୀରୁ । ଯେମିତି କେଉଁ ଅୟୂତ ଯୁଗରୁ କେଉଁ ଶାପଗ୍ରସ୍ତା କିନ୍ନରୀ ଅବା ଦେବକନ୍ୟାଟିଏ...

 

ପୁଣି ଲାଗୁଛି କୋଣାର୍କ, ଅଜନ୍ତା ଅବା ଏଲୋରାରୁ ଖସିପଡ଼ିଥିବା ନିଖୁଣ ପଥରମୂର୍ତ୍ତିଟିଏ.... ଅନୁରାଗୀ ଶିଳ୍ପୀର ନିହାଣ ମୂନର କଳାସମ୍ଭାର ଅବା ! ଅପୂର୍ବ ଅବର୍ଣ୍ଣନୀୟ ଥିଲା ସେ ଦୃଶ୍ୟ !

 

କୁବେର ଯେମିତି ସ୍ୱପ୍ନ ଦେଖିୁଛି । କେତେ ସମୟ ଏମିତି ସେ ଭାବବିହ୍ଵଳ ହୋଇ ବସି ରହିଥିଲା କେଜାଣି, ଚେତା ଆସିଲା ଫୁଲର ସ୍ପର୍ଶରେ । କୁବେରର ଦୁଇ ହାତକୁ ନେଇ ଫୁଲ ନିଜର ଛାତି ଉପରେ ରଖିଲା । ତା’ ଓଠ, ମୁହଁ, କପାଳରେ ଫୁଲର ନରମ ଅଙ୍ଗୁଳିର ସ୍ପର୍ଶ । ଅୟୂତ ଯୁଗର ପ୍ରତୀକ୍ଷା ପରେ ତା ହାତପାହାନ୍ତାରେ ଆସି ପହଞ୍ଚିଛି ଆଜି ଏ ଅମୃତବେଳା । ଏହାକୁ ହାତଛଡ଼ା କଲେ ହୁଏତ ହୁଡ଼ିଯିବ ରାସ୍ତା ।

 

ପ୍ରଥମକରି ଯୌବନର ମହୁଲି ବନରେ ରାସ୍ତା ହୁଡ଼ିଥିବା କିଶୋରୀଟିଏ ଆଜି ରତିମଗ୍ନା ହେବାର ସ୍ୱପ୍ନରେ ପ୍ରମତ୍ତ ହୋଇ ଯେମିତି ଭୁଲିଯିବାକୁ ଚାହୁଁଛି ଅତୀତର ସବୁ ଗ୍ଲାନି ଓ ଅବଶୋଷକୁ.... ।

 

ତଥାପି କୁବେର ମନରେ ଅସମାହିତ ପ୍ରଶ୍ନ ସବୁ ଲହଡ଼ି ମାରୁଛି... କାହିଁକି କାହିଁକି ଫୁଲ ଏଭଳି ନିର୍ଣ୍ଣୟ ନେଲା ? ଫୁଲକୁ ବୁଝିବାରେ କ’ଣ ସେ ଭୁଲ କରିଦେଲା ? ଜୀବନ ମାଗିଥିଲେ ତ ସେ ଦେଇଥାନ୍ତା, ହେଲେ ଏଇ ଛାର ଯୌବନକୁ ମାଗିବସିଲା ଫୁଲ, କ’ଣ ପାଇଁ ?

 

ଏହାପଛରେ କି କାରଣ ରହିଛି ଆଉ ? ଏ ପୂର୍ଣ୍ଣମୀ ରାତି ଯେ ଆସନ୍ତାକାଲି ଦୁହିଁଙ୍କ ପାଇଁ ଅମେଇସାର କଳା କାଳିମା ନେଇ ଆସିବ ଏକଥା କ’ଣ ଫୁଲ ବୁଝିପାରୁନି ?

 

ଫୁଲର ଲହୁଣୀ ପରି ଦେହଟା ତା’ର ଖିୋଲା ଚଉଡ଼ା ଛାତି ଉପରେ ଭଉଁରୀ ଖେଳୁଛି । କୁବେରର ଅନ୍ତରାତ୍ମା ହୁଙ୍କାରି ଉଠୁଛି । ପୌରୁଷ କୁହାଟ ମାରୁଛି । ଫୁଲ କପାଳରେ ଚିନ୍ତାଦକର ଚିହ୍ନବର୍ଣ୍ଣ ନାହିଁ ! ପ୍ରେମର ଉଛୁଳା ନଦୀରେ ଯେମିତି ସେ ଠିଆ ପହଁରୁଛି ।

 

ପ୍ରତିଲଗ୍ନା ପ୍ରେମର ପଞ୍ଚମ ବେଦ ନିଜେ ଯେମିତି ନିଜର ଔଜ୍ଜଲ୍ୟତାରେ ଜଳିଯିବାକୁ ଅଥୟ । ସେ ଅଗ୍ନି କୁବେରକୁ ଯେମିତି ଆଲିଙ୍ଗନ କରିବାକୁ ଦୁଇ ହସ୍ତ ପ୍ରସାରି ଦ୍ରୁତ ଗତିରେ ଧାବମାନ ହେଉଛି । କୁବେର ଅସହାୟ ହୋଇପଡ଼ୁଥିଲା ଓ ଅନୁଭବ କରୁଥଲା ଯେମିତି ତା’ର ପାଦ ଦୁଇଟା ଜଳୁଛି ଓ ଧୀରେ ଧୀରେ ତା’ର ସମ୍ପୂର୍ଣ୍ଣ ଶରୀରଟା ଜଳିବାକୁ ଆରମ୍ଭ କରୁଛି । ଏ ଜଳିବାରେ ପୁଣି ଏତେ ମାଦକତା !

 

× × × କୁବେରର ଶରୀର ହାଲକାରୁ ଆହୁରି ହାଲ୍‌କା ହୋଇଯାଉଥିଲା । ଲାଗୁଥିଲା ଯେମିତି ସେ ଏବେ ଏହି କ୍ଷଣିକ ମଧ୍ୟରେ ମହାକାଶରେ ଲୀନ ହୋଇଯିବ...

 

ତା’ ଆଖିଦୁଇଟା ଏଥର ବନ୍ଦ ହୋଇଯାଉଥିଲା । ତା’ ହାତ ଦୁଇଟା ମୁକ୍ତ ଆକାଶରେ ବିହଙ୍ଗ ଭଳି ଘୁରି ବୁଲୁଥିଲା ଫୁଲମତୀର ଶରୀର ଉପରେ । ମନରୁ ସବୁ ଦ୍ୱନ୍ଦ୍ୱ, ସବୁ ଭୟ ଅପସରି ଯାଉଥିଲା... ମୋହମୁକ୍ତ ହୋଇ ପଡ଼ୁଥିଲା କୁବେର. .... । ସେ ଚାଲିଯାଉଥିଲା ପାପପୂଣ୍ୟର ଉର୍ଦ୍ଧ୍ୱକୁ, ବହୁ ଉର୍ଦ୍ଧ୍ୱକୁ... ଦେବତ୍ଵର ପ୍ରାପ୍ତି ପରେ ପାପବୋଧ ଅବା ଆଉ ଆସନ୍ତା କେଉଁଠୁ ?

 

କୁବେର ଫୁଲର ଶରୀର ଦେଇ ଛୁଲଁବାକୁ ଚାହୁଁଥିଲା ତା’ର ସମସ୍ତ ସୁଖଦୁଃଖ ଓ ଜୀବନ ଯୌବନକୁ । ବର୍ଷବର୍ଷ ଧରି ତା’ ଅନ୍ତର ଭିତରର ସଞ୍ଚିତ ସମସ୍ତ ପ୍ରେମକୁ ଆଜି ନିଃଶେଷ କରିଦେବାର ଅଦମ୍ୟ ଅଭିଳାଷ ହଠାତ୍‌ ଜାଗି ଉଠୁଥିଲା ।

 

ଫୁଲର ନିଦୁଆ ଆଖିପତା ଦୁଇଟାରେ ଶହଶହ ଚୁମ୍ବନ ଭରିଦେବାକୁ ମନ ହେଉଥିଲା । ପୁଣି ତାକୁ କୋଳରେ ଧରି ଅନନ୍ତ ସମୟ ପର୍ଯ୍ୟନ୍ତ ଗପିବାକୁ ଇଚ୍ଛା ହେଉଥିଲା, ଅସରନ୍ତି ଗପ ...

 

ଏ ରାତିଟା ଆହୁରି ଲମ୍ବା ହୋଇଯାଆନ୍ତା କି ! ! ଆଦୌ ପାହୁ ନ ଥିବା ରାତିପରି ରାତିଟିଏ...

 

କୁବେରର ଆଲିଙ୍ଗନରେ ଫୁଲ ଆକ୍‌ଚାମାକ୍‌ଚା ହୋଇପଡ଼ୁଥିଲା । ବିଦଗ୍‌ଧ ପ୍ରେମିକଟିଏ ପରି କୁବେର କହୁଥିଲା, ପୁନେଇ ଜହ୍ନରେ ତୁ କେମିତି ଦିଶୁଚୁ ଜାଣିଚୁଲୋ ଫୁଲ ? ଜୀବନ୍ତ ତାଜମହଲଟେ ଯେମିତି ।

 

ଫୁଲ ଖୁବ୍‌ ଧୀରେ ଫୁସ୍‌ଫୁସ୍‌ ହୋଇ କୁବେରର କାନ ପାଖିରେ କହୁଥିଲା, ମୋ ଶରୀରର ପ୍ରତିଟି ଅଙ୍ଗରେ ତୋର ପରଶ ଭରିଦେ କୁବେର । ଟିକେ ନୀରବ ରହି ଫୁଲ ବେଶ୍‌ ଓଜନିଆ ସ୍ୱରରେ । କହୁଥିଲା...

 

ଆଜି ଏ ରାତି ହେଉ ଜୀବନ ମରଣର ରାତି ...ହାର୍‌ଜିତ୍‌ର ରାତି । ଆମର ଏ ମିଳନକୁ ଆଜି ‘ମୃତ୍ୟୁ’ ବି ଅଟକାଇ ପାରିବନି କୁବେର । ପ୍ରେମର ବିଜୟ ହେବ । ତୁ ମୋର ଏ କ୍ଷତାକ୍ତ ଶରୀରରେ ଯେତେନାହିଁ ସେତେ ‘କ୍ଷତ’ ଭରିଦେ ।

 

ଯେତେ ଇଚ୍ଛା ସେତେ ‘ଯନ୍ତ୍ରଣା’ରେ ଛଟପଟ ହେଉ ମୋର ଏ ଦେହ । ଅତୀତର ସବୁ ଦୁଃଖ ଯନ୍ତ୍ରଣା ଆଜି ଯେମିତି ଛୋଟ ପଡ଼ିଯିବ ! ତୁ ଜାଣିଛୁ କୁବେର ? ମୋ ଦେହ ମନର ଏ ଗଳିତ କ୍ଷତ ତୋର ସେ ଅମୃତ ସ୍ପର୍ଶର ଅପେକ୍ଷାରେ ଅଛନ୍ତି ପରା ।

 

ଫୁଲକୁ କୁବେର ଚୁପ୍‌ କରାଇବାକୁ ଚେଷ୍ଟା କରୁଥିଲେ ବି ଫୁଲ ସେମିତି କହିଚାଲିଥିଲା-। ମୋତେ କହିବାକୁ ଦେ’ କୁବେର । ତୋ ମନ ସାଗରରେ ଏ ଯେଉଁ ପ୍ରଶ୍ନର ଲହଡ଼ି ମାରୁଛି ମୁଁ ଦେଖିପାରୁଛି । ହେଲେ ଏ ରାତି ପାହିଯିବ । ହୁଏତ ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ନ ଥିବି ।

 

କୁବେର, ମୋର ଏଇ ଶରୀରଟା କେତେଦିନରୁ ପାପର ତାତିରେ ଦିହୁଡ଼ୁଛି । ଅଲିଭା ଅଗ୍ନି ଜଳୁଛି ଯେ ଜଳୁଛି । ଲିଭିବାର ନାମ ନେଉନାହିଁ । ଛୁଇଁ ଦେ ମୋ ଶରୀରର ନିଷିଦ୍ଧ ଅଙ୍ଗସବୁକୁ, ସେ ଅଗ୍ନି ନିର୍ବାପିତ ହେଉ, ...

ତୋରି ଶୀତଳ ସ୍ପର୍ଶ ମାତ୍ରକେ ମୁଁ ମୋକ୍ଷ ଯିବି କୁବେର । ମୁଁ ମୁକ୍ତି ପାଇଯିବି । ଭୁଲିଯିବି ବିଗତ ଦିନର କ୍ଳେଶ ସବୁକୁ । ଖିାଲି ସ୍ମରଣ ରହିବୁ ତୁ ଓ ତୋ ସ୍ପର୍ଶ ତୋ ପ୍ରେମ ଆଉ ଏଇ ମହାମିଳନ । ଥକି ପଡ଼ୁଥିଲା ଫୁଲ, ତଥାପି କଥା କହିବା ତା’ର ଯେମିତି ସରୁ ନ ଥିଲା... ରହି ରହି ଅସ୍ପଷ୍ଟ ସ୍ୱରରେ କହୁଥିଲା–ତୁ ସେଇ ସତ୍‌ପୁରୁଷ ପରମ ପ୍ରେମିକ ପୁଣି ମହାଯୋଗୀ ଶିବାଂଶୁ, ଯା’ର ସାନ୍ନିଧ୍ୟଃ ପ୍ରେମ ଓ ପ୍ରୀତିରେ ଯୁଗ ଯୁଗର ପାପକ୍ଷୟ କରିବାର ଶକ୍ତିନିହିତ । ତୁ ମୋର ରାମଚନ୍ଦ୍ର କୁବେର, ମୁଁ ତୋର ଅଭିଶପ୍ତ ଅହଲ୍ୟା । ଆବେଗରେ ଫୁଲ ବିଳିବଳଉ ଥିଲା... ।

ତା’ ଓଠରେ ଆଙ୍ଗୁଳି ରଖି ତାକୁ ଚୁପ୍‌ କରାଇଲା । କୁବେର । ଚୁପ୍‌... ଏକଦମ୍‌ ଚୁପ । ଫୁଲ ଦେହ ଉପରେ କୁବେରର ନିବିଡ଼ ସ୍ପର୍ଶ....। ଫୁଲ ଯନ୍ତ୍ରଣାରେ ଅସ୍ଥିର ହୋଇ ପଡ଼ୁଥିଲା । କୁବେର ଫୁଲର ଗୋଟେ ପରେ ଗୋଟେ ଅଙ୍ଗରେ ଭରିଦେଉଥିଲା ତା’ର ନିବିଡ଼ ସ୍ପର୍ଶ । ... ପାଦଠାରୁ ଜଙ୍ଘ ପୁଣି ନିତମ୍ବ.... ପିଠି ଠାରୁ ଛାତି...ହାତରେ ଉଷ୍ମତାର ଅନୁଭୂତି... ଦେହରେ ସିତ୍କାର-

× × × କୁବେରର ହାତ ଅଟକୁଥିଲା ଫୁଲର ବାମପଟ ନିତମ୍ବ ଉପରେ... ପୁଣି ହାତ ଦୁଇଟା ଅସ୍ଥିର ହୋଇଉଠୁଥିଲା । ପୁଣି ଫୁଲର ଡାହାଣ ପଟ ପିଠି ଉପରେ କିଛିକ୍ଷଣ ପାଇଁ ହାତଟା ସ୍ଥିର ହୋଇଯାଉଥିଲା...ପାଗଳ ପରି ଫୁଲର ସାରା ଶରୀରଟାକୁ ସେ ଛୁଇଁ ଛୁଇଁ ଯାଉଥିଲା ।

ଏବେ ଫୁଲର ଉନ୍ନତ ସ୍ତନଯୁଗଳ ଉପରେ ହାତ ଦୁଇଟା ତା’ର ସ୍ଥିର ହୋଇଗଲାବେଳକୁ ଚିତ୍କାର କରିଉଠିଲା ଫୁଲ । ଯେଉଁ ଆର୍ତ୍ତନାଦ ତା’ର ସମସ୍ତ କାମନା ବାସନାକୁ ରୋକିଦେଉଥିଲା, ସଚେତନ ହୋଇ ଉଠୁଥିଲା କୁବେର ।

ଏଥର ତା’ ମନରେ ଭରିଯାଇଥିଲା ସଂଶୟ ! ନାଁ ତାକୁ ଫୁଲର ସମସ୍ତ ଶରୀରଟାକୁ ତନ୍ନ ତନ୍ନ କରି ଦେଖିବାକୁ ହେବ ।

× × × ସାଙ୍ଗରେ ଆଣିଥିବା ଟର୍ଚ୍ଚଲାଇଟ୍‌ ଜଳାଇ ସେ ପାଗଳ ପରି ଫୁଲର ଉଲଗ୍ନ ଶରୀରଟାକୁ ଓଲଟାଉଥିଲା, କଡ଼ାଉଥିଲା । ତଳିପାଠାରୁ ନିତମ୍ବ, ପିଠି, ପେଟ, ଛାତିକୁ ତନ୍ନ ତନ୍ନ କରି ଦେଖୁଥିଲା, ଆଉ ଦେଖୁଥିଲା......

ତା’ ଆଖି ଆଗରେ ଏଇ ଯେମିତି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଖସିପଡ଼ୁଛି ଆକାଶ ! ! ! ପୃଥିବୀଟା ପାଦ ତଳୁ ଯେମିତି ଅପସରି ଯାଉଛି ! ଘୋଟି ଆସୁଛି ଅନ୍ଧାର, ମାଡ଼ି ଆସୁଛି କାଳ ବୈଶାଖିୀ...

ବିକଳରେ ସେ ଜାବୁଡ଼ି ଧରୁଥିଲା ଫୁଲକୁ । ଫୁଲ ଆଖିରୁ ଧାର ଧାର ଲୁହ ବୋହିଯାଉଛି । ଗୁମୁରି ଗୁମୁରି କାନ୍ଦୁଛି ଫୁଲ । କାନ୍ଦୁଛି ଆଉ କାନ୍ଦୁଛି । ଲୁହ ବନ୍ଦ ହେବାର ନାମ ନେଉନାହିଁ...। ଭିଜିଯାଉଛି କୁବେର ସେ ଲୁହର ବନ୍ୟାରେ ! ସେ ଲୁହର ବନ୍ୟାରେ ଯେମିତି ମନ୍ଦିର ବେଢ଼ାଟା ଏଇ । ଡୁବିଯିବ ! !

କିଛିକ୍ଷଣ ପରେ କୁବେର ପାଟି ଖୋଲିଲା, କହ ଅଲକ୍ଷଣୀ, କହ ତୋ ଶରୀରକୁ ଏମିତି ନିଷ୍ଠୁରଭାବେ କ୍ଷତବିକ୍ଷତ କରିଛି କିଏ ? ପେଟ, ପିଠି, ନିତମ୍ବରୁ ଛାତିଯାଏଁ ଏଡ଼େ ବଡ଼ ବଡ଼ ଗଭୀର-। କ୍ଷତସବୁ ! କିଏ ଏମିତି କଲା ? କାହାର ନିଷ୍ଠୁର ହାତ ଗଲା ଲୋ ଫୁଲ ? କିଏ ସେ ପିଶାଚ ! ଘା’ ସବୁ ପୁଣି ପଚିସଢ଼ି ଗଲାଣି । ସାରା ଦେହଟା ତୋର ଯନ୍ତ୍ରଣାରେ ଶିରଶିରଉଛି । ପଚା ଘା’ରୁ ପୂଜ ରକ୍ତ ବୋହି ପଡ଼ୁଛି ! ଏତେ ଯନ୍ତ୍ରଣା ତୁ ଦେହରେ ନେଇ ରତିମଗ୍ନା ହେବାକୁ ଉଚ୍ଚାଟ ହେଉଛୁ-?

ପୁଣି କାହିଁକି କେଉଁଠି ଏତେ ଦୁଃଖି ସବୁକୁ ଲୁଚାଇ ରଖିଥିଲୁ ? ଏକୁଟିଆ ନୀଳକଣ୍ଠ ପରି କେଉଁ ଦୁଃଖିର ଜହର ସବୁକୁ ପିଇବାରେ ଲାଗିଛୁ ? କେତେଦିନରୁ ଏ ନର୍କଯନ୍ତ୍ରଣାକୁ ସହ୍ୟ କରୁଛୁ ତୁ ? କହ । କହ ଲୋ ଫୁଲ । ଚାଲ ଉଠ, ପିନ୍ଧ ଶାଢ଼ି, ତୋତେ ଏବେ ଏହି ମୁହୂର୍ତ୍ତରେ ନେଇଯିବି ସହରକୁ, ତୋତେ ସବୁଠାରୁ ବଡ଼ ଡାକ୍ତରଙ୍କୁ ଦେଖାଇବି ।

ନାଁ କୁବେର, ମୁଁ ଆଭ ଭଲ ହେବାକୁ ଚାହେଁନା, ତୁ ମୋତେ ମିଳିଗଲୁ, ମୋତେ ଛୁଲଁଦେଲୁ....ମୋ ପାଇଁ ସେତିକି ଯଥେଷ୍ଟ । ଶରୀରର କ୍ଷତ ସିନା ଭଲ ହେବ ମନର କ୍ଷତକୁ କିଏ ଭରିବ କହ ? ବିବାହ ପରର ପ୍ରଥମ ରାତ୍ରିରେ ମୁଁ ଯାହା ସହିତ ସହବାସ କରିବାକୁ ବାଧ୍ୟ ହୋଇଥିଲି ଜାଣୁ ସେ କିଏ ଥିଲେ ? ସେ ଥିଲେ ମୋ ସ୍ୱାମୀଙ୍କର ପିତା ଜମିଦାର ରଣେନ୍ଦ୍ର ପ୍ରତାପ-। ଯାହାଙ୍କ ଯୌନ ପିପାସା ମେଣ୍ଟାଇବା ପାଇଁ କେତେନାହିଁ କେତେ କୁମାରୀଙ୍କ ଯୌବନ ବଳି ଚଢ଼ିଥିଲା ।

ଯାହାଙ୍କୁ ମୁଁ ସ୍ଵାମୀ ବୋଲି ବେଦୀରେ ବାହାହୋଇ ଥିଲି ସେ କଲିକତାରେ ଅନ୍ୟଜଣେ ବଙ୍ଗାଳୀ ଝିଅକୁ ଧରି ସୁଖରେ ଘରସଂସାର କରି ରହିଥିଲେ । ଗାଁରେ ନିଜ ପତିଆରା ରଖିବାକୁ ନାମକୁ ମାତ୍ର ବୋହୂଟିଏ ଆବଶ୍ୟକତା ଥିବାରୁ ସେ ଦୁହିଁଙ୍କ ବୁଝାମଣାର ଶିକାର ହୋଇଥିଲି ମୁଁ । ମୋର ସେହି ନାମ ମାତ୍ରକ ସ୍ଵାମୀ କେବେ କେବେ ଗାଁକୁ ଆସିଲେ ମୋତେ ଜଣେ ଆଦର୍ଶ ବୋହୂ ହେବା ପାଇଁ ଉପଦେଶ ଦେଉଥିଲେ । କହୁଥିଲେ ସହରମାନଙ୍କରେ ମଧ୍ୟ କୁଆଡ଼େ ଏଇମିତି ଚାଲିଛି । ବଡ଼ବଡ଼ ହାକିମମାନେ ମଧ୍ୟ ନିଜ ନିଜର ପତ୍ନୀ ବଦଳି କରନ୍ତି । ବଡ଼ କଣ୍ଟ୍ରାକ୍ଟ ପାଇବା ପାଇଁ ସୁନ୍ଦରୀ ପତ୍ନୀ କୁଆଡ଼େ ଜରିଆ ହୁଅନ୍ତି । ଚବିଶି ଘଣ୍ଟାରୁ ବାର ଘଣ୍ଟା ମଦ ନିଶାରେ ଡୁବି ରହୁଥିବା ମୋ ସ୍ଵାମୀ କିନ୍ତୁ ତାଙ୍କର ବଙ୍ଗାଳୀ ପତ୍ନୀ ପ୍ରତି ବେଶ୍‌ ଅନୁରକ୍ତ ଓ ବିଶ୍ଵାସୀ ଥିଲେ ।

ସେଥିପାଇଁ ବୋଧହୁଏ ମୋ ଶରୀରକୁ ଦିନେ ମଧ୍ୟ ଛୁଇଁବାକୁ ଇଚ୍ଛା କରୁ ନ ଥିଲେ । ଫୁଲ ଏକଥା କହୁ କହୁ ହସିଲା.... ବିଦ୍ରୁପର ହସ । ହତାଶ୍‍ର ହସ ।

 

କହିଲା–‘‘କୁବେର ବିବାହ ପରଦିନଠାରୁ ହଁ ମୋ ପାଇଁ ଆକାଶରେ ଜହ୍ନ ଆସିନି । ସବୁ ରାତି ଥିଲା ଅମେଇସାର କଳା ରାତି... । ସବୁ ରାତିରେ ତୋ ଫୁଲ ହେଉଥଲା ଧର୍ଷିତା, ... ଶ୍ୱଶୁରଙ୍କ ଅନୁପସ୍ଥିତିରେ ଦେଢ଼ଶୁରଙ୍କ କାମନାର ଶିକାର ହେବାକୁ ମଧ୍ୟ ହେଉଥିଲା । ପିଆଲାରେ ଭରିବାକୁ ହେଉଥିଲା ମଦିରା, କେବଳ ଦେଢ଼ଶୁରଙ୍କୁ ନୁହେଁ ବେଳେବେଳେ ତାଙ୍କର ଅତିଥିମାନଙ୍କ ମଧ୍ୟ !’’

 

କଥା ନ ମାନିଲେ ଚାବୁକ୍‌ ମାଡ଼ । ତତଲା ଲୁହାର ଚେଙ୍କ । ଗୋଟେ କ୍ଷତ ନ ଶୁଖୁଣୁ ଆଉ ଗୋଟେ କ୍ଷତ ଶରୀରଟା ସବୁଦିନେ ଚାବୁକ୍‌ ମାଡ଼ ଖାଇ ଖାଇ କ୍ଷତାକ୍ତ ହେଉଥିଲା, ଲୁହଲହୁ ଭିତରେ ଜୀବନଟା ମୋର ଅଲୋଡ଼ା ହୋଇସାରିଥିଲା ।

 

ଶରୀରଟାକୁ କୁକୁର, ମାଙ୍କଡ଼ ଭଳି ଝୁଣିଝୁଣି ସେମାନେ ପ୍ରତିଦିନ ରକ୍ତାକ୍ତ କରି ପକାଉଥିଲେ । କୁବେର, ଯେତେ ଚେଷ୍ଟା କଲି କୁଆଡ଼େ ଲୁଚି ପଳାଇବାକୁ, ପାରିଲିନି । ଘର ଭିତରେ ମୁଁ ଥଲି ଗୃହବନ୍ଦୀ । କାହାକୁ ଏ ଦୁଃଖ କହିଥାନ୍ତି ? ବାପାଙ୍କ ମୃତ୍ୟୁପରେ ଆମ ଘର ଘର ହୋଇ ରହି ନ ଥିଲା । ସେତିକିବେଳେ ମୁଁ ଶୁଣିଲି ତୋ ଦେହ ଖରାପ । ଚିକିତ୍ସା ପାଇଁ ଯାଇଛୁ ।

 

ମାଳତୀ ମୋର ସହପାଠିନୀ ଥିଲା । ସେ ହିଁ ତୋର ଭଲମନ୍ଦ ଖବର ଥରେ ଅଧେ କେବେ କେବେ ଲୁଚିଛପି ଆସି ଶୁଣାଉଥିଲା । ସେ ହିଁ କହିଥିଲା ଯେ ତୁ କୁଆଡ଼େ ମୋତେ ବାହା ହେବାକୁ ଚାହୁଁଥିଲୁ । ଡାକ୍ତରଖାନାରେ ଅଚେତ ସମୟରେ ଫୁଲ ଫୁଲ ବୋଲି ବାଉଳୁଥିଲୁ । ଅନେକ ଡେରିରେ ମୁଁ ବୁଝିଲି ତୋ ପ୍ରେମକୁ ।

 

ବହୁବାର ଚାହିଁଛି ତତେ ଭେଟିବାକୁ, ମନ ହୋଇଛି ସବୁଛାଡ଼ି ତୋ ପାଖକୁ ପଳେଇଯିବାକୁ... । ହେଲେ ପାରିନି । ହସିଦେଲା ଫୁଲ । ତାଚ୍ଛଲ୍ୟରେ । କହିଲା- ପରିବାର, ସମାଜ କିଏ ମୋତେ ନ୍ୟାୟ ଦେଇଥାନ୍ତା ? କିଏ କହ ମୋର ହଜିଲା ସମ୍ମାନକୁ ଓ ନାରୀତ୍ଵକୁ ଫେରାଇଥାନ୍ତା ?

 

ବିବାହ ପରେ ଝିଅକୁ ବିଦା କରି ବାପା, ମା’ ନିଶ୍ଚିନ୍ତ ହୋଇଯାଆନ୍ତି, ହେଲେ କହ ତ କୁବେର, ଝିଅଟିଏ କ’ଣ କେଉଁ କୂଳର ହୁଏ ? ନାଁ ପିତାର ଘର ନାଁ ସ୍ୱାମୀର ଘର ? କେଉଁଟାରେ ବି ତା’ର ଅଧିକାର ରୁହେନି । କେଇଜଣ ଝିଅ ବିବାହ କରି ସୁଖୀ ହୁଅନ୍ତି କୁବେର, ତା’ ମୁଁ ଜାଣିନି ।

 

କିନ୍ତୁ ମୁଁ ଏତିକି ବୁଝିଛି ଯେ ନାରୀକୁ ସମାଜରେ । ସମ୍ମାନସ୍ପଦା ବୋଲି ଯାହା କୁହାଯାଏ, ତା’ ପ୍ରକୃତରେ ଏକ ଛଳନା । ଆଜିର ସମାଜରେ ନାରୀ ନିଜର ଅସ୍ତିତ୍ଵ ହରାଇଛି । ଆତ୍ମସମ୍ମାନ ଓ ବଞ୍ଚିବାର ଅଧିକାରକୁ ମଧ୍ୟ ହଜାଇଦେଇଛି । ପୁରୁଷମାନଙ୍କର କ୍ଷୁଧାକୁ ମେଣ୍ଟାଇବା ପାଇଁ କ’ଣ ନାରୀଟିଏ ଜନ୍ମ ନେଇଥାଏ ? ଏହାହିଁ କ’ଣ ନାରୀର ଭାଗ୍ୟ ? ? ?

 

ତୋତେ କଥା ଦେଇଥିଲି । ତୋ ବାହାଘରକୁ ଗାଁକୁ ଯିବି । ହେଲେ... । ସେମାନେ ମୋତେ ଯିବାକୁ ଦେଲେନି । ପୁଣିଥରେ ବଡ଼କଷ୍ଟରେ ଚିଠି ଲେଖି ପଠେଇଲି । ମନ୍ଦିରରେ ଭେଟିବି ବୋଲି ... । ହେଲେ...

 

ତୁ ଆଉକିଛି କହନା ଫୁଲ । ମୋ ଛାତି ଫାଟିଯାଉଛି । ଏସବୁ କ’ଣ ହୋଇଗଲା କହି ଫୁଲକୁ କୁଣ୍ଢାଇ ଧରି ପିଲାଙ୍କ ପରି କାନ୍ଦୁଥିଲା କୁବେର । ଅନୁଶୋଚନାରେ ନିଜକୁ ନିଜେ ଧିକ୍କାରୁ ଥିଲା । ଏସବୁ ପାଇଁ ସେ ହିଁ ଦାୟୀ । କାହିଁକି ସେ ଫୁଲକୁ ଆଉ କାହାର ହେବାକୁ ଦେଲା ।

 

ଫୁଲ କହିଲା, କୁବେର, ମୁଁ ତୋ ପ୍ରେମକୁ ବୁଝିବାକୁ ଖୁବ୍‌ ଡେରି କରିଦେଲି । ଗୋଟିଏ ଜନ୍ମ ବିତିଗଲା, ବୁଝିଲା ବେଳକୁ ଆଉ କରିବାକୁ କିଛି ବାକି ନାହିଁ । ଦେଖ, ଆରଜନ୍ମକୁ ଏ ଭୁଲ୍‌ ଆଉ ହେବନି ।

 

ମୋ ଶରୀର ବିଷଜ୍ଵାଳାରେ ଅଧିର ହେଉଛି । ଲାଗୁଛି । ଯେମିତି ଶହ ଶହ ନାଗ ଦଂଶିଛନ୍ତି ମୋତେ ! କେଉଁ ଗଙ୍ଗାରେ ଏ ଶରୀର ଶୁଦ୍ଧ ହେବ ପୁଣି କେଉଁ ମନ୍ତ୍ର ପୋଛିନେବ ମୋ ଦେହରୁ ସେ ଜହରକୁ ? କହ କୁବେର, କେମିତି ମୋ ଆତ୍ମା ପାପମୁକ୍ତ ହେବ ? ଏତେସବୁ ପାପଭାର ମୁଣ୍ଡରେ ନେଇ କେଉଁ ମୁହଁ ନେଇ ଯିବି ସେ ପୁରକୁ ?

 

ପ୍ରେମ ଛଡ଼ା ମୁକ୍ତି କାହିଁ ? ମୁଁ ଜାଣେ ତୋରି ପବିତ୍ର ପ୍ରେମ ଓ ପ୍ରୀତିର ପରଶ ଏ ଯନ୍ତ୍ରଣାରୁ ମୋତେ ମୁକ୍ତି ଦେଇପାରିବ । ଏଇକଥା ମୋର ଅନ୍ତରାତ୍ମା ମୋତେ ବାରମ୍ବାର କହିଦେଉଛି । କେବଳ ସେଇ ଆଶାରେ ଜୀବନ ମୃତ୍ୟୁର ସବୁ ସୀମା ଡେଇଁ ମୁଁ ଦଉଡ଼ି ଆସିଛି । ଗୋଟିଏ ଜନ୍ମର ସତର ବର୍ଷର ସବୁ ତପସ୍ୟା, ଶୁଦ୍ଧତା ଓ ସରଳତାକୁ ସେ ଲମ୍ପଟମାନେ ଲୁଟିନେଲେ । ମୁଁ ଆତ୍ମାଗ୍ଲାନିରୁ ମୁକ୍ତି ଚାହେଁ ।

 

ପାପରୁ ପୂଣ୍ୟପଥକୁ ପାଦ କାଢ଼ିଛି ତୋ ଫୁଲ, ତୁ ଖାଲି ମୋ ଉପରେ ବିଶ୍ଵାସ ରଖ । ମୁଁ ପରଜନ୍ମରେ ତୋତେ ନିଶ୍ଚୟ ଖୋଜିନେବି ... । ଆ ମୋତେ ତୋ କୋଳରେ ଭରିନେ କୁବେର-। ମୁଁ ତୋରି ବାହୁବନ୍ଧନ ଭିତରେ ଟିକେ ନିଶ୍ଚିତରେ ନିଦ୍ରା ଯିବାକୁ ଚାହୁଁଛି । ତୁ ଆଜି ଯଦି ନିରାଶ କରୁ ତେବେ ଆଉ ଏ ଲଗ୍ନ କେବେ ଆସିବନି ।

 

କୁବେର ନୀରବ । ମୁହଁରେ ଆଉ ଭାଷା ସ୍ଫୁରୁ ନ ଥିଲା । ଏମିତି ବେଳାରେ ତ ଶବ୍ଦ ସବୁ ହଜିଯାଆନ୍ତି । ସୃଷ୍ଟି ଅବାକ୍‌ ହୁଏ, ଗଗନପବନ ସବୁ ସ୍ତବ୍ଧ ହୋଇଯାଆନ୍ତି ।

 

କୁବେର ତା’ର ବଳିଷ୍ଠ ବାହୁ ଭିତରେ ଭରିନେଉଥିଲା ଫୁଲମତୀର ଯନ୍ତ୍ରଣାସିକ୍ତ ଶରୀରଟାକୁ । ତା’ର ଥରିଲା ଓଠରେ ଚୁମ୍ବନ ପରେ ଚୁମ୍ବନ ଆଙ୍କି ଦେଉଥିଲା । ଆଉ ଦୁହେଁ ହଜିଯାଉଥିଲେ ନିଃସର୍ତ୍ତ ପ୍ରେମର ଗଭୀର ସୀମାହୀନ ସାଗର ବକ୍ଷରେ ।

 

କେତେ ଯୁଗରୁ ଅବା ଅପେକ୍ଷାରତ ଥିଲା ପୃଥିବୀ ଓ ଆକାଶ ଏ ମହାମିଳନର ପର୍ବକୁ ଦେଖିବା ପାଇଁ... । କେତେ ସମୟ କେଜାଣି ବିତିଗଲା... ଜହ୍ନ ମୁସିଆ ପାହାଡ଼ ସେପଟକୁ ଝୁଙ୍କିଲାଣି, କୁବେର କୋଳରେ ଚରମ ଶାନ୍ତିରେ ନିଦ୍ରା ଯାଇଛି ଫୁଲ ।

 

ଯେମିତି ବହୁବର୍ଷ ପରେ ସେ ଶୋଇଛି । ତା’ର ମୁକୁଳା ଅଲରା କେଶକୁ ସଜାଡ଼ୁ ସଜାଡ଼ୁ କୁବେର ଫୁଲର ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ୁଥିଲା । ଭାବୁଥିଲା ଫୁଲ ଆଖିରୁ ନିଦ ଛାଡ଼ିଲେ ଏସବୁ ବିଷୟରେ ଫୁଲ ସହିତ କଥା ହେବ । ସେତେବେଳକୁ ତା’ର ଛାତି ଭପରେ ଫୁଲ ଏମିତି ନିଦେଇ ଯାଇଛି ଯେ କୁବେରର ତାକୁ ଉଠେଇବାକୁ ସାହସ ହେଉ ନ ଥିଲା-

 

ଆଉ କିଛି ସମୟ ଶୋଇପଡ଼ୁ.... ସକାଳ ହେବା ପୂର୍ବରୁ ଉଠାଇଦେବ ଓ ଏ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବ । ହେଲେ କିଏ ଜାଣେ କାଲିର ସକାଳ ତାଙ୍କ ଦୁହିଁଙ୍କ ପାଇଁ କି ରୂପ ନେଇ ଆସୁଛି...

 

ଯାହାହେବ ତାକୁ ସାହସର ସହିତ ମୁକାବିଲା କରିବାକୁ କୁବେର ନିଜକୁ ପ୍ରସ୍ତୁତ କରୁଥିଲା । ଏହାଛଡ଼ା ଫୁଲକୁ ସେ ନ୍ୟାୟ ଦିଆଇବ । ତାକୁ ସେ ରାକ୍ଷସମାନଙ୍କ କବଳରୁ ଉଦ୍ଧାର କରିବାକୁ ହେବ । ପ୍ରଥମେ ତ ତା’ର ଚିକିତ୍ସା, ତା’ ପରେ ଆଉ ସବୁ...

 

ଏମିତି ଭାବୁଭାବୁ ମନ୍ଦିର ଘଣ୍ଟାରେ ଠନ୍‌ଠନ୍‌ ହୋଇ ରାତି ତିନିଟା ବାଜିଲା । କୁବେରର ବି ଆଖି ଲାଗି ଆସୁଥିଲା । ଦୁହେଁ ଶୋଇପଡ଼ିଥିଲେ ମନ୍ଦିର ବେଢ଼ାରେ । ନିଘୋଡ଼ ନିଦ୍ରାରେ.......

 

× × × ×

 

ହଠାତ୍‌ କେଉଁଠୁ ପାଟିତୁଣ୍ଡ ଶୁଣି କୁବେରର ନିଦ ଭାଙ୍ଗିଗଲା...। ଆଖି ଖିୋଲିଲା ବେଳକୁ ସିନ୍ଦୁରା ଫାଟିଲାଣି । କୁଆ ରାବିଲାଣି । ଚାରିଆଡ଼କୁ ଚାହୁଁଥିଲା କୁବେର । ଯେମିତି ସେ ସ୍ୱପ୍ନରାଜ୍ୟରୁ ଫେରିଛି ! ପାଖରେ ଫୁଲ ନଥିଲା । କୁଆଡ଼େ ଗଲା ଫୁଲ ? ଏଇତ ତାରି ଛାତି ଉପରେ ଶୋଇପଡ଼ିଥିଲା...

ଏଇଠିତ ବିଛେଇ ହୋଇପଡ଼ିଥିଲା ତା’ର ଗହଣା ସବୁ । ନିଜ ହାତରେ ସେ ତା କବରୀ ଖିୋଲିଥିଲା ଓ କବରୀରୁ ଖିୋଲି ଦେଇଥିଲା ରଜନୀଗନ୍ଧାର ଗଜରା... କାହିଁ ? ନା ଥିଲା ଗଜରାର ଚିହ୍ନବର୍ଣ୍ଣ ନା ଫୁଲମତୀର ?

ଏମିତି ଅବସ୍ଥାରେ ଫୁଲ କୁଆଡ଼େ ଓ କେମିତି ବା ଗଲା ? କିଏ ଆସି ରାତିରେ ତାକୁ ଉଠେଇନେଇ ଗଲେକି ଆଉ ? ନା, ତାକୁ ଯିବାକୁ ହେବ ଫୁଲର ଶ୍ଵଶୁର ଘର ପୁରୁଷୋତ୍ତମପୁରକୁ-। ଉଠି ଛିଡ଼ା ହେଉଥିଲା କୁବେର ।

× × × ହଠାତ୍‌ ଦେଖିୁଥିଲା ଗାଁ ଲୋକେ ଏକପ୍ରକାର ଦଉଡ଼ାଦଉଡ଼ି ହୋଇ ପୁରୁଷୋତ୍ତମପୁର ଗାଁ ଆଡ଼େ ଯାଉଛନ୍ତି ପାଟିତୁଣ୍ଡ ଜୋର୍‌ ଶୁଭୁଛି । ଟିକେ ଆଗକୁ ଦଉଡ଼ିଯାଇ ଦେଖିଲା ପୂଜାରୀ ନନାର ପୁଅ ଶିବକୁ । ପଚାରିଲା ଏତେ ସକାଳୁ କୁଆଡ଼େ ଯାଉଛୁ ଶିବ ? ଶିବ ଓଲଟା ତାକୁ ପଚାରିଲା, ଗାଁଟା ଯାକର ଲୋକେ ଜାଣିଛନ୍ତି, ତୁମେ ଜାଣିନ ?

କାଲି ସନ୍ଧ୍ୟା ଠୁଁ ତୁମେ କୁଆଡ଼େ ଥିଲକି ? ତମ ଘର ଲୋକେ ପରା ପୁରୁସ୍ତମପୁରରେ ଖୋଜୁଛନ୍ତି ତୁମକୁ । ରାତିସାରା ଆମ ଗାଁ କି ଆର ଗାଁ ଲୋକେ ଶୋଇନାହାନ୍ତି । ପୁରୁସ୍ତମପୁର ଜମିଦାର ଘର ବୋହୂ ଆମ ଗାଁ ଝିଅ ଫୁଲ ମ, ତା ଶବ ପରା କାଲି ସନ୍ଧ୍ୟାରୁ ଭାସୁଛି ବ୍ରାହ୍ମଣୀ ନଦୀରେ ! ଆମ ଗାଁ ଲୋକେ ଶବଦାହ କରିବାକୁ ଛାଡ଼ୁନାହାନ୍ତି । ଝିଅଟାର ଦେହଟା ଯାକ ପୋଡ଼ା କଟା ଘା’ର ଚିହ୍ନ । ଫୋଲିସ ଜଗିଛି । ...

ଶୁଣାଯାଉଛି ତା’ ଶ୍ଵଶୁର ଘର ଲୋକେ କୁଆଡ଼େ ତାକୁ ଖିୁବ୍‌ ପିଟାମରା କରୁଥିଲେ, ବୋଧେ ପିଟୁପିଟୁ ମରିଯାଇଛି, ଫୋପାଡ଼ି ଦେଇଛନ୍ତି ନଦୀକୁ । ତୁ ଯିବୁ ଯଦି ଆ କୁବେର ।

× × × କୁବେରର ମୁଣ୍ଡ ଘୂରିଯାଉଥିଲା ! ! କାଲି ସନ୍ଧ୍ୟାବେଳୁ.... ? ବ୍ରାହ୍ମଣୀ ନଦୀରେ ଫୁଲର ଶବ ଭାସୁଛି ? ? କ’ଣ ଏମାନେ ସବୁ କହୁଛନ୍ତି ? ଲାଗୁଥିଲା ସେ ଯେମିତି ପାଗଳ ହୋଇଯିବ । ... ଏଇତ ଏଯାଏଁ ତା’ ଛାତିରେ ଲାଗିଛି ଫୁଲମଥାର କୁଙ୍କୁମ । ତା’ର ପିନ୍ଧିଥିବା କମିଜଟାରୁ ଏବେ ଯାଏଁ ଫୁଲ ଆଖିର କଜଳମିଶା ଲୁହର ଦାଗ ଲିଭିନି.... । ତା’ର ଦେହ ମନରେ ଏଯାବତ୍‌ ମହକୁଛି ଫୁଲର ବାସ୍ନା....। କୁବେର ଚିନ୍ତା କରିବା ଅବସ୍ଥାରେ ନ ଥିଲା ।

 

ଗମ୍‌ଗମ୍‌ ହୋଇ କୁବେର କପାଳରୁ ବହିଯାଉଥିଲା ଝାଳ । ଝାଳ ପୋଛିବାକୁ ପ୍ୟାଣ୍ଟ ପକେଟ୍‌ରୁ ରୁମାଲ୍‌ଟାକୁ ଟାଣି ଆଣିଲା ବେଳକୁ ଚମକି ପଡ଼ୁଥିଲା କୁବେର । ରୁମାଲ୍‌ଟାରେ ଛନ୍ଦାଛନ୍ଦି ହୋଇ ଲଟକିଛି ସରୁ ପାଉଁଜିଟିଏ... । ଏଇଟା ତ ଫୁଲର ପାଉଁଜି । ନିଜ ହାତରେ କାଲି ରାତିରେ ସେ ଖିୋଲି ଦେଇଥିଲା ଫୁଲ ଦେହର ଆୟ ଅଳଙ୍କାର ସବୁକୁ । ସବାଶେଷରେ ଖିୋଲିଦେଇଥିଲା ତା’ ଗୋଡ଼ର ପାଉଁଜି...। ହୁଏତ ଅନ୍ୟମନସ୍କରେ ସେଥିରୁ ପଟେ କେମିତି ଲଟକି ଯାଇଛି ରୁମାଲରେ । ଆଉ ଏମାନେ କ’ଣ ଏମିତି କହୁଛନ୍ତି । ନା, ଫୁଲ ମରିପାରେନା । ସେ ତାକୁ ଛାଡ଼ି କୁଆଡ଼େ କ’ଣ ଯାଇପାରିବ ? ?

 

କୁବେର ଚିତ୍କାର କରୁଥିଲା .... ଫୁଲ... ଫୁଲଲୋ.... ।

 

(ପ୍ରୀତିନନ୍ଦ । ଏଥର ନିଜେ ଅଟକିଲା । ସଙ୍ଗୀତାର ଆଖି ଦୁଇଟି ବନ୍ଦ ଥିଲା । ଜଗ୍‌ରୁ ପାଣି ଛାଟି ମୁହଁଟାକୁ ଭଲଭାବେ ଧୋଇନେଲା । ଦେଖୁଥିଲା ସଙ୍ଗୀତାର ବନ୍ଦ ଆଖିରୁ ଝରଝର ହୋଇ ଲୁହ ବୋହିବାରେ ଲାଗିଛି...।

 

ପ୍ରୀତିନିନ୍ଦା ନିଜର କୋହକୁ ସମ୍ଭାଳି ପାରୁ ନ ଥିଲା । ତଥାପି ନିଜକୁ ସମ୍ଭାଳି ସଙ୍ଗୀତାକୁ ହଲାଇଦେଇ କହିଲା କାହାଣୀ ଶୁଣି ପିଲାଙ୍କ ଭଳି ତୁ କନ୍ଦୁଛୁ ? ରହ ସାର୍‌ଙ୍କୁ କହୁଛି ।

 

ସଙ୍ଗୀତା କହିଲା, ପ୍ରୀତି-ଫୁଲ କ’ଣ ସତରେ ମରିଗଲା ? ଆଉ ମରିଗଲା ପରେ କୁବେର ସହିତ ଯିଏ ଥିଲା ସେ କିଏ ? ଆତ୍ମା କ’ଣ ସତରେ ମରେନାହିଁ ? ମଣିଷର ଇଚ୍ଛା କ’ଣ ମୃତ୍ୟୁ ପରେ ମଧ୍ୟ ପୂରଣ ହୋଇପାରେ ? ପରଜନ୍ମରେ କ’ଣ ଫୁଲ କୁବେରକୁ ପାଇପାରିବ ?

 

ପ୍ରୀତି କହିଲା–ଚୁପ୍‌ ରହ ସଙ୍ଗୀତା । ମୋ ହାଲତ ବି ଖରାପ । ତୁ ଏମିତି ପ୍ରଶ୍ନ ପଚାରି ମୋ ଅବସ୍ଥାକୁ ଆଉ ଅଧିକ ଖରାପ କରନି । ସାର୍‌ଙ୍କ କାହାଣୀଟା କେମିତି ଏକ ସତ୍ୟ ଘଟଣା ଭଳି ଲାଗିଲାଣି । ଭୟ ମଧ୍ୟ ଲାଗୁଛି । ଆଉ କେଇଟା ପୃଷ୍ଠା ଅଛି, କାହାଣୀ ସରିବ । ତା’ପରେ ହଷ୍ଟେଲ ଯାଇ ଏ ସମ୍ପର୍କରେ ବରଂ ଆଲୋଚନା କରିବା । ପ୍ରୀତି ସଙ୍ଗୀତା ଆଖିରୁ ଲୁହ ପୋଛି ଦେଉଥିଲା ଓ ପଢ଼ିବା ଆରମ୍ଭ କଲା)

 

× × × ପାଗଳ ପରି ପାଉଁଜିଟାକୁ ଧରି ପୁରସ୍ତମପୁର ଗାଁ ଆଡ଼କୁ ଦଉଡୁଥିଲା କୁବେର-। ହଠାତ୍‌ ତାକୁ ପଛରୁ କିଏ ଭିଡ଼ି ଧରୁଥିଲା । ମୁହଁ ବୁଲାଇ ପଛକୁ ଚାହିଁଲା କୁବେର । ନବବିବାହିତା ବଧୂ ମାଳତୀ ତା’ ବାଟ ଓଗାଳି ଛିଡ଼ା ହୋଇଛି... ।

 

ତାଙ୍କରି ପାଖିଦେଇ ସାଏଁ ସାଏଁ ଗର୍ଜନ କରି ସାଇରନ୍‌ ବଜାଇ ପୋଲିସ ଗାଡ଼ି ସବୁ ପଶୁଛି ପୁରସ୍ତମପୁର ଗାଁରେ । ଏପଟୁ ଦଳଦଳ ହୋଇ ନରେନ୍ଦ୍ରପୁର ଗାଁର ଲୋକମାନେ ହାତରେ ଲାଠି ଧରି ଦୌଡ଼ୁଛନ୍ତି । କୁବେର ମାଳତୀକୁ କହୁଥିଲା ମୋତେ ଛାଡ଼୍‍, ମୋତେ ଯିବାକୁ ହେବ । ସେମାନେ କ’ଣ କହୁଛନ୍ତି ତୁ ଶୁଣିଲୁଣି ?

 

ଫୁଲ କୁଆଡ଼େ କାଲି ସଞ୍ଜବେଳୁ ବ୍ରାହ୍ମଣୀ ପାଣିରେ ଭାସୁଛି । କାଲି ସାରାରାତି ପରା ଏଇଠି ସେ ମୋରି ପାଖିରେ ଥିଲା ଦେଖୁନୁ, ଏଇ ପରା ମୋ ପାଖରେ ପଡ଼ିରହିଛି ତା’ ଗୋଡ଼ର ପାଉଁଜି ପଟେ... ।

 

ସନ୍ଧ୍ୟାବେଳୁ ତା’ ଶବ ଭାସୁଛି ତ ମୋ ପାଖରେ ସାରା ରାତି ଏଠି କିଏ ଥିଲା ? ତୁ କହ ମାଳତୀ, ଏମାନେ ମିଛ କହୁଛନ୍ତି ମୋ ଫୁଲ ମୋତେ ଛାଡି କୁଆଡ଼େ ଯିବନି ।

 

ମାଳତି ଆଖିରୁ ଝର ଝର ହୋଇ ବୋହୁଥିଲା ଲୁହ । କୁବେର ପାଗଳ ଭଳି ଫୁଲ .... ଫୁଲଲୋ .... ଡାକି ଚେତା ହରାଉଥିଲା । ତା’ ପରର ଘଟଣା ବେଶ୍‌ ସଂକ୍ଷିପ୍ତ । ଫୁଲ ମୃତ୍ୟୁ ଖବର କୁବେରକୁ ଏମିତି ସାଂଘାତିକଭାବେ ଆଘାତ ଦେଇଥିଲା ଯେ ଚିକିତ୍ସା ପାଇଁ କୁବେରକୁ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

 

ନରେନ୍ଦ୍ରପୁର ଗାଁର ଲୋକମାନେ ସେଦିନ ଫୁଲର ଶବକୁ ସନ୍ଧ୍ୟାବେଳେ ରାତିପାହିଲା ପର୍ଯ୍ୟନ୍ତ ଜଗି ରହିଥିଲେ । ଫୁଲର ସ୍ୱାମୀ, ଶ୍ୱଶୁର ଓ ଦେଢ଼ଶୁର କଲିକତା ଚାଲିଯିବାକୁ ଚେଷ୍ଟା କରୁଥିଲାବେଳେ ଗାଁ ଲୋକଙ୍କ ଲାଠି ମାଡ଼ରେ ସାଂଘାତିକ ଅବସ୍ଥାରେ ଡାକ୍ତରଖାନାରେ ପୋଲିସ ସହାୟତାରେ ଭର୍ତ୍ତି ହୋଇଥିଲେ ।

 

ଫୁଲର ଶବକୁ ପୋଲିସ ଜବତ କରିଥିଲା । ଶବ ବ୍ୟବଚ୍ଛେଦରୁ ପ୍ରମାଣିତ ହୋଇଥିଲା ଯେ, ସେଦିନ ସନ୍ଧ୍ୟାରେ ଯେଉଁ ସମୟରେ କୁବେର ଫୁଲ ସହିତ ସାକ୍ଷାତ୍‍ ହୋଇଛି ବୋଲି ଦାବି କରୁଛି ତା’ର ୮/୧୦ ଘଣ୍ଟା ପୂର୍ବରୁ ଫୁଲକୁ ବିଭତ୍ସ ଭାବରେ ହତ୍ୟା କରାଯାଇଛି ଓ ଏହାର କେଇଘଣ୍ଟା ପରେ ତା’ର ଶବକୁ ବ୍ରାହ୍ମଣୀ ନଦୀକୁ ଫୋପାଡ଼ି ଦିଆଯାଇଥିଲା ।

 

ଫୁଲର ଶବକୁ ପୋଲିସ ଜବତ କଲାବେଳକୁ ତା’ ଦେହରେ ଥିବା ସମସ୍ତ ହୀରା ଓ.ସୁନା ଗହଣା ସବୁକୁ ବରାମଦ କରାଯାଇଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଡାହାଣ ଗୋଡ଼ର ସୁନା ପାଉଁଜିଟି ତା’ ପାଦରେ ନ ଥିଲା ।

 

ସନ୍ଦେହରେ ତଦନ୍ତ ଅଫିସର ଡାକ୍ତରଖାନାରେ ପହଞ୍ଚି ଭେଟିଥିଲେ ଟିକିତ୍ସିତ ହେଉଥିବା କୁବେରକୁ । ସମସ୍ତ ସରଳତାର ସହିତ କୁବେର ସେଦିନ ରାତିରେ ଘଟିଥିବା ସମସ୍ତ ଘଟଣାକୁ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପକେଟ୍‌ରେ ସାଇତି ରଖିଥିବା ସୁନାର ପାଉଁଜିଟିକୁ ପ୍ରମାଣସ୍ଵରୂପ ଅଫିସରଙ୍କୁ ଦେଖାଇଥିଲା ଓ ଫୁଲ କୌଣସି ପରିସ୍ଥିତିରେ ମଧ୍ୟ ମରିପାରେନା ବୋଲି ଚିତ୍କାର କରି କହିଥିଲା ।

 

ପୋଲିସ ବ୍ରାହ୍ମଣୀ କୂଳରେ ଥବା ମୁଣ୍ଡିଆ ପାହାଡ଼ ଓ ମନ୍ଦିର ବେଢ଼ାକୁ ଯାଇ ତଦନ୍ତ କରିଥିଲେ ମଧ୍ୟ କୁବେର କହୁଥିବା ଘଟଣାର ସତ୍ୟାସତ୍ୟ ସମ୍ପର୍କରେ କୌଣସି ପ୍ରମାଣ ପାଇ ନ ଥିଲା । ଏସବୁ କଥାର ଖିଅକୁ ତଦନ୍ତ ଅଫିସରମାନେ ପରବର୍ତ୍ତୀ ସମୟରେ ପୂର୍ବପର ଘଟଣା ସହିତ ଯୋଡ଼ିବାକୁ ସକ୍ଷମ ମଧ୍ୟ ହୋଇ ନ ଥିଲେ ।

 

କୁବେରକୁ ନେଇ ପୋଲିସ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲା ନାହିଁ । ସେଇ ପଟିକିଆ ପାଉଁଜିକୁ ନେଇ ସମସ୍ୟା ଉପୁଜିଥିଲା । ଯେଉଁଟିକୁ ପୋଲିସ କୁବେରଠାରୁ ଡାକ୍ତରଖାନାରେ ଜବତ କରିଥିଲା । ଏଥି ସଙ୍ଗେସଙ୍ଗେ ଫୁଲର ହାତଲେଖା ଚିଠିଟି ମଧ୍ୟ କୁବେରଠାରୁ ଜବତ ହୋଇଥିଲା । ଯେଉଁ ଚିଠିଟିକୁ ଧାନବିଲ ମଝିରେ କୁବେର ପାଲିଙ୍କିରେ ନିଜ ଗାଁ ନରେନ୍ଦ୍ରପୁରକୁ ଫେରିବା ରାସ୍ତାରେ ଦଉଡ଼ିଆସି ପିଲାଟିଏ ଦେଇ ପଳାଇ ଯାଇଥିଲା ।

 

ପୋଲିସ ଖୋଜି ଖୋଳି ସେ ପିଲାଟିକୁ ମଧ୍ୟ ପୁରୁଷୋତ୍ତମପୁର ଗାଁରେ ଠାବ କରିଥିଲା ଏବଂ ସେଇ ଚିଠିଟି ଫୁଲର ହାତଲେଖା ବୋଲି ପ୍ରମାଣିତ ହୋଇଥିଲା । ଏହାମଧ୍ୟ ସାବ୍ୟସ୍ତ ହୋଇଥିଲା ଯେ ଫୁଲ ନରେନ୍ଦ୍ରପୁର ମନ୍ଦିର ବେଢ଼ାରେ ସନ୍ଧ୍ୟାରେ ଭେଟିବ ବୋଲି ଏହି ଟିଠି ମାଧ୍ୟମରେ କୁବେରକୁ ଡାକିଥିଲା ।

 

କେବଳ ଫୁଲର ଏହି ଚିଠିଟିରୁ ଯେ କୁବେର ଓ ଫୁଲ ରାତିସାରା ମନ୍ଦିର ବେଢ଼ାରେ ଥିଲେ ବୋଲି ପୋଲିସକୁ ପ୍ରମାଣ କରିବା କଷ୍ଟକର ହୋଇପଡ଼ିଲା । କାରଣ ସେଦିନ ସନ୍ଧ୍ୟାରେ ଫୁଲର ଶବକୁ ପୋଲିସ ନଦୀରୁ ଉଦ୍ଧାର କରିଥିଲା ଓ ସାରା ରାତି ଗାଁ ଲୋକେ ଶବକୁ ଜଗି ବସିଥିଲେ ... ।

 

ମାତ୍ର କୁବେରର କହିବା ମୁତାବକ ଫୁଲ ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ମନ୍ଦିର ବେଢ଼ାକୁ ଆସିଥିଲା । ତା'ର କିଛି ସମୟ ପରେ ସେ ନିଜେ ପହଞ୍ଚିଥିଲା ସେଠି । ମନ୍ଦିର ଘଣ୍ଟାରେ ୩ଟା ବାଜିଲା ପର୍ଯ୍ୟନ୍ତ ଅନ୍ତତଃ ଫୁଲ ତା’ ପାଖରେ ଥିଲା ବୋଲି କୁବେର ବେଶ୍‌ ଦୃଢ଼ତାର ସହିତ କହୁଥିଲା ।

 

ନରେନ୍ଦ୍ରପୁର ଗ୍ରାମବାସୀମାନେ ସାକ୍ଷୀ ଦେଇ କହିଥିଲେ ଯେ କୁବେର ପୁରସ୍ତମପୁର ଗାଁରୁ ବିବାହ ପରେ ବଡ଼ି ଭୋରୁ ନରେନ୍ଦ୍ରପୁରକୁ ଫେରି ଆସିଥିଲା । ତା'ପରେ ପରେ ଦିନ ୩ଟା ପର୍ଯ୍ୟନ୍ତ ବିବାହ ପରବର୍ତ୍ତୀ ପାରମ୍ପରିକ ରୀତିନୀତି ନେଇ କୁବେର ଓ ମାଳତୀ ଦୁହେଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ ।

 

ସେଦିନ ସନ୍ଧ୍ୟା ୭ଟାରେ ଫୁଲର ଶବ ଗ୍ରାମବାସୀ ଓ ପୋଲିସ ଉଦ୍ଧାର କରିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଫୁଲର ମୃତ୍ୟୁ ସେଦିନ ଅପରାହ୍ନ ୧୨ଟା ସୁଦ୍ଧା ଘଟିସାରିଥିଲା । ସନ୍ଧ୍ୟା ୭ରୁ ୮ଟା ମଧ୍ୟରେ ଘଟଣା ପ୍ରଘଟ ହେଲା ପରେ ସେଦିନ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଘରେ ଖୋଜା ପଡ଼ିଥିଲା କୁବେରକୁ ।

 

ହୁଏତ ଏ ଘଟଣା ଜାଣି କୁବେର ପୁରସ୍ତମପୁର ଗାଁକୁ ଯାଇଥାଇପାରେ ବୋଲି ଘର ଲୋକମାନେ ଅନୁମାନ କରୁଥିଲେ । ମାଳତୀ ରାତିରେ ନିଜ ଗାଁକୁ ଲୋକ ପଠାଇ ଖବର ନେଇଥିଲା ଯେ ସେଠି କୁବେର ନାହିଁ । ଫୁଲର ମୃତ୍ୟୁ ଓ କୁବେରର ଅନ୍ତର୍ଦ୍ଧାନ ଖବର ପାଇଲା ପରେ ନିଜେ ମାଳତୀ ସବୁକିଛି ଭୁଲି ଦଉଡ଼ି ଯାଇଥିଲା ପଠାକୁ... । ସେତେବେଳକୁ ଅବଶ୍ୟ ରାତି ପାହି ସକାଳ ହୋଇଯାଇଥିଲା ।

 

ସେଠି ମାଳତୀ କ୍ଳାନ୍ତ ଶ୍ରାନ୍ତ ଓ ବ୍ୟସ୍ତବିବ୍ରତ ଯେଉଁ କୁବେରକୁ ଭେଟିଥିଲା ସେ ଆଦୌ ସ୍ୱାଭାବିକ ନ ଥିଲା...। ମାଳତୀର ଏହି ବକ୍ତବ୍ୟ ମଧ୍ୟ ପୋଲିସର ରେକର୍ଡଭୁକ୍ତ ହୋଇଥିଲା ।

 

ପାଉଁଜି ନେଇ ସାଧାରଣରେ ଚର୍ଚ୍ଚା ଥମିବାର ନାମ ନେଉ ନ ଥିଲାବେଳେ ଏତେସବୁ ପଚରାଉଚୁରା, ପରୀକ୍ଷାନିରୀକ୍ଷା ପରେ ମଧ୍ୟ ପୋଲିସକୁ କୌଣସି କୁଳକିନାରା ମିଳିଲା ନାହିଁ । ପ୍ରମାଣ ବିନା କିଛି ପ୍ରତିପାଦନ କରିବା ଅସମ୍ଭବ ଥିବାରୁ କିଛିଦିନ ପରେ ପାଉଁଜି ନେଇ ସମସ୍ତ ତଦନ୍ତ ବନ୍ଦ ହୋଇଗଲା ।

 

ଫୁଲ ପିନ୍ଧିଥିବା ସମସ୍ତ ଗହଣାକୁ ଜମିଦାର ରଣେନ୍ଦ୍ର ପ୍ରତାପଙ୍କର ବଡ଼ ବୋହୂଙ୍କ ଦାୟିତ୍ୱରେ ଦିଆଯାଇଥିଲା । ସେ ଏହି ଗହଣା ସମେତ ଫୁଲ ନାମରେ ଥିବା ସମସ୍ତ ସମ୍ପତ୍ତିକୁ ଏକ ସମାଜସେବୀ ଟ୍ରଷ୍ଟକୁ ଦାନପତ୍ର କରିଦେଇଥିଲେ ।

 

ବହୁଦିନ ଧରି ପୋଲିସ ପାଖରେ ରହିଯାଇଥିବା ଫୁଲମତୀର ପଟିକିଆ ପାଉଁଜଟି ପାଇଁ ପରବର୍ତ୍ତୀ ସମୟରେ ମାଳତୀ କୁବେରକୁ ଦାବିଦାରଭାବେ ଉପସ୍ଥାପନ କରି ମାଲିକାନା ସତ୍ତ୍ୱ‌ ହାସଲ ପାଇଁ କୋର୍ଟରେ ଅପିଲ୍‌ କରିଥିଲା ।

 

କୋର୍ଟରେ କୁବେର ଗୀତା ଛୁଇଁ ଶପଥ କରିଥିଲା ଯେ ସେ ଯାହା କହିବ ସତ କହିବ । ସତ ଛଡ଼ା ଆଉ କିଛି କହିବନି । କୁବେର ନ୍ୟାୟାଳୟରେ ସେଦିନ ଯାହାସବୁ କହିଥିଲା ଉପସ୍ଥିତ ଥିବା ଜନତା, ବୁଦ୍ଧିଜୀବୀ ଏପରିକି ଜଜ୍‌ଙ୍କ ହୋସ୍‌ ଉଡ଼ାଇଦେବାକୁ ଯଥେଷ୍ଟ ଥିଲା ।

 

ତା’ର ମାର୍ମିକ ପ୍ରେମ କାହାଣୀର ସତ୍ୟତା ସମ୍ପର୍କରେ ତଥ୍ୟଗତ ପ୍ରମାଣ କିଛି ନ ଥିଲେ ମଧ୍ୟ କୁବେରର ସାଧୁତା ଓ ସରଳତାକୁ ବିଶ୍ୱାସକୁ ନେଇ ଜଜ୍‌ ସାହେବ ପାଉଁଜି ପଟଟା ଉପରେ କୁବେରର ଅଧିକାର ରହିଛି ଓ ଏହା ତା’ର ଉପହାର ସାମଗ୍ରୀ ବୋଲି ଏକ ଐତିହାସିକ ରାୟ ଶୁଣାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ।

 

ଏମିତିଭାବେ ପାଉଁଜିଟି ପୁନର୍ବାର ଫେରିଆସିଥିଲା କୁବେର ପାଖକୁ ।

 

ସେଇଦିନଠାରୁ କୁବେର-ଫୁଲର ମର୍ମସ୍ପର୍ଶୀ କାହାଣୀ ଆଖପାଖ ଗାଁର ଲୋକଙ୍କ ପାଖରୁ ଶୁଣିବାକୁ ମିଳିଲା । ସାର୍ବଜନୀନ ହୋଇଯାଇଥିଲା ଫୁଲର ପ୍ରେମ କାହାଣୀ । ଫୁଲର ସ୍ୱାମୀ, ଶ୍ଵଶୁର ଓ ଦେଢ଼ଶୁରଙ୍କୁ ନିର୍ଯାତନା ଯୌନଶୋଷଣ ଓ ହତ୍ୟା ଅଭିଯୋଗରେ ପରବର୍ତ୍ତୀ ସମୟରେ କଠିନ ଦଣ୍ଡାଦେଶ ହୋଇଥିଲା ।

 

ନରେନ୍ଦ୍ରପୁର ଗାଁର ଦୁଇସାହି ମୁରବୀମାନେ ଫୁଲର ସ୍ମୃତିକୁ ଜିଆଇଁ ରଖିବା ନିଷ୍ପତ୍ତି ନେଇ ପୁଣି ଆରମ୍ଭ କରିଥିଲେ ବାସନ୍ତୀ ଦୁର୍ଗାପୂଜା ।

 

ସବୁ ପରେ ମଧ୍ୟ ସେଇ ପୂର୍ଣ୍ଣମୀ ରାତିରେ ଫୁଲ କୁବେରର ମିଳନ ସମସ୍ତଙ୍କ ପାଇଁ ଏକ କୁହେଳୀକା ହୋଇ ରହିଗଲାବେଳେ କୁବେର ସାଇତି ରଖିଥିବା ଫୁଲର ପାଉଁଜି ପଟଟି ଏକ ପ୍ରଶ୍ନ ହୋଇ ରହିଛି ଆଜିଯାଏଁ....

 

×       ×       ×       ×

 

ପାଣ୍ଡୁଲିପିଟି ଏଇ ଠି ସରିଲା ।

 

ପ୍ରୀତି ଡାଏରୀଟୀକୁ ବନ୍ଦ କରୁ କରୁ ଡାଏରୀର ପଛ କଭର ଭିତରେ ଥିବା ଲଫାପାଟିଏ ତଳେ ପଡ଼ିଗଲା । ସଙ୍ଗୀତା ସେଇଟାକୁ ଗୋଟାଇନେଲାବେଳକୁ ଖୋଲା ଲଫାପା ମଧ୍ୟରୁ ପୋଷ୍ଟକାର୍ଡ ସାଇଜର ଫଟୋ ଖଣ୍ଡେ ବାହାରି ଉଡ଼ିଯାଇ କିଛି ଦୂରରେ ଛିଟିକି ପଡ଼ିଲା । ତାକୁ ଉଠାଇବାକୁ ଯାଉଥିଲା ପ୍ରୀତି । ତା’ ଡାହାଣ ପାଦଟା ଉପରେ ଖସିପଡ଼ୁଥିଲା ପଟେ ସରୁ ସୁନା ପାଉଁଜି । ସେଇଟା ବି ସେଇ ଲଫାପା ମଧ୍ୟରେ ଥିଲା !

ପ୍ରୀତିନନ୍ଦା ମୁଣ୍ଡରୁ ରତିମଗ୍ନାର ନିଶା ଓହ୍ଲାଇ ନ ଥିଲା ... । ପାଉଁଜି ପଟକୁ ଦେଖି ରୀତିମତ୍‌ ଡରିଗଲା । କ’ଣ କହିବ ବୋଲି ପାଟି ଖନି ମାରିଯାଉଥିଲା । ସାମ୍ନାରେ ସେମିତି ପଡ଼ିରହିଥିଲା ପାଉଁଜି, ଆଉ ଟିକେ ଦୂରକୁ ଫଟୋ ଖଣ୍ଡିକ !

ଏତିକିବେଳେ ସଙ୍ଗୀତା ନଇଁପଡ଼ି ପାଉଁଜିଟାକୁ ଥରିଲା ହାତରେ ଉଠାଇ ବିସ୍ମୟ ବିଭୋର ଆଖିରେ ଚାହିଁରହିଲା... । କିଛି ମୁହୂର୍ତ୍ତ ଏମିତି ବିତିଗଲା ... । ସଙ୍ଗୀତାକୁ ହଲାଇ ଦେଇ ପ୍ରୀତିନନ୍ଦା ପଚାରିଲା- କ’ଣ ହେଲା ? ଏମିତି ଥରୁଛୁ କାହିଁକି ? ତୋ କପାଳରେ ଏତେ ଝାଳ ?

ସେଇମିତି ଧ୍ୟାନସ୍ଥ ମୁଦ୍ରାରେ, ଖୁବ୍‌ ଧୀରେ ସଙ୍ଗୀତା କହୁଥିଲା- ଏଇମିତି ... ଏକଦମ୍‌ ଏକାଭଳି ପାଉଁଜି ପଟେ ଗତବର୍ଷ ମା’ ମୋତେ କିଣିଦେଇଥିଲେ । ସବୁବର୍ଷ କୋଲକାତାର ପାର୍କଷ୍ଟ୍ରିଟ୍‌ରେ ଗୋଟେ ଚାରିଟେବୁଲ୍‌ ଟ୍ରଷ୍ଟ କ୍ଲାସିକ୍‌ ଆଉ ଆଣ୍ଟିକ୍‌ କଲେକ୍ସନ୍‌ ନେଇ ବିଶାଳ ସେଲ୍ସ ଲଗାଏ । ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କର ଏହି ସେଲ୍‌ରେ ଖୁବ୍‌ ଭିଡ଼ ଲାଗେ । ବହୁ ବିଶିଷ୍ଟ ନାମୀ ବ୍ୟକ୍ତିମାନଙ୍କଦ୍ଵାରା ବ୍ୟବହୃତ ଅନେକ ପଦାର୍ଥଗୁଡ଼ିକୁ ଏହି ସଂସ୍ଥା ସଂଗ୍ରହ କରି ସର୍ବସାଧାରଣରେ ବିକ୍ରୟ କରିଥାଏ । ଉପଲବ୍ଧ ଅର୍ଥ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ବିନିଯୋଗ ହୁଏ ।

କିଛିବର୍ଷ ତଳେ ମୁଁ ମା’ଙ୍କ ସହ ବୁଲି ଯାଇଥିବାବେଳେ ଏଇମିତି ପଟେ ପାଉଁଜିକୁ ଦେଖି ମୁଗ୍ଧ ହୋଇଯାଇଥିଲି । ସେଇ ପାଉଁଜିର କଳାକୃତିର ଗୋଟେ ଅଦ୍ଭୂତ ଚମକ ଥିଲା । ସେ ଆଣ୍ଟିକ୍‌ ପିସ୍‌ଟିକୁ ଘରକୁ ନେବାକୁ ମୁଁ ଜିଦ୍‌ କଲି । ମା’ ତାକୁ ନେବାକୁ ଆଦୌ ଆଗ୍ରହୀ ନ ଥିଲେ । କାରଣ ତା’ର ଅନ୍ୟ ପଟଟି ନ ଥିଲା । ପୁଣି ତାହା ଥିଲା ସୁନାର । ଦାମ୍‌ ମଧ୍ୟ କିଛି କମ୍‌ ନ ଥିଲା । କିନ୍ତୁ ଏହି ଅଦ୍ଭୂତ ଆକର୍ଷଣୀୟ ପାଉଁଜିଟି ପାଇଁ ମୁଁ ଜିଦ୍‌ କଲାରୁ ଟ୍ରଷ୍ଟର ଜଣେ ସଞ୍ଚାଳକ ମା’ ଙ୍କୁ ବୁଝାଇଦେଲେ ଯେ ଏହି ପାଉଁଜିଟି ଖୁବ୍‌ ପୁରୁଣା । ଏହାର ଗଢ଼ଣ ଏମିତି ଯେ ସେମିତି କାରୁକାର୍ଯ୍ୟରେ ଆଉ ଗୋଟେ ପଟ ତିଆରି କରିବା ସମ୍ଭବ ହେଉନାହିଁ ସେଇଥିପାଇଁ ବହୁବର୍ଷ ହେଲା ଏଇ ପାଉଁଜିପଟଟି ବିକ୍ରି ହୋଇପାରୁନାହିଁ । କିଏ ଜାଣେ ହୁଏତ ପାଉଁଜିଟି ତା’ର ପ୍ରକୃତ କ୍ରେତାକୁ ଅପେକ୍ଷା କରିଛି ! କିଏ ବା କହିପାରିବ କେଉଁଦିନ ଏକ ବିଶେଷ ଗୁଣଗ୍ରାହୀ ଗ୍ରାହକର ଏହା ମନଲାଖି ହେବ, ଆଉ ତା’ ଘରର ଶୋଭାବର୍ଦ୍ଧନ କରିବ ଏ ପାଉଁଜି ! ଅନ୍ୟ ଏକ କଥା ହେଲା, ଏଥିରୁ ଉପଲବ୍ଧ ଅର୍ଥରେ ଟ୍ରଷ୍ଟ ଗୋଟେ ଅନାଥ ବାଳିକାର ସହାୟତା ତ କରିପାରିବେ ।

ମୋର ଯାହା ଅନୁଭବ ଏଭଳି ଅନନ୍ୟ କଳାକୃତି ପଛରେ ନିଶ୍ଚିତଭାବେ ଏକ ମାର୍ମିକ କାହାଣୀ ଥାଏ । କିଏ ଜାଣେ କାହା ହାତ ଛୁଆଁରେ ବାରମ୍ବାର ସେଇ କାହାଣୀ ପୁଣି ଜୀବନ୍ୟାସ ପାଏ...

ଏତେକଥା ଶୁଣିଲା ପରେ ମା’ ମୋ ମୁହଁକୁ ଥରେ ଚାହିଁଥିଲେ । ମୋର ଅତ୍ୟଧିକ ଆଗ୍ରହ ଓ ବିକ୍ରେତାଜଣଙ୍କ କଥାରେ ଅନୁପ୍ରାଣିତ ହୋଇ ଶେଷରେ ପାଉଁଜିଟିକୁ କିଣିବାକୁ ମା’ ନିଷ୍ପତ୍ତି ନେଇଥିଲେ ।

ସଙ୍ଗୀତାର ସ୍ୱର ମଧ୍ୟ ଓଜନିଆ ଲାଗୁଥିଲା ...

ପ୍ରୀତିନନ୍ଦା ହାତରେ ପିନ୍ଧିଥିବା ଘଡ଼ିଟା ଉପରେ ଦୃଷ୍ଟି ବୁଲାଇ ଆଣୁଥିଲା, ଚିନ୍ତା କରୁଥିଲା ଯେ ଏମିତି ବିଚିତ୍ର ପରିସ୍ଥିତି ଭିତରେ ଆଉ ଅଧିକ ସମୟ ପ୍ରଫେସରଙ୍କ ଘରେ ରହିବା ବୋଧହୁଏ ଠିକ୍‌ ହେବନି ।

ଇତିମଧ୍ୟରେ ସଙ୍ଗୀତାର ବୁଦ୍ଧି ପୁନର୍ବାର ପ୍ରସାରିତ ହୋଇଯାଉଥିଲା ଟେବୁଲ୍‌ ତଳକୁ । ସେଠି ଲଫାପା ଭିତରୁ ଖସିପଡ଼ିଥିବା କଳାଧଳା ପୋଷ୍ଟକାର୍ଡ ସାଇଜ୍‌ର ଫଟୋଟାକୁ ଉଠାଇଆଣି ଚାହିଁଦେବା ମାତ୍ରକେ ହତଚକିତ ହୋଇପଡ଼ୁଥିଲା । ଗୋଟେ ହାତରେ ପାଉଁଜି ଆଉ ଅନ୍ୟ ହାତରେ ଫଟୋଟାକୁ ଧରି ସଙ୍ଗୀତା ଏମିତି ଧ୍ୟାନମଗ୍ନା ହୋଇପଡ଼ିଥିଲା ଯେ ପ୍ରୀତିନନ୍ଦାକୁ ଲାଗୁଥିଲା ଯେମିତି ସଙ୍ଗୀତା ଦେହରେ ଜୀବନ ନାହିଁ । ସେ ପାଲଟିଯାଇଛି ପଥର ମୂର୍ତ୍ତିଟିଏ ।

ପ୍ରୀତିନନ୍ଦା ତା’ ହାତରୁ ଫଟୋଟାକୁ ଟାଣି ଆଣିବାକୁ ଯିବା ସମୟରେ କବାଟ ଖୋଲିବାର ଶବ୍ଦ ହେଲା । ପ୍ରଫେସର କେ.କୁମାର ଘର ଭିତରକୁ ପଶିଆସିଲେ । ଦୁହିଁଙ୍କୁ ଏ ପର୍ଯ୍ୟନ୍ତ ଘରେ ଥିବାର ଦେଖି ଖୁସି ହେଲେ । କହିଲେ ଜଣେ ପ୍ରକାଶକ ମୋତେ ଠିକ୍‌ ତିନିଟା ସମୟରେ ପୁସ୍ତକ ପ୍ରକାଶନ ନେଇ ଆଲୋଚନା କରିବାକୁ ଡାକିଥିଲେ ତ ...। ସେଥିପାଇଁ ତୁମମାନଙ୍କୁ ସମୟ ଦେଇପାରିଲିନି ।

 

ଯଦି ପ୍ରକାଶକ ବହିଟିର ସମସ୍ତ ଦାୟିତ୍ଵ ନିଅନ୍ତେ ଖର୍ଚ୍ଚ ସମେତ ଅନେକ ସମସ୍ୟା କମିଯାଆନ୍ତା । ବହି ଛପାଇବା ଆଜିକାଲି ବଡ଼ ବ୍ୟୟସାପେକ୍ଷ । କିନ୍ତୁ ପ୍ରକାଶକଙ୍କ ସର୍ତ୍ତ ଶୁଣି ଯୁକ୍ତିତର୍କରେ ସମୟ ବିତିଲା ସିନା କିଛି ଲାଭ ହେବବୋଲି ଭାବୁନି...

 

କିଏ ଜାଣେ ବହିଟା ଛପା ହୋଇପାରିବ କି ନାହିଁ ? ବହିଟି ଭାଗ୍ୟରେ ଯାହାଥିବ ତାହାହିଁ ହେବ ବୋଲି ମୁଁ ବିଶ୍ୱାସ କରେ ।

 

ଦୀର୍ଘନିଶ୍ଵାସଟିଏ ଛାଡ଼ିଲେ ପ୍ରଫେସର । କହିଲେ ତୁମେ ଦୁହେଁ ମୋ ଅପ୍ରକାଶିତ ଉପନ୍ୟାସଟିର ପ୍ରଥମ ପାଠକ । ସମାଲୋଚନା ଦୃଷ୍ଟିକୋଣରୁ କୁହ କେଉଁଠି କିଛି ଭୁଲ୍‌ ରହିଯାଇନି ତ ?

 

ଏତିକି କହି ପ୍ରୀତିନନ୍ଦାକୁ ଚାହିଁଲେ ପ୍ରଫେସର ।

 

ପ୍ରୀତିନନ୍ଦା ନୀରବ ।

 

ପ୍ରଫେସର ପୁଣି ପଚାରୁଥିଲେ–କ’ଣ କିଛି ଛାଡ଼ିଯିବା ଭଳି ଲାଗୁନି ତ ? ଅବା କାହାଣୀଟାକୁ ସଜାଇବାରେ କିଛି ଅଭାବ ରହିଯାଇନି ତ ?

 

ପ୍ରୀତିନନ୍ଦା କ’ଣ ଗୋଟେ କହିବାକୁ ପ୍ରସ୍ତୁତ ହେଉଥିଲାବେଳେ ସଙ୍ଗୀତା ଉପରେ ପଡ଼ି କହିଉଠିଲା- ସାର୍‌, ‘‘ଆପଣ ଅନେକ କଥା ଲେଖିବାକୁ ଭୁଲିଯାଇଛନ୍ତି ।

 

–ଲେଖିନାହାନ୍ତି ତ ପ୍ରତିବର୍ଷ କୁବେର ସେଇ ନିର୍ଦ୍ଦିଷ୍ଟ ମାସର ପୁନେଇଁ ରାତିକୁ ଅପେକ୍ଷା କରିଥାଏ ବୋଲି ?

 

–ଯେଉଁ ରାତିରେ ସେ ଯାଇ ପହଞ୍ଚେ ମୁଣ୍ଡିଆ ପାହାଡ଼ ପାଖରେ ଥିବା ମନ୍ଦିର ବେଢ଼ାରେ...

 

–ସାରାରାତି ସେ କେମିତି ଭଜାଗରରେ ବିତାଇଦିଏ ସେଇଠି ସେମିତି ଠିଆ ଠିଆ ?

 

–ଏକଥା ବି ତ ଲେଖିନାହାନ୍ତି ଯେ, ଦୀର୍ଘ ୩୫ବର୍ଷ ହେଲାଣି ଆଜିପର୍ଯ୍ୟନ୍ତ କୁବେର ଅପେକ୍ଷା କରି ରହିଛି ଫୁଲକୁ... ?

 

–ଠିକ୍‌ ଯେମିତି ଏଇ ପାଉଁଜିଟି ଅପେକ୍ଷା କରି ରହିଛି କାହାର ଲଙ୍ଗଳା ପାଦକୁ ...। ଏତିକି କହି ସଙ୍ଗୀତା ଧରିଧିବା ପାଉଁଜିଟିକୁ ବଢ଼ାଇ ଦେଉଥିଲା କୁମାରଙ୍କ ହାତକୁ । କେ.କୁମାର ଚାହିଁଥିଲେ ସଙ୍ଗୀତାକୁ ଅପଲକ ନୟନରେ ।

 

ପ୍ରୀତିନନ୍ଦାକୁ ଏବେ ସଙ୍ଗୀତା ଅଚିହ୍ନା ଅଚିହ୍ନା ଲାଗୁଥିଲା.... । ଲାଗୁଥିଲା ସଙ୍ଗୀତା ଭିତରେ ଯେମିତି ସବାର ହୋଇଯାଇଛି ଫୁଲମତୀର ଆତ୍ମା । ଡ. କୁମାରଙ୍କ ଆଖିରେ ଢ଼ଳଢ଼ଳ ହେଉଥିଲା ଲୁହ...। ସଙ୍ଗୀତାର ଆଖି ମଧ୍ୟ ସଜଳ ହୋଇ ଉଠୁଥିଲା...। ସେମିତି ଲୁହଭିଜା କଣ୍ଠରେ ସଙ୍ଗୀତା ପୁଣି କହିଲା...। ସାର୍‌, ହଠାତ୍‌ ଯଦି କେଉଁଦିନ ମୋ ଭଳି କିଶୋରୀଟିଏ ଆସି ଆପଣଙ୍କୁ କୁହେ- ପ୍ରଫେସର, ଆପଣ ହିଁ ମୋର କୁବେର .. !

 

ପୁଣି ଯଦି କୁହେ- ଏମିତି ଏକଦମ୍‌ ଏକାଭଳି ପାଉଁଜିପଟେ ତା’ ପାଖରେ ଅଛି ବୋଲି ? ପ୍ରୀତିନନ୍ଦା ତଟସ୍ଥ ! !

 

ଏତେକଥା କହିବାକୁ ସଙ୍ଗୀତା ସାହସ ସଂଗ୍ରହ କଲା କିଭଳି ବୋଲି ଭାବି ବ୍ୟସ୍ତ ହୋଇପଡ଼ୁଥିଲା । ଘଟଣା କେଉଁଠୁ ଯାଇ କେଉଁଠି ପହଞ୍ଚୁଛି ସେକଥା ବୁଝିବା ପରିସ୍ଥିତିରେ ମଧ୍ୟ କେହି ନ ଥିଲେ...। ଏତିକିବେଳେ ପ୍ରଫେସର ଗୁରୁ ଗମ୍ଭୀର ସ୍ଵରରେ ‘ସନାତନ’ ‘ସନାତନ’ ବୋଲି ଚିତ୍କାର କଲେ । ସନାତନ ଆସି ଯୋଡ଼ ହସ୍ତରେ ଛିଡ଼ାହେଲା ।

 

କେ.କୁମାର ଓରଫ୍‌ କୁବେର କୁମାର କହିଲେ- ସନାତନ, ଏ ଦୁହିଁଙ୍କୁ ନେଇ ତାଙ୍କ ହଷ୍ଟେଲରେ ଛାଡ଼ି ଦେଇଆସ । ପରିବେଶରେ ଏକ ଅଦ୍ଭୂତ ନିରବତାକୁ ଅନୁଭବ କରୁଥିଲେ ସମସ୍ତେ । ପ୍ରୀତିନନ୍ଦା ସଙ୍ଗୀତାକୁ ନେଇ ଯିବାପାଇଁ ପ୍ରସ୍ତୁତ ହେଉଥିଲା । ପ୍ରଫେସର ସଙ୍ଗୀତାକୁ ପାଖକୁ ଡାକିଲେ । ସଙ୍ଗୀତା ଡରିଯାଇଥିଲା । ଅପ୍ରକୃତିସ୍ଥ ବି ଲାଗୁଥିଲା । ଟିକେ ଦୂରେଇ ଛିଡ଼ା ହେଲା...

 

ସାର୍‌ କହିଲେ ଆସ, ମୋ ପାଖକୁ ଆସ । ସଙ୍ଗୀତା ଆସିଲା । ସାର୍‌ କହିଲେ ଆହୁରି ନିକଟକୁ ଆସ... ଆହୁରି ନିକଟକୁ... ଏଥର ଖୁବ୍‌ କମ୍‌ ବ୍ୟବଧାନ ରହିଲା । ସାର୍‌ ଓ ସଙ୍ଗୀତା ମଧ୍ୟରେ ।

 

ପ୍ରୀତିନନ୍ଦା ସେତେବେଳକୁ ଥରିବାକୁ ଆରମ୍ଭ କଲାଣି । କ’ଣ ଘଟିବାକୁ ଯାଉଛି ବୋଲି ଭାବୁଛି, ସାର୍‌ ସଙ୍ଗୀତାର ମୁଣ୍ଡ ଉପରେ ହାତ ରଖିଲେ, ସଙ୍ଗୀତା ସ୍ଥିର ନିଶ୍ଚଳ । ତା'ର ଆଖିଦୁଇଟା ବନ୍ଦ ହୋଇଯାଉଥିଲା । ମୁଖମଣ୍ଡଳରେ ଏକ ଅଦ୍ଭୂତ ଶାନ୍ତି ଆଉ ସନ୍ତୁଷ୍ଟିର ଆଭାକୁ ସ୍ପଷ୍ଟ ଦେଖିପାରୁଥିଲା ପ୍ରୀତିନନ୍ଦା ।

 

ସଙ୍ଗୀତାକୁ ଲାଗୁଥିଲା ଯେମିତି କିଏ ତା’ ଆଗରେ ସମ୍ମୋହନର ମନ୍ତ୍ର ଉଚ୍ଚାରଣ କରୁଛି-। ଆଉ ସେ ଧୀରେ ଧୀରେ ସମ୍ମୋହିତ ହୋଇପଡ଼ୁଛି । ସାର୍‌ ତା’ ମଥା ଉପରେ ଖୁବ୍‌ ଆଦରରେ ହାତ ବୁଲାଇଆଣି । କହିଲେ– ତୁମେ ଠିକ୍‌ କହିଛ, ମୁଁ ହିଁ କୁବେର କୁମାର । ଯାହାକୁ କଲେଜରେ କେ.କୁମାର ବୋଲି ସମସ୍ତେ ଜାଣନ୍ତି

 

×       ×       ×

 

ଆଉ ଏ ପାଣ୍ଡୁଲିପିରେ ଲିପିବଦ୍ଧ ହୋଇଛି ମୋ ଜୀବନର କାହାଣୀ । ମାତ୍ର ଏ କାହାଣୀ ଉପରେ କେବଳ ମୋର ଅଧିକାର ଅଛି, ଆଉ କାହାର ନୁହେଁ ।

 

ଏତିକି କହି ପ୍ରଫେସର ସଙ୍ଗୀତାର ମୁହଁକୁ କିଛିକ୍ଷଣ ପାଇଁ ଚାହିଁରହିଲେ । ତାଙ୍କୁ ଦେଖି ପ୍ରୀତିନନ୍ଦାକୁ ଲାଗୁଥିଲା ସାର୍‌ ଯେମିତି ଅନେକ କଥା କହିବାକୁ ପ୍ରସ୍ତୁତ ହେଉଛନ୍ତି ! ଯେମିତି ଭାଙ୍ଗି ଭାଙ୍ଗି ଯାଉଛି ତାଙ୍କର ଧୈର୍ଯ୍ୟର ବନ୍ଧ... । ମାଡ଼ିଆସିବ ଉତ୍ତୁଙ୍ଗ ଲହରୀ ଆଉ ଚୁର୍‌ମାର୍‌ ହୋଇଯିବ ଦୃଶ୍ୟମାନ ବାଲୁକାର ବନ୍ଧ !

 

 

ମାତ୍ର ... ନା, ସାର୍‌ ଦୀର୍ଘନିଶ୍ୱାସଟିଏ ନେଲେ । ଆଉ ସେଇ ଚିରାଚରିତ ସ୍ଥିର ଅବିଚଳିତ ସ୍ଵରରେ କହିଲେ-“ତୁମେ ପରା କହୁଥିଲ ତୁମ ପାଖରେ ଏମିତି ପାଉଁଜିପଟେ ଅଛି ବୋଲି ?” ତେବେ ତୁମ ପାଖରେ ଥିବା ସେ ପାଉଁଜିପଟ ସହିତ ଏ ପାଉଁଜିର କୌଣସି ସମ୍ପର୍କ ନାହିଁ ।

 

ଏହା ସବୁବେଳେ ମନେରଖିବ । ଯଦି ଚାହଁ, ମୋ ପାଖରେ ଥିବା ଏପଟଟାକୁ ମଧ୍ୟ ତୁମେ ସାଙ୍ଗରେ ନେଇଯାଇପାର । ଆଉ ଗୋଟେ କଥା ମଧ୍ୟ ମନେରଖିବ, “ତୁମେ କାହାଭଳି ଦିଶୁଥାଇପାର”, ମାତ୍ର ତୁମେ ସେ ନୁହେଁ... ।

 

ଏଇ କଥାପଦକ ଶୁଣୁଶୁଣୁ ସଙ୍ଗୀତା ଅନୁଭବ କରୁଥିଲା ବିନା କାରଣରେ ଯେମିତି ତା’ ପାଦତଳୁ ମାଟି ଖସିଯାଉଛି । ସେ କେଉଁଗୋଟେ ବିରାଟ ଅନ୍ଧାରୁଆ ଗର୍ତ୍ତ ମଧ୍ୟରେ ନିକ୍ଷିପ୍ତ ହେଉଛି-। ତାକୁ ଏମିତି ଲାଗିଲା ସେଇକ୍ଷଣକ ମଧ୍ୟରେ ତା’ର ସମସ୍ତ ଅସ୍ତିତ୍ଵ କାଳର କରାଳ ଗର୍ଭରେ ଯେମିତି ହଜିଯିବ ! !

 

ସବୁ କଥା ବୁଝିବା ପୂର୍ବରୁ ଅନେକକଥା ଯେମିତି ଅବୁଝା ହୋଇ ରହିଯାଉଛି ! ଏକ ଅଦ୍ଭୁତ ଅଭାବନୀୟ ଅନୁଭବ ଯାହା ସଙ୍ଗୀତା ପାଇଁ ଏକଦମ୍‌ ନୂତନ ଥିଲା । ଭୟାବହ ବି ଥିଲା । ଏଇ ଅନୁଭବ ପଛରେ ଥିବା କାରଣକୁ ଖୋଜିବାକୁ ସେ ଅସମର୍ଥ ହୋଇପଡ଼ୁଥିଲା ।

 

ସାର୍‌ଙ୍କ ଗୁରୁଗମ୍ଭୀର ସ୍ଵର ତାକୁ ପ୍ରକୃତିସ୍ଥ‌ କରାଇଲା । ସାର୍‌ କହୁଥିଲେ- ସଙ୍ଗୀତା, ନିଜକୁ ଦୃଢ଼ କର । ଏମିତି ସମୟରେ ନିଜେ ନିଜକୁ ନ ସମ୍ଭାଳିଲେ ହତୋତ୍ସାହ ହୋଇପଡ଼ିବ । କିଛିକ୍ଷଣ ପରେ କହିଲେ- “ରତିମଗ୍ନାର କାହାଣୀକୁ ମନରୁ ପାସୋରି ଦେବ । ଆଜିର ସାମାଜିକ ସ୍ଥିତି ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ । ପ୍ରେମ ଆତ୍ମିକ । ତାକୁ ସାବ୍ୟସ୍ତ କରିବାକୁ ଶରୀର ବା ସମାଜର ଆବଶ୍ୟକତା ନାହିଁ ।”

 

ଏତିକି କହି ପ୍ରଫେସର ସଙ୍ଗୀତାର ହାତରେ ଧରାଇଦେଲେ ପାଉଁଜି ପଟଟା । ଯନ୍ତ୍ରଚାଳିତ କଣ୍ଢେଇଟେ ପରି ପ୍ରଫେସରଙ୍କ ହାତରୁ ସଙ୍ଗୀତା ପାଉଁଜିଟିକୁ ନେଉଥିଲା । ଆଉ ଅଧିକ କିଛି ଘଟଣା ଘଟିବା ଆଗରୁ ସନାତନ ସହିତ ଦୁହେଁ ହଷ୍ଟେଲ ଫେରିଗଲେ ।

 

ପାହାଡ଼ି ଝରଣା ପରି ଖିଲିଖିଲି ହସୁଥିବା ଝିଅ ସଙ୍ଗୀତା ସେଦିନ ସାରାରାତି ପ୍ରବଳ ମାନସିକ ଚାପ ମଧ୍ୟରେ ଅନ୍ୟମନସ୍କ ଓ ଅସୁସ୍ଥ ଲାଗୁଥିଲା ।

 

ପ୍ରୀତି ତାକୁ ଆଶ୍ଵସନା ଦେବାକୁ କହିଲା, ବୟସରେ ସାନ ହେଲେ ମଧ୍ୟ ତୁ ବୁଦ୍ଧିମତୀ । କାହାଣୀକୁ ‘ସତ୍ୟ’ ଭାବିବାର ଭୁଲ୍‌ କରିବୁନି ବୋଲି ମୁଁ ଆଶା କରୁଛି । ଯଦିଓ ସତ୍ୟ ହୋଇଥିବ ତାହା ସାର୍‌ଙ୍କ ବ୍ୟକ୍ତିଗତ ଜୀବନର କଥା । ସେ ଅତୀତ ଆଜି କାହାଣୀ ପାଲଟିଗଲାଣି । ତୁ ଯଦି ସେ କାହାଣୀ ଭିତରେ ନିଜକୁ ଖୋଜିବୁ ତାହାହିଁ ହେବ ସବୁଠାରୁ ବିଡ଼ମ୍ବନାର କଥା । ପ୍ଲିଜ୍‌ ବି ପ୍ରାକ୍ଟିକାଲ ।

 

ସଙ୍ଗୀତା ସ୍ୱର୍ଗୋକ୍ତି କଲା ଭଳି କହୁଥିଲା - ଜୀବନଟା ଗୋଟେ ରଙ୍ଗମଞ୍ଚ । ସମସ୍ତେ ଜଣେ ଜଣେ କଳାକାର । କାହାଣୀ ବିନା ଜୀବନ କାହିଁ ? ସତ୍ୟ ହେଉ ବା ମିଥ୍ୟା, କାହାଣୀ ପ୍ରଭାବଶାଳୀ ହେବା ଦରକାର । ତେବେ କେଉଁ କାହାଣୀ କାହାକୁ କେତେ ପ୍ରଭାବିତ କରିବ ତା' କଣ କେହି କହିପାରିବ ?

 

ଅବିଚଳିତ ଥିଲା ସଙ୍ଗୀତାର ସ୍ଵର । ଏକଦମ୍‌ ପ୍ରକୃତିସ୍ଥ ଥିଲା ସେ । ହସି ହସି ପ୍ରୀତି କାନ୍ଧରେ ହାତ ରଖି ଖୁବ୍‌ ଧୀରେ ଫୁସ୍‌ ଫୁସ୍‌ କରି ତା’ କାନ ପାଖରେ କହିଲା- ଆଚ୍ଛା ଏମିତି ତ ହୋଇପାରେ ପୂର୍ବଜନ୍ମରେ ମୁଁ ହିଁ ଥିଲି ଫୁଲ... ମାନେ ପ୍ରଫେସରଙ୍କର ପ୍ରେୟସୀ ‘ଫୁଲମତୀ’ ।

 

ଚୁପ୍‌କର ସଙ୍ଗୀତା... । ଇଟ୍‌ ଇଜ୍‌ ଟୁ ମଚ୍‌ । ଚିତ୍କାର କରି ଉଠୁଥିଲା ପ୍ରୀତିନନ୍ଦା ।

 

ତା’ ଚିତ୍କାର ଶୁଣି ପିଲାଙ୍କ ପରି ସଙ୍ଗୀତା ହି ହି ହୋଇ ହସିଉଠୁଥିଲା । ସେ ହସର ଅର୍ଥକୁ ପ୍ରୀତିନନ୍ଦା ବୁଝିବା ଆଗରୁ ଚମକାଇ ଦେଇ କହିଲା ‘ମୋର ବିଦାୟ କାଳୀନ ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଦେବ’ ।

 

ପ୍ରଫେସରଙ୍କ ଘରୁ ଫେରିବା ପରେ କାଲି ରାତିରେ ମା’ଙ୍କୁ ସବୁ ଜଣାଇଥିଲି... । କାଲି ସକାଳେ ମା’ ଆସି ପହଞ୍ଚିବେ । ସବୁଦିନ ପାଇଁ ବୋଧହୁଏ ମୋତେ ଓଡ଼ିଶା ଛାଡ଼ିବାକୁ ହେବ... । କାହାଣୀଟି ବୋଧହୁଏ ଏଇମିତି ଶେଷ ହେବାର ଥିଲା ।...

 

ତା’ ପରଦିନ ସଙ୍ଗୀତାର ମା’ ଆସି ପହଞ୍ଚିଥିଲେ । ଅତ୍ୟନ୍ତ ଚିନ୍ତିତ ଓ ଉଦ୍‌ବିଗ୍ନ ଥିଲେ । ସଙ୍ଗୀତାକୁ ନେଇ ଖୁବ୍‌ଶୀଘ୍ର କୋଲକାତା ଫେରିଯିବାକୁ ବ୍ୟସ୍ତ ହୋଇପଡ଼ୁଥିଲେ ।

 

ଏଥର ମା’ଙ୍କ କଥାର କୌଣସି ପ୍ରତିବାଦ କରି ନ ଥିଲା ସଙ୍ଗୀତା । ଚୁପ୍‌ଚାପ୍‌ କୋଲକାତା ଯିବାକୁ ଦୁହେଁ ଷ୍ଟେସନରେ ପହଞ୍ଚିଥିଲେ । ବିଦାୟ ଦେବାକୁ ପ୍ରୀତିନନ୍ଦା ସାଙ୍ଗରେ ଯାଇଥିଲା । ଟ୍ରେନ୍‌ ଆସି ପହଞ୍ଚିବା ଯାଏଁ ଦୁହେଁ ନିରବ ଥିଲେ । ସଙ୍ଗୀତା ପ୍ରବଳଭାବେ ଅନ୍ୟମନସ୍କ ଲାଗୁଥିଲା ।

 

ଟ୍ରେନ୍‌ ଆସି ପ୍ଲାଟ୍‌ଫର୍ମରେ ଲାଗିଲା । ମା’ଙ୍କୁ ବର୍ଥ ଭିତରେ ବସାଇଦେଇ ତଳକୁ ଆସି ପ୍ରୀତି ହାତକୁ ଗୋଟେ ଲଫାପା ବଢ଼ାଇ ଦେଇଥିଲା ସଙ୍ଗୀତା । କହିଲା ଏଇଟା ସାର୍‌ଙ୍କୁ ଦେଇଦେବୁ ।

 

ପ୍ରୀତି ଆଖିରେ ପ୍ରଶ୍ନ... । ସଙ୍ଗୀତା ଶୁଖିଲା ହସଟେ ହସି କହିଲା- ପ୍ରେମପତ୍ର ନୁହେଁ ମ... । କାଲି ସାର୍‌ଙ୍କ ଡାଏରୀରୁ ପାଉଁଜି ସହିତ ଫୁଲର ଏଇ କଳାଧଳା ଫଟୋଟା ତଳେ ଖସିପଡ଼ିଥିଲା । ତରବରରେ ସେଇଟା କାଲି ସାର୍‌ଙ୍କୁ ଫେରାଇ ହେଲାନାହିଁ । ମୋ ପର୍ସରେ ରହିଯାଇଥଲା । ସାର୍‌ଙ୍କ ପାଖରେ ଥିବା ଫୁଲର ପାଉଁଜି ପଟଟା ତ ମୁଁ ନେଇଆସିଲି...। ଏଇ ଫଟୋଟା ଅନ୍ତତଃ ସାର୍‌ଙ୍କ ପାଖରେ ରହୁ ...।

 

କୋଲକାତା ଅଭିମୁଖେ ଟ୍ରେନ୍‌ ଷ୍ଟେସନ ଛାଡ଼ିଲା । ଉଦାସ ଲାଗୁଥିଲେ ମଧ୍ୟ ସଙ୍ଗୀତା ଆଖରେ ଲୁହ ନ ଥିଲା । କେମିତି ଏକ ଅଦ୍ଭୂତ ଆତ୍ମବିଶ୍ଵାସର ଝଲକ ତା’ ଆଖିରେ ଦେଖୁଥିଲା ପ୍ରୀତି । ହେଲେ ପ୍ରୀତିନନ୍ଦା ନିଜ ଆଖିରୁ ବୋହିପଡ଼ୁଥିବା ଲୁହ ଦି’ଟୋପାକୁ ଅଟକାଇ ପାରୁ ନ ଥିଲା ।

 

ଏଇ କେତେଟା ଦିନ ଭିତରେ ଏତେସବୁ ଘଟଣା ଘଟିଯିବା ଓ ଅତର୍କିତଭାବେ ସଙ୍ଗୀତାର ଏମିତି ଚାଲିଯିବାଟାକୁ ସେ ସହଜରେ ଗ୍ରହଣ କରିପାରୁ ନ ଥିଲା । ହାତପାପୁଲିରେ ବୋହି ପଡ଼ୁଥିବା ଲୁହକୁ ପୋଛିଆଣି ହଷ୍ଟେଲ ଯିବାକୁ ରିକ୍ସାରେ ବସିଲାବେଳକୁ ହାତରେ ଧରିଥିବା ଲଫାପାଟା ଉପରେ ନଜର ପଡ଼ିଲା । ଆନମନାଭାବେ ଲଫାପା ଭିତରୁ ଫଟୋଟାକୁ କାଢ଼ିଆଣୁଥିଲା ପ୍ରୀତି । ଏଇ ଫଟୋଟାକୁ କାଲି ସଙ୍ଗୀତାଠାରୁ ଆଣି ଦେଖିବ ବୋଲି ଚେଷ୍ଟା କରିବା ସମୟରେ ହିଁ ସାର୍‌ ଆସି ପହଞ୍ଚିଯାଇଥିଲେ ! ସେ ଦେଖିପାରି ନ ଥିଲା ।

 

କଳାଧଳାର ପୁରୁଣା ଫଟୋଟାକୁ ଲଫାପାରୁ କାଢ଼ି ଦେଖୁ ଦେଖୁ ତାକୁ ଲାଗୁଥିଲା ସେ ଯେମିତି ବେହୋସ ହୋଇଯିବ ! ତା' ପାଟିରୁ ବାହାରି ପଡ଼ୁଥିଲା “ଏ କେମିତି ସମ୍ଭବ”... !

 

ସେଇ ଆଖି, ସେଇ ଓଠ, ସେଇ ନାକ... । ଚିବୁକରେ ରହିଛି ସେଇମିତି ଏକ କଳାଜାଇ, ...ଠିକ୍‌ ସଙ୍ଗୀତା ପରି !

Image